ଦୁର୍ବଳ ପ୍ରାଥମିକ ଶିକ୍ଷା

0

ଭିତ୍ତିଭୂମି ଦୁର୍ବଳ ହେଲେ ତା’ଉପରେ ଯେତେ ଚକଚକିଆ ଘର ତିଆରି କଲେ ବି ତାହା ବେଶିଦିନ ତିଷ୍ଠିପାରେନା। ଆମ ସରକାରୀ ଶିକ୍ଷାବ୍ୟବସ୍ଥାର ସ୍ଥିତି ଠିକ୍ ସେହିଭଳି ହୋଇଛି। ସରକାରୀ ସ୍କୁଲରେ ପଢ଼ୁଥିବା ଆମ ପିଲାମାନେ କାହିଁକି ପ୍ରତିଯୋଗିତାମୂଳକ ପରୀକ୍ଷାଗୁଡ଼ିକରେ ପଛରେ ରହୁଛନ୍ତି, ତା’ର ମୂଳ କାରଣ ହେଲା ସେମାନଙ୍କ ଭିତ୍ତି ହିଁ ଦୁର୍ବଳ; ଅର୍ଥାତ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ଦୁର୍ବଳ। ଗତ ମଙ୍ଗଳବାର ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ପ୍ରଥମ’ ପ୍ରତିବର୍ଷ ପରି ୨୦୧୮ର ଯେଉଁ ‘ଆନୁଏଲ୍ ଷ୍ଟାଟସ ଅଫ୍ ଏଜୁକେସନ’ (ଅସର୍‌) ରିପୋର୍ଟ ପ୍ରକାଶ କରିଛି, ସେଥିରୁ ତାହା ଜଳଜଳ ଦିଶୁଛି। ଦେଶର ୫୯୬ଟି ଜିଲା ଅନ୍ତର୍ଗତ ୧୭,୭୩୦ଟି ଗାଁରେ ୫ ଲକ୍ଷ ୪୬ ହଜାର ଛାତ୍ରଛାତ୍ରୀଙ୍କୁ ନେଇ କରାଯାଇଥିବା ଏହି ସର୍ବେକ୍ଷଣ ଅନୁସାରେ ଆଜିମଧ୍ୟ ପଞ୍ଚମ ଶ୍ରେଣୀ ପଢ଼ୁଥିବା ପ୍ରାୟ ଅର୍ଦ୍ଧେକ ପିଲା ଦ୍ବିତୀୟ ଶ୍ରେଣୀର ପାଠ ଠିକ୍‌ଭାବେ ପଢ଼ିପାରୁନାହାନ୍ତି। ତୃତୀୟ ଶ୍ରେଣୀର ମୋଟ ୨୦.୯ ଶତାଂଶ ପିଲାଙ୍କୁ ହିଁ ମିଶାଣ-ଫେଡ଼ାଣ ଆସେ। ସେହିପରି ଅଷ୍ଟମ ଶ୍ରେଣୀ ୫୬ ଶତାଂଶ ପିଲା ଦୁଇଅଙ୍କିଆ ହରଣ ବି କରିପାରନ୍ତି ନାହିଁ। ଆଉ ଏକ ଉଲ୍ଲେଖନୀୟ କଥା ହେଲା, କେନ୍ଦ୍ର ଓ ରାଜ୍ୟ ସରକାର ଡିଜିଟାଲ ଓ କଂପ୍ୟୁଟରୀକରଣ କଥା ବାରମ୍ବାର କହୁଥିବାବେଳେ ସରକାରୀ ସ୍କୁଲରେ ପଢ଼ୁଥିବା ପିଲାଙ୍କର କମ୍ପ୍ୟୁଟର ବ୍ୟବହାର କ୍ରମଶଃ କମିଚାଲିଛି। ସର୍ବେକ୍ଷଣ ଅନୁସାରେ, ୨୦୧୦ରେ ୮.୬ ଶତାଂଶ ପିଲା କଂପ୍ୟୁଟର ବ୍ୟବହାର କରୁଥିବାବେଳେ ୨୦୧୪ରେ ଏହା ହ୍ରାସପାଇଁ ୭ ଶତାଂଶ ହୋଇଥିଲା ଓ ୨୦୧୮ରେ ଏହା ୬.୫ ଶତାଂଶରେ ପହଞ୍ଚିଥିଲା। ଏଥିରୁ ଶିକ୍ଷା ନେଇ ଆମ ଶିକ୍ଷା ବିଭାଗ ଓ ସରକାର କେତେ ଯତ୍ନବାନ, ତାହା ପ୍ରମାଣିତ ହେଉଛି। ଏବେ ବି ଦେଶର ସମସ୍ତ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟରେ ପାନୀୟ ଜଳ, ଶୌଚାଳୟ, ବିଦ୍ୟୁତ୍ ଆଦିର ବ୍ୟବସ୍ଥା କରାଯାଇପାରିନାହିଁ।
ସରକାରୀ ବିଦ୍ୟାଳୟର ସମସ୍ୟା ବହୁମୁଖୀ, ସେଥିରେ ସନ୍ଦେହ ନାହିଁ। ତେବେ ଏଥିପାଇଁ ସରକାର ଅନେକ ମାତ୍ରାରେ ଦାୟୀ। ଉପଯୁକ୍ତ ଓ ନିର୍ଦିଷ୍ଟ ସଂଖ୍ୟକ ଶିକ୍ଷକ ନିଯୁକ୍ତି ନହେବା, ଭିତ୍ତିଭୂମି ନ ସୁଧାରିବା, ଶିକ୍ଷକଙ୍କୁ ଶିକ୍ଷାଭିନ୍ନ ଅନ୍ୟ କାମରେ ନିଯୁକ୍ତ କରିବା, ଯୁଗୋପଯୋଗୀ ପାଠ୍ୟକ୍ରମ ପ୍ରଚଳନ ନକରିବା ଇତ୍ୟାଦିର ସମାଧାନ ଆବଶ୍ୟକ। ଦିଲ୍ଲୀ ସରକାର ଆନ୍ତରିକତାର ସହ ସରକାରୀ ଶିକ୍ଷାରେ ଉନ୍ନତି ଆଣିବା ପାଇଁ ଚେଷ୍ଟା କରିବା ପରେ ତା’ର ସୁଫଳ ବର୍ତ୍ତମାନ ଦେଖିବାକୁ ମିଳୁଛି। ତେଣୁ ରାଜ୍ୟ ସରକାରଗୁଡ଼ିକ ଦୃଢ଼ଇଚ୍ଛା ସହ ଏ କ୍ଷେତ୍ରରେ କାର୍ଯ୍ୟକଲେ ଅବଶ୍ୟ ବିପର୍ଯ୍ୟସ୍ତ ପ୍ରାଥମିକ ଶିକ୍ଷାକୁ ସୁଧାରିହେବ।

Leave A Reply