୨୦୧୯ରେ ବିଶ୍ବ ଗଣତନ୍ତ୍ରର ସ୍ଥିତି

0

ପାବକ କାନୁନ୍‌ଗୋ

ରାଶିନକ୍ଷତ୍ର ଦେଖି ଜ୍ୟୋତିଷମାନେ ଯେପରି ଜଣେ ଲୋକଙ୍କ ବିଷୟରେ ଭବିଷ୍ୟତବାଣୀ ଶୁଣାନ୍ତି, ପୃଥିବୀ ଗୋଟିଏ ନୂଆ ବର୍ଷରେ ପାଦ ଦେଲା ପୂର୍ବରୁ ଆଗାମୀ-ବର୍ଷର ପୃଥିବୀର ରାଜ​‌େନୖତିକ, କୂଟନୈତିକ ଓ ଆର୍ଥିକ ସ୍ଥିତି ସମ୍ପର୍କରେ ଗବେଷକମାନେ ମଧ୍ୟ ସେହିପରି ଆକଳନ କରନ୍ତି। ଆନ୍ତର୍ଜାତିକ ସ୍ତରରେ ରାଜନୈତିକ ସ୍ଥିରତା, ଅର୍ଥନୈତିକ ସନ୍ତୁଳନ ଓ କୂଟନୈତିକ ଛକାପଞ୍ଝାର ଗୋଟିଏ ମୋଟାମୋଟି ଚିତ୍ର ଏମାନେ ପ୍ରଦାନ କରନ୍ତି। ଏହି ଦୃଷ୍ଟିରୁ ବିଚାର କଲେ ୨୦୧୮ରେ ବିଶ୍ବ ଯେପରି ଅସୁରକ୍ଷିତ ଓ ଅନିଶ୍ଚିତତାର ଘେରରେ ରହିଥିଲା, ୨୦୧୯ରେ ସେହି ଅବସ୍ଥା ରହିବ ନା ସେଥିରେ କିଛି ପରିବର୍ତ୍ତନ ଆସିବ ସେ ସମ୍ପର୍କରେ ତାତ୍ତ୍ବିକ ଆଲୋଚନା ହୁଏ। ବର୍ଷତମାମ ଅସୁସ୍ଥ ହୋଇ ରହିଥିବା ଗଣତନ୍ତ୍ରର ସ୍ଥିତି ନୂଆବର୍ଷରେ କିପରି ରହିବ ସେ ସମ୍ପର୍କରେ ଆଲୋଚନା କରାଯାଇପାରେ।
ଅନେକ ଦୃଷ୍ଟିରୁ ଦେଖିଲେ ଗଣତନ୍ତ୍ର ଶାସନ ବ୍ୟବସ୍ଥାରେ ଅସ୍ଥିରତା ବିଶ୍ବବ୍ୟାପୀ ଏକ ନୈରାଶ୍ୟଜନକ ପରିବେଶ ସୃଷ୍ଟି କରିଥିଲା। ବିଶ୍ବର ଅନେକ ଅଂଶରେ ଗଣତନ୍ତ୍ରର ରକ୍ଷକ ଓ ତ୍ରାଣକର୍ତ୍ତା ଭାବରେ ଛଳନା କରି ଏକଚ୍ଛତ୍ରବାଦୀମାନେ ଜନସାଧାରଣଙ୍କୁ ଅତ୍ୟାଚାର ଓ ଶୋଷଣର ଯନ୍ତା ଭିତରକୁ ଠେଲିଦେଇଛନ୍ତି। ଶୃଙ୍ଖଳା ଓ ଜାତୀୟ ସଂହତିକୁ ରକ୍ଷା କରିବାର ବାହାନା କରି ଭିନ୍ନମତାବଲମ୍ବୀମାନଙ୍କୁ ଦମନ କରିବା, ହତ୍ୟାକାଣ୍ଡ ଓ ଅନ୍ୟ ନିର୍ମମ ଅତ୍ୟାଚାରର ଆଶ୍ରୟ ନେବା, ମତପ୍ରକାଶ କରିବାର ଅଧିକାରକୁ ଅପହରଣ କରିବା ଓ ସମ୍ବାଦପତ୍ରର କଣ୍ଠରୋଧ ଭଳି ଗଣତନ୍ତ୍ରବିରୋଧୀ କାର୍ଯ୍ୟରେ ଲିପ୍ତ ରହିଛନ୍ତି। ଗଲା ପ୍ରାୟ ଦଶବର୍ଷ ଧରି ବିଶ୍ବରେ ଗଣତାନ୍ତ୍ରିକ ବ୍ୟବସ୍ଥା ଓ ଜୀବନଧାରା ଯେପରି ପରାଭବ ଭୋଗିଛି ୨୦୧୮ରେ ମଧ୍ୟ ସେହି ଧାରା ବା ପ୍ରକ୍ରିୟା ଅବ୍ୟାହତ ରହିଥିଲା। ଲୋକତନ୍ତ୍ର ଦୋଷଯୁକ୍ତ ହୋଇଥିବାରୁ ଏହାର ପ୍ରତିକାର ପାଇଁ ଟାଣୁଆ ନେତାଙ୍କର ଆବଶ୍ୟକତା ରହିଛିବୋଲି ଅନେକ ଶିକ୍ଷିତ ଲୋକଙ୍କ ଭିତରେ ମଧ୍ୟ ଧାରଣା ସୃଷ୍ଟି କରିଦିଆଗଲା। ଉଦାରବାଦୀ ଗଣତନ୍ତ୍ର କ୍ରମାଗତ ଅବକ୍ଷୟମୁଖୀ ହେବା ଘଟଣାରେ ଅନେକ ଚିନ୍ତାଶୀଳ ବ୍ୟକ୍ତି ବ୍ୟଥିତ ହୋଇଥିଲେ ମଧ୍ୟ ଏହା ଉପରେ ରୋକ ଲଗାଇବା ସେମାନଙ୍କ ପକ୍ଷରେ ସମ୍ଭବ ହେଲାନାହିଁ। ସହିଷ୍ଣୁତା, ଧର୍ମ ନିରପେକ୍ଷତା ଓ ବିବିଧତା ଭଳି ଆଦର୍ଶ ଦେଶକୁ ବିପତ୍ତି ଭିତରକୁ ଟାଣିନେଉଛି ବୋଲି ମିଥ୍ୟା ପ୍ରଚାର ହେଲା। ଅନେକ ଦେଶରେ କ୍ଷମତାପାଗଳ ନେତାମାନେ ଧାରଣା ସୃଷ୍ଟି କଲେ ଯେ ଛାୟା ଆଭ୍ୟନ୍ତରୀଣ ଓ ବାହ୍ୟ ଶତ୍ରୁମାନେ ରାଷ୍ଟ୍ରବ୍ୟବସ୍ଥାକୁ ଧ୍ବଂସମୁଖରେ ପକାଇବାକୁ ଷଡ଼ଯନ୍ତ୍ର କରୁଛନ୍ତି। ଗୋଟିଏ ଦେଶର ସଂସ୍କୃତି (ସାଂସ୍କୃତିକ ଜାତୀୟତା), ପରମ୍ପରା ଓ ସଂଖ୍ୟାଗରିଷ୍ଠ ଧର୍ମ ପ୍ରଚଣ୍ଡ ଆକ୍ରମଣ ଯୋଜନାକୁ ପଣ୍ଡ କରିବାକୁ ସେମାନେ ଲୋକଙ୍କୁ ଆବେଗମୟ ଭାଷାରେ ଆହ୍ବାନ ଜଣାଉଛନ୍ତି। ଏଭଳି ପ୍ରକ୍ରିୟାର ପ୍ରତିରୋଧ ପାଇଁ ନାନା କୌଶଳର ଆଶ୍ରୟ ନିଆଯାଇଛି। ବିଚାର ବିଭାଗକୁ ଦୁର୍ବଳ କରିଦେବା, ସମ୍ବାଦପତ୍ର ଓ ଗଣମାଧ୍ୟମର ସ୍ବାଧୀନତା ଉପରେ ନଗ୍ନ ଆକ୍ରମଣ କରିବା, ଜାତୀୟତାର ବିରୋଧୀଭାବରେ ଭିନ୍ନମତାଲମ୍ବୀମାନଙ୍କୁ ଚିହ୍ନିତ କରିବା ଏବଂ ଗୁରୁତ୍ବପୂର୍ଣ୍ଣ ପଦରେ ନିଜର ସମର୍ଥକ ବା ବଚସ୍କରମାନଙ୍କୁ ନେଇ ବସାଇବାପରେ ସ୍ବାଧୀନ ଓ ନିରପେକ୍ଷ ଅନୁଷ୍ଠାନଗୁଡ଼ିକୁ ଶକ୍ତିହୀନ ବା ଦୁର୍ବଳ କରିବାରେ ସେମାନେ ଲାଗିପଡ଼ନ୍ତି।
ଲୋକଙ୍କର ଅଧିକାର ଓ ସ୍ବାଧୀନ ଏବଂ ମୁକ୍ତ ମତପ୍ରକାଶ କରିବାର ଅଧିକାର ଉପରେ ଅଙ୍କୁଶ ଲଗାଇବା ଚକ୍ରାନ୍ତର ତୀବ୍ରତା ୨୦୧୯ରେ ​‌ହ୍ରାସ ପାଇବ ବୋଲି ଅନୁମାନ କରାଯାଉଛି। ଏସିଆ ମହାଦେଶରେ ଏହି ପ୍ରକ୍ରିୟାର ପ୍ରଭାବ ବିଶେଷ ଭାବରେ ଅନୁଭୂତ ହେବବୋଲି କୁହାଯାଇଛି। ଏକଚ୍ଛତ୍ରବାଦର ଅାଧିପତ୍ୟରେ ଗଣତନ୍ତ୍ର ଯେପରି ଛଟପଟ ହେଉଥିଲା ସେଥିରେ କିଛିଟା ସୁଧାର ଆସିବବୋଲି ଅନୁମାନ କରାଯାଉଛି। କିର୍‌ଗିଜ୍‌ସ୍ତାନରୁ ଫିଲିପାଇନସ୍‌ ପର୍ଯ୍ୟନ୍ତ ଗଣତନ୍ତ୍ରର ଖୋଳ ଭିତରେ ରହି ଲୋକଙ୍କ ମୌଳିକ ଅଧିକାରକୁ ପଦଦଳିତ କରିବାର ଉଦ୍ୟମ ଉପରେ ଶକ୍ତ ଧକ୍‌କା ଲାଗିବ। ମାଲେସିଆ ଓ ମାଳଦ୍ବୀପ ଭଳି ଦେଶରେ ଭୋଟବାକ୍ସ ଜରିଆରେ ଯେପରି ବଳଶାଳୀ ଶାସକମାନଙ୍କୁ ହଟାଇ ଦିଆଗଲା ଅନ୍ୟ କେତେକ ଅଞ୍ଚଳରେ ତାହାର ପୁନରାବୃତ୍ତି ଘଟିବ। ଅବଶ୍ୟ ଏକଥା ସତ ଯେ ଥାଇଲାଣ୍ଡ ବା ପାକିସ୍ତାନ ଭଳି ଦେଶର ଶାସନରେ ସାମରିକ ଶକ୍ତି ଅତ୍ୟଧିକ ହସ୍ତକ୍ଷେପ କରୁଛନ୍ତି। ମ୍ୟାଁମାରରେ ମଧ୍ୟ ସୈନ୍ୟମାନେ ଲୋକଙ୍କ ଉପରେ କ୍ରମାଗତ ଅତ୍ୟାଚାର ଚଳାଇଛନ୍ତି। ଏ ବର୍ଷ କାମ୍ବୋଡିଆର ପ୍ରଦୂଷିତ ନିର୍ବାଚନ ବା ଥାଇଲାଣ୍ଡରେ ତୁହାକୁତୁହା ନିର୍ବାଚନ ଘୁଞ୍ଚାଇବା ଭଳି ଉଦ୍ୟମର ପୁନରାବୃତ୍ତି ହେବନାହିଁ।
ଏହି ଦୃଷ୍ଟିରୁ ବିଚାରକଲେ ବିଶ୍ବରେ ରାଜନୈତିକ ସ୍ଥିରତା ସୃଷ୍ଟି କରି ଗଣତନ୍ତ୍ର ପଥକୁ ବିପଦମୁକ୍ତ କରିବାପାଇଁ ଅନେକ ଉଲ୍ଲେଖନୀୟ ପଦକ୍ଷେପ ୨୦୧୯ରେ ଗ୍ରହଣ କରାଯିବାର ଆଶା ଦେଖାଯାଉଛି। ବିଶ୍ବ ଜନସଂଖ୍ୟାର ଏକ-ତୃତୀୟାଂଶରୁ ଅଧିକ ଲୋକ ବାସ କରୁଥିବା କେତୋଟି ଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଏଭଳି ଦେଶଙ୍କ ଭିତରେ ବିଶ୍ବର ସର୍ବବୃହତ ଗଣତନ୍ତ୍ର ଭାବରେ ଭାରତର ସ୍ଥାନ ରହିଛି। ପ୍ରସିଦ୍ଧ ପତ୍ରିକା ‘ଦି ଇକନମିଷ୍ଟ’ର ଆକଳନ ଅନୁସାରେ ଭାରତର କ୍ଷମତାସୀନ ଦଳ ନିର୍ବାଚନରେ ବିଜୟ ଲାଭ କରିନପାରେ। ଇଣ୍ଡୋନେସିଆ ଓ ନାଇଜେରିଆର ଆଗାମୀ ନିର୍ବାଚନର ମଧ୍ୟ ଗୁରୁତ୍ବ ରହିଛି। ନିର୍ବାଚନ ମୋଟାମୋଟି ଶାନ୍ତିପୂର୍ଣ୍ଣ ହେବ। ୨୦୧୮ ଅପେକ୍ଷା ୨୦୧୯ରେ ଆଫ୍ରିକା ମହାଦେଶର ପରିସ୍ଥିତିରେ ଉନ୍ନତି ଆସିବ। ଗଲା କେତେବର୍ଷ ଭିତରେ ଦକ୍ଷିଣ ଆଫ୍ରିକାରେ ଅନେକ ଗଣତାନ୍ତ୍ରିକ ଅନୁଷ୍ଠାନ ଉପରେ ବିପଦର ଯେଉଁ ଛାୟା ଦେଖାଦେଇଛି ସେଥିରେ ଅନେକମାତ୍ରାରେ ସୁଧାର ଆସିବ ବୋଲି କୁହାଯାଉଛି। ଇଥିଓପିଆରେ ହଜାରହଜାର ରାଜନୈତିକ ବନ୍ଦୀଙ୍କୁ ଖଲାସ କରି ଦିଆଯିବ ଏବଂ ଏରିଟ୍ରିଆ ସହିତ ​‌େଦଶର ଶାନ୍ତି ପ୍ରତିଷ୍ଠା ହେବ। ଲୋକେ ବାକ୍‌ସ୍ବାଧୀନତାର ସୁଯୋଗ ପାଇବେ। ୨୦୧୮ରେ ଆଫ୍ରିକାରେ ସରକାରୀ ତହବିଲ ଲୁଣ୍ଠନ ବିରୋଧରେ ଯେପରି ଜନଆକ୍ରୋଶ ଦେଖାଦେଇଥିଲା ଏବଂ ଦେଶବିରୋଧୀ କାର୍ଯ୍ୟରେ ଲିପ୍ତ ଶାସକମାନଙ୍କୁ ହଟାଇ ଦିଆଗଲା, ୨୦୧୯ରେ ଅନ୍ୟ କେତେକ ଦେଶରେ ତାହାର ପ୍ରତିଫଳନ ଘଟିବ। ଭେନିଜୁଏଲା ଓ ନିକାରାଗୁଆରେ ହିଂସା ଆଧାରିତ ଅତ୍ୟାଚାରୀ ଶାସନ ଉପରେ ଅଧିକ ନିୟନ୍ତ୍ରଣଜାରୀ ହେବ ବୋଲି କଳନା କରାଯାଉଛି। ରୁଷର ସର୍ବଶକ୍ତିମାନ ଶାସକ ପୁଟିନ ଯେଉଁ ସୁରକ୍ଷା ବଳୟରେ ଥିଲେ ତାହା କିଛିମାତ୍ରାରେ ହୁଗୁଳା ହୋଇଯିବ।
ଗଣତନ୍ତ୍ର ବ୍ୟବସ୍ଥା ପୃଥିବୀର ସବୁ ଅଂଶରେ ଯେ ସୁସ୍ଥସବଳ ରହିବ, ତାହା କୁହାଯାଇପାରିବ ନାହିଁ। ଚୀନରେ ସରକାର ବା ଦଳ ବିରୋଧୀ ମତକୁ ଦୃଢ଼ ହସ୍ତରେ ଦମନ କରାଯିବ। ‘ବୁଲଡୋଜର’ ଭାବରେ ପରିଚିତ ତାଞ୍ଜାନିଆର ରାଷ୍ଟ୍ରପତି ମାଗୁଫୁଲି ତାଙ୍କ ବାଟରେ କଣ୍ଟା ସାଜୁଥିବା ସମସ୍ତଙ୍କ ଉପରେ ନିର୍ମମ ଅତ୍ୟାଚାର ଚଳାଇବେ। ଇଜିପ୍ଟ ଓ ଇରାନରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହେବ। ବ୍ରାଜିଲରେ ନିରଙ୍କୁଶ ଶାସନ କିଛି ମାତ୍ରାରେ କୋହଳ ହେବ। ନିଜର ବଚସ୍କରକୁ ଗୁରୁତ୍ବଦେଇ ଗୁରୁତ୍ବପୂର୍ଣ୍ଣ ପଦରେ ରଖିଥିବା ପୋଲାଣ୍ଡର ସରକାର କେତେଗୁଡିଏ ଜନହିତକର କାର୍ଯ୍ୟ କରିବେ। ମୁସଲମାନ ସନ୍ତ୍ରାସବାଦୀମାନଙ୍କ କବଳରୁ ଦେଶକୁ ରକ୍ଷା କରିବାକୁ ହଙ୍ଗେରୀର ପ୍ରଧାନମନ୍ତ୍ରୀ ଫଳପ୍ରଦ ଉଦ୍ୟମ କରିବେ।
ବିଶ୍ବର ସର୍ବଶକ୍ତିମାନ ଗଣତନ୍ତ୍ର ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କ କାର୍ଯ୍ୟକଳାପ ଉପରେ ୨୦୧୯ରେ ପୃଥିବୀର ସତର୍କ ଦୃଷ୍ଟି ରହିବ। ଦୁଇବର୍ଷରୁ ଅଧିକ କାଳ ଧରି ଆନ୍ତର୍ଜାତିକ ରାଜନୀତି, ଅର୍ଥନୀତି ଓ କୂଟନୀତିକୁ ଆକ୍ରାନ୍ତ କରି ରଖିଥିବା ଟ୍ରମ୍ପ ନିଜ ଦେଶରେ ବିଭାଜନର ରେଖା ଟାଣିବା ସଙ୍ଗେସ​‌େ​‌ଙ୍ଗ ଆମେରିକାର ରାଜନୈତିକ ସଂସ୍କୃତିକୁ ରକ୍ତାକ୍ତ କରିଦେଇଛନ୍ତି। ଜିଦ୍‌ଖୋର, ଅମାର୍ଜିତ, ବିପଜ୍ଜନକ ଏବଂ ଅପ୍ରତିଭ ପରିସ୍ଥିତି ସୃଷ୍ଟି କରିବା ଦିଗରେ ସିଦ୍ଧହସ୍ତ ନିଜର ମିଥ୍ୟା ଆଚରଣ ଓ ଉପଜାତୀୟତାବାଦ ସୃଷ୍ଟି ଉଦ୍ୟମ ପାଇଁ ନିନ୍ଦିତ ହୋଇଛନ୍ତି। ମତ୍ତରାଷ୍ଟ୍ର ଉତ୍ତର କୋରିଆକୁ ଆଲୋଚନାର ପରିସରକୁ ଆଣି ଏବଂ ବାଣିଜ୍ୟ କ୍ଷେତ୍ରରେ ଚୀନର ଠକାମିକୁ ପଦାରେ ପକାଇବା ଭଳି କାର୍ଯ୍ୟ ପାଇଁ ସେ ପ୍ରଶଂସିତ ହୋଇଥିଲେ ମଧ୍ୟ ଆମେରିକା କଂଗ୍ରେସ (ପାର୍ଲାମେଣ୍ଟ) ସହିତ ତାଙ୍କର ଶୀତଳଯୁଦ୍ଧ ୨୦୧୯ରେ ଉଗ୍ରରୂପ ଧାରଣ କରି ଅନିଶ୍ଚିତ ପରିସ୍ଥିତି ସୃଷ୍ଟି କରିବବୋଲି କୂଟନୀତିଶାସ୍ତ୍ରୀମାନେ ସତର୍କବାଣୀ ଶୁଣାଇଛନ୍ତି। ବିଶ୍ବରାଜନୀତିରେ ଆମେରିକାର ଭୂମିକା ସ୍ବତନ୍ତ୍ର ଆଲୋଚନାର ଅପେକ୍ଷା ରଖେ।
ଅହିଂସାର ପୂଜାରୀ ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଏବଂ ନବଜାଗରଣ ଯୁଗର ଶିଳ୍ପୀ ଓ ସ୍ଥପତି ଲିଓନାଡ଼ୋ ଡା ଭିନ୍‌ସୀଙ୍କର ମୃତ୍ୟୁର ୫୦୦ବର୍ଷ ପାଳନ ମଧ୍ୟ ୨୦୧୯ର ଦୁଇଟି ଉଲ୍ଲେଖନୀୟ ଘଟଣା ହେବ।

Leave A Reply