ବାରୁଦଗଦାରେ ଆସାମ

0

୨୦୧୯ ନାଗରିକତା ସଂଶୋଧନ ବିଲ୍‌ ଗୃହୀତ ହେବାପରେ ଆସାମରେ ଏହା ବିରୋଧରେ ଜନବିରୋଧ ତୀବ୍ର ଆକାର ଧାରଣ କରିଛି। ରାଜ୍ୟ ବିଜେପି ସହିତ ସବୁ ପ୍ରାଦେଶିକ ଓ ଜାତୀୟଦଳ ଏହା ବିରୋଧରେ ସ୍ବର ଉତ୍ତୋଳନ କରିବାରୁ କ୍ଷମତାରେ ଥିବା ​ଭାରତୀୟ ଜନତାପାର୍ଟି ସରକାର ଚାପରେ ଅଛି। ଏହି ବିଲ୍‌ ଆଇନରେ ପରିଣତ ହେବାପରେ ଆସାମ ସମାଜ ସବୁଠୁ ବେଶୀ ପ୍ରଭାବିତ ହୋଇ ଆଦିବାସୀ ଓ ଅଣ-ଆଦିବାସୀ, ଏଭଳି ଦୁଇଭାଗରେ ବିଭାଜିତ ହେବବୋଲି ଆଶଙ୍କା କରାଯାଉଛି। ନୂଆ ବିଲ୍‌ରେ ପାକିସ୍ତାନ, ଆଫଗାନିସ୍ତାନ, ବାଂଲାଦେଶରେ ବାଛବିଚାର ଓ ଧାର୍ମିକ ଉତ୍ପୀଡନର ସମ୍ମୁଖୀନ ହେଉଥିବା ହିନ୍ଦୁ, ଶିଖ, ବୌଦ୍ଧ ଆଦି ଛ’ଟି ଧର୍ମର ଲୋକଙ୍କୁ ଭାରତରେ ସ୍ଥାୟୀ ନାଗରିକତ୍ବ ଦେବାର ବ୍ୟବସ୍ଥା ଅଛି। ଏଥିରେ ଅବଶ୍ୟ ସେ ଦେଶର ମୁସଲମାନମାନଙ୍କୁ ଭାରତର ନାଗରିକତ୍ବ ଦେବାର ବ୍ୟବସ୍ଥା ନାହିଁ। ହେଲେ ଆସାମରେ ଏହାକୁ ବିରୋଧ କରାଯିବାର କାରଣ ସ୍ପଷ୍ଟ।
ଆସାମରେ ଅନୁପ୍ରବେଶ ଓ ବାହାର ଲୋକଙ୍କ ସ୍ଥାୟୀ ବସବାସ ଫଳରେ ସେ ଅଞ୍ଚଳର ଜାତିଗତ ସମୀକରଣ ବଦଳିବା ସହ ମୂଳ ଅଧିବାସୀ କ୍ରମଶଃ ସଂଖ୍ୟାଲଘୁ ହେବାରୁ ତା’ବିରୋଧରେ ତୀବ୍ର ପ୍ରତିବାଦ ଓ ହିଂସାକାଣ୍ଡ ଘଟିଥିଲା। ମିଳିତ ଆସାମ ଛାତ୍ର ସଂଗଠନର ଦୀର୍ଘ ଆନ୍ଦୋଳନ ପରେ ଯେଉଁ ରାଜିନାମା କେନ୍ଦ୍ର ସରକାର ସ୍ବାକ୍ଷର କରିଥିଲେ ସେଥିରେ ବିଦେଶୀ ନାଗରିକଙ୍କୁ ଚିହ୍ନଟ, ବହିଷ୍କାର ଓ ଅନୁପ୍ରବେଶ ରୋକିବା ଥିଲା ମୁଖ୍ୟ ବିଷୟ। ଆସାମରେ ବାଂଲାଦେଶୀ ମୁସଲମାନଙ୍କ ଅନୁପ୍ରବେଶକୁ ବନ୍ଦ ଓ ବିଦେଶୀ ନାଗରିକଙ୍କୁ ଠାବ କରି ବାହାର କରିବା ଏକମାତ୍ର ପ୍ରସଙ୍ଗ ନଥିଲା। ସେଠାରେ ବଙ୍ଗଳାଭାଷୀ ହିନ୍ଦୁ, ମୁସଲମାନ, ବୌଦ୍ଧଧର୍ମାବଲମ୍ବୀ ଚକମା ଓ ଅନ୍ୟରାଜ୍ୟର ବହୁ ସଂଖ୍ୟକ ଆଦିବାସୀଙ୍କ ଅନୁପ୍ରବେଶ ଓ ବେଆଇନ ବସବାସ ପ୍ରମୁଖ ପ୍ରସଙ୍ଗ ମଧ୍ୟ ଥିଲା। ଇତିହାସର ଗୋଟିଏ ସମୟରେ ଆସାମକୁ ବିଭିନ୍ନ ଆଡ଼ୁ ବିଭିନ୍ନ ଧର୍ମ, ଭାଷା ଓ ଜାତିର ଲୋକ ପଶି ଆସି ଏହାକୁ ନିଜର ବାସଭୂମି କରିଛନ୍ତି। ଏମାନଙ୍କ ସଂଖ୍ୟାବୃଦ୍ଧି ଓ ପ୍ରଭାବରୁ ମୂଳ ଅଧିବାସୀମାନେ ନାନା ସୁବିଧା ସୁଯୋଗ ହରାଇଥିବାରୁ ବାହାରଲୋକଙ୍କ ବିରୋଧରେ ଗଣଆନ୍ଦୋଳନ ଓ ହିଂସାକାଣ୍ଡମାନ କ୍ରମାଗତ ଘଟିଆସୁଛି।
ଏବେ ସରକାର ବିଲ୍‌ ମାଧ୍ୟମରେ ଯେଉଁ ଆଇନ ଆଣିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ତାହା କାର୍ଯ୍ୟକାରୀ ହେଲେ ଆସାମରେ ଚକମା ବୌଦ୍ଧ ଓ ବଙ୍ଗଳାଭାଷାଭାଷୀ ହିନ୍ଦୁ (ଏପରିକି ମୁସଲମାନ ମଧ୍ୟ) ଆଦିବାସୀ ଓ ଅନ୍ୟାନ୍ୟ ଧର୍ମାବଲମ୍ବୀମାନେ ଦେଶର ସ୍ଥାୟୀ ନାଗରିକତ୍ବ ହାସଲ କରିବା ସହଜ ହେବ। ଏହା ଫଳରେ ଏହି ବର୍ଗର ଲୋକଙ୍କ ଅନୁପ୍ରବେଶ ପ୍ରକ୍ରିୟା ମଧ୍ୟ ତ୍ବରାନ୍ବିତ ହେବାସହ ଆସାମର ମୂଳ ଅଧିବାସୀ ପ୍ରଭାବିତ ହେବାର ସମ୍ଭାବନା ରହିଛି। ସେମାନେ ନିଜର ଭାଷାଗତ ଓ ସାଂସ୍କୃତିକ ପରିଚୟ ହରାଇବେ ବୋଲି ଯେଉଁ ଆଶଙ୍କା କରାଯାଉଛି ତାହାକୁ ମଧ୍ୟ ଅସ୍ବୀକାର କରାଯାଇ ନ’ ପାରେ। ତେଣୁ ଆସାମ ସମାଜ ଜାତିଆଣ ଓ ଧର୍ମଗତ କାରଣରୁ ବିଭାଜିତ ହୋଇ ଭୟଙ୍କର ସଂଘାତ ସୃଷ୍ଟି ହୋଇପାରେ। ଏବେ ଆସାମର ସବୁ ରାଜ​‌େନୖତିକ ଦଳ ଏହି ବିଲ୍‌କୁ ବିରୋଧ କରୁଥିବାରୁ ଏହା ଆଇନରେ ପରିଣତ ହେଲେ ଏହାକୁ କେନ୍ଦ୍ର କରି ବଡ଼ଧରଣର ଗଣ୍ଡଗୋଳ, ଆନ୍ଦୋଳନ ଓ ହିଂସାକାଣ୍ଡ ଘଟିପାରେ।
ବିଜେପି ସରକାରଥିବା ମଣିପୁର ଏବଂ ମେଘାଳୟରେ ମଧ୍ୟ ଏହି ଆଇନକୁ ବିରୋଧ କରାଯାଉଛି। ଦୁଇରାଜ୍ୟର ସରକାର ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କର ଦୃଷ୍ଟି ଆକର୍ଷଣ କରି ଏହାକୁ ରାଜ୍ୟରେ କାର୍ଯ୍ୟକାରୀ ନ’କରିବାକୁ ଅନୁରୋଧ କରିଛନ୍ତି। ଉଭୟ ସରକାର ଜଣାଇଛନ୍ତି ଯେ ଏହି ଆଇନ କାର୍ଯ୍ୟକାରୀ ହେଲେ ଅନୁପ୍ରବେଶକାରୀ ଉତ୍ସାହିତ ହେବେ ଓ ଉପଜାତି ଅଧ୍ୟୁଷିତ ଏହି ଦୁଇରାଜ୍ୟର ସାମାଜିକ ସମୀକରଣ ବଦଳି ଜାତିଗତ ବି‌େ​‌ଦ୍ବଷ ସୃଷ୍ଟି ହୋଇପାରେ।
ଆସାମ ଓ ଉତ୍ତର-ପୂର୍ବାଞ୍ଚଳ ପରିପ୍ରେକ୍ଷୀରେ ବିଜେପି ଏକଥା ଭଲଭାବେ ଜାଣି ମଧ୍ୟ ଏଭଳି ଏକ ବିପଜ୍ଜନକ ନିଷ୍ପତ୍ତି ନେଇଛି। ରାଜ୍ୟରେ ଏହି ବିଲ୍‌କୁ କେନ୍ଦ୍ରକରି ଯେଉଁ ତୀବ୍ର ରାଜନୈତିକ ପ୍ରତିକ୍ରିୟା ସୃଷ୍ଟି ହୋଇଛି ତାହା ଆସନ୍ନ ହିଂସାକାଣ୍ଡ ଓ ବିପଦକୁ ଇନ୍ଧନ ଯୋଗାଉଛି। ସମଗ୍ର ଉତ୍ତର-ପୂର୍ବାଞ୍ଚଳ ସାମାଜିକ ଓ ଜାତିଗତ ପ୍ରସଙ୍ଗରେ ଅତ୍ୟନ୍ତ ସ୍ପର୍ଶକାତର। ଏହି ସ୍ପର୍ଶକାତରତା ଉପରେ ସେଠାକାର ରାଜନୀତି ଗଢ଼ିଉଠିଛି। ଗୋଟିଏ ସାମାଜିକ ବ୍ୟବସ୍ଥାସହ ଅଭ୍ୟସ୍ତ ଏକ ଅଞ୍ଚଳରେ ବାହାରଲୋକ ପ୍ରବେଶ କରି ଆସ୍ଥାନ ଜମାଇଲେ ଆର୍ଥିକ ଶୋଷଣ ବଢ଼େ ଯାହା ଜାତିଗତ ହିଂସାକାଣ୍ଡ ପାଇଁ ବାଟ ଫିଟାଏ। ସମଗ୍ର ଉତ୍ତର- ପୂର୍ବାଞ୍ଚଳରେ ବହୁକଷ୍ଟରେ ଶାନ୍ତିର ଏକ ଅଧ୍ୟାୟ ଆରମ୍ଭ ହୋଇଛି। ସରକାର ନୂଆ ଆଇନକୁ ସେଠାରେ ଲଦିଦେବା ଠିକ୍‌ ହୋଇନ’ପାରେ। ସେଠାକାର ବାସ୍ତବତାକୁ ବିଚାରକୁନେଇ ଏହି ନୂଆ ଆଇନକୁ ଉତ୍ତର-ପୂର୍ବାଞ୍ଚଳ ପାଇଁ ଏବେ ଲାଗୁ ନ’କରିବା ବୁଦ୍ଧିମାନର କାର୍ଯ୍ୟ ହେବ। କେନ୍ଦ୍ର ସରକାର, ବିଶେଷକରି ବିଜେପି ଏହି ଆଇନକୁ କାର୍ଯ୍ୟକାରୀ କରିବା ପୂର୍ବରୁ ଆଉଥରେ ଗଭୀରଭାବେ ଏ ନେଇ ଯେ ଚିନ୍ତା କରିବ, ଏହା ଜଳଜଳ ଦିଶୁଛି।

Leave A Reply