ଭଲ ଆଡ଼କୁ କେଇ ପାଦ

0

ଶୈଳେନ୍ଦ୍ର ଦ୍ବିବେଦୀ

ବୁଦ୍ଧିଜୀବୀ, ଯେଉଁମାନେ ନିଜକୁ ପ୍ରଗତିଶୀଳ ବୋଲି ଅଭିହିତ କରିଥାନ୍ତି, ସେମାନେ ବାସ୍ତବରେ ପ୍ରଗତିକୁ, ଆଧୁନିକତାକୁ କୁଆଡ଼େ ଘୃଣା କରନ୍ତି। ଏକଥା ନୁହେଁ ଯେ ବିକାଶର ମିଠାଫଳକୁ ଏମାନେ ବ୍ୟବହାର କରନ୍ତି ନାହିଁ, ଲେଖିବା ପାଇଁ କମ୍ପ୍ୟୁଟର ବ୍ୟବହାର ନକରି ଏମାନେ ପରକଲମ ଓ କାଳି ଦୁଆତ ଖୋଜନ୍ତି; ​‌ଅ​‌​‌େ​‌ସ୍ତ୍ରାପଚାରରେ ନିଶ୍ଚେତକ ପ୍ରୟୋଗକୁ ବାରଣ କରନ୍ତି, ତଥାପି ଏମାନେ ପ୍ରଗତିକୁ ଅଲବତ୍‌ ଘୃଣା କରନ୍ତି। କୌଣସି କାରଣରୁ ପ୍ରଗତି/ଆଧୁନିକତାର ଧାରା ଏମାନଙ୍କ ତଣ୍ଟିରେ ଯାଏ ନାହିଁ। ସମାନ କାରଣରୁ ସମ୍ବାଦପତ୍ର, ପତ୍ରପତ୍ରିକା ଆଶା ଅପେକ୍ଷା ନିରାଶାର ବାର୍ତ୍ତାବହ ହୁଅନ୍ତି। ଆତଙ୍କ, ଅପରାଧ, ଯୁଦ୍ଧ, ବୈଷମ୍ୟ, ଅତ୍ୟାଚାର ଏବଂ ପ୍ରଦୂଷଣପରି ପ୍ରସଙ୍ଗ ସେଇ କାରଣରୁ ଖବରକାଗଜର ଶିରୋନାମା ମଣ୍ଡନ କରନ୍ତି। ଆମକୁ ବରାବର ସତର୍କ କରି ଦିଆଯାଏ- ଅରାଜକତା ବଢ଼ୁଛି, ନାଗରିକଙ୍କ ସାମାଜିକ, ଅର୍ଥନୈତିକ ଜୀବନ ଓ ସାଂସ୍କୃତିକ ଲାବଣ୍ୟ ବିପନ୍ନ; ଆଧୁନିକ ବିଜ୍ଞାନ ଆମର ନୀତି, ନୈତିକତା ଏବଂ ଆଧ୍ୟାତ୍ମିକ ଅବବୋଧକୁ କ୍ଷତିଗ୍ରସ୍ତ କରିଛି, ରାଷ୍ଟ୍ର ଆଉ ଲୋକାଭିମୁଖୀ ନୁହେଁ, ଦାରିଦ୍ର୍ୟ ବଢ଼ୁଛି ଏବଂ ପରିବେଶ ଅସନ୍ତୁଳନ ସ୍ପର୍ଶକାତର ସ୍ଥିତିରେ ପହଞ୍ଚି ସାରିଲାଣି। ଅର୍ଥାତ୍‌, ନୈରାଶ୍ୟର ଅନ୍ଧକାର ତା’ର ସାମ୍ରାଜ୍ୟ ବିସ୍ତାର କରିସାରିଛି।
ଖରାପ ଖବରର ଭିଡ଼ ଆମ ଚାରିପାଖରେ ଏତେ ଅଧିକ ଏବଂ ଏସବୁର ବିଜ୍ଞାପନ ଏବେ ସୁଚିନ୍ତିତ, ସୁସଂହତ ଏବଂ ଏତେ ଆକର୍ଷଣୀୟ ଯେ ତମାମ୍ ପୃଥିବୀ ବାସିନ୍ଦା (ସିଂହଭାଗ) ନୈରାଶ୍ୟର ଉପଭୋକ୍ତାରେ ପରିଣତ ହୋଇସାରିଲେଣି। ତେବେ ଏହା ଅବିକଳ ସତ୍ୟ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ମନୋବିଜ୍ଞାନୀ ପ୍ରଫେସର ଷ୍ଟିଭେନ୍‌ ପିଙ୍କର, କେଇମାସ ତଳେ ପ୍ରକାଶିତ ତାଙ୍କର ଚର୍ଚ୍ଚିତ ପୁସ୍ତକ ‘ଏନ୍‌ଲାଇଟେନ୍‌ମେଣ୍ଟ ନାଓ: ଦି କେସ୍‌ ଫର୍‌ ରିଜନ୍‌, ସାଇନ୍ସ, ହ୍ୟୁମାନିଜମ୍ ଆଣ୍ଡ୍‌ ପ୍ରୋଗ୍ରେସ୍‌’ରେ। ୨୦୧୧ରେ ପ୍ରକାଶିତ ଏବଂ ଉଚ୍ଚପ୍ରଶଂସିତ ପିଙ୍କରଙ୍କ ଆଉ ଏକ କୃତି ହେଉଛି ‘ଦି ବେଟର୍‌ ଆଞ୍ଜେଲସ୍‌ ଅଫ୍‌ ଆୱାର ନେଚର’। ଷ୍ଟିଭେନ ପ୍ରଶ୍ନ କରିଛନ୍ତି, ପ୍ରକୃତରେ କ’ଣ ଆଧୁନିକତା ଫେଲ ମାରିଛି, ନା ଆମେ ଆଧୁନିକତା/ପ୍ରଗତି ପ୍ରେକ୍ଷାପଟରେ ଥିବା ନୀତିନିୟମ/ଆଦର୍ଶକୁ ବୁଝିବାରେ ଅସମର୍ଥ? ଏକଥା ଆଦୌ ନୁହେଁ ଯେ ଆମ ସହିତ କିଛି ଭଲ ଘଟୁନାହିିଁ ଏବଂ ଏକଦମ୍‌ ଅଶାନ୍ତ ବାତାବରଣରେ ଆମେ ବଞ୍ଚିଛୁ।
ପୂର୍ବ ଅପେକ୍ଷା ଆମ ସହିତ ହିଂସା କମ୍‌। ଗତ ୫/୬ ବର୍ଷର ରେକର୍ଡ କାହାକୁ ଅସ୍ବାଭାବିକ ମନେ ହୋଇପାରେ, କିନ୍ତୁ ଦୀର୍ଘ ଅବଧି ଧରି ହିଂସା/ଅପରାଧର ରେକର୍ଡ ତର୍ଜମା କଲେ ଆମେ ନିଶ୍ଚିତ ହେବା ଯେ ଯେଉଁ ଅନୁପାତରେ ଜନସଂଖ୍ୟା ପଡ଼ିଛି, ସେଇ ହିସାବରେ ହିଂସା ବଢ଼ିନାହିଁ। ପୃଥିବୀରେ ବେଶ୍‌ କିଛିଲୋକ ଆଧୁନିକ ସ୍ବାସ୍ଥ୍ୟସେବାରୁ ବଞ୍ଚିତ, ସମସ୍ତେ ଦୁଇବେଳା ପେଟ ପୂରେଇ ଖାଇ ପାରୁନାହାନ୍ତି; ସଭିଙ୍କ ପାଖରେ ଶିକ୍ଷା ପହଞ୍ଚି ପାରିନାହିଁ, ଆଜି ବି ଲକ୍ଷଲକ୍ଷ ଲୋକ ଅତ୍ୟାଚାରିତ ହୋଇ ରହିଛନ୍ତି, ସୀମାନ୍ତରିତ ହୋଇ ରହିଛନ୍ତି, କିନ୍ତୁ ଆମେ ଭୁଲିଗଲେ ଚଳିବ ନାହିଁ ଯେ ସକଳ ଘାତ-ପ୍ରତିଘାତ ଭିତରେ ଢେର ଲୋକଙ୍କ ଅବସ୍ଥା ସୁଧୁରିଛି ଏବଂ ଏଇ ଧାରା ଜାରି ରହିଛି। ପିଙ୍କରଙ୍କ ମତ ଖରାପ ଖବର ବେଶୀ ବିକ୍ରି ହୁଏ; ବିକାଶକୁ, ବିଜ୍ଞାନକୁ ସମାଲୋଚନା କରିବା ସହଜସାଧ୍ୟ, କିନ୍ତୁ ପ୍ରଗତି ତା ବାଟରେ ଚାଲିଛି। ଦାରିଦ୍ର୍ୟ ବାବଦରେ ତାଙ୍କର ମତ ହେଉଛି: ଉଭୟ ବିବର୍ତ୍ତନ ଏବଂ ଅନିଶ୍ଚିତତାର ନିୟମରେ ବନ୍ଧା ଦାରିଦ୍ର୍ୟ। ଯାହାକୁ ଆମେ ସାମାଜିକ ଅନ୍ୟାୟ ଓ ବୈଷମ୍ୟ ବୋଲି କହୁଛେ, ତାହା ଦିନେ ବିବର୍ତ୍ତନ କ୍ରମରେ ପ୍ରକୃତରେ ଅସଂଗତ, ଅନିୟମିତ ଅଥଚ ପ୍ରାକୃତିକ ହୋଇ ଆରମ୍ଭ ହୋଇଥିଲା। ଅନ୍ୟ ଅର୍ଥରେ, ଏହା ମଣିଷ ଜାତିର ମୂଳ ପରିଚୟ। ଚାର୍ଲସ୍‌ ଡାର୍‌ୱିନ୍‌ଙ୍କ ପ୍ରାକୃତିକ ମନୋନୟନ ତତ୍ତ୍ବ ଏକ ଅଜବ ବିରୋଧାଭାସ ମନେ ହୋଇଥାଇପାରେ, ତେଣୁ ‘ଯୋର ଯାହାର ମୂଲକ ତାହାର’ର ଆଧାରଶିଳା ହିଁ ବୈଷମ୍ୟ। ବିବର୍ତ୍ତନକୁ ଆପଣ ବୋଝ ମନେ କରିପାରନ୍ତି, ତେବେ ତାହାହିଁ ବାସ୍ତବିକତା। ଏହା ବାଦ୍‌ ଖୁସି ଖବର ହେଉଛି, ପ୍ରାକୃତିକ ମନୋନୟନର ଆବର୍ତ୍ତରେ ସବୁ ପ୍ରାଣୀଙ୍କ ବ୍ୟବହାର ସମାନ ନୁହେଁ, ଅର୍ଥାତ୍‌ ଜାନ୍ତବ ସତ୍ତା ଉପରେ ଆଉ କିଛି ସତ୍ତା ରହିଛି ଯାହା ନିୟନ୍ତ୍ରଣ ରଖୁଛି ଆମର ଜୈବ ପ୍ରକ୍ରିୟା ଉପରେ। ତାହାହିଁ କାରଣ, ସ୍ବାର୍ଥପର ଜିନ୍‌ଙ୍କ ପରମ୍ପରା ଭାଙ୍ଗି, ସେମାନଙ୍କ ଐତିହ୍ୟକୁ ମାତ୍‌ ଦେଇ ନିଃସ୍ବାର୍ଥପର ଜିନ୍‌ମାନଙ୍କ ପ୍ରବେଶ ଘଟୁଛି। ବିବର୍ତ୍ତନର ମୂଳ ଅଥଚ କ୍ରୂର ନିଷ୍କର୍ଷର ପରାଭବ ଘଟୁଛି। ପାଠକେ, ଏଇ ଭଲପଣିଆ ହିଁ ଏଯାବତ୍‌ ସଂସାରକୁ ସମ୍ଭବ କରି ରଖିଛି।
‘ଆଲେନ୍‌ ଲେନ୍‌’ ପ୍ରକାଶ କରିଥିବା ଷ୍ଟିଭେନ୍‌ ପିଙ୍କର ୫୫୬ ପୃଷ୍ଠା ବିଶିଷ୍ଟ ଏହି ପୁସ୍ତକରେ ରହିଛି ୨୩ଟି ଅଧ୍ୟାୟ। ସେସବୁ ପର୍ଯ୍ୟବସିତ ଜୀବନ, ସ୍ବାସ୍ଥ୍ୟ, ସଂପଦ, ବୈଷମ୍ୟ, ପରିବେଶ, ଶାନ୍ତି, ନିରାପତ୍ତା, ସୁଖ ଓ ବିକାଶର ଭବିଷ୍ୟତ ଉପରେ। ଆସନ୍ତୁ, ଆଖି ପକେଇବା କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ଉପରେ ଯାହା ଯୁକ୍ତିନିଷ୍ଠ ଭାବରେ ପ୍ରମାଣ କରିବ ଆମ ସମୟ କିପରି ତୁଳନାତ୍ମକ ଭାବରେ ଭଲ ସମୟ। (୧) ହାରାହାରି ଆୟୁ: ୧୭୬୦ରେ ମଣିଷର ହାରାହାରି ଆୟୁୁ ମାତ୍ର ୨୮ରୁ ୩୦ ବର୍ଷ ଥିବାବେଳେ ଏବେ ତାହା ହାରାହାରି ୭୨ବର୍ଷ। (୨) ଶିଶୁ ମୃତ୍ୟୁହାର: ୧୭୫୦ରେ ୩୫% ଥିବାବେଳେ ୨୦୧୫ରେ ହ୍ରାସ ପାଇଛି ୪.୩%କୁ। ସେହିପରି ମାତୃ ମୃତ୍ୟୁହାର ୧୭୬୦ରେ ୧.୨ ପ୍ରତିଶତ ଥିବାବେଳେ ୨୦୧୦ରେ ଏହା ୦.୦୦୪%କୁ ଖସିଛି। (୩) ଖାଦ୍ୟରେ କ୍ୟାଲୋରି ଗ୍ରହଣ: ୧୭୦୦ ମସିହାରେ ତଥାକଥିତ ଉନ୍ନତ ଇଂଲଣ୍ଡରେ ଖୁବ୍‌ ବେଶୀରେ ୨୨୦୦ ଥିଲା, ଯାହା ଏବେ ୩୨୦୦ରେ ପହଞ୍ଚିଛି। (୪) ପୁଷ୍ଟିହୀନତା: ପ୍ରଗତିଶୀଳ ଅର୍ଥନୀତିମାନଙ୍କରେ ପୁଷ୍ଟିହୀନତା ୧୯୭୦ରେ ୩୫ ପ୍ରତିଶତ ଥିଲା। ୨୦୧୫ରେ ଏହା ୧୫%କୁ ହ୍ରାସ ପାଇଛି। ୧୮୭୦ରେ ପ୍ରତି ଦଶନ୍ଧିରେ ୧ଲକ୍ଷ ଜନସଂଖ୍ୟାରେ ୧୪୦୦ ଲୋକ ଦୁର୍ଭିକ୍ଷ ଯୋଗୁଁ ପ୍ରାଣ ହରାଉଥିଲେ। ୧୯୮୦ ବେଳକୁ ଏଇ ସଂଖ୍ୟା ମାତ୍ର ୧୦କୁ ଖସି ଆସିଥିଲା। (୫) ମୁଣ୍ଡପିଛା ଜିଡିପି: ୧୮୫୦ ବେଳକୁ ଅନ୍ତର୍ଜାତୀୟ ଡଲାର ୨୦୧୧ ମାନଦଣ୍ଡରେ ଏହା ମାତ୍ର ୫୦୦ଡଲାର ରହିିଥିଲା। ୨୦୧୦ରେ ମୁଣ୍ଡପିଛା ଜିଡିପି ପାଖାପାଖି ୧୨,୦୦୦ଡଲାର (୬) ଉତ୍କଟ ଦାରିଦ୍ର୍ୟ: ୧୮୨୦ରେ ବିଶ୍ବ ଜନସଂଖ୍ୟାର ୯୦ ପ୍ରତିଶତ ଏଇ ଦୁଃସ୍ଥିତିକୁ ସାମ୍‌ନା କରୁଥିଲେ, ଯାହା ୨୦୧୫ ସୁଦ୍ଧା ୧୦ ପ୍ରତିଶତ​‌େ​‌ର ସୀମିତ ରହିଛି। (୭) ବୈଷମ୍ୟ/ଆୟ ଅସମାନତା: ୧୮୨୫ରେ ଗିନି ଇଣ୍ଡେକ୍ସ ମତେ ଏହା ୦.୫୦ ଥିଲା, ଯାହା ୨୦୦୦ରେ ୦.୬୦ ଛୁଇଁଛି। ସେଇ ଅନୁପାତରେ ମୁଣ୍ଡପିଛା ଖର୍ଚ୍ଚ ଆଖିଦୃଶିଆ ଭାବରେ ବଢ଼ିଛି। (୮) ଜନସଂଖ୍ୟା ଅଭିବୃଦ୍ଧି: ୧୯୫୦ରୁ ୧୯୬୦ ଭିତରେ ବାର୍ଷିକ ବୃଦ୍ଧି ୨% ରହିଥିବାବେଳେ ୨୦୧୦ରେ ଏହା ୧.୨%କୁ ହ୍ରାସ ପାଇଛି। ଆକଳନ ମୁତାବକ, ୨୧୦୦ ମସିହା ବେଳକୁ ଏହା ୦.୧ ପ୍ରତିଶତରେ ସୀମିତ ରହିବ। ତେଣୁ ଷ୍ଟିଭେନ୍‌ ପରିବେଶ ବାବଦରେ ମନୁଷ୍ୟକୃତ ଉଦ୍ୟମ ନେଇ ସନ୍ତୁଷ୍ଟ ନୁହନ୍ତି। ଯଦିଓ ଉଭୟ ସରକାରୀ ଏବଂ ବେସରକାରୀ ଉଦ୍ୟମରେ ବନସଂରକ୍ଷଣ ବୃଦ୍ଧି ପାଇଛି ଆମେ ଘଟାଇଥିବା କ୍ଷତି ତୁଳନାରେ ତାହା ଆଦୌ ପର୍ଯ୍ୟାପ୍ତ ନୁୁହେଁ।
ଆମ ସମୟରେ ଯୁଦ୍ଧ ବିଭୀଷିକା କମିଛି। ୧୯୪୫ରୁ ୧୯୫୦ ମଧ୍ୟରେ ପ୍ରତି ଲକ୍ଷେ ଜନସଂଖ୍ୟାରେ ବାର୍ଷିକ ଯୁଦ୍ଧଜନିତ ମୃତ୍ୟୁ ୨୦ରୁ ୨୫ ରହିଥିବାବେଳେ ୨୦୧୫ରେ ଏହା ୨ରୁ ୩ ଭିତରେ ରହିଛି। ପ୍ରାକୃତିକ ଦୁର୍ବିପାକ ଉପରେ ଆମେ ନିୟନ୍ତ୍ରଣ ପାଇବା ସମ୍ଭବ ନୁହେଁ, ତେବେ ଦୁର୍ବିପାକଜନିତ ମୃତ୍ୟୁସଂଖ୍ୟା ଆଶାତୀତ ହ୍ରାସ ପାଇଛି। ୧୯୧୦ରୁ ୧୯୨୦ ଭିତରେ ପ୍ରତି ୧ଲକ୍ଷ ଜନସଂଖ୍ୟାରେ ବାର୍ଷିକ ମୃତ୍ୟୁସଂଖ୍ୟା ୨୫ରୁ ୨୮ ଥିବାବେଳେ ୨୦୧୦ରୁ ୨୦୧୫ ମଧ୍ୟରେ ଏହା ୨ରୁ ୩କୁ ହ୍ରାସ ପାଇଛି। ଆତଙ୍କ ଯଦିଓ ଅପସରି ନାହିଁ, ତଥାପି ସ୍ଥିତିରେ ପରିବର୍ତ୍ତନ ଆସିଛି। ୧୮୬୦ରେ ସବୁଦେଶରେ ମୃତ୍ୟୁଦଣ୍ଡ ବ୍ୟବସ୍ଥା ଥିଲା। ୨୦୧୦ ସୁୁଦ୍ଧା ୧୦୦ ଦେଶରେ ଏହା ଉଚ୍ଛେଦ ହୋଇସାରିଛି। ସାକ୍ଷରତା ହାର ୧୮୨୫ରେ ମାତ୍ର ୧୦% ଥିଲା, ଯାହା ୨୦୦୦ ମସିହାରେ ୮୫%ରେ ପହଞ୍ଚିଛି। ପ୍ରାଥମିକ ଶିକ୍ଷା ୧୮୨୦ରେ ୧୮% ଥିଲା। ୨୦୧୦ରେ ଏହା ବିଶ୍ବସ୍ତରରେ ୮୦%। ଜୀବନର ଗୁଣାତ୍ମକମାନ ଊଣା ଅଧିକେ ସବୁଠି ବଢ଼ିଛି। ୧୮୭୦ରେ ୟାର ଐତିହାସିକ ସୂଚୀ ୦.୧ ଥିବାବେଳେ ୨୦୨୦ ବେଳକୁ ୦.୫ରେ ପହଞ୍ଚିବ ବୋଲି ଆକଳନ ହେଉଛି।
ପାଠକେ, ଷ୍ଟିଭେନ୍‌ ପିଙ୍କରଙ୍କ ମତ ହେଉଛି, ଅଷ୍ଟାଦଶ ଶତାବ୍ଦୀ ଶେଷଆଡ଼କୁ ରାସ୍ତା ଉପରକୁ ଆସିଥିବା ବିକାଶର ଧାରାକୁ ବୁଝିବାପାଇଁ ହେଲେ ଆମକୁ ଗୁରୁତ୍ବ ଦେବାପାଇଁ ପଡ଼ିବ ହେତୁବାଦ, ବିଜ୍ଞାନ ଓ ମାନବବାଦକୁ। ଏକଥା ତ ନୁହେଁ ଯେ ଆମ ଚାରିପାଖରେ କିଛି ଖାଲଖମା ନାହିଁ; ବିଲକୁଲ୍‌ ସବୁ ଠିକ୍‌ଠାକ୍‌ ଅଛି। ତେବେ କିଛି ଯେ ବଦଳି ନାହିଁ ଏବଂ ଆଗକୁ ଭଲ ହେବାର ନାହିଁ- ଏମିତି ଧାରଣା ନକାରାତ୍ମକ। ଆମ କଳ୍ପନାର ନିଖୁଣ, ପରିପୂର୍ଣ୍ଣ, ପୃଥିବୀ ସହିତ ହୁଏତ ଭେଟଭାଟ ହେବାର ସମ୍ଭାବନା କ୍ଷୀଣ, କିନ୍ତୁ ଆମେ କିଛି ହେଲାନାହିଁ ବା କିଛି କରିପାରିବା ନାହିଁ କହି ଉପରକୁ ହାତ ଟେକିଦେଇ ପାରିବା ନାହିଁ। ସମାନ ପରିସ୍ଥିତି ଉଭୟ ଆଶା ଓ ନିରାଶାର ପରିଧିକୁ ଇଂଗିତ କରୁଥାଇ ପାରେ। ଆମେ କିନ୍ତୁ ଜୀବନର ଉଜ୍ଜ୍ବଳ ଚକଡ଼ା ଆଡ଼କୁ ଯିବା। ସବୁମନ୍ତେ ଜୀବନକୁ ‘ହଁ’ କହିବା।

Leave A Reply