ସତ୍ୟନିଷ୍ଠ ଶିଷ୍ୟ

0

କଶ୍ୟପ ମୁନିଙ୍କ ଗୁରୁକୁଳ ବହୁଚର୍ଚ୍ଚିତ ଥିଲା। ଦୂରଦୂରାନ୍ତରୁ ଶିକ୍ଷାର୍ଥୀମାନେ ବିଦ୍ୟାଶିକ୍ଷା ନିମନ୍ତେ ଆଶ୍ରମକୁ ଆସୁଥିଲେ। ସେଦିନ ଗୁରୁ ବେଶ୍‌ ଉଦାସ ଜଣାପଡ଼ୁଥିଲେ। କିଛି ବିଦ୍ୟାର୍ଥୀ କାରଣ ପଚାରିବାରୁ ଗୁରୁ ଗମ୍ଭୀରସ୍ବରରେ କହିଥିଲେ- ‘ପୁତ୍ରୀର ବିବାହ ବୟସ ବଢ଼ିଚାଲିଛି। ବରପକ୍ଷର ଅତିଥିଙ୍କୁ ସ୍ବାଗତ କରିବା ଓ ବରକନ୍ୟାଙ୍କୁ ଉପହାର ଦେବାପାଇଁ ଆବଶ୍ୟକ ଧନ ମୋ ପାଖରେ ନାହିଁ।’
କିଛି ଧନବାନ ପିତାଙ୍କ ପୁତ୍ର କହିଲେ- ‘ଗୁରୁଦେବ! ଆମେ ନିଜ ପିତାମାତାଙ୍କଠାରୁ କିଛିକିଛି ଧନ ଆଣି ଆପଣଙ୍କୁ ଦେବୁ। ଆପଣ ତାକୁ ଗୁରୁଦକ୍ଷିଣାଭାବେ ସ୍ବୀକାର କରିନେବେ।’ ଗୁରୁ କହିଲେ- ‘ନା, ତୁମ ପିତାମାତା ଭାବି‌େବ ଯେ ମୁଁ ନିଜ ପଦର ଅନୁଚିତ ଫାଇଦା ଉଠାଇ ତୁମଠାରୁ କୌଶଳରେ ଅର୍ଥ ଆଦାୟ କରୁଛି। ଏହାକୁ ଲୋଭ କୁହାଯାଏ।’
ବିଦ୍ୟାର୍ଥୀ ଦ୍ବିଧାରେ ପଡ଼ିଗଲେ। ଗୁରୁ ସର୍ତ୍ତସ୍ବରୂପ କହିଥିଲେ- ‘ଯଦି ତୁମେମାନେ ଧନ ଦେବାକୁ ଇଚ୍ଛୁକ ତେବେ ଏମିତି ଆଣିବ, ଯେପରି କେହି ଦେଖିପାରିବେନି। କେହି ଦେଖିଲେ ତାହା ବିବାହ ପାଇଁ ଅଶୁଭ ହେବ।’
ବିଦ୍ୟାର୍ଥୀମାନେ ସମ୍ମତ ହେଲେ। ଗୁରୁଙ୍କୁ ବୁଝାଇ ଦେଇଥିଲେ- ଗୁରୁଦେବ! ଆପଣ ନିଶ୍ଚିତ ରହନ୍ତୁ। ଯେପରି ଆପଣ କହିଲେ ସେହିପରି ହିଁ ହେବ। ପରଦିନଠାରୁ ଶିଷ୍ୟମାନେ ଗୁରୁଙ୍କ ପାଇଁ ଭିନ୍ନଭିନ୍ନ ଦ୍ରବ୍ୟ ଆଣିବାକୁ ଲାଗିଲେ। ଗୁରୁଙ୍କ ପାଖରେ ଏଭଳି ବହୁ ବସ୍ତୁ ଜମା ହୋଇଗଲା ଖୁବ କମ୍‌ ଦିନ ମଧ୍ୟରେ। ସବୁ ଶିଷ୍ୟ ଗୁରୁଙ୍କ ପାଇଁ କିଛିନା କିଛି ଆଣିଥିଲେ କେବଳ ଜଣେ ଶିଷ୍ୟକୁ ଛାଡ଼ି।
ଗୁରୁ ପଚାରିଥିଲେ- କ’ଣ ତୁମ ପିତାମାତା ନିର୍ଦ୍ଧନ? ଶିଷ୍ୟ ଉତ୍ତରରେ କହିଥିଲେ- ନା ଗୁରୁଦେବ। ମୁଁ ଦ୍ବିଧାରେ ପଡିଗଲି। ଆପଣ କହିଛନ୍ତି ଯାହାବି ଦ୍ରବ୍ୟ ଅଛି ଏପରି ଆଣିବ ଯେପରି କେହି ନ ଦେଖିବେ। ମୁଁ ଚେଷ୍ଟା କଲି, କିନ୍ତୁ ଏପରି ଅବସର ପାଇଲିନି। ଗୁରୁ ପ୍ରଶ୍ନ କରିଥିଲେ- ସତରେ କ’ଣ ତୁମେ ଚେଷ୍ଟା କରି ପାଇ ନଥିଲ?
ଶିଷ୍ୟଙ୍କ ଉତ୍ତର ଥିଲା- ଗୁରୁଜୀ! କେହି ଦେଖନ୍ତୁ ବା ନ ଦେଖନ୍ତୁ ଈଶ୍ବର ତ ଅବଶ୍ୟ ଦେଖିବେ। ସେ ତ ସର୍ବବ୍ୟାପୀ, ସର୍ବଦ୍ରଷ୍ଟା। ଏହା ହେଲେ ତ ଆପଣଙ୍କ କହିବା ଅନୁଯାୟୀ ତାହା ବିବାହ ପାଇଁ ଅଶୁଭ ହୋଇଯିବ।
ଏଭଳି ଉତ୍ତରରେ ଅତି ପ୍ରସନ୍ନ ହୋଇ କଶ୍ୟପ ଶିଷ୍ୟକୁ ଆଲିଙ୍ଗନ କରି କହିଥିଲେ- ତୁମେ ହିଁ ଉପଯୁକ୍ତ ଶିକ୍ଷା ଗ୍ରହଣ କରିଛ। ଚାହିଁଥିଲେ ତୁମେ ଧନ ଆଣିପାରିଥାନ୍ତ, କିନ୍ତୁ ତୁମେ ମୋର ଇଚ୍ଛାକୁ ସମ୍ମାନ ଜଣାଇ ସତ୍ୟଭ୍ରଷ୍ଟ ହୋଇନାହଁ। ତେଣୁ ରିକ୍ତହସ୍ତରେ ଫେରିଆସିଛ। ପ୍ରକୃତରେ ମୋର ଧନର କୌଣସି ଆବଶ୍ୟକତା ନଥିଲା। ମୁଁ କେବଳ ତୁମମାନଙ୍କୁ ପରୀକ୍ଷା କରିବାକୁ ହିଁ ଚାହୁଁଥିଲି। ସେହି ଶିଷ୍ୟଙ୍କ ଉଦ୍ଦେଶ୍ୟରେ କହିଥିଲେ ତୁମେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛ। ପ୍ରକୃତ କଥା ହେଉଛି ଝିଅପାଇଁ ଧନ ନୁହେଁ, ମଁୁ ଜଣେ ଗୁଣବାନ ଯୁବକ ହିଁ ଚାହୁଁଥିଲି। ତାହା ତୁମେ ପୂର୍ଣ୍ଣ କରିଛ। ତୁମଠାରେ ଯେଉଁ ‘ସତ୍ୟ ଧନ’ର ସନ୍ଧାନ ପାଇଛି ତାହା ଆଉ କେଉଁଠୁ ମିଳିବ?
ବାସ୍ତବରେ ଶିକ୍ଷା କେବଳ ଏଥିରେ ନିହିତ ନଥାଏ ଯାହା ଆମେ ପୁସ୍ତକରେ ପଢ଼ିଥାଉ କିମ୍ବା ଉପଦେଶ ମାଧ୍ୟମରେ ଗ୍ରହଣ କରିଥାଉ। ଯେତେବେଳେ ଆମେ ଦୈନନ୍ଦିନ ଜୀବନରେ ଏହାର ସୁଉପଯୋଗ କରିଥାଉ ସେହି ସମୟରେ ହିଁ ଏହାର ସାର୍ଥକତା ପ୍ରତିପାଦିତ ହୋଇଥାଏ। ପୁସ୍ତକ ଆହରିତ ଜ୍ଞାନର ମହତ୍ତ୍ବ ନ ବୁଝିଲେ ଉନ୍ନତି ଅସମ୍ଭବ।

Leave A Reply