ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ଓ ଇତିହାସ ବହି

ହେମନ୍ତ କୁମାର ପଣ୍ଡା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଲାଙ୍ଗିର ଗସ୍ତରେ ଆସୁଛନ୍ତି। ରାଜ୍ୟର ବହୁ ଚର୍ଚ୍ଚିତ ଖୋର୍ଦ୍ଧା-ବଲାଙ୍ଗିର ରେଳପଥର ବଲାଙ୍ଗିର ପଟୁ ୧୫.୭ କିମି ପର୍ଯ୍ୟନ୍ତ ରେଳ ଚଳାଚଳକୁ ଉଦ୍‌ଘାଟନ କରିବା ସହିତ ସୁବର୍ଣ୍ଣପୁର, ଦଶପଲ୍ଲା ପଟକୁ ରେଳପଥ ନିର୍ମାଣ ପାଇଁ ଶିଳାନ୍ୟାସ କରିବେ। ରେଳପଥର ନିର୍ମାଣ ଗତିକୁ ଦେଖି ନିରାଶ ହୋଇଯାଇଥିବା ଏ ଅଞ୍ଚଳର ଲୋକେ ତୃଷାର୍ତ୍ତ ମୁହଁରେ ପାଣି ମୁନ୍ଦାଏ ଦେଖି ଆନନ୍ଦିତ ହେଲାଭଳି ରେଳପଥ ଛୁଇଁନଥିବା ଜିଲା ଓ ବଲାଙ୍ଗିର ଭଳି ପଛୁଆ ଜିଲାର ଜନସାଧାରଣଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଅନେକ ଆଶାର ସଞ୍ଚାର କରିଛି। ଦେଶର ପ୍ରଧାନମନ୍ତ୍ରୀ ଏ ରେଳପଥ ଉପରେ ପାଦ ଥାପିବା ପରେ ହୁଏତ ପ୍ରକଳ୍ପର ଭାଗ୍ୟରେ ପରିବର୍ତ୍ତନ ହେବ; କାରଣ ଓଡିଶା ପ୍ରତି ରେଳବିଭାଗର ଉଦାସୀନତା ଓ ଅବହେଳା କଥା ଚର୍ଚ୍ଚା ହେଲେ ଖୋର୍ଦ୍ଧା -ବଲାଙ୍ଗିର ରେଳପଥ ପ୍ରକଳ୍ପ ବିଷୟରେ ସ୍ୱତଃ ଆଲୋଚନା ହୁଏ। ସମଗ୍ର ଦେଶର ନିର୍ମାଣାଧୀନ ବିଳମ୍ବିତ ରେଳପ୍ରକଳ୍ପମାନଙ୍କ ମଧ୍ୟରେ ଏହା ଅନ୍ୟତମ।
ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ନିର୍ମାଣର ଅଗ୍ରଗତିକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ଦେଶରେ ବିକଶିତ ଅଞ୍ଚଳର ବିକାଶ ଧାରାକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ରେଳବିଭାଗ ଯେତେ ଅଧିକ ଯତ୍ନଶୀଳ, ଅବିକଶିତ ତଥା ପଛୁଆ ଅଞ୍ଚଳର ବିକାଶ ଧାରାକୁ ତ୍ୱରିତ ବେଗରେ ଆଗେଇନେବା ପାଇଁ ସେତେ ଯତ୍ନଶୀଳ ନୁହେଁ। ଦେଶରେ ରେଳ ଚଳାଚଳ କରିବାର ୧୬୫ ବର୍ଷ ପୂର୍ତ୍ତି ହେବାକୁ ଯାଉଥିବାବେଳେ ମଧ୍ୟ ରେଳବିଭାଗର ମାନସିକତାରେ ଏଯାଏଁ ପରିବର୍ତ୍ତନ ନହେବା ବିଡମ୍ବନାର ବିଷୟ। ଦେଶର ରେଳସେବା କ୍ଷେତ୍ରରେ ସମୃଦ୍ଧ ଅଞ୍ଚଳକୁ ଆହୁରି ସମୃଦ୍ଧିଶାଳୀ କରିବା ପାଇଁ ଆନ୍ତରିକତାର ସହ ଅଜସ୍ର ଅର୍ଥ ବ୍ୟବସ୍ଥା କରାଯାଊଥିବାବେଳେ ରେଳ ସଂଯୋଗ ନଥିବା ଜିଲାରେ ତଥା ବର୍ତ୍ତମାନ ପର୍ଯ୍ୟନ୍ତ ରେଳପଥ ଦେଖିନଥିବା ଜିଲାକୁ ରେଳ ସଂଯୋଗୀକରଣ ପାଇଁ ଚିରାଚରିତ ଭାବେ ଉଦାସୀନ ମନୋଭାବ ପ୍ରଦର୍ଶନ କରାଯାଉଛି। ମୁମ୍ବଇ- ଅହମ୍ମଦାବାଦ ହାଇସ୍ପିଡ୍‌ ରେଳ କରିଡର ପାଇଁ ରାଷ୍ଟ୍ର ପକ୍ଷରୁ ୧ ଲକ୍ଷ କୋଟିରୁ ଊର୍ଦ୍ଧ୍ବ ଟଙ୍କା ମାତ୍ର ୮ ବର୍ଷ ମଧ୍ୟରେ ଖର୍ଚ୍ଚକରି କାର୍ଯ୍ୟକ୍ଷମ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ୧୯୪୫ ମସିହାରେ ସର୍ଭେ ହୋଇଥିବା ଏହି ଖୋର୍ଦ୍ଧା-ବଲାଙ୍ଗିର ୨୮୯ କିମି ରେଳପଥକୁ ଯୋଜନା କମିସନଙ୍କ ମଞ୍ଜୁରି ପାଇବା ପାଇଁ ୫୦ବର୍ଷ ସମୟ ଲାଗିଥିଲା। ରେଳବାଇ ବୋର୍ଡର ଆର୍-୪୫ସି/୮୧ ତା-୧୨ ଜୁନ ୧୯୪୫ ର ନିର୍ଦେଶକ୍ରମେ ସ​‌େ​‌ର୍ଭ କାର୍ଯ୍ୟ କରାଯାଇଥିଲା। ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା ପାଇଁ ପ୍ରଥମେ ୪କୋଟି ୯୮ଲକ୍ଷ ବ୍ୟୟ ଅଟକଳ କରାଯାଇଥିଲା, କିନ୍ତୁ ପ୍ରକଳ୍ପ ଲାଭଜନକ ନୁହେଁ ବୋଲି ଏହାକୁ ମଞ୍ଜୁରି ମିଳିନଥିଲା। ଲାଭକ୍ଷତି କଥା ଚିନ୍ତା କରି ସେତେବେଳେ ଏହି ପ୍ରକଳ୍ପକୁ ମଞ୍ଜୁରି ମିଳିଲା ନାହିଁ। ବର୍ତ୍ତମାନ ମଧ୍ୟ ଏହି ଚଳନ୍ତି ଧାରାର କ୍ରମରେ ଦେଶର ପ୍ରଭାବଶାଳୀ ନେତାମାନଙ୍କ ଅଞ୍ଚଳକୁ କିମ୍ବା ଅଧିକରୁ ଅଧିକ ଲାଭର ଭିତ୍ତିଭୂମି ଥିବା ଅଞ୍ଚଳରେ ରେଳ ବିକାଶକୁ ତ୍ୱରାନ୍ୱିତ କରାଯାଇ ପଛୁଆ ଅଞ୍ଚଳକୁ ଅବହେଳା ପ୍ରଦର୍ଶନ କରାଯାଇ ଆସୁଛି। ଏହି ଧାରାର ପରିସୀମା ମଧ୍ୟରେ ଖୋର୍ଦ୍ଧା-ବଲାଙ୍ଗିର ରେଳପଥର ଅଗ୍ରଗତିରେ ଅଙ୍କୁଶ ଲାଗିଛି, କିନ୍ତୁ ୧୯୯୩ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଐତିହାସିକ ପତ୍ର ଏହି ପ୍ରକଳ୍ପକୁ ବାସ୍ତବତାରେ ପରିଣତ କରିବା ପାଇଁ ବେଶ୍ ସହାୟତା କରିଥିଲା। ତତ୍କାଳୀନ ଯୋଜନା କମିସନର ଉପାଧ୍ୟକ୍ଷ ପ୍ରଣବ ମୁଖାର୍ଜୀ ଏହି ପ୍ରକଳ୍ପକୁ ମଞ୍ଜୁରି ଦେବା ପାଇଁ କେତେକ ସର୍ତ୍ତ ଆରୋପ କରିଥିଲେ। ପ୍ରକଳ୍ପର ଖର୍ଚ୍ଚକୁ କମ କରିବା ପାଇଁ ମାଗଣା ଜମି ଓ ମାଟି କାମ ରାଜ୍ୟ ସରକାର ବହନ କରିବାକୁ ବିଜୁବାବୁଙ୍କୁ ୧୬ େଫବୃଆରୀ ୧୯୯୩ ମସିହାରେ ପତ୍ର ଲେଖିଥିଲେ। ଏହାର ଉତ୍ତରରେ ବିଜୁ ବାବୁ ରାଜି ହୋଇ ଓଡିଶା ପକ୍ଷରୁ ପ୍ରକଳ୍ପର ମାଟି କାମରେ ସହ‌େଯାଗ କରିବା ପାଇଁ ଓ ମାଗଣା ଜମି ଦେବାପାଇଁ ୬ ମାର୍ଚ୍ଚ ୧୯୯୩ ମସିହାରେ କେନ୍ଦ୍ରକୁ ଲିଖିତ ଭାବେ ପ୍ରତିଶ୍ରୁତି ପ୍ରଦାନ କରିବା ପରେ ପ୍ରକଳ୍ପ ମଞ୍ଜୁରିପ୍ରାପ୍ତ ହେଲା। ରେଳପଥ ଛୁଇଁନଥିବା ଓଡିଶାର ବିଭିନ୍ନ ଅଞ୍ଚଳ ତଥା ଜିଲାମାନଙ୍କରେ ଖୁସିର ଲହରି ଖେଳିଗଲା। ପ୍ରାୟ ୪୦୦ କୋଟି ବ୍ୟୟ ଅଟକଳ କରାଯାଇ ମାତ୍ର ୫ ବର୍ଷରେ ନିର୍ମାଣ ଶେଷ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। କିନ୍ତୁ ଏହି ୫ବର୍ଷ ସମୟସୀମା ଆଜି ୨୫ ବର୍ଷକୁ ଟପିଯାଇଛି, ହେଲେ ପ୍ରକଳ୍ପର ୫୦ ପ୍ରତିଶତ କାର୍ଯ୍ୟ ସମାପନ ହୋଇପାରି ନାହିଁ। ପ୍ରକଳ୍ପ ଖର୍ଚ୍ଚ ୩ହଜାର ୭୯୦କୋଟି ଟଙ୍କାରେ ପହଞ୍ଚିଲାଣି। ଚଳିତ ଆର୍ଥିକ ବର୍ଷ ପରେ ଏହା ୪୦୦୦ କୋଟି ଟଙ୍କାକୁ ଟପି ଯାଇପାରେ ଏବଂ ପ୍ରକଳ୍ପ କାର୍ଯ୍ୟ ଶେଷହେବା ବେଳକୁ ଖର୍ଚ୍ଚର ପରିମାଣ କେତେ ହେବ ତାହା ଆକଳନ କରାଯାଇପାରିନାହିଁ। ପ୍ରକଳ୍ପ ପାଇଁ ସବୁ ରାଜନୈତିକ ଦଳ କୁମ୍ଭୀରକାନ୍ଦଣା କାନ୍ଦି ଆସୁଛନ୍ତି। ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଭିନ୍ନ ସମୟରେ କେନ୍ଦ୍ରରେ ଶାସନ କରିବା ପାଇଁ ସୁଯୋଗ ପାଇଥିଲେ ମଧ୍ୟ ଏହି ପ୍ରକଳ୍ପର ଭାଗ୍ୟ ବଦଳି ପାରିନାହିଁ। ଏହି ଅବହେଳିତ ରେଳ ପ୍ରକଳ୍ପ କେବଳ ରାଜ୍ୟ ପ୍ରତି କେନ୍ଦ୍ର ସରକାରଙ୍କ ଅବହେଳାର ଏକ ବଡ ସ୍ଲୋଗାନ ପାଲଟିଛି। ପ୍ରକଳ୍ପକୁ ୯୪-୯୫ ମସିହାରେ ୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲା। ୨୦୦୦ ମସିହା ପର୍ଯ୍ୟନ୍ତ ମାତ୍ର ୧୮ କୋଟି ୫୦ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ୨୦୦୦ ରୁ ୨୦୧୮ ମସିହା ପର୍ଯ୍ୟନ୍ତ ୯୩୮ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି।
ବଲାଙ୍ଗିର, ସୁବର୍ଣ୍ଣପୁର, ​‌େ​‌ବୗଦ୍ଧ, ଦଶପଲ୍ଲା ଇତ୍ୟାଦି ଅଞ୍ଚଳରେ ଜନରୋଷ ତୀବ୍ର ହେବା ପରେ ୨୦ ଜୁଲାଇ ୨୦୧୫ ଦିନ ରାଜ୍ୟ ସରକାର ଏବଂ ରେଳବିଭାଗ ମଧ୍ୟରେ ରେଳ ପ୍ରକଳ୍ପକୁ ମିଳିତ ଭାବେ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା। ପ୍ରକଳ୍ପ ପାଇଁ ୫୦-୫୦ ଖର୍ଚ୍ଚ ଏହି ବୁଝାମଣାପତ୍ରର ଆଧାର ଥିଲା। ପ୍ରକଳ୍ପର ୧୧୨ କିଲୋମିଟରରୁ ୨୮୯ କି.ମି ପର୍ଯ୍ୟନ୍ତ ଜମି ଅଧିଗ୍ରହଣ କାର୍ଯ୍ୟକୁ ରାଜ୍ୟ ସରକାର ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତଶ୍ରୁତିର ୨୧ ବର୍ଷ ପରେ ପୁଣି ଥରେ ଦୋହରାଇବା ସଂଗେ ୨୦୨୧ ମସିହା ସୁଦ୍ଧା ଖୋର୍ଦ୍ଧା-ବଲାଙ୍ଗିର ରେଳପଥ କାର୍ଯ୍ୟକ୍ଷମ ହେବ ବୋଲି ସମୟ ଧାର୍ଯ୍ୟ କରାଯାଇଥିଲା, କିନ୍ତୁ ରାଜ୍ୟ ସରକାର ୧୫-୧୬ ଆର୍ଥିକ ବର୍ଷରେ ମାତ୍ର ୩୮ କୋଟି ଟଙ୍କା ପ୍ରଦାନ କରିଥିବାବେଳେ ୧୬-୧୭ ବର୍ଷରେ ୧୧୫ କୋଟି ଟଙ୍କା ଓ ୧୭-୧୮ ବର୍ଷର ଏପ୍ରିଲ ମାସ ପର୍ଯ୍ୟନ୍ତ କିଛି ବି ଅର୍ଥ ପ୍ରଦାନ କରିନଥିଲେ। ଜମି ଅଧିଗ୍ରହଣ କାର୍ଯ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ। ତେଲ ନଦୀ ଉପରେ ପ୍ରାୟ ୭୦୦ ମିଟର ଲମ୍ବ ପୋଲ ନିର୍ମାଣ ଆରମ୍ଭ କରାଯାଇନାହିଁ। ଏହି ରେଳପଥର ୧୧୨ କି.ମିରୁ ୨୭୩ କିମି ପର୍ଯ୍ୟନ୍ତ ଅଂଶରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ କହିଲେ ଚଳେ। ଏହି ତଥ୍ୟ ରୁ ଯେକେହି ଅନୁମାନ କରିପାରିବେ, ପ୍ରକଳ୍ପକୁ ସମ୍ପୁର୍ଣ୍ଣ କରିବା ପାଇଁ ଆଉ କେତେ ସମୟ ଲାଗିବ। ଖର୍ଚ୍ଚ ଅଟକଳ ମାତ୍ର ୪ କୋଟି ୯୮ ଲକ୍ଷରୁ ପ୍ରାୟ ୪୦୦୦ କୋଟିକୁ ପହଞ୍ଚି ଯିବାପରେ ମଧ୍ୟ ପ୍ରକଳ୍ପର ଅର୍ଦ୍ଧେକ କାର୍ଯ୍ୟ ସମାପନ ହୋଇନାହିଁ। ଦେଶର ପଛୁଆ ଅଞ୍ଚଳ ସହିତ ବିକଶିତ ଅଞ୍ଚଳର ରେଳ ସଂଯୋଗୀକରଣ ପାଇଁ ରେଳବିଭାଗର ମାନସିକତା ଓ ସମ୍ପୃକ୍ତ ଅଞ୍ଚଳର ରାଜନୈତିକ ନେତାମାନଙ୍କ ପାରିବାପଣ ପ୍ରତି ଏହି ପ୍ରକଳ୍ପର କଚ୍ଛପଗତି ଉପହାସ କରୁନାହିଁ କି? ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ ପାଳନ କରାଯାଇଥିବା ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସରେ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟରେ ଅସନ୍ତୋଷ ବ୍ୟକ୍ତକରି ଏହାକୁ ଇତିହାସ ବହିରେ ପିଲାମାନେ ପଢିବେ ବୋଲି ବ୍ୟଙ୍ଗାତ୍ମକ ଭାବେ ପ୍ରକାଶ କରିବା କଥା ଆଗାମୀ ଦିନରେ ସତ୍ୟରେ ପରିଣତ ହୋଇପାରେ। ।
ଟିକ୍ରାପଡା, ବଲାଙ୍ଗିର

Comments
Loading...