ଆଗକୁ ନିର୍ବାଚନ ଆସୁଛି

0
66
Pic courtesy : Bar & Bench

ଶ୍ରୀକାନ୍ତ ଚାଟାର୍ଜୀ

୨୦୧୪ ମସିହାରେ ଏପ୍ରିଲ-ମେ ମାସରେ ଷୋଡ଼ଶ ଲୋକସଭା ଏବଂ ଓଡ଼ିଶା ସମେତ ଅନ୍ୟକିଛି ରାଜ୍ୟ ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସେହି ଭିତ୍ତିରେ ସପ୍ତଦଶ ଲୋକସଭା ଏବଂ ଓଡ଼ିଶା ସମେତ ଆଉ କିଛି ରାଜ୍ୟ ବିଧାନସଭା ପାଇଁ ନିର୍ବାଚନ ଆଗାମୀ କିଛିିଦିନରେ ଆସନ୍ନ। ଏ ପ୍ରବନ୍ଧରେ ଏ ବିଷୟରେ କିଛି ଆଲୋଚନା କରିବା।
ନିର୍ବାଚନ ମାଧ୍ୟମରେ କ୍ଷମତା ପରିବର୍ତ୍ତନ ଗଣତନ୍ତ୍ରର ଏକ ମୂଳ ସିଦ୍ଧାନ୍ତ। ଆପାତ ଦୃଷ୍ଟିରେ ଭାରତୀୟ ଗଣତନ୍ତ୍ର କୋଳାହଳପୂର୍ଣ୍ଣ ଓ ବିଶୃଙ୍ଖଳ ମନେହୁଏ। ତଥାପି ନିର୍ବାଚନ ମାଧ୍ୟମରେ କ୍ଷମତା ପରିବର୍ତ୍ତନର ପରମ୍ପରା ଅକ୍ଷୁଣ୍ଣ ରହିଛି। ଏପରିକି ୧୯୭୫-୭୭ ଅବଧିର ଜରୁରୀକାଳୀନ ପରିସ୍ଥିତି ପରେ ମଧ୍ୟ ସେ ସମୟର ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀ ନିର୍ବାଚନ ମାଧ୍ୟମରେ ନିଜର ଶାସନ ପାଇଁ ସ୍ବୀକୃତି ଲୋଡ଼ିଥିଲେ। ଜନତା ତାଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହା ପରେ ଆଉଏକ ଗୁରୁତ୍ବପୂର୍ଣ୍ଣ ସମୟ ହେଲା ନବେ ଦଶକ। ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ରାଜ୍ୟରେ ରାଜ୍ୟପାଳ/ରାଷ୍ଟ୍ରପତି ଶାସନ ଜାରି ହୋଇପାରିବ, କିନ୍ତୁ କେନ୍ଦ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇପାରିବ ନାହିଁ। ଯେମିତି ହେଲେ ବି କେନ୍ଦ୍ରରେ ଜନପ୍ରତିନିଧିଙ୍କ ଶାସନ ହିଁ ଆବଶ୍ୟକ। ଫଳରେ ଏହି ସମୟରେ ମିଳିତ ସରକାର, ଅଳ୍ପସମୟ ପାଇଁ ସରକାର, ସ୍ବଳ୍ପ ବ୍ୟବଧାନରେ ସାଧାରଣ ନିର୍ବାଚନ ଆଦି ଦେଖାଗଲା। ଅନେକେ ଏହା ଆମ ସଂସଦୀୟ ଗଣତନ୍ତ୍ରର ଦୁର୍ବଳତା ମନେ କରିପାରନ୍ତି, କିନ୍ତୁ ଏସବୁ ପ୍ରକ୍ରିୟା ମାଧ୍ୟମରେ ଗଣତନ୍ତ୍ର ଆହୁରି ବ୍ୟାପକ ଓ ଗଭୀରତର ହୋଇଛି ବୋଲି ଧରାଯିବ। ନିର୍ବାଚନ ମାଧ୍ୟମରେ କ୍ଷମତା ପରିବର୍ତ୍ତନ ଓ ସଂସଦୀୟ ଗଣତନ୍ତ୍ର ଆମ ସମ୍ବିଧାନର ‘ମୂଳ ଢାଞ୍ଚା’ର ଅଙ୍ଗ। ଏହା ଅପରିବର୍ତ୍ତନୀୟ।
ଆମ ପଡ଼ୋଶୀ ଦେଶମାନଙ୍କରେ ଏଯାବତ୍‌ ଗଣତନ୍ତ୍ର ଦୃଢ଼ଭାବରେ ପ୍ରତିଷ୍ଠିତ ହୋଇନାହିଁ। ତୃତୀୟ ବିଶ୍ବରେ ଭାରତୀୟ ଗଣତନ୍ତ୍ର ଏକ ଉଜ୍ବଳ ଦୃଷ୍ଟାନ୍ତ। ସ୍ବାଧୀନତା ପରେ ଯେତେବେଳେ ସମ୍ବିଧାନ ଗୃହୀତ ହେଲା ଏବଂ ଏକା ଥରକେ ନାରୀ ପୁରୁଷ, ଧନୀଗରିବ ତଥା ସାକ୍ଷର ନିରକ୍ଷର ବ୍ୟତିରେକେ ସମସ୍ତ ପ୍ରାପ୍ତବୟସ୍କ ବ୍ୟକ୍ତିଙ୍କୁ ଭୋଟାଧିକାର ଦିଆଗଲା, ଅନେକେ ଭାରତରେ ଗଣତନ୍ତ୍ରର ଭବିଷ୍ୟତ ନେଇ ଚିନ୍ତା ପ୍ରକାଶ କଲେ। ହେଲେ, ସ୍ବାଧୀନ ଭାରତର ନେତୃବୃନ୍ଦ, ବିଶେଷତଃ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଉଦାରତା ଓ ଗଣତନ୍ତ୍ର ପ୍ରତି ଅଙ୍ଗୀକାରବଦ୍ଧତା ଦେଶର ଶାସନ ବ୍ୟବସ୍ଥାକୁ ସମ୍ବିଧାନଭିତ୍ତିକ ସଂସଦୀୟ ଗଣତନ୍ତ୍ର ମାର୍ଗରେ ପରିଚାଳିତ କଲା ଏବଂ ଆଜି ଏହା ସୁଦୃଢ଼ ଭାବରେ ପ୍ରତିଷ୍ଠିତ ହୋଇଛି। ପଶ୍ଚିମରେ କିନ୍ତୁ ସମସ୍ତଙ୍କୁ ଏକା ସାଙ୍ଗରେ ଭୋଟାଧିକାର ମିଳି ନଥିଲା। ପ୍ରଥମେ ସମ୍ପତ୍ତିସମ୍ପନ୍ନ ପୁରୁଷମାନେ ଭୋଟାଧିକାର ପାଇଲେ। ମହିଳା ଓ ଶ୍ରମିକ ଶ୍ରେଣୀ ବଞ୍ଚିତ ରହିଲେ। କ୍ରମଶଃ ଏବଂ ଦୀର୍ଘ ସଂଗ୍ରାମ ପରେପରେ ସମସ୍ତ ପ୍ରାପ୍ତବୟସ୍କ ବ୍ୟକ୍ତି(ମହିଳା ସମେତ)ଙ୍କୁ ଭୋଟାଧିକାର ମିଳିଥିଲା। ଯାହାହେଉ, ଭାରତ ସ୍ବାଧୀନ ହେଲା ୧୯୪୭ ମସିହାରେ। ସମ୍ବିଧାନ ଲାଗୁ ହେଲା ୧୯୫୦ ମସିହାରୁ। ନିର୍ବାଚନ ଆୟୋଗ ଗଠନ ହେଲା ୧୯୫୦ ମସିହାରେ। ସେହିବର୍ଷ ସୁକୁମାର ସେନ ଦେଶର ପ୍ରଥମ ମୁଖ୍ୟ ନିର୍ବାଚନ ଆୟୁକ୍ତ ଭାବରେ ଅବସ୍ଥାପିତ ହେଲେ। ୧୯୫୦ ମସିହାରେ ହିଁ ପ୍ରଥମ ଜନପ୍ରତିନିଧି ଆଇନ୍‌ (ରିପ୍ରେଜେଣ୍ଟେସନ୍‌ ଅଫ୍‌ ପିପୁଲ ଆକ୍ଟ) ପ୍ରଣୟନ କରାଗଲା। ପ୍ରଥମ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେଲା ୧୯୫୧-୫୨ ଅବଧିରେ। ପ୍ରଥମକରି ଆରମ୍ଭ ହୋଇଥିବା ନିର୍ବାଚନରେ ଆକାର ଓ ସ୍ବରୂପ ଲକ୍ଷ୍ୟ କରନ୍ତୁ। ଏକୋଇଶ ବର୍ଷରୁ ଊର୍ଦ୍ଧ୍ବ (ସେ ସମୟର ବୟସ ସୀମା) ବୟସର ଭାରତୀୟଙ୍କ ସଂଖ୍ୟା ଥିଲା ୧୭.୬କୋଟି। ଏମାନଙ୍କ ମଧ୍ୟରୁ ପ୍ରାୟ ୮୫ ପ୍ରତିଶତ ନିରକ୍ଷର। ସେ ସମୟରେ ଅଧିକାଂଶ ମହିଳାଙ୍କ ନାଁ ଜଣା ନଥିଲା। ତାଙ୍କ ପରିଚୟ ଥିଲା ଅମୁକର ମା, ସମୁକର ସ୍ତ୍ରୀ ଇତ୍ୟାଦି। ଏମିତି ଭୋଟରମାନଙ୍କୁ ପଞ୍ଜିକୃତ କରିବାର ଥିଲା। ଏସବୁ କାରଣରୁ ପ୍ରାୟ କୋଡ଼ିଏ ଲକ୍ଷ ଭୋଟରଙ୍କ ନାଁ ବାଦ୍‌ ଦେବାକୁ ପଡ଼ିଲା। ରାମଚନ୍ଦ୍ର ଗୁହା ତାଙ୍କ ବହି ‘ଇଣ୍ଡିଆ ଆଫ୍ଟର ଗାନ୍ଧୀ’ରେ ଦର୍ଶାଇଛନ୍ତି ଯେ ଲୋକସଭା ଏବଂ ରାଜ୍ୟ ବିଧାନସଭା ସବୁ ମିଶି ୪,୫୦୦ ସ୍ଥାନ ପାଇଁ ପ୍ରତିଦ୍ବନ୍ଦ୍ବିତା ହେଉଥିଲା। ଏଥିପାଇଁ ୨,୨୪,୦୦୦ ବୁଥ୍‌ ନିର୍ଦ୍ଧାରଣ ହେଲା ଓ କୋଡ଼ିଏ ଲକ୍ଷ ଲୁହା ବାଲଟ୍‌ ବାକ୍ସ ତିଆରି ହେଲା। ନିର୍ବାଚନ ମଣ୍ଡଳୀ ଭିତ୍ତିରେ ଯୋଗ୍ୟ ଭୋଟର ତାଲିକା ପ୍ରସ୍ତୁତ କରିବାପାଇଁ ୧୬,୫୦୦ଜଣ କିରାଣିଙ୍କୁ ଛ’ମାସ ପାଇଁ ଠିକାଭିତ୍ତିରେ ନିଯୁକ୍ତି ଦିଆଗଲା। ଏଥିପାଇଁ ୩,୮୦,୦୦୦ ରିମ୍‌ କାଗଜ ବ୍ୟବହୃତ ହେଲା। ନିର୍ବାଚନ ପରିଚାଳନା ପାଇଁ ୫୬,୦୦୦ ଜଣ ପ୍ରିଜାଇଡିଙ୍ଗ୍‌ ଅଫିସର ଏବଂ ୨,୮୦,୦୦୦ ଜଣ ସହାୟକଙ୍କୁ ବିନିଯୋଗ କରାଗଲା। ୨,୪୦,୦୦୦ ଜଣ ପୁଲିସକର୍ମୀ ମୁତୟନ ହେଲେ। ଠକାମି ରୋକିବା ପାଇଁ ଭାରତୀୟ ବୈଜ୍ଞାନିକମାନେ ଏକ ବିଶେଷ ଅଲିଭା କାଳି ତିଆରି କରିଥିଲେ। ଥରେ ଲଗାଇଲେ ଏହି କାଳି ପ୍ରାୟ ଏକ ସପ୍ତାହ ଲିଭିବ ନାହିଁ। ଭୋଟ ପାଇଁ ୩,୮୯,୮୧୬ ଶିଶି ଅଲିଭାକାଳି ବ୍ୟବହାର କରାହୋଇଥିଲା। ୧୯୫୧ ମସିହା ବର୍ଷସାରା ନିର୍ବାଚନ ଅାୟୋଗ ଆକାଶବାଣୀ, ଚଳଚ୍ଚିତ୍ର ଇତ୍ୟାଦି ମାଧ୍ୟମରେ ଭୋଟରମାନଙ୍କୁ ସଚେତନ କରିବାର ପ୍ରୟାସ କରିଥିଲେ (ପୃ.୧୩୩-୧୩୫)। ନୂଆ ସ୍ବାଧୀନ ହୋଇଥିବା ଦେଶର ପ୍ରଶାସନ ଏତେ ବଡ଼ ଓ ଏତେ ଜଟିଳ କାମ ସଫଳତାରସହ ସମ୍ପନ୍ନ କରିପାରିଲା। ସେ ଦିନଠୁ ଅଦ୍ୟାବଧି ନିର୍ବାଚନ ପ୍ରକ୍ରିୟା ଦକ୍ଷତାର ସହ ପରିଚାଳିତ ହେଉଛି। ସମ୍ବିଧାନର ଧାରା ୩୨୪ ଅନୁସାରେ ନିର୍ବାଚନ ଆୟୋଗଙ୍କ ହାତରେ ନିର୍ବାଚନର ତଦାରଖ, ଦିଶାନିର୍ଦେଶ ଓ ନିୟନ୍ତ୍ରଣ (ସୁପରିଣ୍ଟେଣ୍ଡେଣ୍ଟ, ଡାଇରେକ୍ସନ୍‌ ଆଣ୍ଡ କ​‌େ​‌ଣ୍ଟ୍ରାଲ )ର ଦାୟିତ୍ବ ନ୍ୟସ୍ତ। ଏଣୁ ସମୟକ୍ରମେ ଭାରତର ନିର୍ବାଚନ ଆୟୋଗ ବିଭିନ୍ନ ପନ୍ଥା ଅବଲମ୍ବନ କରି ନିର୍ବାଚନ ପ୍ରକ୍ରିୟାକୁ ଦକ୍ଷ ଓ ସ୍ବଚ୍ଛ କରିବାର ପ୍ରୟାସ କରି ଆସୁଛନ୍ତି।
ନିର୍ବାଚନ ମାଧ୍ୟମରେ ଜନପ୍ରିୟ ସରକାର ତିଆରି ହେବା ଗଣତନ୍ତ୍ରର ଏକ ସ୍ବାଭାବିକ ଓ ମୌଳିକ ପ୍ରକ୍ରିୟା। ରାଜନୈତିକ ଦଳମାନେ ଏହି ପ୍ରକ୍ରିୟାରେ ପ୍ରମୁଖ ଭୂମିକା ପାଳନ କରନ୍ତି। ରାଜନୈତିକ ଦଳଙ୍କ ନିର୍ଦିଷ୍ଟ ବିଚାରଧାରା ଓ ଦଳଗତ ପରିଚୟ ଥାଏ। ଆଗାମୀ ପାଞ୍ଚବର୍ଷ ପାଇଁ ସେମାନେ ଯୋଜନା ପ୍ରସ୍ତୁତ କରନ୍ତି। ଏହାକୁ ନିର୍ବାଚନ ଇସ୍ତାହାର କହନ୍ତି। ଏସବୁଙ୍କୁ ଆଧାର କରି ନିର୍ବାଚନ ପ୍ରଚାର ଚାଲେ। ମୋଟ ଉପରେ, ନିର୍ବାଚନ ରାଜନୈତିକ ଦଳମାନଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତାରେ ପରିଣତ ହୋଇଯାଏ। ଉନ୍ନତ ଦେଶରେ ପ୍ରାୟ ଦୁଇମୁଖ୍ୟ ରାଜନୈତିକ ଦଳ ରହନ୍ତି। ଆମେରିକାରେ ରିପବ୍ଲିକାନ୍‌ ଓ ଡେମୋକ୍ରାଟିକ୍‌ ଦଳ, ଇଂଲଣ୍ଡରେ କନ୍‌ଜରଭେଟିଭ ଓ ଲେବର ପାର୍ଟି ଇତ୍ୟାଦି। ଏହି ଦଳଗତ ବିଭାଜନ ପ୍ରଧାନତଃ ବିଚାରଧାରା (ଆଇଡିଓଲୋଜି)ଭିତ୍ତିକ। ରିପବ୍ଲିକାନ୍‌ ଓ କନ୍‌ଜରଭେଟିଭ୍‌ ଦଳ ଦକ୍ଷିଣପନ୍ଥୀ ହୋଇଥିବାବେଳେ ଡେମୋକ୍ରାଟିକ୍‌ ଓ ଲେବରପାର୍ଟି ଉଦାରବାଦୀ/ବାମପନ୍ଥୀ। ତେବେ ଏସବୁ ଦେଶରେ ମଧ୍ୟ ବିଗତ ସମୟରେ ଦୁଇରୁ ଅଧିକ ରାଜନୈତିକ ଦଳ ଥିଲେ। କାଳକ୍ରମେ ଦୁଇଦଳୀୟ ବ୍ୟବସ୍ଥା କାଏମ୍‌ ହୋଇଛି। ଆମ ଦେଶରେ ବିଶାଳ ଓ ବିବିଧତାରେ ପୂର୍ଣ୍ଣ ଜନସମୂହ। ଗଣତାନ୍ତ୍ରିକ ପ୍ରକ୍ରିୟା ମଧ୍ୟ ଅନେକ ପୁରୁଣା ନୁହେଁ। ଏଣୁ ଭାରତରେ ସ୍ବଭାବତଃ ଛୋଟବଡ଼ ଆଞ୍ଚଳିକ, ସର୍ବଭାରତୀୟ, ଧର୍ମଭିତ୍ତିକ, ବିଚାରଧାରା ଭିତ୍ତିକ- ସବୁ ପ୍ରକାରର ଦଳ ଭାରତରେ ଅଛନ୍ତି। ଏଣୁ ଭାରତୀୟ ନିର୍ବାଚନ ଅତ୍ୟନ୍ତ ଆକର୍ଷଣୀୟ ଓ ରୋଚକ ହୁଏ।
ଆସନ୍ନ ନିର୍ବାଚନ ପରିପ୍ରେକ୍ଷୀରେ ଆମେ ସାମ୍ବିଧାନିକ ବ୍ୟବସ୍ଥା, ସଂଶ୍ଳିଷ୍ଟ ଆଇନ, ପ୍ରଥମ ନିର୍ବାଚନର ଅଭିଜ୍ଞତା ଆଦି ଦେଖିଲୁ। ଆମେ ଜାଣି ପାରିଲୁ ଯେ ନିର୍ବାଚନ ଓ ରାଜନୈତିକ ଦଳ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ପ୍ରବନ୍ଧ ସାଙ୍ଗ କରିବା ୨୫ା୧୧ା୧୯୪୯ ତାରିଖରେ ଦେଶର ସମ୍ବିଧାନ ରଚନା ସମାପ୍ତ ହେବାପରେ ଆମ୍ବେଦକରଙ୍କ ପ୍ରଦତ୍ତ ଦୀର୍ଘ ଓ ଜ୍ଞାନଦୀପ୍ତ ଭାଷଣର କିଛି ଅଂଶ ଉଦ୍ଧାର କରି। ମୋଟାମୋଟି ଅନୁବାଦ ହେଲା- ‘ମୁଁ ଏଇଠି (ମୋର ଭାଷଣ) ସମାପ୍ତ କରିଥା’ନ୍ତି, କିନ୍ତୁ ଆମ ଦେଶର ଭବିଷ୍ୟତ ନେଇ ମୋ ମନ ଚିନ୍ତାଗ୍ରସ୍ତ ହୋଇଯାଉଛି। ଏଣୁ ଏ ବିଷୟରେ ମୋର କିଛି ମତ ଉପସ୍ଥାପନ କରିବା ମୁଁ ଉଚିତ ମନେ କରୁଛି। ୨୬ ଜାନୁଆରୀ ୧୯୫୦ ତାରିଖ ଦିନ ଭାରତ ଏକ ସ୍ବାଧୀନ ଦେଶ ହୋଇଯିବ। ଭାରତର ସ୍ବାଧୀନତାର କ’ଣ ହେବ? ସେ ତା’ର ସ୍ବାଧୀନତା ବଜାୟ ରଖିପାରିବ ନା ଆଉଥରେ ହରାଇ ବସିବ। ମୋ ମନକୁ ପ୍ରଥମେ ଏହି ଚିନ୍ତା ହିଁ ଆସୁଛି। କଥାହେଲା, ଦେଶ ଥରେ ସ୍ବାଧୀନତା ହରାଇଛି। ଦେଶ କ’ଣ ଦ୍ବିତୀୟଥର ପାଇଁ ସ୍ବାଧୀନତା ହରାଇବ? ଦେଶର ଭବିଷ୍ୟତ ନେଇ ଏହି ଚିନ୍ତା ହିଁ ମୋ ମନରେ ସବୁଠୁ ବେଶୀ ଉଦ୍‌ବେଗ ସୃଷ୍ଟି କରୁଛି। ମୋତେ ଯାହା ବିଶେଷ ଭାବ ବିଚଳିତ କରୁଛି ତାହା ହେଲା ଭାରତ ଯେ କେବଳ ପୂର୍ବରୁ ଥରେ ସ୍ବାଧୀନତା ହରାଇଛି, ସେ କଥା ନୁହେଁ। ସେ ଏହି ସ୍ବାଧୀନତା ହରାଇଛି ତା’ର ନିଜର କିଛି ଲୋକଙ୍କ ଆନୁଗତ୍ୟହୀନତା ଓ ବିଶ୍ବାସଘାତକତା ଯୋଗୁଁ….. ଇତିହାସ କ’ଣ ଆଉଥରେ ନିଜକୁ ଦୋହରାଇବ? ଏହି ଚିନ୍ତାହିଁ ମୋତେ ଉତ୍କଣ୍ଠାରେ ଭରିଦେଉଛି। ଏହି ଚିନ୍ତା ଗଭୀରତର ହେବାର କାରଣ ହେଲା, ମୁଁ ବୁଝି ପାରୁଛି ଯେ ଜାତି (କାଷ୍ଟ) ଓ ଧର୍ମୀୟ ପରିଚିତି ରୂପକ ଆମର ଦୁଇ ପୁରାତନ ଶତ୍ରୁ ବ୍ୟତିରେକେ ଆମେ ଆଗାମୀ ଦିନରେ ଅନେକ ରାଜନୈତିକ ଦଳ ପାଇବାକୁ ଯାଉଛୁ, ଯେଉଁମାନଙ୍କ ବିିଭିନ୍ନ ଏବଂ ପରସ୍ପର ବିରୋଧୀ ରାଜନୈତିକ ଧର୍ମ (କ୍ରୀଡ଼୍‌) ଥିବା ଭାରତୀୟମାନେ ଦେଶକୁ ନିଜ ଦଳୀୟ ଧର୍ମ ଉପରେ ରଖିବେ ନା ଦଳୀୟ ଧର୍ମକୁ ଦେଶ ଉପରେ ରଖିବେ? ମୁଁ ଜାଣେ ନାହିଁ, କିନ୍ତୁ ଏତକ ନିଶ୍ଚିତ ଯେ ଯଦି ରାଜନୈତିକ ଦଳମାନେ ନିଜର ଦଳୀୟଧନକୁ ଦେଶ ଉପରେ ରଖନ୍ତି, ତେବେ ଆମ ସ୍ବାଧୀନତା ଦ୍ବିତୀୟଥର ପାଇଁ ବିପଦରେ ପଡ଼ିଯିବ ଏବଂ ଦେଶ ହୁଏତ ଚିରଦିନ ପାଇଁ ସ୍ବାଧୀନତା ହରାଇବସିବ। ଆମେ ସମସ୍ତେ ଏହି ଚରମ ପରିଣତି ବିରୋଧରେ ଦୃଢ଼ତାର ସହିତ ସଜାଗ ହୋଇ ରହିବା ଉଚିତ….।’ ଏଣୁ ଗଣତନ୍ତ୍ରର ସାଫଲ୍ୟ ପାଇଁ ଭୋଟରମାନଙ୍କ ଗୁରୁ ଦାୟିତ୍ବ ଅଛି। ଭୋଟ୍‌ଦାତାମାନେ ବହୁ ସଂଖ୍ୟାରେ ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ଉଚିତ ଏବଂ ନିର୍ଭୀକ ତଥା ନିରପେକ୍ଷ ଭାବରେ ନିଜର ଭୋଟାଧିକାର ପ୍ରୟୋଗ କରିବା ଉଚିତ।

LEAVE A REPLY

Please enter your comment!
Please enter your name here