ମର୍ତ୍ତ୍ୟର ଭଗବାନ

0
126
Pic courtesy : Facebook

ଶ୍ରାବସ୍ତିର ସଂଭ୍ରାନ୍ତ ବର୍ଗର ଲୋକମାନଙ୍କ ପାଇଁ ସୁଗନ୍ଧିତ ଫୁଲର ମାଳା ଯୋଗାଉଥିବା ମଲ୍ଲିକାର ପିତା ଅହରହ ଭାବୁଥିଲେ ତାଙ୍କ ଭଳି ଦରିଦ୍ର ପରିବାରରେ ଏତେ ସୁନ୍ଦର ଝିଅ ଜନ୍ମହେଲା କାହିଁକି? ଝିଅର ଭବିଷ୍ୟତ ନେଇ ପିତା ଅହରହ ଚିନ୍ତିତ ଥିଲେ। ୧୬ବର୍ଷ ବୟସରେ ପେଟକୁ ଖାଦ୍ୟ ଯୋଗାଡ଼ ପାଇଁ ବିଲବାଡ଼ିରେ କାମ କରିବାକୁ ଲାଗିଲା। ଥରେ କାମରୁ ଘରକୁ ଫେରିବା ସମୟରେ ଘର ସମ୍ମୁଖରେ ଦେଖିବାକୁ ପାଇଥିଲା ଲଣ୍ଡିତ ମସ୍ତକ, ଗୈରିକ ବସନ ପରିହିତ ଦଳେ ଭିକ୍ଷୁଙ୍କୁ। ଭିକ୍ଷୁ ଦଳ ମଧ୍ୟରୁ ଯିଏ ସର୍ବାଗ୍ରେ ଥିଲେ, ଅହେତୁକ ଆକର୍ଷଣରେ ଆକର୍ଷିତ ହୋଇ ତାଙ୍କ ନିକଟକୁ ଯାଇଥିଲା। ତାଙ୍କର ଭିକ୍ଷାପାତ୍ରରେ ଦିନସାରା କ୍ଷେତରେ କାମ କରି ମଜୁରି ସ୍ବରୂପ ଯାହା କିଛି ଚାଉଳ ଆଣିଥିଲା, ତାହା ଅଜାଡ଼ି ଦେଇଥିଲା ପରମ ଆନନ୍ଦରେ। ହେଲେ ସେତେବେଳେ ସେ ଜାଣି ନଥିଲା ଯେ ସେ ଯାହାଙ୍କ ଭିକ୍ଷାପାତ୍ରରେ ଭିକ୍ଷା ଅଜାଡ଼ି ଦେଇଥିଲା ସେ ସ୍ବୟଂ ତଥାଗତ ବୋଲି। ଭିକ୍ଷାଦେଇ ଚାଲିଆସୁଥିବାବେଳେ ତଥାଗତ ଦୂରଦୃଷ୍ଟି ବଳରେ କହିଥିଲେ- ଖୁବ୍‌ ଶୀଘ୍ର ଏହି ଯୁବତୀ କୋଶଳର ମହାରାଣୀ ହେବ। ଅସମ୍ଭବ, ସମ୍ପୂର୍ଣ୍ଣ ଅସମ୍ଭବ- ଭିକ୍ଷୁଦଳରେ ଥିବା ତଥାଗତଙ୍କ ପ୍ରିୟଶିଷ୍ୟ ଆନନ୍ଦ କହିଥିଲେ। କାହିଁ ଗୋଟିଏ ସାଧାରଣ ବର୍ଗର ବାଳିକା, କାହିଁ ମହାରାଣୀ। ସର୍ବଦା ଅସମ୍ଭବ। ଜାତି, ଧର୍ମ, ବର୍ଣ୍ଣ, ସ୍ଥିତି ଏ ସବୁକୁ ଦୃଷ୍ଟିରେ ରଖି ଆନନ୍ଦ ଏହା କହିଥିଲେ। ହେଲେ ତ୍ରିକାଳଦର୍ଶୀ ତଥାଗତଙ୍କ କଥା ମିଥ୍ୟା ହୋଇଥାନ୍ତା କିପରି?
ମଗଧ ରାଜାଙ୍କ ସହ ଯୁଦ୍ଧରେ ଆହତ ହୋଇ ଶ୍ରାବସ୍ତିରେ ଏଣେତେଣେ ଘୂରିବୁଲୁଥିଲେ କୋଶଳରାଜ। ଏକ ଉପବନରେ ଜନୈକ କୋମଳାଙ୍ଗୀର ସୁମଧୁର ସଂଗୀତ ଶୁଣିବାକୁ ପାଇଥିଲେ। ବାସ୍‌, ସେହି ମୁହୂର୍ତ୍ତରେ ସେ ତାଙ୍କୁ ନିଜ ହୃଦୟରେ ସ୍ଥାନଦେଇ ରାଣୀ କରି ନେଇଥିଲେ। ସେ ହେ​‌‌ଲେ କୋଶଳର ମହାରାଣୀ।
ଏହାପରେ ଭିକ୍ଷାନ୍ନ ଦେବାସମୟରେ ତଥାଗତ ଯାହା କହିଥିଲେ ତାହାର ଖୁବ୍‌ ଚର୍ଚ୍ଚା ହେଲା ଭିକ୍ଷୁ ମହଲରେ। ଏହାର ଠିକଣା ଉତ୍ତର ପାଇବାଲାଗି ମହାରାଣୀ (ମଲ୍ଲିକା) ତଥାଗତଙ୍କ ନିକଟକୁ ଯାଇଥିଲେ, ପ୍ରଶ୍ନ କରିଥିଲେ- ପ୍ରଭୁ! ଜଣେ ବ୍ୟକ୍ତି ଅଛନ୍ତି ଯିଏ ସୁନ୍ଦର, ଧନବାନ, ସର୍ବଗୁଣସଂପନ୍ନ। ଅନ୍ୟ ଜଣେ ବ୍ୟକ୍ତି ସୁନ୍ଦର କିନ୍ତୁ ଗୁଣହୀନ, ଧନହୀନ। ତୃତୀୟ ଜଣକ ଧନବାନ, ଗୁଣବାନ କିନ୍ତୁ ସୌନ୍ଦର୍ଯ୍ୟରହିତ। ଜଣେ ସର୍ବଗୁଣସଂପନ୍ନ ହୋଇ ମଧ୍ୟ ଧନ ଏବଂ ସୌନ୍ଦର୍ଯ୍ୟହୀନ। ଏହାକୁ କେହି ଭାଗ୍ୟ, କେହି ପ୍ରାରବ୍ଧ, କେହି ଈଶ୍ବରଙ୍କ ମହତ୍‌ ଇଚ୍ଛା କହି ନୀରବ ରହିଥାନ୍ତି। ଏହାର ପ୍ରକୃତ କାରଣ ମୁଁ ଜାଣିବାକୁ ଚାହୁଁଛି। କୁହନ୍ତୁ ପ୍ରଭୁ ଏପରି କାହିଁକି ହୋଇଥାଏ।
ସ୍ମିତ ହସି ତଥାଗତ କହିଥିଲେ- ସୌନ୍ଦର୍ଯ୍ୟ, ସାମର୍ଥ୍ୟ, ସମୃଦ୍ଧି ପ୍ରସଙ୍ଗରେ ତୁମ ମନରେ ଏ ଯେଉଁ ପ୍ରଶ୍ନ ଉଙ୍କି ମାରିଛି ତାହା ବ୍ୟକ୍ତି ଦ୍ବାରା ଅର୍ଜିତ ଗୁଣର ପରିଣାମ। ନୈତିକ ଓ ମାନସିକ ଶୁଦ୍ଧତା ସମୃଦ୍ଧିର ଚାବିକାଠି। ଉଦାରତା, କ୍ଷମା, ବିନୟଭାବ, ​ େସ‌ୗନ୍ଦର୍ଯ୍ୟରୂପରେ ପ୍ରକଟିତ ହୁଏ ଓ କରୁଣାଭାବ ବ୍ୟକ୍ତିର ସାମର୍ଥ୍ୟକୁ ବିକଶିତ କରାଇଥାଏ। ଯଦ୍ୟପି ସମସ୍ତ ଗୁଣ କୌଣସି ବ୍ୟକ୍ତିଙ୍କୁ ମିଳିବା ଦୁର୍ଲଭ, ତଥାପି ଯାହାଙ୍କଠାରେ ଉପରୋକ୍ତ ସର୍ବଗୁଣର ସମାହାର ହୋଇଛି ସେ ମର୍ତ୍ତ୍ୟର ଭଗବାନ।