ନିରଙ୍କୁଶ ପ୍ରଭୁତ୍ବ?

0
122
Pic courtesy : NDTV Khabar

ପରିଶେଷରେ ସିବିଆଇ ନିର୍ଦେଶକ ଆଲୋକ ବର୍ମାଙ୍କ ଅସମ୍ମାନଜନକ ଅପସାରଣ ପୁଣିଥରେ ପ୍ରମାଣିତ କରିଦେଲା ଯେ ସଂଗଠିତ ସରକାରୀ ଶକ୍ତି ଓ କ୍ଷମତା ରାଜନୀତି ପାଖରେ ଜଣେ ଅଧିକାରୀ ଲଢ଼ି ସଫଳ ହେବାର ସମ୍ଭାବନା କମ୍‌। ସୁପ୍ରିମକୋର୍ଟ ମଧ୍ୟ ବର୍ମାଙ୍କୁ ସୁରକ୍ଷିତ କରିପାରିଲେ ନାହିଁ ଏବଂ ତାଙ୍କର ଦୁଇବର୍ଷିଆ ସ୍ଥିରୀକୃତ କାର୍ଯ୍ୟକାଳ ପୂରଣ କରିବାରେ ସେ ବିଫଳ ହେଲେ। ପୂର୍ବରୁ ଏହି ସ୍ତମ୍ଭରେ ଆମେ ଦର୍ଶାଇଥିଲୁ ଯେ ଶ୍ରୀ ବର୍ମା ଯେଉଁ ଫାଶରେ ପଡ଼ିଥିଲେ ସେଥିରୁ ବର୍ତ୍ତିବା ତାଙ୍କ ପାଇଁ ସହଜ ନଥିଲା। ତାହାହିଁ ହେଲା ଏବଂ ପ୍ରଧାନମନ୍ତ୍ରୀ, ବିରୋଧୀଦଳ ନେତା ଏବଂ ପ୍ରଧାନ ବିଚାରପତିଙ୍କ ମନୋନୀତ ସଦସ୍ୟଙ୍କୁ ନେଇ ଗଠିତ ଉଚ୍ଚକ୍ଷମତାସମ୍ପନ୍ନ କମିଟି ବର୍ମାଙ୍କୁ ଦୁର୍ନୀତି ଅଭିଯୋଗରେ ଅବଶିଷ୍ଟ କାଳ ପାଇଁ ଏହି ପଦରେ ରହିବାକୁ ୨-୧ ଭୋଟରେ ଅଯୋଗ୍ୟ ବିବେଚିତ କରି ଅପସାରଣ କଲେ। ସିବିଆଇର ଦୀର୍ଘ ବର୍ଷର ଇତିହାସରେ ଏହାର ଜଣେ ନିର୍ଦେଶକ ପ୍ରଥମଥର ପାଇଁ ଏଭଳି ଅସମ୍ମାନିତ ଭାବେ ଦୁର୍ନୀତି ଅଭିଯୋଗରେ ବିଦାହେଲେ। କେନ୍ଦ୍ରୀୟ ସତର୍କତା ଆୟୋଗ(ସିଭିସି)ଙ୍କ ପାଖରେ ବର୍ମାଙ୍କ ବିରୋଧରେ ହୋଇଥିବା ଦୁର୍ନୀତି ଓ ଅନ୍ୟାନ୍ୟ ଅଭିଯୋଗ ସମୂହର ତଦନ୍ତ ସରିନି। ଏସବୁ ଅଭିଯୋଗ ଅନ୍ୟଜଣେ ଦୁର୍ନୀତି ଅଭିଯୁକ୍ତ ତଥା ପୂର୍ବତନ ସ୍ବତନ୍ତ୍ର ନିର୍ଦେଶକ ରାକେଶ ଅସ୍ଥାନା କରିଥିଲେ। ଅଥଚ ସିଭିସି ସେଇ ଅଭିଯୋଗଗୁଡ଼ିକ ମଧ୍ୟରୁ ପାଞ୍ଚଟିକୁ ଆପାତତଃ ପ୍ରମାଣଯୋଗ୍ୟ ବିବେଚିତ କରି ବର୍ମାଙ୍କୁ ଦୋଷୀ କରିଦେଲେ। ଏପରିକି ଜଷ୍ଟିସ ଏ.କେ ପଟ୍ଟନାୟକ ଏହି ମାମଲାର ଯେଉଁ ତଦନ୍ତ କରୁଥିଲେ ସେ ରିପୋର୍ଟକୁ ମଧ୍ୟ ଅପେକ୍ଷା କରାଗଲାନି। ବର୍ମାଙ୍କ ବିରୋଧରେ ଆରୋପ ହେଲା ଦୁର୍ନୀତି, କ୍ଷମତାର ଅପବ୍ୟବହାର, କର୍ତ୍ତୃପକ୍ଷଙ୍କ ପ୍ରତି ହେୟଜ୍ଞାନଭାବ ଓ ବିଧିବ୍ୟବସ୍ଥାର ଉଲ୍ଲଙ୍ଘନ। ବର୍ମାଙ୍କୁ ନିଜର ପକ୍ଷ ରଖିବାର ସୁଯୋଗ ମିଳିନାହିଁ ଏବଂ ଏକତରଫା ଭାବେ ତାଙ୍କୁ ଦୋଷୀ କରାଯାଇଛି ଯାହା ପ୍ରାକୃତିକ ନ୍ୟାୟର ପରିପନ୍ଥୀ। ଏହି ଘଟଣା ପରେ ବର୍ମାଙ୍କ ପାଖରେ ସ୍ବେଚ୍ଛାକୃତଭାବେ ଅବସର ନେବା ବ୍ୟତୀତ ଅନ୍ୟକିଛି ସମ୍ମାନଜନକ ବାଟ ନଥିଲା।
ସିଭିସି ତଦନ୍ତର ଗୁରୁତ୍ବ ଦୃଷ୍ଟିରୁ ବର୍ମା ତାଙ୍କ ପଦରେ ରହିବା ଉଚିତ ହେବନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପ୍ରଧାନ ବିଚାରପତିଙ୍କ ମନୋନୀତ ସଦସ୍ୟ ବିଚାରପତି ଏ.କେ.ସିକ୍ରି ମତ ଦେବାପରେ କମିଟିର ଅନ୍ୟତମ ସଦସ୍ୟ ବିରୋଧୀଦଳ ନେତା ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ ମତାମତର କୌଣସି ଗୁରୁତ୍ବ ନଥିଲା। ତଥାପି ଶ୍ରୀ ଖଡ୍‌ଗେ ବର୍ମାଙ୍କୁ ଅବସର ନେବାଯାଏ ପଦରେ ରଖିବାକୁ ମତ ଦେଇଥିଲେ ମଧ୍ୟ ସଂଖ୍ୟାଧିକ ଭୋଟରେ ବର୍ମାଙ୍କ ଅପସାରଣ ଚୂଡ଼ାନ୍ତ ହୋଇଯାଇଥିଲା।
ଏବେ ନୂଆ ନିର୍ଦେଶକ ମନୋନୀତ ହେବାଯାଏ କାର୍ଯ୍ୟକାରୀ ମୁଖ୍ୟ ଭାବେ ସିବିଆଇର ବରିଷ୍ଠ ଅଧିକାରୀ ନାଗେଶ୍ବର ରାଓ କାର୍ଯ୍ୟ କରିବେ। ସିଭିସିର ପ୍ରସ୍ତାବ କ୍ରମେ ଯେଉଁ ନୂଆ ପ୍ରାର୍ଥୀ ତାଲିକା ପ୍ରସ୍ତୁତ ହେବ ସେଥିରେ ସରକାରଙ୍କ ଶୁଭ ଦୃଷ୍ଟିରେ ଥିବା ଅନୁଗତ ଅଧିକାରୀ ଅଗ୍ରାଧିକାର ପାଇ ଅବଶ୍ୟ ନିର୍ଦେଶକ ପଦରେ ଆସୀନ ହେବେ। ଦ୍ବିତୀୟ କଥା ହେଲା ବର୍ମାଙ୍କ ଘଟଣାରୁ ପରବର୍ତ୍ତୀ ସିବିଆଇ ଅଧିକାରୀଙ୍କୁ ଭବିଷ୍ୟତରେ କେମିତି କାମ କରିବାକୁ ପଡ଼ିବ ସେ ନେଇ ଯଥେଷ୍ଟ ବାର୍ତ୍ତା ମିଳିବ। ଏଭଳି ଅବସ୍ଥାରେ ସିବିଆଇ ଯେ ସରକାରୀ ନିୟନ୍ତ୍ରଣରୁ ମୁକ୍ତ ହୋଇ ସ୍ବାଧୀନ ଓ ନିରପେକ୍ଷ ଭାବେ କାର୍ଯ୍ୟ କରିବ, ସେ ସମ୍ଭାବନାଟି ବିଶେ​‌ଷ ଦେଖାଯାଉ ନାହିଁ। ସିବିଆଇ ଶାସକଦଳର ସଖି କଣ୍ଢେଇ ସାଜୁଥିବାରୁ ଏହା ଉପରେ କ୍ରମଶଃ ବିଶ୍ବାସ ହ୍ରାସ ପାଉଛି। ଆନ୍ଧ୍ର, ପଶ୍ଚିମବଙ୍ଗ ପରେ ଛତିଶଗଡ଼ ତୃତୀୟ ରାଜ୍ୟଭାବେ ସିବିଆଇକୁ ରାଜ୍ୟ-ବ୍ୟାପାରରୁ ବାରଣ କରି ଅନୁମତି ପ୍ରତ୍ୟାହାର କରିଛି। ଅଧିକରାଜ୍ୟ ମଧ୍ୟ ସମାନ ନୀତି ଅବଲମ୍ବନ କରିପାରନ୍ତି।
ଦେଶର ଏହି ପ୍ରମୁଖ ତଦନ୍ତକାରୀ ସଂସ୍ଥାର ସ୍ବାଧୀନତା ଓ ନିରପେକ୍ଷତା ରକ୍ଷା ସହ ଏହାକୁ ସରକାରୀ ଚାପରୁ ମୁକ୍ତ ରଖିବାକୁ ହେଲେ ନିର୍ଦେଶକ ମନୋନୟନ ଓ ଅପସାରଣ ପ୍ରକ୍ରିୟାରେ ପରିବର୍ତ୍ତନ ଆଣିବାସହ ଉଭୟ ନିର୍ଦେଶକ ଓ ସିବିଆଇକୁ ସ୍ବାଧୀନଭାବେ କାର୍ଯ୍ୟ କରିବାର ବ୍ୟବସ୍ଥାଟିକୁ ମଧ୍ୟ ସୁଚିନ୍ତିତ କରିବାକୁ ହେବ। ତା’ ନ’ହେଲେ ସିବିଆଇ ତାହାର ବିଶ୍ବାସ ଓ ଭାବମୂର୍ତ୍ତି ହରାଇ ସେଇଭଳି ପିଞ୍ଜରାବଦ୍ଧ ଶୁଆ ହୋଇ ରହିଥିବ।
ଏକ ଅନୁଷ୍ଠାନ ବା ବ୍ୟବସ୍ଥାରେ ବେଳେବେଳେ ଏଭଳି ସଂକଟ ସୃଷ୍ଟି ହୁଏ। ଏହା ଦୋଷ ଦୁର୍ବଳତା ପଦାରେ ପକାଏ। ତାହାକୁ ବିଚାରକୁ ନେଇ ବ୍ୟବସ୍ଥାରେ ସଂସ୍କାର ଆଣିବା ଓ ଏହାକୁ ବିଶ୍ବସନୀୟ, ଦୃଢ଼ କରିବା ବୁଦ୍ଧିମାନର କାର୍ଯ୍ୟ। ଏହି ଘଟଣାରୁ ସରକାର କିଛି ଶିଖିବେ ବୋଲି ଆଶା କରାଯାଏ। ଗଣତାନ୍ତ୍ରିକ ବ୍ୟବସ୍ଥାରେ ସରକାରଙ୍କର ନିରଙ୍କୁଶ ପ୍ରଭୂତ୍ବ ଅନ୍ୟାନ୍ୟ ଜାତୀୟ ଅନୁଷ୍ଠାନ ଓ ସ୍ବାଧୀନ ପ୍ରତିଷ୍ଠାନଗୁଡ଼ିକୁ କ୍ଷତି ପହଞ୍ଚାଇଥାଏ। ସେ ଦିଗ ପ୍ରତି ମଧ୍ୟ ସଚେତନ ହେବାକୁ ପଡ଼ିବ। ତା’ ନହେଲେ ବ୍ୟବସ୍ଥା ଉପରୁ ଲୋକଙ୍କୁ ଭରସା ତୁଟିଯିବ।