ବୟସର ବୋଝ

0

ସମୟ ଗଡ଼ିବା ସହିତ ମଣିଷର ବୟସ ବଢ଼େ। ତେବେ ବ୍ୟକ୍ତିସ୍ତରରେ ଏ ବୟସବୃଦ୍ଧିର ତ ପ୍ରଭାବ ପଡ଼େ, ସାମଗ୍ରିକ ସ୍ତରରେ ଅର୍ଥାତ ରାଜ୍ୟ ବା ଦେଶକୁ ମଧ୍ୟ ଏହା ପ୍ରଭାବିତ କରିଥାଏ। ନୂଆବର୍ଷର ପ୍ରଥମ ଦିନରେ ଆମ ଦେଶରେ ୬୯,୯୪୪ ଜଣ ଶିଶୁ ଭୂମିଷ୍ଠ ହେଲେ। ୟୁନିସେଫ୍‌ର ଏକ ଅନୁଧ୍ୟାନ ଅନୁଯାୟୀ ସେହି ଦିନ ସାରା ପୃଥିବୀରେ ଯେତିକି ଶିଶୁ ଜନ୍ମ ହୋଇଛନ୍ତି, ତା’ର ୧୮ ଶତାଂଶ ହେଲେ ଭାରତୀୟ। ବର୍ତ୍ତମାନର ଜନ୍ମହାର ଅନୁସାରେ ଭାରତର ଜନସଂଖ୍ୟା ୨୦୨୪ ସୁଦ୍ଧା ଚୀନକୁ ପଛରେ ପକାଇଦେବ। ଆମ ଦେଶ ଦୁନିଆର ସବୁଠୁ ଯୁବାଦେଶ। ଆଗାମୀ ଦଶନ୍ଧିରେ ମଧ୍ୟ ଏହା ଜାରି ରହିବ; କିନ୍ତୁ ଭାରତୀୟ ଷ୍ଟେଟ୍‌ବ୍ୟାଙ୍କର ଏକ ରିପୋର୍ଟ ଦେଶରେ କ୍ରମବର୍ଦ୍ଧିଷ୍ଣୁ ଆୟୁ ଅସମତୁଲତାର ଯେଉଁ ଚିତ୍ର ଦେଇଛି, ତାହା ନିଶ୍ଚୟ ଚିନ୍ତାଜନକ। ଏହି ରିପୋର୍ଟର ନିଷ୍କର୍ଷରେ କୁହାଯାଇଛି ଯେ ଅପେକ୍ଷାକୃତ ସମୃଦ୍ଧ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକରେ ବୟସ୍କ ଜନସଂଖ୍ୟାର ହାର ବଢ଼ିଚାଲିଛି; କିନ୍ତୁ ଉତ୍ତର ଭାରତୀୟ ରାଜ୍ୟଗୁଡ଼ିକରେ ଯୁବାଙ୍କ ସଂଖ୍ୟା ବଢ଼ୁଛି। ଏପରି ସ୍ଥଳେ ଦେଶରେ ଆୟ ଅସମାନତା ମଧ୍ୟ ବଢ଼ିଚାଲିବା ସ୍ବାଭାବିକ। ଉତ୍ତର ଭାରତରୁ ଦକ୍ଷିଣ ଭାରତକୁ ଲୋକଙ୍କ ପଳାୟନ ଏହାର ଏକ ପରିଣାମ ହୋଇପାରେ। ଅଧିକ ବୟସ୍କ (୬୫ ବର୍ଷ ଓ ତା’ଠୁ ଊର୍ଦ୍ଧ୍ବ) ଲୋକଙ୍କ ସଂଖ୍ୟା ବଢ଼ିଲେ ଶ୍ରମଶକ୍ତି ହ୍ରାସ ପାଏ ଓ ଶ୍ରମଶକ୍ତି କମିଲେ ଲାଭ ଓ ସଞ୍ଚୟ ଆଦି ମଧ୍ୟ କମିବା ସ୍ବାଭାବିକ। ଅନ୍ୟପକ୍ଷରେ, ବୃଦ୍ଧାବସ୍ଥା ପେନସନ ଓ ସ୍ବାସ୍ଥ୍ୟଖର୍ଚ ମଧ୍ୟ ବଢ଼ିଯାଏ। ଜନମଙ୍ଗଳ ରାଜ୍ୟଗୁଡ଼ିକ ଉପରେ ଏହାର ଅତିରିକ୍ତ ବୋଝ ପଡ଼େ। ଭବିଷ୍ୟତରେ ଆନ୍ଧ୍ରପ୍ରଦେଶ, କେରଳ, ତାମିଲନାଡୁ ତଥା କର୍ଣ୍ଣାଟକ ଆଦି ରାଜ୍ୟରେ ଏହି ସମସ୍ୟା ବଢ଼ିବ। ସେହିପରି ଉତ୍ତରପ୍ରଦେଶ, ରାଜସ୍ଥାନ, ହରିଆଣା ଓ ବିହାର ଭଳି ରାଜ୍ୟଗୁଡ଼ିକରେ ଯୁବକଯୁବତୀଙ୍କ ସଂଖ୍ୟା ବଢ଼ିବ, ଯେଉଁମାନେ ଶିକ୍ଷା ଓ ରୋଜଗାର ଭଳି ସମସ୍ୟାର ସମ୍ମୁଖୀନ ହେବେ। ଏହା କେବଳ ସେହି ରାଜ୍ୟ ନୁହେଁ, ସାରା ଭାରତବର୍ଷକୁ ପ୍ରଭାବିତ କରିବ।
ଏତେ ସଂଖ୍ୟକ ଯୁବକଯୁବତୀଙ୍କ ପାଇଁ ରୋଜଗାର ସୃଷ୍ଟି ସବୁଠୁ ବଡ଼ ସମସ୍ୟା ଭାବେ ଦେଖାଦେବା ନିଶ୍ଚିତ। ଜନଗଣନାର ପରିସଂଖ୍ୟାନକୁ ଯଦି ଦେଖିବା, ୧୯୯୧ରେ ଭାରତର ପ୍ରତି ୧୦୦ ଜଣ କାମିକା ଲୋକଙ୍କ ଉପରେ ନିର୍ଭରଶୀଳ ଲୋକଙ୍କ ସଂଖ୍ୟା ଥିଲା ୧୯୩। ୨୦୦୧ରେ ତାହା ବଢ଼ି ୨୨୩ରେ ପହଞ୍ଚିଲା। ବର୍ତ୍ତମାନ ଏହି ସଂଖ୍ୟା ଯେ ଆହୁରି ବଢ଼ିଥିବ, ତାହା ନିଃସନ୍ଦେହ। ଗତ କେଇବର୍ଷ ଭିତରେ ବେରୋଜଗାରଙ୍କ ସଂଖ୍ୟାବୃଦ୍ଧି ହୋଇଥିବା ଜଣାପଡ଼ୁଛି। ଏଥିଯୋଗୁଁ ସାମାଜିକ ବିଷମତା ବଢ଼ିବା କିଛି ବିଚିତ୍ର ନୁହେଁ। ଚଳିତ ଶତାବ୍ଦୀର ମଧ୍ୟକାଳରେ ଭାରତ ଯେତେବେଳେ ସର୍ବାଧିକ ଜନବହୁଳ ଦେଶରେ ପରିଣତ ହେବ, ସେତେବେଳେ ଦେଶରେ ବାର୍ଦ୍ଧକ୍ୟରେ ଉପନୀତ ଲୋକଙ୍କ ସଂଖ୍ୟା ୩୦ କୋଟି ହେବ ବୋଲି ଆକଳନ କରାଯାଉଛି। ଏତେ ସଂଖ୍ୟକ ଲୋକଙ୍କ ପାଇଁ ଖାଦ୍ୟ, ବସ୍ତ୍ର, ସ୍ବାସ୍ଥ୍ୟରକ୍ଷା ଆଦିର ବ୍ୟବସ୍ଥା କରିବା ଏକ ଆହ୍ବାନ ହେବ। ଏବେ ଠାରୁ ଏ ନେଇ ସରକାର ଚିନ୍ତା ନକଲେ ଭବିଷ୍ୟତରେ ଅନ୍ୟ ସମସ୍ୟାଗୁଡ଼ିକର ମୁକାବିଲା କରିବା ସହଜ ହେବ।

Leave A Reply