ଦୂରଗାମୀ ବସ୍‌ରେ ଶୌଚକର୍ମ ସଂକଟ

ବସ୍‌ଷ୍ଟାଣ୍ଡଗୁଡ଼ିକରେ ଶୌଚାଳୟର ଅବସ୍ଥା ଅତି ଦୟନୀୟ

0
122
Pic courtesy : Bhubaneswar Buzz

ପ୍ରଭାସ ଆଚାର୍ଯ୍ୟ

କିଛିଦିନ ତଳେ ‘ସମାଜ’ର ସଂପାଦକୀୟ ପୃଷ୍ଠାର ଦ୍ବିତୀୟ ପ୍ରବନ୍ଧଭାବେ ଏକ ଲେଖା ସ୍ଥାନିତ ହୋଇଥିଲା। ତାହାର ଶିରୋନାମା ଥିଲା ‘ସଂକଟରେ ଏକ….ଦୁଇ’। ଝାଡ଼ା ବା ପରିସ୍ରା ଲାଗିଲେ ଓଡ଼ିଶାର ବସ୍‌ ଯାତ୍ରୀମାନେ କିପରି ସଂକଟର ସମ୍ମୁଖୀନ ହେଉଛନ୍ତି, ତାହା ଥିଲା ସେହି ପ୍ରବନ୍ଧର ସାରାଂଶ। ବିଶେଷକରି ଦୀର୍ଘପଥରେ ଯାଉଥିବା ବସ୍‌ର ଯାତ୍ରୀମାନଙ୍କର ଏ ଅନୁଭବ ଅଧିକ। ରାତି ବସ୍‌ରେ ଯାତ୍ରାକରୁଥିବା ଯାତ୍ରୀଙ୍କ ଅବସ୍ଥା ଆହୁରି ସଙ୍ଗିନ। ଏହି ସମସ୍ୟା ସବୁଠାରୁ ଅଧିକ ହୋଇଥାଏ ମହିଳାଯାତ୍ରୀଙ୍କ ପାଇଁ। ‘ସମାଜ’ରେ ପ୍ରକାଶିତ ହେବା ପରେ ଆମ୍ଭ ପାଖକୁ ବହୁ ଟେଲିଫୋନ ଆସିଥିଲା। ବିଶେଷକରି ମହିଳା ପାଠକ, ଯେଉଁମାନଙ୍କର ଏଭଳି ତିକ୍ତ ଅନୁଭୂତି ଅଛି ସେମାନଙ୍କର ତୀବ୍ର ପ୍ରତିକ୍ରିୟା ମିଳିଥିଲା। ଦୀର୍ଘପଥ ଯାତ୍ରା କ୍ଷେତ୍ରରେ ଯାତ୍ରୀମାନେ ଘରୋଇବସ୍‌ଗୁଡ଼ିକ ଉପରେ ନିର୍ଭର କରିବାକୁ ବାଧ୍ୟ। ସରକାରୀ ବସ୍‌ ଉପରେ ଯାତ୍ରୀଙ୍କର ଯେତିକି ଅଧିକାର ଥାଏ, ତାହା ରହେନାହିଁ ଘରୋଇ ବସ୍‌ରେ। ସରକାରୀ ବସ୍‌ ସରକାରୀ ନିର୍ଦେଶ ବା ନିୟମ ଶୃଙ୍ଖଳା ମାନିବାକୁ ବାଧ୍ୟ ହେଉଥିବାବେଳେ ଘରୋଇ ବସ୍‌ ତାହାର ମାଲିକଙ୍କ କଥାରେ ଅଧିକ ପରିଚାଳିତ। ପୁନଶ୍ଚ ବସ୍‌ ବ୍ୟବସାୟ କ୍ଷେତ୍ରରେ ବହୁ ବାହୁବଳୀ ସଂପୃକ୍ତ ଥିବାରୁ ଯାତ୍ରୀମାନେ ଯେତେ ଦୁର୍ଦଶାରେ ପଡ଼ିଲେ ମଧ୍ୟ ଘରୋଇ ବସ୍‌ର କର୍ମଚାରୀଙ୍କ ବିରୋଧରେ ସ୍ବରଉତ୍ତୋଳନ କରିବାକୁ ସାହସ ଜୁଟାଇ ପାରନ୍ତି ନାହିଁ।
ଏକ ବା ଦୁଇ ଯିବାର ସମୟ ନିର୍ଦିଷ୍ଟ ସବୁ ମଣିଷଙ୍କର ସମାନ ନଥାଏ। ଏହା ମୂଳତଃ ଏକ ଅଭ୍ୟାସ ଉପରେ ନିର୍ଭର କରେ। ଜଣେ ତା’ର ଦିନଚର୍ଯ୍ୟା ଅନୁସାରେ ରାତି ୧୦ଟାରେ ଶୋଉଥିବା ଲୋକ, ରାତି ୧୨ରେ ଶୋଉଥିବା ଲୋକର ଶୌଚାଳୟ ଆବଶ୍ୟକତା ଭିନ୍ନଭିନ୍ନ। ଜଳପାନ ଓ ଖାଦ୍ୟ ଗ୍ରହଣର ସମୟକୁ ନେଇ ତାହା ଭିନ୍ନ ହୋଇଥାଏ। ଅନ୍ୟ କେହିକେହି ତା’ସହ ଅନ୍ୟ ଅଭ୍ୟାସର ବଶବର୍ତ୍ତୀ ମଧ୍ୟ ହୋଇଥାନ୍ତି। ଋତୁ ଅନୁସାରେ ମଧ୍ୟ ପରିବର୍ତ୍ତନ ହୋଇଥାଏ ଶୌଚାଳୟ ଯିବାର ସମୟ। ଏହି ସମୟ ସର୍ବାଧିକ ପ୍ରଭାବିତ ହୋଇଥାଏ ଖାଦ୍ୟଗ୍ରହଣ ଓ ଜଳପାନର ସମୟ ଅନୁସାରେ ଓ ଖାଦ୍ୟର ପ୍ରକାର ଭେଦ ଅନୁସାରେ। ତେଣୁ ଗୋଟିଏ ବସ୍‌ରେ ଯାଉଥିବା ସମସ୍ତ ଯାତ୍ରୀଙ୍କର ଶୌଚାଳୟର ଆବଶ୍ୟକତା ଆଦୌ ସମାନ ନୁହେଁ। ତେବେ ଦୀର୍ଘପଥର ଯାତ୍ରା କରୁଥିବା ବସର ପରିଚାଳକମାନେ ଏହି ଦିଗପ୍ରତି ଆଦୌ ସଚେତନ ନୁହନ୍ତି। ୩/୪ଘଣ୍ଟାର ଯାତ୍ରା ଅବଧି ଭିତରେ ବସ୍‌କୁ ଚାଳକ ଶୌଚକର୍ମ ପାଇଁ ଆଦୌ ରଖୁନଥିବା ବେଳେ ୫/୬ଘଣ୍ଟା ବା ତଦୂର୍ଦ୍ଧ୍ବ ଯାତ୍ରା କାଳରେ ଥରଟିଏ ରଖିଦିଅନ୍ତି। ତାହା ପୁଣି ରାସ୍ତା ପାର୍ଶ୍ବରେ ଏମିତି ରଖନ୍ତି ଯେଉଁଠାରେ ଲୋକେ କେବଳ ପରିସ୍ରା ହିଁ କରିପାରିବେ। ଦୁଇ ଯିବାର ବ୍ୟବସ୍ଥା ଆଦୌ ନଥାଏ। ଅନେକେ ବିଭିନ୍ନ ପ୍ରସ୍ତାବ ମଧ୍ୟ ଦେଇଥିଲେ ଓ ଜଣେ ସାମାଜିକ କାର୍ଯ୍ୟକର୍ତ୍ତାଭାବେ ଆମ୍ଭେ ସାମାନ୍ୟ ପ୍ରଚେଷ୍ଟା ମଧ୍ୟ କରିଥିଲୁ।
ରାଜ୍ୟରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଗମନାଗମନ ନିମିତ୍ତ ଯେଉଁ ବ୍ୟବସ୍ଥା ଅଛି, ସେଗୁଡ଼ିକ ମଧ୍ୟରେ ଏବେ ବସ୍‌ଯାତ୍ରା ସବୁଠାରୁ ଅଧିକ। ଦୂରଦୂରାନ୍ତ ଯିବାପାଇଁ ଉଡ଼ାଜାହାଜ, ପାଣିଜାହାଜ, ରେଳ ଓ ବସ୍‌ ଭିତରୁ ଓଡ଼ିଶାରେ ସର୍ବାଗ୍ରେ ବସ୍‌। ଉଡ଼ାଜାହାଜ ଏବେ ମଧ୍ୟ ନାମମାତ୍ର ଉପଲବ୍ଧ ହୋଇ ଅଳ୍ପ କେତୋଟି ସ୍ଥାନକୁୁ ସଂଯୋଗ କରୁଥିବାବେଳେ ପାଣିଜାହାଜ ଓଡ଼ିଶାରେ ଆଦୌ ନାହିଁ। ରେଳଯାତ୍ରା କେତୋଟି ମୁଖ୍ୟ ଅଞ୍ଚଳକୁ ସଂଯୋଗ କରୁଥିଲେ ମଧ୍ୟ ଅନେକ ଜିଲାକୁ ଓ ଜିଲାର ବିଭିନ୍ନ ଅଞ୍ଚଳକୁ ସ୍ପର୍ଶ କରୁନାହିଁ। କିଛି ଅଞ୍ଚଳକୁ ଟ୍ରେନ ଥିଲେ ମଧ୍ୟ ତା’ର ବାରମ୍ବାରତା ନଥିବା ହେତୁରୁ ଲୋକମାନେ ତା’ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ ହୋଇପାରୁନାହାନ୍ତି। ବ୍ୟକ୍ତିଗତ ଗାଡ଼ିର ବ୍ୟବହାର ଉଚ୍ଚବର୍ଗ ବା ସ୍ବଚ୍ଛଳବର୍ଗ ଭିତରେ ସୀମିତ ରହୁଛି। ତେଣୁ ଦୀର୍ଘପଥରେ ଗମନାଗମନ ପାଇଁ ବସ୍‌ ଉପରେ ଆମ୍ଭମାନଙ୍କର ନିର୍ଭରଶୀଳତା ସର୍ବାଧିକ।
ବସ୍‌ ବୋଇଲେ ଘରୋଇ ବସଗୁଡ଼ିକର ଏ ଦିଗରେ ଉପଯୋଗ ଅଧିକ ହୋଇଥାଏ। ଏହାର କାରଣ ଓଡ଼ିଶା ସରକାରଙ୍କ ଦ୍ବାରା ଚାଲୁଥିବା ଦୀର୍ଘପଥର ବସ୍‌ ସଂଖ୍ୟା ବହୁତ କମ୍‌। ଭାରତ ସରକାରଙ୍କ ଦାନରେ ମିଳୁଥିବା ବସ୍‌ଗୁଡ଼ିକ ସହରରେ ଚାଲୁଥିବା ଦୃଶ୍ୟମାନ ହୁଏ, କିନ୍ତୁ ଦୀର୍ଘପଥ ପାଇଁ ସେପରି ବ୍ୟବସ୍ଥା ନାହିଁ। କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଦତ୍ତ ବସ୍‌ଗୁଡ଼ିକ ମଧ୍ୟ ବଳକା ହୋଇ ପଡ଼ିରହୁଥିବା ସତ୍ତ୍ବେ ଗ୍ରାମାଞ୍ଚଳରେ ଏହା ଚଳାଇବାର କୌଣସି ବ୍ୟବସ୍ଥା ନାହିଁ। କଟକ ମଶାଣି କାଳି ମନ୍ଦିର ପଛରେ ଖତଗଦାରେ ଅଳିଆ ଫୋପାଡ଼ିଲାଭଳି ଶହଶହ ନୂଆ ସରକାରୀ ବସ୍‌ କିପରି ଖତ ଖାଉଛି ଦେଖିଲେ ଆଖିରେ ଲୁହ ଆସିଯିବ। ଅନେକ ଅଞ୍ଚଳରେ ବସ୍‌ ନଥାଇ ଲୋକେ ଯାବତୀୟ ହନ୍ତସନ୍ତ ହେଉଥିବାବେଳେ ବସ୍‌ଗୁଡ଼ିକର ଏପରି ଅବ୍ୟବହାର ରାଷ୍ଟ୍ରୀୟ ସଂପତ୍ତିର ଘୋର ଦୁରୁପଯୋଗ କୁହାଯାଇପାରେ। ତେବେ କଥାହେଲା ବସ୍‌ଟି ଯେଉଁ ସ୍ଥାନରେ ରଖିଲେ ମଧ୍ୟ ସର୍ବସାଧାରଣ ସ୍ଥାନ ଓ ବେଳେବେଳେ ତା’ପାର୍ଶ୍ବରେ ଥିବା ଘରୋଇ ସ୍ଥାନ ଏଥିଯୋଗଁୁ ପ୍ରଦୂଷିତ ହୋଇଥାଏ।
ଆଇନ ଦୃଷ୍ଟିରୁ ଦେଖିଲେ ଭାରତୀୟ ପିଙ୍ଗଳ କୋଡ୍‌ର ଧାରା ୨୬୮ ଅନୁସାରେ ଯଦି କୌଣସି ବ୍ୟକ୍ତି ସର୍ବସାଧାରଣରେ ଯଦି ବିରକ୍ତିକର କାର୍ଯ୍ୟରେ ଲିପ୍ତ ହୁଅନ୍ତି ଯାହା ସେଠାରେ ରହୁଥିବା ବା ସେହି ଅଞ୍ଚଳରେ ସଂପତ୍ତି ଥିବା ବ୍ୟକ୍ତିଙ୍କ କ୍ଷତି, ବାଧା, ବିପଦ ବା ବିରକ୍ତି ସୃଷ୍ଟିକାରକ ହୁଏ, ତାହାହେଲେ ଛଅମାସ ପର୍ଯ୍ୟନ୍ତ ଜେଲ, ଅର୍ଥଦଣ୍ଡ ବା ଉଭୟରେ ସେ ଦଣ୍ଡିତ ହୋଇପାରିବ। ସେହିପରି ଧାରା ୨୭୮ ଅନୁସାରେ ଯିଏ ପରିବେଶକୁ ପ୍ରଦୂଷିତ କରି ଜନସାଧାରଣଙ୍କ ସ୍ବାସ୍ଥ୍ୟ ପ୍ରତି କ୍ଷତି ପହଞ୍ଚିଲା ପରି କାର୍ଯ୍ୟକରେ ବା ସେପରି ବ୍ୟବସାୟ କରେ ଯାହା ପଡ଼ୋଶୀ ବା ସାଧାରଣଙ୍କ ରାସ୍ତାରେ ଅସୁବିଧା ସୃଷ୍ଟି କରେ, ତାଙ୍କୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଅର୍ଥଦଣ୍ଡରେ ଦଣ୍ଡିତ କରାଯାଇପାରେ।
ଦେଶରେ ସ୍ବଚ୍ଛତା ପାଇଁ ଏତେ ଡାକରା ଦିଆଯାଉଥିବାବେଳେ ଦୀର୍ଘଯାତ୍ରାର ବସ୍‌ଯାତ୍ରୀଙ୍କୁ ଯେଉଁ ପ୍ରଦୂଷଣ କରିବାକୁ ବସ୍‌ ମାଲିକ ବାଧ୍ୟ କରନ୍ତି ଏ ଦିଗଟି କାହାକୁ ଦୃଶ୍ୟ ହୁଏନାହିଁ। ବସ୍‌ଷ୍ଟାଣ୍ଡମାନଙ୍କରେ ଶୌଚାଳୟର ଅବସ୍ଥା ଅତି ଦୟନୀୟ। ଆଉ କଟକ ବାଦାମବାଡ଼ି ବସଷ୍ଟାଣ୍ଡ, ଭୁବନେଶ୍ବର ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଗଲେ ନାକ ଫାଟିପଡ଼ିବ ଦୁର୍ଗନ୍ଧରେ। ଏସବୁ ଠିକ୍‌ ଭାବେ ପରିଚାଳିତ ହେଉନଥିବାରୁ ରୋଗ ସଂକ୍ରମଣର ଆଶଙ୍କା ଅଧିକ। ଗୋଟିଏ ପଟେ ଝାଡ଼ା-ପରିସ୍ରାର ବେଗଧାରଣ କଲେ ରୋଗର ଆଶଙ୍କା ଥିଲାବେଳେ, ଅପରିଷ୍କାର ସ୍ଥାନରେ ଏକ-ଦୁଇ ଗଲେ ମୂତ୍ରନଳୀ ସଂକ୍ରମଣ ଓ ଅରୁଚି ଆଦି ବିକାର ଭଳି ବ୍ୟାଧିଗ୍ରସ୍ତ ହେବାର ସମ୍ଭାବନା ଅଧିକ।
ଭାରତର କେତେକ ସ୍ଥାନରେ ଓ ବିଦେଶରେ ବହୁସ୍ଥାନରେ ଦୀର୍ଘପଥର ବସ୍‌ମାନଙ୍କରେ ଶୌଚାଳୟ ବାଧ୍ୟତାମୂଳକ। ଶୌଚାଳୟଟିଏ ଥିଲେ ଯାତ୍ରୀମାନଙ୍କର ଭରସା ରହେ। ଯଦି ଯାତ୍ରାକାଳରେ ସେମାନେ ଏକ-ଦୁଇର ଆବଶ୍ୟକତା ଅନୁଭବ କରନ୍ତି, ତା’ହେଲେ ବସ୍‌-ଶୌଚାଳୟର ବ୍ୟବହାର କରିପାରିବେ। ଏହା ରାସ୍ତାଘାଟକୁ ଅପରିଷ୍କାର କରିବାରୁ ରକ୍ଷା କରିଥାଏ। ଲୋକମାନଙ୍କୁ ବେଗଧାରଣଜନିିତ ରୋଗରୁ ମୁକ୍ତ କରେ। ମହିଳାମାନଙ୍କର ଏହାଦ୍ବାରା ଲଜ୍ଜା ରକ୍ଷା କରିଥାଏ। ଲଜ୍ଜାବଶତଃ ଅନେକ ସମୟରେ ସେମାନେ ଖୋଲାରେ ଶୌଚପାଇଁ ନଯାଇ ବେଗଧାରଣ ପାଇଁ ବାଧ୍ୟ ହୋଇଥାଆନ୍ତି। ବସ୍‌ ଯାତ୍ରାପଥର ସ୍ଥାନେସ୍ଥାନେ ସ୍ବତନ୍ତ୍ର ଶୌଚାଳୟ ନିର୍ମିତ ହେଲେ ଏ ଦିଗରେ କ୍ଷୁଦ୍ରପଥର ବସ୍‌ଯାତ୍ରୀ ମଧ୍ୟ ଉପକୃତ ହୁଅନ୍ତେ। ପାଠକଙ୍କ ଅନୁରୋଧ କ୍ରମେ ଏ ସମ୍ପର୍କରେ ଲୋକ ସେବକ ମଣ୍ଡଳ ପକ୍ଷରୁ ଏକ ପତ୍ର ୫ବର୍ଷ ତଳେ ରାଜ୍ୟ ସରକାରଙ୍କ ପରିବହନ ସଚିବଙ୍କୁ ଲେଖାଯାଇଥିଲା ଓ ସଚିବ ପରିବହନ କମିସନରଙ୍କୁ ଏ ସମ୍ପର୍କରେ ମତାମତ ଲୋଡ଼ିଥିଲେ। ପରବର୍ତ୍ତୀ ସମୟରେ ପରିବହନ ମନ୍ତ୍ରୀଙ୍କ ‘ସମାଜ’ କାର୍ଯ୍ୟାଳୟ ପରିଦର୍ଶନ ସମୟରେ ଦୀର୍ଘପଥର ବସ୍‌ମାନଙ୍କରେ ଶୌଚାଳୟ ନିର୍ମିତ ହେବାର ଘୋଷଣା ମଧ୍ୟ କରିଥିଲେ। ତେବେ ଏ ପର୍ଯ୍ୟନ୍ତ କିଛି ପଦକ୍ଷେପ ନିଆଯାଇଥିବାର ଆମର ଦୃଷ୍ଟିଗୋଚର ହୋଇନାହିଁ।
ଗୋପବନ୍ଧୁ ଭବନ, କଟକ-୧