କୃଷିଋଣ ଛାଡ଼ ଓ ‘କାଳିଆ’ ଯୋଜନା

0

ଦିବାକର ନାୟକ

ଜାତୀୟ ସ୍ତରରେ ବିଭିନ୍ନ କୃଷକ ସଂଗଠନ କୃଷିର ସମସ୍ୟା ସହିତ କୃଷିଜାତ ଦ୍ରବ୍ୟଗୁଡ଼ିକର ଏମଏସପି (ସର୍ବନିମ୍ନ ସହାୟକ ମୂଲ୍ୟ) ବୃଦ୍ଧି ପାଇଁ ଆନ୍ଦୋଳନ କରି ଆସୁଛନ୍ତି। ଓଡ଼ିଶାରେ ନବ ନିର୍ମାଣ କୃଷକ ସଂଗଠନ ମଧ୍ୟ କୃଷିଜାତ ଦ୍ରବ୍ୟର ଉଚିତ ମୂଲ୍ୟ, ଚାଷୀଙ୍କୁ ସମ୍ମାନ ଓ ପେନସନ୍‌ ପାଇଁ କିଛି ବର୍ଷ ଧରି ଆନ୍ଦୋଳନ ଚଳାଇଛି। ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ନୂଆ ସରକାର ଗଠନ ହେବାପରେ ନିର୍ବାଚନ ପ୍ରତିଶ୍ରୁତି ପାଳନ କରିବାକୁ ଯାଇ କୃଷିଋଣ ଛାଡ଼ କରିଛନ୍ତି। ଜାତୀୟ ସ୍ତରରେ ବହୁ କୃଷକ ସଂଗଠନ ସଂପୂର୍ଣ୍ଣ କୃଷିଋଣ ଛାଡ଼ କରିବା ପାଇଁ ଦାବି କଲେଣି। ଏହାକୁ ଦୃଷ୍ଟିରେ ରଖି କେତେକ ରାଜନୈତିକ ଦଳ ଓ କୃଷକ ସଂଗଠନ ଓଡ଼ିଶାରେ କୃଷିଋଣ ଛାଡ଼ କରିବା ପାଇଁ ଚାପ ସୃଷ୍ଟି କଲେଣି। ଓଡ଼ିଶା ସରକାର ଚାପ ଭିତରେ ରହି ଆସନ୍ତା ୨୦୧୯ ନିର୍ବାଚନକୁ ଦୃଷ୍ଟିରେ ରଖି ‘କାଳିଆ’ ନାମରେ ଏକ ଯୋଜନା ଘୋଷଣା କରିଛନ୍ତି। ଜାତୀୟ ସ୍ତରରେ କୃଷିର ସମୃଦ୍ଧି ଓ କୃଷକର ଅର୍ଥନୈତିକ ସ୍ଥିତି ସୁଦୃଢ଼ କରିବା ପାଇଁ ଏକ ବହୁମୁଖୀ ଯୋଜନା ପାଇଁ ମଧ୍ୟ ଭାରତ ସରକାର ଚିନ୍ତା କରୁଛନ୍ତି। ପ୍ରଧାନମନ୍ତ୍ରୀ ନିଜେ ଏହି ଯୋଜନାର ପ୍ରସ୍ତୁତି ପାଇଁ ବିଭିନ୍ନ କୃଷକ ସଂଗଠନ ସହିତ ଆଲୋଚନା ଆରମ୍ଭ କରିଦେଲେଣି।
ନୂତନ ଯୋଜନା ବିଷୟରେ କିଛି ମତାମତ ଦେବା ପୂର୍ବରୁ କୃଷିଋଣ ଛାଡ଼ କରିବା ଏବଂ ଏହାର ପ୍ରଭାବ କୃଷି,କୃଷକ ଓ କୃଷି ଅର୍ଥନୀତି ଉପରେ କିପରି ପଡ଼ିବ ତାହା ଆଲୋଚନା କରିବା। ବର୍ତ୍ତମାନ ଯଦି ଜାତୀୟ ସ୍ତରରେ ଦେଶର ସମସ୍ତ କୃଷି ଋଣ ଛାଡ଼ କରାଯାଏ, ତାହା ୧୦ଲକ୍ଷ କୋଟି ଟଙ୍କାକୁ ‘ବ୍ୟାଡ୍‌ ଲୋନ୍‌’ରେ ପରିଣତ କରିବ, ଅର୍ଥାତ୍‌ ଋଣ ନେଉଥିବା ବ୍ୟକ୍ତି ଋଣ ଶୁଝିବେ ନାହିଁ। ଏହା ନିଶ୍ଚିତ ଭାବରେ ଋଣ ଦେଇଥିବା ସଂସ୍ଥାଗୁଡ଼ିକ ଉପରେ ବହୁତ ଚାପ ପକାଇବା ସହିତ ଭବିଷ୍ୟତରେ ଋଣ ନଶୁଝିବାର ମନୋବୃତ୍ତି ସୃଷ୍ଟି ହେବ । ୨୦୧୬ ଓ ୨୦୧୭ ମସିହାରେ ବର୍ଷାର ପରିମାଣ ସ୍ବାଭାବିକ ଥିବାସ୍ଥଳେ, ୨୦୧୮ ମସିହାରେ ସାମାନ୍ୟ କମ୍‌ ବର୍ଷା ହୋଇଥିଲା। ମାତ୍ର ୨୦୧୮ ମସିହାରେ କେତେକ ରାଜନୈତିକ ଦଳ କେତୋଟି ରାଜ୍ୟରେ ନିର୍ବାଚନ ପୂର୍ବରୁ କୃଷିଋଣ ଛାଡ଼ କରିବାପାଇଁ ପ୍ରତିଶ୍ରୁୁତି ଦେଇଥିଲେ। ଏପରି ସ୍ଥିତିରେ ଲକ୍ଷ୍ୟକଲେ ଜଣାପଡ଼େ ଯେ କୃଷିଋଣର ବଡ଼ଅଂଶ ଭାଗୀଦାର ଷ୍ଟେଟବ୍ୟାଙ୍କ ଅଫ୍‌ ଇଣ୍ଡିଆର ଏହି ବର୍ଷ ସେପ୍ଟେମ୍ବର ମାସର ଶେଷ ସୁଦ୍ଧା ସମସ୍ତ କୃଷିଋଣର ଶତକଡ଼ା ୧୧.୫ ଭାଗ ‘ବ୍ୟାଡ୍‌ ଲୋନ୍‌’ ହୋଇଥିବାବେଳେ ପୂର୍ବବର୍ଷର ଏହି ସମୟରେ ଏହାର ହାର ଶତକଡ଼ା ୯.୯୩ ଥିଲା। ଏହା ଭିତରେ ଭାରତ ସରକାର ସଂପୂର୍ଣ୍ଣ କୃଷିଋଣ ଛାଡ଼ ପ୍ରସ୍ତାବକୁ ଗ୍ରହଣ କରୁନଥିବା ଜଣାପଡ଼ିଛି। ଏହି ସବୁ ବିଚାରକୁ ନେଇ ବ୍ୟାଡ଼ଲୋନ୍‌ର ପରିମାଣ ଆସନ୍ତା ମାର୍ଚ୍ଚମାସ ମଧ୍ୟରେ ଶତକଡ଼ା ୧୦.୮ ଭାଗକୁ କମିବ ବୋଲି ରିଜର୍ଭବ୍ୟାଙ୍କ ତଥ୍ୟରୁ ଜଣାପଡ଼ିଛି। ବ୍ୟାଡ ଲୋନ୍‌ କମିବା କୃଷି ଅର୍ଥନୀତି ପାଇଁ ଏକ ଶୁଭ ସୂଚନା। ଏହା ଆହୁରି କମିବା ଦରକାର।
ବିଗତ ଚାରିବର୍ଷ ଭିତରେ ବିଭିନ୍ନ ରାଜ୍ୟରେ କୃଷିଋଣ ଛାଡ଼ କରାଯାଇଛି। କଂଗ୍ରେସ ସରକାର ୮୦,୨୬୫ କୋଟିଟଙ୍କା ଋଣ ଛାଡ଼ କରିଥିବାବେଳେ, ବିଜେପି ସରକାର ୭୮,୯୬୯ କୋଟି ଟଙ୍କା ଓ କେତୋଟି ଆଞ୍ଚଳିକ ଦଳକୁ ନେଇ ଗଠିତ ସରକାର ୬୬,୦୯୫ କୋଟି ଟଙ୍କା ଋଣ ଛାଡ଼ କରିଛନ୍ତି। ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଓ ପଞ୍ଜାବରେ ଯେଉଁ କୃଷିଋଣ ଛାଡ଼ କରାଗଲା, ଏହି ସମୁଦାୟ ଋଣର ପରିମାଣ ହେଉଛି ୭୭,୦୦୦ କୋଟି ଟଙ୍କା, ଯାହାକି ୨୦୧୬-୧୭ ମସିହାର ଦେଶର ସମସ୍ତ ଘରୋଇ ଉତ୍ପାଦନର (ଜିଡିପି)ର ଶତକଡ଼ା ୦.୫ଭାଗ। ଉତ୍ତର ପ୍ରଦେଶରେ ଯେଉଁ କୃଷିଋଣ ଛାଡ଼ କରାଗଲା, ତା’ର ପରିମାଣ ହେଉଛି ୩୬,୪୦୦ କୋଟି ଟଙ୍କା, ଯାହାକି ସେହି ରାଜ୍ୟର ସମସ୍ତ କୃଷି ଋଣର ଶତକଡ଼ା ୨୫ଭାଗ। ପଞ୍ଜାବରେ କୃଷିଋଣ ଛାଡ଼ର ପରିମାଣ ୧୦ ହଜାର କୋଟି ଟଙ୍କା, ଯାହାକି ସେହି ରାଜ୍ୟର ସମସ୍ତ କୃଷିଋଣର ସାତଭାଗରୁ ଏକ ଭାଗ। ମହାରାଷ୍ଟ୍ର ସରକାର ଯେଉଁ କୃଷିଋଣ ଛାଡ଼ କରିଛନ୍ତି, ତାହା ସେହି ରାଜ୍ୟର ସମସ୍ତ କୃଷି ଋଣର ଏକତୃତୀୟାଂଶ। ଗୁଜରାଟ, କର୍ଣ୍ଣାଟକ, ରାଜସ୍ଥାନ ଓ ମଧ୍ୟପ୍ରଦେଶର ଏକ ତୃତୀୟାଂଶ କୃଷିଋଣ ଦେଶର ସମସ୍ତ ଘରୋଇ ଉତ୍ପାଦନର ଶତକଡ଼ା ୧.୩ ଭାଗ। ୨୦୧୯ ନିର୍ବାଚନ ପୂର୍ବରୁ ଯଦି ସବୁ ରାଜ୍ୟର ଶତକଡ଼ା ୫୦ଭାଗ କୃଷିଋଣ ଛାଡ଼ କରାଯାଏ, ତାହା ଦେଶର ସମସ୍ତ ଘରୋଇ ଉତ୍ପାଦନର ଶତକଡ଼ା ୪ଭାଗ ହେବ।
ବର୍ତ୍ତମାନ ମଧ୍ୟପ୍ରଦେଶ ଓ ରାଜସ୍ଥାନର ସମସ୍ତ ଋଣର ପରିମାଣ କୃଷିଋଣକୁ ମିଶାଇ ରାଜ୍ୟର ସମସ୍ତ ଘରୋଇ ଉତ୍ପାଦନର ଯଥାକ୍ରମେ ଶତକଡ଼ା ୨୪ ଓ ଶତକଡ଼ା ୩୦ଭାଗ। କୃଷି ଋଣ ଛାଡ଼ କରାଗଲାପରେ ଏହା ମଧ୍ୟପ୍ରଦେଶରେ ଶତକଡ଼ା ୩୦ ଓ ରାଜସ୍ଥାନରେ ଶତକଡ଼ା ୩୫ ଭାଗରୁ ଅଧିକ ହେବ। ଏହା କିଛି କମ୍‌ ନୁହେଁ। ଏପରିକି ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନ ସରକାର ଯଦି ୯୦ ଦିନ ଭିିତରେ ଋଣ ଦେଇଥିବା ବ୍ୟାଙ୍କକୁ ଋଣଛାଡ଼ ପରିମାଣ ନଫେରାନ୍ତି, ସେହି ସବୁ ଋଣ ଅନାଦାୟ ଋଣ (ନନ୍‌ ପର୍‌ଫର୍‌ମିଙ୍ଗ୍‌ ଆସେଟ) ହୋଇଯିବ ଏବଂ ଚାଷୀମାନେ ନଗଦ ଋଣ ପାଇବା ପାଇଁ ଅସୁବିଧା ହେବ।
କୃଷିଋଣ ଛାଡ଼ କରିବାର ପରବର୍ଷ ବ୍ୟାଙ୍କଗୁଡ଼ିକ କୃଷିଋଣର ପରିମାଣ କମାଇ ଦିଅନ୍ତି। ରାଜ୍ୟଗୁଡ଼ିକ ଆର୍ଥିକ ନିଅଣ୍ଟ ଦୃଷ୍ଟିରୁ ‘ପ୍ରଡକଟିଭ ଆସେଟ୍‌’ ସୃଷ୍ଟି କରିବାପାଇଁ ଦୃଷ୍ଟି ଦିଅନ୍ତି ନାହିଁ। ଅର୍ଥନୀତିର ଅଭିବୃଦ୍ଧି ହାର କମିଯାଏ। ୨୦୦୮ ମସିହାରେ ୟୁୁପିଏ ସରକାର ୭୦ହଜାର କୋଟିଟଙ୍କାର ଋଣଛାଡ଼ କରିଥିଲେ। ୨୦୦୯ ମସିହାରେ ପୁନର୍ବାର କେନ୍ଦ୍ରରେ ୟୁପିଏ ସରକାର ଗଠିତ ହେଲା ସତ, ମାତ୍ର ଆର୍ଥିକ ନିଅଣ୍ଟ ବହୁ ପରିମାଣରେ ବଢ଼ିଗଲା। ଏହାର ପ୍ରଭାବରେ ୨୦୦୯ ଡିସେମ୍ବରରେ ଖାଦ୍ୟ ମୁଦ୍ରାସ୍ଫୀତି ଶତକଡ଼ା ୨୦ହାରରୁ ଅଧିକ ହୋଇଗଲା। ସତ କହିବାକୁ ଗଲେ ରାଜନୈତିକ ଦଳଗୁଡ଼ିକ ରାଜନୀତିକୁ ଦୃଷ୍ଟିରେ ରଖି ଅର୍ଥନୀତିକୁ ଭୁଲିଗଲେ ରାଜନୀତିର ସ୍ବାଦ କମିଯାଏ।
ବିଭିନ୍ନ କୃଷକ ସଂଗଠନ ଓ ରାଜନୈତିକ ଦଳର ଚାପରେ ପଡ଼ି ଓଡ଼ିଶା ସରକାର ‘କାଳିଆ’ ନାମରେ ଏକ ଯୋଜନା କରିଛନ୍ତି। ଏହା ବହୁତ ଆଲୋଚନା କରାଗଲାଣି। ସତ କହିବାକୁ ଗଲେ ଏହା ଚାଷୀଙ୍କୁ ଆର୍ଥିକ ସାହାଯ୍ୟ ବ୍ୟତୀତ ଉତ୍ପାଦନ ବୃଦ୍ଧିରେ ସହାୟକ ହେବନାହିଁ। ଓଡ଼ିଶାର କୃଷି ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଦୁର୍ବଳ। ଏଠାରେ କୃଷିର ଅଭିବୃଦ୍ଧିହାର ଶତକଡ଼ା ତିନିଭାଗ ଭିତରେ ସୀମିତ। କୃଷିରେ ଉନ୍ନତ ରାଜ୍ୟଗୁଡ଼ିକର ହାରାହାରି କୃଷି ପରିବାରଗୁଡ଼ିକର ବାର୍ଷିକ ଆୟ ଓଡ଼ିଶାର ହାରାହାରି କୃଷି ପରିବାରଙ୍କର ଆୟର ଛଅରୁ ସାତ ଗୁଣ। ଜଳସେଚିତ ପରିମାଣ କମ୍‌ ଥିବାରୁ କୃଷିଜାତ ଦ୍ରବ୍ୟଗୁଡ଼ିକର ହେକ୍ଟର ପ୍ରତି ଉତ୍ପାଦନ କମ୍‌। ହେକ୍ଟର ପ୍ରତି ଉତ୍ପାଦନ କମ୍‌ ହେଉଥିବାରୁ ଏମଏସପି ବୃଦ୍ଧି ସ‌ତ୍ତ୍ବେ, ଓଡ଼ିଶାର ଚାଷୀମାନେ ଏକ ହେକ୍ଟର ଧାନ ଉତ୍ପାଦନରୁ ସମସ୍ତ ଖର୍ଚ୍ଚକୁ ବାଦ୍‌ଦେଲେ ହାରାହାରି ୧୦ ହଜାର ଟଙ୍କା ପାଇଥିବାବେଳେ, କୃଷିରେ ଉନ୍ନତ ରାଜ୍ୟର ଚାଷୀମାନେ ହାରାହାରି ୬୦ ହଜାର ଟଙ୍କାରୁ ଅଧିକ ପାଇଛନ୍ତି।
ଓଡ଼ିଶାର କୃଷିକୁ ସମୃଦ୍ଧ ଓ କୃଷକଙ୍କ ଆୟ ବୃଦ୍ଧି କରିବାପାଇଁ ଦରକାର ହେକ୍ଟର ପ୍ରତି ଉତ୍ପାଦନ ବୃଦ୍ଧି। ସଂପୂର୍ଣ୍ଣ ଅଣ-ଜଳସେଚିତ ଜମିକୁ ଜଳସେଚନର ସୁବିଧା, ଠିକ୍‌ ସମୟରେ ଉନ୍ନତ ମାନର ବିହନ, ସାର ଓ ଟେକ୍‌ନୋଲୋଜି ଚାଷୀଙ୍କ ପାଖରେ ପହଞ୍ଚିବା ଉଚିତ। ସମସ୍ତ କୃଷିଜାତ ଦ୍ରବ୍ୟପାଇଁ ଉପଯୁକ୍ତ ବଜାର ସହିତ ସମସ୍ତ ଜମିର ଫସଲକୁ ବୀମାଭୁକ୍ତ କରାଯିବା, ଯାହାକି ଅନିୟମିତ ବର୍ଷା କିମ୍ବା କୌଣସି କାରଣରୁ ଫସଲ ନଷ୍ଟ ସମୟରେ ଚାଷୀଙ୍କୁ ଆର୍ଥିକ ଚାପମୁକ୍ତ କରିବା ସହିତ ଚାଷୀ ଆତ୍ମହତ୍ୟା କମାଇବ। ସତ କହିବାକୁ ଗଲେ ‘କାଳିଆ’ ଯୋଜନା ଏସବୁରେ ବିଶେଷ ସହାୟକ ହେବନାହିଁ।
କୃଷିଋଣ ଛାଡ଼ କରିବା ଦ୍ବାରା କୃଷି ଅର୍ଥନୀତି ଉପରେ ଏହାର ପ୍ରଭାବ ଓ ‘କାଳିଆ’ ଯୋଜନା ଆଧାରିତ ସମସ୍ତ ତଥ୍ୟକୁ ଦୃଷ୍ଟିରେ ରଖି ଓଡ଼ିଶା କୃଷିକୁ ସମୃଦ୍ଧ ଓ କୃଷକଙ୍କ ଆୟ ବୃଦ୍ଧିଲାଗି କୃଷକଙ୍କ ପାଇଁ ଦରକାର ସିଧାସଳଖ ଉତ୍ପାଦନ ଓ ଆୟ ବୃଦ୍ଧି କରିପାରୁଥିବା ଯୋଜନା। ସତ କହିବାକୁ ଗଲେ ‘ମାର୍ଜିନ୍‌ ପ୍ରୋଟେକ୍ଟିଭ ସ୍କିମ୍‌’ କୃଷକଙ୍କ ପାଇଁ ଦରକାର। ଯେହେତୁ କୃଷିଜାତ ଦ୍ରବ୍ୟର ଉତ୍ପାଦନ ଖର୍ଚ୍ଚ ନିର୍ଦ୍ଧାରିତ ସମୟରେ କୃଷି ପରିବାରର ସଦସ୍ୟଙ୍କ ଶ୍ରମର ମୂଲ୍ୟ ଆମେ ଖର୍ଚ୍ଚ ହିସାବରେ ନେଇଥାଉ, ସମସ୍ତ ଖର୍ଚ୍ଚ ଓ ପରିବାରର ଶ୍ରମ ମୂଲ୍ୟ ଉପରେ ଶତକଡ଼ା ୫୦ହାର ଲାଭ ରଖି ବଜାରରେ ବିକ୍ରିର ବ୍ୟବସ୍ଥା ହେଉ। ଯଦି କୌଣସି କାରଣରୁ ବଜାର ମୂଲ୍ୟ ଏହାଠାରୁ କମ୍‌ ହୁଏ ସରକାର ଏହି ଅବଶିଷ୍ଟ ମୂଲ୍ୟ, ଯାହାକୁ ଆମେ ‘ଡିଫରେନ୍‌ସିଆଲ୍‌ ମାର୍ଜିନ’ କହୁ ତାକୁ ବହନ କରନ୍ତୁ। ଏହା ମଧ୍ୟ ‘ଫାର୍‌ମର୍ସ ପ୍ରଫିଟ୍‌ ପ୍ରୋଟେକ୍‌ସନ୍‌ ସ୍କିମ୍‌’ ନାମରେ ନାମିତ ହୋଇପାରେ। କୃଷିଋଣ କମ୍‌ ସୁଧରେ, ଉନ୍ନତ ମାନର ବିହନ ସହ ସାର ଠିକ୍‌ ସମୟରେ ଚାଷୀଙ୍କ ପାଖରେ ପହଞ୍ଚିବାର ବ୍ୟବସ୍ଥା ହେଉ। ଏଥିରେ ସରକାରୀ କର୍ମଚାରୀମାନେ ଦାୟିତ୍ବଭୁକ୍ତ ହୁଅନ୍ତୁ। ଅଧିକ କୃଷିଜାତ ଦ୍ରବ୍ୟକୁ ସର୍ବନିମ୍ନ ସହାୟକ ମୂଲ୍ୟ ଯୋଜନାରେ ସଂପୃକ୍ତ କରାଯାଇ ବଜାରଗୁଡ଼ିକୁ ଶକ୍ତିଶାଳୀ କରାଯାଉ। ସବୁ ଜମିକୁ ଜଳସେଚନ ପାଇଁ ପର୍ଯ୍ୟାୟକ୍ରମେ ବଜେଟ୍‌ରେ ବ୍ୟବସ୍ଥା ହେଉ। ଯେହେତୁ ଓଡ଼ିଶାରେ ଅଣ-ଜଳସେଚିତ ଜମିର ପରିମାଣ ଅଧିକ, ଉତ୍ପାଦନ ଖର୍ଚ୍ଚ ଅଧିକ, ଉପଯୁକ୍ତ ବଜାର ଅଭାବ ଯୋଗୁ କୃଷିଜାତ ଦ୍ରବ୍ୟର ପ୍ରକୃତ ମୂଲ୍ୟ ମିଳେନାହିଁ, ଦେଶର ବହୁତ ରାଜ୍ୟ ଏମଏସପି ଉପରେ ବୋନସ୍‌ ଦେଉଥିବାରୁ ଓଡ଼ିଶାର ଋଣକୁ ବୋନସ ଦିଆଯାଉ। କୃଷିରେ ସିଧାସଳଖ ଉତ୍ପାଦନ ଓ ଆୟବୃଦ୍ଧିରେ ସାହାଯ୍ୟ କରୁନଥିବା ରିଆତି ସବୁ ବନ୍ଦ କରି ୬୦ ବର୍ଷର ଅଧିକ ପ୍ରକୃତ ଚାଷୀଙ୍କୁ କିଛି ଆର୍ଥିକ ସାହାଯ୍ୟ ଦିଆଗଲେ ଚାଷକାର୍ଯ୍ୟ ପାଇଁ ଉତ୍ସାହ କମିବ ନାହିଁ। ସତ କହିବାକୁ ଗଲେ କୃଷି ଓ କୃଷକଙ୍କୁ ବଜେଟରେ ପ୍ରାଥମିକତା ଦିଆଯାଉ।

Leave A Reply