ସହଭାଗୀ ଭବିଷ୍ୟତ ଏବଂ ପରିବେଶ ସୁରକ୍ଷା

0

ରାଜେନ୍ଦ୍ର ସିଂହ

ରାଜନୈତିକ ଦଳ ରାଜ୍ୟରେ କ୍ଷମତା ହାସଲ କରିବାରେ ଲାଗିଛନ୍ତି। କୌଣସି ରାଜନୈତିକ ଦଳ ନିଜ ଘୋଷଣାପତ୍ରରେ ଜଳ, ପରିବେଶ ଅବା ଜଳବାୟୁ ପରିବର୍ତ୍ତନ ସଙ୍କଟ ବିଷୟରେ କିଛି ମଧ୍ୟ କହୁନାହାନ୍ତି। କେବଳ ଭୋଟ ହାତେଇବା ପାଇଁ ସେମାନେ ଦୌଡରେ ରହିଛନ୍ତି। ମତଦାତା ମଧ୍ୟ ଭ୍ରମରେ ଅଛନ୍ତି। ଆଜି ଶାସକଗଣ ସମାଜକୁ ବିଭ୍ରାନ୍ତ କରୁଛନ୍ତି। ସମାଜ ମଧ୍ୟ ଶାସକଙ୍କୁ ବିଭ୍ରାନ୍ତ କରିବାରେ ଲାଗିଛି। କେହି କିଛି ଘୋଷଣା କରୁନାହାନ୍ତି, ବରଂ ବିଶ୍ୱାସଘାତକତାର ଶିକାର ହେଉଛନ୍ତି।
୨୦୧୮ ବିଧାନସଭା ନିର୍ବାଚନଗୁଡ଼ିକରେ କୃଷକଙ୍କୁ ଋଣମୁକ୍ତ ନୁହେଁ, ବରଂ ଋଣଛାଡ଼ ମୁଖ୍ୟ ପ୍ରସଙ୍ଗ ପାଲଟିଥିଲା। ୨୦୧୯ ନିର୍ବାଚନରେ ମଧ୍ୟ ଏହା ହିଁ ହେବ। ପର୍ଯ୍ୟାବରଣ ବା ପରିବେଶକୁ ଦୂଷିତ କରୁଥିବା ଲୋକ ଭୋଟ କିଣିବେ। ଜଳ ଏବଂ ବାୟୁକୁ ଦୂଷିତ କରୁଥିବା ଲୋକ ଭୋଟ କିଣୁଥିବା ଲୋକଙ୍କ ପାଇଁ କାର୍ଯ୍ୟ କରିବେ। ଜଳବାୟୁ ବିଗିଡିିଯିବାରୁ ଅନିୟମିତ ବର୍ଷା ଯୋଗୁଁ ମୃତ୍ତିକା କ୍ଷୟ ହୋଇ ବହି ଚାଲିବ। ଏହାର ପ୍ରଭାବ ବନ୍ୟା ଓ ମରୁଡ଼ି ନେଇ ଆସୁଥିବ। ବନ୍ୟା ଓ ମରୁଡି ପାଇଁ ସହାୟତାରେ ଭାରତର ରାଜକୋଷ ଖାଲି ହୋଇ ଚାଲିଥିବ।
ରାଜନେତାମାନେ ପସନ୍ଦଯୋଗ୍ୟ ସହାୟତା ପାଣ୍ଠି, ଜଳ ପରିଚାଳନା ଏବଂ ଜଳବାୟୁ ପରିଚାଳନା ଯୋଜନା ପ୍ରସ୍ତୁତ କରିବା ନାମରେ ନିଜସ୍ୱ ପାଣ୍ଠି ବଢାଇ ଚାଲିବେ; ‘ନମାମି ଗଙ୍ଗେ’ ଭଳି ଭ୍ରଷ୍ଟାଚାରୀ ପ୍ରଦୂଷଣ ନିୟନ୍ତ୍ରଣ ଯୋଜନାମାନ ପ୍ରସ୍ତୁତ କରି ଚାଲିଥିବେ। ରାଜନୈତିକ ଦଳଗୁଡିକ ଘୋଷଣାପତ୍ରକୁ ଲୋକଦେଖାଣିଆ ଭାବେ ପ୍ରକାଶ କରି ଭୋଟ ନେଲାବାଲା ଇନ୍ଦ୍ରଜାଲ ବିଛାଇ ଚାଲିଥିବେ। ଯିଏ ଯେତେ ସ୍ପଷ୍ଟ ଭାବେ ମିଥ୍ୟା କହିବ ସିଏ ନିଜ ପାଇଁ ସେତେ ଅଧିକ ଭୋଟ ଯୋଗାଡ଼ କରିପାରିବ। ଆଜି ତ, ଭାରତରେ ‘ସତ୍ୟମେବ ଜୟତେ’କୁ ‘ମିଥ୍ୟାମେବ ଜୟତେ’ରେ ପରିବର୍ତ୍ତନ କରିଦିଆଯାଇଛି। ଏଭଳି କାର୍ଯ୍ୟ କରିବାରେ ରାଜନେତା ହିଁ ସଫଳ ହୋଇଥାନ୍ତି।
କୌଣସି ରାଜନୈତିକ ଦଳକୁ ମଧ୍ୟ ଭବିଷ୍ୟତର ସୁରକ୍ଷା ପାଇଁ ପରିବେଶର ଚିନ୍ତା ନାହିଁ। ସଂସ୍କୃତି ସୁରକ୍ଷାର ଦ୍ୱାହି ଦେଉଥିବା ଦଳ ତ ଉଲଙ୍ଗ ନୃତ୍ୟ କରି ଦେଖାଇଲେ। ଭାରତୀୟ ଆସ୍ଥା-ସଂସ୍କୃତି ଏବଂ ପ୍ରକୃତି ରକ୍ଷାର ଦ୍ୱାହି ଦେଉଥିବା ଲୋକେ ତ ଗଙ୍ଗା ପାଇଁ ଓ ଆମର ସଭ୍ୟତା, ସଂସ୍କୃତି, ଧର୍ମ, ଏକତା-ଅଖଣ୍ଡତାର ଜପ କରୁଥିବା ତିନିଜଣ ସନ୍ଥଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କଲେ। ଜଣଙ୍କୁ ଅପହରଣ କରି ବା ଗୁପ୍ତରେ ରଖାଯାଇଛି। ଜଣେ ଆଜିକୁ ୬୭ ଦିନ ଧରି ଅନଶନ କରି ଆମରଣ ଉପବାସରେ ଅଛନ୍ତି। ତାଙ୍କ ଗୁହାରି ଶୁଣାଯାଉ ନାହିଁ। ବିରୋଧୀ ଦଳ ମଧ୍ୟ ଗଙ୍ଗାମାତାଙ୍କ ପ୍ରସଙ୍ଗରେ ମୌନ ବ୍ରତ ଧାରଣ କରିଛନ୍ତି। ପର୍ଯ୍ୟାବରଣର ସୁରକ୍ଷାକୁ ଐତିହାସିକ ପରମ୍ପରା କହୁଥିବା ଦଳ ମଧ୍ୟ ନିର୍ବାଚନରେ ପରିବେଶ ସୁରକ୍ଷା ଭଳି ସଚେତନତା ମାଧ୍ୟମରେ ନିଜ ବିଜୟର ପଥ ଉନ୍ମୁକ୍ତ କରୁନାହାନ୍ତି; ବରଂ କେବଳ ଭ୍ରଷ୍ଟାଚାର, ଋଣଛାଡକୁ ପ୍ରସିଦ୍ଧି ଭାବେ ଗ୍ରହଣ କରି ନେଇଛନ୍ତି। ଛାଡ ମାଧ୍ୟମରେ ଭୁଲ କରି କ୍ଷମା ମାଗିବାକୁ ଅଭ୍ୟାସରେ ପରିଣତ କରି ନେଉଛନ୍ତି। ଋଣ କରି ‘ଘିଅ ପିଇବା’କୁ ଭାରତରେ ଏକ ଭଲ କଥା ବୋଲି ମଧ୍ୟ ଗ୍ରହଣ କରାଯାଏ ନାହିଁ। ଆଜି ଋଣ କରି ଘିଅ ପିଇବା ଆମର ଏକ ଅଭ୍ୟାସରେ ପରିଣତ ହୋଇଯାଇଛି। ଏବେ ଏଥିରୁ ମୁକ୍ତି ପାଇବାକୁ ବିଚାର କରୁଥିବା ଦଳ ହିଁ ଶାସନକର୍ତ୍ତା ପାଲଟିଛନ୍ତି। ଭାରତର କୃଷକ ଋଣଗ୍ରସ୍ତ ନ ହୁଅନ୍ତୁ। ଏଭଳି ପଦ୍ଧତି ପ୍ରସ୍ତୁତ କରାଯାଉ, ଋଣମୁକ୍ତ ବ୍ୟବସ୍ଥା କରାଯାଉ।
ରାଜନୈତିକ ଦଳଗୁଡିକୁ ଭାରତୀୟ ଆସ୍ଥା ବଞ୍ଚାଇ ରଖିବା ପାଇଁ ସାମ୍ବିଧାନିକ ପ୍ରକ୍ରିୟା ଦରକାର ପଡିିଥାଏ ତ, ସହଭାଗୀ ଭବିଷ୍ୟତର ଶୁଭ (ପର୍ଯ୍ୟାବରଣ ସୁରକ୍ଷା) ବିନା ଏସବୁ କରିବା ଉଚିତ ନୁହେଁ। ଭାରତୀୟ ଆସ୍ଥା ପରିବେଶ ପାଇଁ ମଧ୍ୟ ଶୁଭ ଚେତନା ଜାଗ୍ରତ କରିଥାଏ। ଆଜିର ରାଜନୈତିକ ଦଳ କେବଳ ଲାଭ ଏବଂ ନିର୍ବାଚନ ରଣନୀତି ପ୍ରସ୍ତୁତ କରୁଛନ୍ତି। ଏଥିପାଇଁ ଏମାନଙ୍କର କାର୍ଯ୍ୟକ୍ରମରେ ଲୋଭନୀୟ ବିକାଶର ସ୍ଲୋଗାନ ରହିଛି। ସ୍ଥାୟୀ ବିକାଶ କେଉଁଠାରେ ଦେଖିବାକୁ ମିଳୁନାହିଁ। ଲୋଭଗ୍ରସ୍ତ ଭାରତର ସ୍ୱପ୍ନ ଦେଖିବାରେ ଜଡିତ ଅଛନ୍ତି ଯାହାର ପରିଣାମ ହେଉଛି ଦିନରାତି ପ୍ରଦୂଷଣ ବୃଦ୍ଧିି। ଆମ ଦେଶର ସମସ୍ତ ରାଜଧାନୀ ସେହି ବିକାଶ ଯୋଗୁଁ ବିନାଶର ଶିକାର ହେଉଛି।
ରାଜନୀତିକ ରାଜଧାନୀ ଏବେ ଧୂଆଁ ଯୋଗୁ ଦୂଷିତ ହୋଇଯାଇଛି। ଆର୍ଥିକ ରାଜଧାନୀର ପାଞ୍ଚୋଟି ନଦୀ ମିଠିି, ଦହିସର, ପହୁଁସର, ଉଲ୍ଲାସ, ବାଲଧୁନି ଆଦି ଶେଷ ଆଡ଼କୁ ନାଳ ଭଳି ହୋଇଯାଇଛନ୍ତି। ଜ୍ଞାନର ରାଜଧାନୀ କାଶୀରେ ଭାରତର ପ୍ରଥମ ପରିଚୟ ଦେଉଥିବା ଗଙ୍ଗାକୁ ଭ୍ରଷ୍ଟାଚାରରେ ବଳି ଚଢାଇ ଦେଇଛନ୍ତି। କହୁଛନ୍ତି ମାଆ; କିନ୍ତୁ ମଇଳା ବୋହୁଥିବା ଗଧଟଣା ଗାଡିରେ ବଦଳାଇ ଦେଇଛନ୍ତି। ଏବେ ଆମର ମାଆକୁ ମଧ୍ୟ ରାଜନେତାମାନେ ଆୟର ମାଧ୍ୟମ କରିଦେଇଛନ୍ତି। ପାଟନା, ପୁଣେ, ମୁମ୍ବଇ, ଚେନ୍ନଇ, ସମସ୍ତେ ବନ୍ୟା ପ୍ରଭାବିତ। କେଦାରନାଥକୁ ଅଳକାନନ୍ଦା ଖାଇ ଚାଲିଛି। ଝେଲମ୍‌ ଜମ୍ମୁର ପାହାଡରେ ବନ୍ୟା ସୃଷ୍ଟି କରି ଆମକୁ ଡରାଇ ଦେଇଛି। ରାଜନେତାମାନେ ମିଥ୍ୟା କହି, ଡରାଇ, ଭ୍ରମ ସୃଷ୍ଟି କରି ନିଜକୁ ସଳଖି ନେବା ଶିଖି ନେଇଛନ୍ତି।
ପ୍ରତିଦିନ ନୂତନ ରାଜନୈତିକ ଦଳ ଗଠନ ହେଉଛି। ନୂଆ ରାଜନେତା ବାହାରୁଛନ୍ତି। ନୂଆ ଆଖଡା ଏବଂ ନୂଆ ଯୋଦ୍ଧା ଆମେ ପ୍ରତିଦିନ ସୃଷ୍ଟି କରିଚାଲିଛୁ; କିନ୍ତୁ ପୁରୁଣା ଦଳରେ ରହି କୌଣସି ସଂସ୍କାର ତାଲିକା ଦେଖିବାକୁ ମିଳୁନାହିଁ, କାରଣ ରାଜନୀତିକ ଦଳର ରାଜନେତା ନିଜର ରୁଟି ସେକୁଛନ୍ତି। ତଳସ୍ତରରେ ପଡ଼ିରହିଥିବା ନୂଆଦଳର ଜଣେଅଧେ ନେତାଙ୍କୁ ଚାମଚା କରି ନିଜେ ମିଥ୍ୟା କହି, ନିଜ ବାକ୍‌ଚାତୁରୀ ବଳରେ ଭାରତର ମୁଖ୍ୟନେତା ପାଲଟି ଯାଉଛନ୍ତି। ସମସ୍ତ ପୁରୁଣା ନେତାଙ୍କୁ ବିଦାକରି ଭୟଭୀତ ହୋଇ ମଧ୍ୟ ସଫଳ ହୋଇଯାଉଛନ୍ତି। ଭାରତର ଲୋକ ତ ଭୋଟ ଦେଇ ଏମାନଙ୍କୁ କ୍ଷମତାକୁ ଆଣୁଛନ୍ତି, କିନ୍ତୁ ଏମାନେ ମିଥ୍ୟାକୁ ପରଖି ପାରୁନାହାନ୍ତି। ଯେତେବେଳେ ପ୍ରକୃତ ମିଥ୍ୟା ବିଷୟରେ ଜଣାପଡିଥାଏ, ସେ ପର୍ଯ୍ୟନ୍ତ ଜଣେ ଶାସକ ନିଜର ସମ୍ପୂର୍ଣ୍ଣ କାର୍ଯ୍ୟକାଳ ପୂରଣ କରିନେଇଥାନ୍ତି। ଆମ ନ୍ୟାୟପାଳିକା ମଧ୍ୟ ଏଭଳି ନେତାମାନଙ୍କୁ ଡରି ଅଲଗା କରିବାକୁ ଲାଗିପଡ଼ିଛନ୍ତି। ଭାରତୀୟ ନ୍ୟାୟ ପ୍ରଣାଳୀ ଉପରେ ଆମର ଆସ୍ଥା ନଷ୍ଟ ହେବାକୁ ବସିଲାଣି। ଏହା ମଧ୍ୟ ଆମ ରାଜନେତାମାନେ କରିଛନ୍ତି। ମୁଁ ରାଜନେତାଙ୍କ ଉପରେ ଦୋଷ ଲଦି ଦେବାକୁ ଚାହୁଁ ନାହିଁ। ଆଜି ତ ଆମର ରାଜନେତା ଏବଂ ଦଳ ଏଭଳି କିଛି କରି ଗୌରବ ଅନୁଭବ କରୁଛନ୍ତି। ଏଥିରୁ ମୁକ୍ତି ପାଇବାର ଉପାୟ କେହି ଚିନ୍ତା କରୁନାହାନ୍ତି। ଏଥିପାଇଁ ଆଜିର ବାତାବରଣ, ପରିବେଶ, ଜଳବାୟୁ ପ୍ରଦୂଷଣ ଲୋକଙ୍କୁ ରୋଗଗ୍ରସ୍ତ କରିଦେଇଛି।
ଭାରତର ଯୁବକ ବେକାରୀ-ବେମାରୀ-ଲୋଭ ତ୍ୟାଗ କରି ମାଟିର କାର୍ଯ୍ୟ, ମାଟି, ପାଣିକୁ ନଷ୍ଟ ହେବାରୁ ରୋକିବାଠାରୁ ଆରମ୍ଭ କରି କାରଖାନାର ପ୍ରଦୂଷଣକୁ ରୋକନ୍ତୁ। ଧରଣୀ-ପ୍ରକୃତିର ପ୍ରଦୂଷଣ କରୁଥିବା ଲୋକଙ୍କୁ ମୃତ୍ୟୁଦଣ୍ଡ ହେଉ। ଲୋକଙ୍କୁ ପ୍ରଦୂଷଣରେ ମାରିବା ହେଉଛି ବହୁତ ବିପଜ୍ଜନକ। ହତିଆର ବା ଅସ୍ତ୍ରରେ ମାରିବା ଅପେକ୍ଷା ଆଜି ପ୍ରଦୂଷଣରେ ମାରୁଥିବା ଲୋକଙ୍କ ବିରୁଦ୍ଧରେ ସାମାନ୍ୟ ମୋକଦ୍ଦମା କରି କ୍ଷମା କରିଦେବା କାର୍ଯ୍ୟ ରାଜନେତାମାନେ କରୁଛନ୍ତି।
ଆମେ ଏଭଳି ଲୋକଙ୍କୁ ଶାସନ ଚଳାଇବାର କ୍ଷମତା ଦେବା ଦରକାର ଯେଉଁମାନଙ୍କ ଜୀବନରେ ଭାଗୀଦାରିତା ରହିଥାଏ। ସହଭାଗୀ ବା ଅଂଶୀଦାର ଭବିଷ୍ୟତର ଶୁଭ କାର୍ଯ୍ୟ କରିବାରେ ଜୀବନ ବିତାଉଛନ୍ତି। ଏଭଳି ଦଳକୁ ହିଁ ଏବେ ଆଗକୁ ଆଣିବା ଲୋକଙ୍କ ନିମନ୍ତେ ଜରୁରୀ ଅଟେ। ଯେଉଁମାନଙ୍କଠାରେ ସର୍ବୋଚ୍ଚ ପ୍ରତିଷ୍ଠାର କ୍ଷୁଧା ଅଛି, ସେମାନଙ୍କୁ ବାଛନ୍ତୁ ନାହିଁ। ଆଜି ଦିଲ୍ଲୀର ନେତା ଜବରଦଖଲ-ପ୍ରଦୂଷଣ-ଶୋଷଣ କରୁଥିବା ଭଳି ଲୋକଙ୍କୁୁ ହିଁ ସମସ୍ତ ପ୍ରକାରର ପ୍ରୋତ୍ସାହନ ଦେଉଛନ୍ତି। ପ୍ରଦୂଷଣ ମଧ୍ୟ ସେହି ଗତିରେ ଦିଲ୍ଲୀ ଏବଂ ଭାରତର ଅନ୍ୟ ରାଜ୍ୟଗୁଡିକରେ ବୃଦ୍ଧି ପାଉଛି। ଏବେ ଆଉ ନୂତନ ଦଳ ପ୍ରତିଷ୍ଠା ହେବା ବନ୍ଦ ହେଉ। ଯେଉଁମାନେ ଜଳବାୟୁ ଅନୁକୂଳ ଏବଂ ପ୍ରଦୂଷଣ ଉନ୍ମୁଳନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ସେହିମାନଙ୍କୁ ଭୋଟ ଦେବା ଦରକାର। କ୍ଷମତାସୀନ ହେବା ପରେ ଗଙ୍ଗାମାତାଙ୍କର ଚିର ପ୍ରବାହ-ନିର୍ମଳତା ପାଇଁ କାର୍ଯ୍ୟ କରୁଥିବା ଲୋକଙ୍କୁ ଯେଉଁମାନେ ମାରୁଛନ୍ତି, ସେମାନଙ୍କୁ ନେତା କରନ୍ତୁ ନାହିଁ।

Leave A Reply