ଚୁପ୍‌ ରହିବା ଭଲ!

0

ଅଧ୍ୟାପକ ବିଶ୍ବରଞ୍ଜନ

ଚୁପ୍! ରଥ ଗଡୁଛି। ଗଡ଼ି ଚାଲିଛି ଘର୍ଘର ନାଦରେ। ଦୀର୍ଘ ଦଶନ୍ଧି ହେଲା ପ୍ରଗତି ପଥରେ। ବିକାଶର ଶଙ୍ଖନାଦରେ ପ୍ରକମ୍ପିତ ଭୁବନମଣ୍ଡଳ। ବିକାଶର ବ୍ୟୟବହୁଳ ବିଜ୍ଞପିତ ବାର୍ତ୍ତା ବ୍ୟତୀତ ଆଉ କିଛି ଦୃଷ୍ଟିରେ ନ ପଡୁ। ବିଜ୍ଞାପନ ଓ ବାସ୍ତବତା ମଧ୍ୟରେ ଥିବା ପାର୍ଥକ୍ୟକୁ ନେଇ କୌଣସି ପ୍ରଶ୍ନ ଆପଣଙ୍କ ମନରେ ନ ଆସୁ। ବିଜ୍ଞାପନରେ ପ୍ରତିଭାତ ବ୍ୟକ୍ତି-ପୁରୁଷଙ୍କ ସ୍ମିତହାସ୍ୟର ଆକର୍ଷଣୀୟ ଫଟୋଚିତ୍ର ଦର୍ଶନ କରି ସନ୍ତୁଷ୍ଟ ରୁହନ୍ତୁ। ଆଖି ବନ୍ଦ, ପାଟି ବନ୍ଦ, କାନ ବନ୍ଦ। ଚୁପ୍‌ଚାପ୍ ବସି ରୁହନ୍ତୁ ଗାନ୍ଧୀ ମହାତ୍ମାଙ୍କ ପ୍ରିୟ ତିନି ମାଙ୍କଡ଼ ଭଳି। ଯଦି ଅକସ୍ମାତ୍ ଆଖି ଖୋଲି ବିକାଶର ବିପରୀତ ଦୃଶ୍ୟ କିଛି ଦେଖୁଛନ୍ତି, ତେବେ ଆଖି ସାଙ୍ଗେସାଙ୍ଗେ ବନ୍ଦ କରିଦିଅନ୍ତୁ। ଯଦି ବିକାଶପୁରୁଷଙ୍କ ବିରୋଧରେ ଖରାପ କଥା କେହି କହୁଛି, ତେବେ କାନରେ ଆଙ୍ଗୁଠି ଗେଞ୍ଜି ଦିଅନ୍ତୁ। ଆଉ କାଳେ କିଛି ଅପବାଦ ବା ଅଭିଯୋଗ ଆପଣଙ୍କ ତୁଣ୍ଡରେ ଆସିଯାଇପାରେ, ସେଥିପାଇଁ ଓଠ ସିଲେଇ କରିଦିଅନ୍ତୁ। କିଛି କହିବାର, ଶୁଣିବାର, ଦେଖିବାର ବେଳ ଇଏ ନୁହେଁ। ଏବେ ଖାଲି ଭୋଜନ ଓ ଭଜନର ବେଳ। ପେଟ ପୂରିଗଲେ ଖାଲି ଭଜନକୀର୍ତ୍ତନ। ଖୋଳ କରତାଳ ଧରି ନାମ ସଂକୀର୍ତ୍ତନ। ନାମ କହିଲେ ତ ଗୋଟିଏ ନାମ। ‘କେଉଁ ନାମ ଧରି ଡାକିବି ତୁମକୁ’ର ଦ୍ୱିଧା ନାହିଁ। ମନରେ କୌଣସି ସଂଶୟ ନାହିଁ। ଦୀର୍ଘ ଦିନ ହେଲା ଗୋଟିଏ ନାମର ଧୁନ ଚାଲିଛି। ସେହି ଗୋଟିଏ ନାମର ଧ୍ୱଜା ହିଁ ଉଡୁଛି। ଆମେ ତା’ହେଲେ କ’ଣ ସେଇ ଧ୍ୱଜାଧାରୀଙ୍କ ମେଳରେ ସାମିଲ ହୋଇଯିବା? ଭୁଲିଯିବା ନିଜର ଅସ୍ତିତ୍ୱ ଓ ଅସ୍ମିତା? କି ଅସ୍ମିତା କଥା କହୁଛ ହେ ମୂର୍ଖ ଲେଖକ? ତୁମର ନାବାଳକୀ କଟିନାହିଁ ବୋଧହୁଏ? ପଢ଼ିନାହଁ ଆମର ବିଦ୍ୟାବାଗୀଶଙ୍କ କଥା? ‘ବିରଳ ବ୍ୟକ୍ତିତ୍ୱ’, ‘ବିକଳ୍ପହୀନ ନେତୃତ୍ୱ’ର ଜଣେ ଅପ୍ରତିଦ୍ୱନ୍ଦ୍ୱୀ ବ୍ୟକ୍ତିପୁରୁଷ ଆମର ଶାସନ ଡୋରି ଧରିଛନ୍ତି ବୋଲି ଡେଙ୍ଗୁରା ପିଟା ଚାଲିଛି। ଆଶ୍ଚର୍ଯ୍ୟ ଲାଗୁଛି, ଏଭଳି ଡେଙ୍ଗୁରା କେହି ଅଶିକ୍ଷିତ, ଅପାଠୁଆ କିମ୍ବା ପାଦକୁ ଜୋତା,ମୁଣ୍ଡକୁ ଛତା, ହାତକୁ ଭତ୍ତା ଓ ପେଟକୁ ଭାତ, ଡାଲମା ପାଇ ସନ୍ତୁଷ୍ଟ ଥିବା ଲୋକେ ପିଟୁନାହାନ୍ତି। ପିଟୁଛନ୍ତି ରାଷ୍ଟ୍ରନୀତିର ପାଠ ପଢ଼ିଥିବା ଏବଂ ପଢ଼େଇ ଢେର୍ ରୋଜଗାର କରୁଥିବା ଆମ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟର ବିଦ୍ୱାନମାନେ। ବିଦ୍ୟାଜୀବୀ ବା ବୁଦ୍ଧିଜୀବୀମାନେ ନିଜର ବୁଦ୍ଧି, ବିଚାର ଓ ବିବେକକୁ ବିକ୍ରିଯୋଗ୍ୟ କରି ନିଜକୁ ଭାଟ ସମ୍ପ୍ରଦାୟରେ ସାମିଲ କରିନିଅନ୍ତି, ସେଠି ଆଉ ପ୍ରଶ୍ନ କରିବେ କାହାକୁ? କି ପ୍ରତିକ୍ରିୟା ପ୍ରକାଶ କରିବେ? ପ୍ରତିବାଦ କରିବେ କାହା ପାଖରେ?
‘ରାଜତନ୍ତ୍ର’ରେ ଭାଟଙ୍କ ଭୂମିକା ଥିଲା, ଗଣତନ୍ତ୍ରରେ ନୁହେଁ। ରାଜତନ୍ତ୍ରରେ ମଧ୍ୟ ଯୋଗ୍ୟ ରାଜାଙ୍କ ପାଖରେ ଜଣେ ଜଣେ ଗୁରୁ ରହି ରାଜାଙ୍କୁ ଜ୍ଞାନ ଦେଉଥିଲେ। ଏବର ଗଣତନ୍ତ୍ରରେ ଗଣପତିଙ୍କଠାରୁ ଜ୍ଞାନ ନେଇ ଗୁଣ୍ଡାମାନେ ପୋଷା ହେଉଛନ୍ତି। ଗଣତନ୍ତ୍ର ଯେଉଁଠି ଭୋଟସର୍ବସ୍ୱ ହୋଇଯାଏ ଏବଂ ଜନଗଣଙ୍କୁ (ଓକିଲ ହୁଅନ୍ତୁ ବା ଡାକ୍ତର, ଅଧ୍ୟାପକ ହୁଅନ୍ତୁ ବା ଇଞ୍ଜିନିୟର, ପ୍ରଶାସକ ହୁଅନ୍ତୁ ବା ସାହିତ୍ୟିକ) ଦଳର ନାମ ନିଶାଣରେ ବିଭାଜିତ କରି ରଖିବାର ଉଦ୍ୟମ ହୁଏ, ସେଠି ସବୁଠୁ ଭଲ ଚୁପ୍ ରହିଯିବା। ଚୁପ୍ ରହି ଦେଖନ୍ତୁ ଓ ଶୁଣନ୍ତୁ ଭାଟଙ୍କର ବାକ୍‌ଚାତୁରୀ, ରଚନାର ଧାରା, ଗୁଣ୍ଡାବାହିନୀର ଅହିଂସା ମନ୍ତ୍ର ଉଚ୍ଚାରଣ ଏବଂ ମନ୍ତ୍ରୀର ମଞ୍ଚାସନରେ ମୁଣ୍ଡ ପୋତି ବସି ରହିଥିବା ମେଷପଲଙ୍କର ନୀରବ ଅଶ୍ରୁବିସର୍ଜନ। ଚୁପ୍‌ଚାପ୍ ବସି ରୁହନ୍ତୁ। ମାତ୍ର ମନେ ରଖନ୍ତୁ, ଚୁପ୍ ରହିବାର ଅର୍ଥ ଆତ୍ମହତ୍ୟା କରିବା। ଗଣତନ୍ତ୍ରରେ ଏଭଳି ଆତ୍ମହତ୍ୟାକାରୀଙ୍କ ସଂଖ୍ୟା ଯେତିକି ବଢ଼ିବ, ତା’ର ସ୍ୱାସ୍ଥ୍ୟ ସେତିକି ଦୁର୍ବଳ ଓ ବିପନ୍ନ ହୋଇପଡ଼ିବ। ସବୁଠୁ ଚୁପ୍ ରହିବା ଭଲ। ମାତ୍ର ଗଣତନ୍ତ୍ରର ମୃତ୍ୟୁ କାମନା କରିବା କେତେ ଦୂର ଗ୍ରହଣୀୟ ଓ ସ୍ପୃହଣୀୟ ?
prof.biswaranjan@gmail.com

Leave A Reply