ନ୍ୟାୟିକ ବ୍ୟବସ୍ଥା ଓ ପରମ୍ପରାର ଲଢ଼େଇ

0

ପ୍ରଦୋଷ ପଟ୍ଟନାୟକ

ଭାରତୀୟ ଗଣତନ୍ତ୍ରର ଘୋଷିତ ଓ ଅଘୋଷିତ ଚାରି ସ୍ତମ୍ଭ ମଧ୍ୟରୁ ନ୍ୟାୟିକ ବ୍ୟବସ୍ଥା ବା ବିଚାରାଳୟର ନିଷ୍ପତ୍ତି ବଡ଼ ନା ଯୁଗଯୁଗ ଧରି ଚଳି ଆସିଥିବା ପରମ୍ପରା ବଡ଼, ବର୍ତ୍ତମାନ ତାହା ଏକ ବିତର୍କିତ ପ୍ରସଙ୍ଗ ଭାବରେ ମୁଣ୍ଡ ଟେକିଛି। ବିଗତ କିଛି ମାସର ଅଭିଜ୍ଞତାରୁ ଦେଖାଯାଉଛି ଯେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ (ସୁପ୍ରିମକୋର୍ଟ) ଶୁଣାଇଥିବା କେତେକ ଗୁରୁତ୍ବପୂର୍ଣ୍ଣ ରାୟ କେବଳ କାଗଜପତ୍ରରେ ସୀମିତ ରହୁଛି ସିନା, ବାସ୍ତବ କ୍ଷେତ୍ରରେ ତାହା କାର୍ଯ୍ୟକାରୀ ହୋଇପାରୁନାହିଁ। ନିକଟ ଅତୀତରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦୁଇଟି ଯୁଗାନ୍ତକାରୀ ରାୟ ଆଦୌ କାର୍ଯ୍ୟକାରୀ ନହୋଇପାରିବା ସ୍ପଷ୍ଟ ସଙ୍କେତ ଦେଉଛି ଯେ ଦୀର୍ଘବର୍ଷ ଧରି ରହି ଆସିଥିବା ପରମ୍ପରା ଆଗରେ ବିଚାରାଳୟର ଆଦେଶ ହାର ମାନୁଛି ଏବଂ ଜନସାଧାରଣ ସେମାନଙ୍କର ପାରମ୍ପରିକ ଅଭ୍ୟାସ ଓ ଧର୍ମୀୟ ଭାବନାକୁ ଏତେ ସହଜରେ ଛାଡ଼ିବା ପାଇଁ ପ୍ରସ୍ତୁତ ନୁହନ୍ତି। ଏହାର ପ୍ରଥମ ଉଦାହରଣ ହେଉଛି, ଦୀପାବଳିରେ ବାଣଫୁଟା ଉପରେ ସର୍ବୋଚ୍ଚ ଅଦାଲତ ଜାରି କରିଥିବା କଟକଣାକୁ ଦେଶବ୍ୟାପୀ ଖୋଲାଖୋଲି ଉଲ୍ଲଙ୍ଘନ କରାଯିବା। ଦୀପାବଳିରେ କେବଳ ରାତି ଆଠଟାରୁ ଦଶଟା ମଧ୍ୟରେ ଦୁଇ ଘଣ୍ଟା ପାଇଁ ବାଣ ଫୁଟାଇବା ଏବଂ ତାହା ପୁଣି କମ୍‌ ଶବ୍ଦ ସୃଷ୍ଟିକାରୀ ବା ସବୁଜ ବାଣ ହେବା ଆବଶ୍ୟକ ବୋଲି ସୁପ୍ରିମ୍‌କୋର୍ଟ ନିର୍ଦେଶ ଦେଇଥିଲେ। ଶବ୍ଦ ଓ ବାୟୁ ପ୍ରଦୂଷଣକୁ ରୋକିବା ତଥା ଦୁର୍ଘଟଣାକୁ ଏଡ଼ାଇବା ଦିଗରେ ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ବିଚାର କରାଯାଇଥିଲା। ମାତ୍ର ବାସ୍ତବ କ୍ଷେତ୍ରରେ ଦେଖାଗଲା ଯେ ସୁପ୍ରିମକୋର୍ଟଙ୍କ ଏହି ନିର୍ଦେଶକୁ ଅମାନ୍ୟ କରି ସେଦିନ ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ଲୋକେ ବାଣଫୁଟା ଆରମ୍ଭ କରିଦେଇଥିଲେ ଏବଂ ତାହା ପୁଣି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଚାଲିଥିଲା। ଅଧିକାଂଶ କ୍ଷେତ୍ରରେ ଉଚ୍ଚ ଶବ୍ଦ ସୃଷ୍ଟିକାରୀ ବିପଜ୍ଜନକ ବାଣଫୁଟା ଯାଉଥିବା ଲକ୍ଷ୍ୟ କରାଗଲା। ସମସ୍ତ ବାଣ ୧୫୫ ଡେସିମିଲରୁ କମ୍‌ ଶବ୍ଦ ବିଶିଷ୍ଟ ହେବା ଆବଶ୍ୟକବୋଲି ଅଦାଲତଙ୍କ ମତକୁ କେହି ଗୁରୁତ୍ବ ଦେଲେ ନାହିଁ ଏବଂ ବହୁ ସ୍ଥାନରେ ବାଣଫୁଟାର ଭୀଷଣ ଗର୍ଜନରେ ଆଖପାଖ ଅଞ୍ଚଳ ଥରି ଉଠିଥିଲା। ଅବଶ୍ୟ ନ୍ୟାୟାଳୟ ବାଣବିକ୍ରି ଉପରେ କୌଣସି କଟକଣା ଲାଗୁ କରିନଥିଲେ। ଯେଉଁ ଦୁଇଟି ଆଭିମୁଖ୍ୟ ପୋଷଣ କରି କୋର୍ଟ ବାଣଫୁଟା ସମୟକୁ ସୀମିତ କରିଥିଲେ, ସେହି ଦୁଇଟିଯାକ ଫସରଫାଟି ଯାଇଥିଲା। ଦୀପାବଳି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଫୁଟିଥିବା ବାଣର ଧୂଆଁରେ ଦେଶର ବହୁ ଅଞ୍ଚଳରେ ଆକାଶ ଆଚ୍ଛାଦିତ ହୋଇ ରହିବା ସଙ୍ଗେସଙ୍ଗେ ପରଦିନ ସକାଳ ପର୍ଯ୍ୟନ୍ତ ମେଘର ଭ୍ରମ ସୃଷ୍ଟି କରିଥିଲା। ସେଦିନ ସବୁଠାରୁ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଥିଲା ଜାତୀୟ ରାଜଧାନୀ ଦିଲ୍ଲୀ ମହାନଗରୀରେ, ଯେଉଁଠି ପ୍ରଦୂଷଣର ବିଷବଳୟରେ ଛଟପଟ ହୋଇଥିଲେ ସାଧାରଣ ଜନତା। ଭାରତରେ ବାୟୁପ୍ରଦୂଷଣ କାରଣରୁ ପ୍ରତିବର୍ଷ ଦଶଲକ୍ଷ ଲୋକଙ୍କ ମୃତ୍ୟୁ ଘଟୁଥିବାରୁ ନିକଟରେ ବିଶ୍ବ ସ୍ବାସ୍ଥ୍ୟସଂଗଠନ ଏକ ଚମକପ୍ରଦ ରିପୋର୍ଟ ପ୍ରଦାନ କରିଛନ୍ତି। ସେହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟଙ୍କ ନିର୍ଦେଶର ସମ୍ପୂର୍ଣ୍ଣ ଯଥାର୍ଥତା ଓ ପ୍ରାସଙ୍ଗିକତା ରହିଥିଲେ ହେଁ ଜନସାଧାରଣଙ୍କ ଯୁଗଯୁଗର ପାରମ୍ପରିକ ଅଭ୍ୟାସ ଓ ବିଶ୍ବାସ ପାଖରେ ତାହା ହାର ମାନିଗଲା।
ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ କାର୍ଯ୍ୟକାରୀ ନହୋଇପାରିବାର ଆଉ ଏକ ବଡ଼ ଉଦାହରଣ ହେଉଛି କେରଳର ପ୍ରସିଦ୍ଧ ଶବରୀମାଳା ମନ୍ଦିର ଭିତରକୁ ମହିଳା ପ୍ରବେଶ ନ କରିପାରିବା। ପାରମ୍ପରିକ ବ୍ୟବସ୍ଥା ଅନୁଯାୟୀ ପଶ୍ଚିମଘାଟ ପର୍ବତମାଳାରେ ଅବସ୍ଥିତ ଏହି ମନ୍ଦିରକୁ ୧୦ ବର୍ଷରୁ ୫୦ ବର୍ଷ ବୟସର ମହିଳାଙ୍କ ପ୍ରବେଶକୁ ବାରଣ କରାଯାଇଛି। ବିଗତ ଆଠଶହ ବର୍ଷ ହେଲା ଏହି ପରମ୍ପରା ପ୍ରଚଳିତ ହୋଇ ଆସୁଛି। ବିଭିନ୍ନ ମାନବାଧିକାର ସଂଗଠନ ପକ୍ଷରୁ ଏହି ବୈଷମ୍ୟମୂଳକ ପରମ୍ପରାର ବିରୋଧ କରି ଅତୀତରେ ଆନ୍ଦୋଳନ କରାଯାଇଥିଲେ ହେଁ ତାହା ସମ୍ପୂର୍ଣ୍ଣ ମୂଲ୍ୟହୀନ ହୋଇଥିଲା। ତେବେ ମାନ୍ୟବର ସୁପ୍ରିମକୋର୍ଟ ଦୁଇମାସ ପୂର୍ବେ ଏକ ଯୁଗାନ୍ତକାରୀ ରାୟ ଶୁଣାଇ ଦୀର୍ଘ ଆଠଶହ ବର୍ଷର ଏହି ଧର୍ମୀୟ ରକ୍ଷଣଶୀଳ ପରମ୍ପରା ଉପରେ ରୋକ ଲଗାଇଲେ। ମନ୍ଦିର ଭିତରକୁ ମହିଳାମାନଙ୍କ ପ୍ରବେଶ ଉପରେ ଲାଗୁ ହୋଇଥିବା କଟକଣାକୁ ନ୍ୟାୟାଳୟ ଉଠାଇଦେବା ସଙ୍ଗେସଙ୍ଗେ ସବୁ ବୟସର ମହିଳା ଅବାଧରେ ମନ୍ଦିର ଭିତରେ ପ୍ରବେଶ କରି ଭଗବାନ ଆୟାପ୍ପାଙ୍କ ଦର୍ଶନ କରିପାରିବେ ବୋଲି ନିର୍ଦେଶ ଦେଇଥିଲେ। ତେବେ କୋର୍ଟଙ୍କ ରାୟ ପ୍ରକାଶ ପାଇବା ସଙ୍ଗେସଙ୍ଗେ ବିଭିନ୍ନ ଧର୍ମୀୟ ସଂଗଠନ, ବିଶେଷ କରି ଓ ପୂଜକ ସେବାୟତଙ୍କ ପକ୍ଷରୁ ଏହାକୁ ତୀବ୍ର ବିରୋଧ କରାଯିବା ଆରମ୍ଭ ହୋଇଗଲା। କୌଣସି ପରିସ୍ଥିତିରେ ସେମାନେ ୧୦ରୁ ୫୦ବର୍ଷ ବୟସର ମହିଳାଙ୍କୁ ମନ୍ଦିରରେ ପ୍ରବେଶ କରାଇ ଦେଉନାହାନ୍ତି। ସବୁଠାରୁ ବିସ୍ମୟର ବିଷୟ ହେଉଛି ଯେ ଆୟାପ୍ପାଙ୍କ ଭକ୍ତ କୁହାଯାଉଥିବା ବହୁ ସଂଖ୍ୟକ ମହିଳା ଅଦାଲତଙ୍କ ନିର୍ଦେଶକୁ କାର୍ଯ୍ୟକାରୀ ନକରାଇବାକୁ ଅଣ୍ଟା ଭିଡ଼ିଛନ୍ତି। ମନ୍ଦିରକୁ ପ୍ରବେଶ ଆଶାରେ ଆସୁଥିବା ମହିଳାଙ୍କୁ ସେମାନେ ପ୍ରତିରୋଧ କରି ଘଉଡ଼ାଇ ଦେଉଛନ୍ତି। ଆର୍‌ଏସ୍‌ଏସ୍‌, ବିଶ୍ବ ହିନ୍ଦୁ ପରିଷଦ ଓ ବିଜେପି ଭଳି ସଂଗଠନ ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ତୀବ୍ର ବିରୋଧ କରି ଆନ୍ଦୋଳନର ଅଗ୍ରଭାଗରେ ରହିଥିବାବେଳେ ଧର୍ମ ନିରପେକ୍ଷତାର ଢୋଲ ପିଟୁଥିବା କଂଗ୍ରେସ ମଧ୍ୟ ଭକ୍ତଙ୍କ ଭାବାବେଗକୁ ଡରି ସେମାନଙ୍କ ସହିତ ସ୍ବର ମିଳାଇଛି। ସୁପ୍ରିମକୋର୍ଟଙ୍କ ରାୟକୁ କାର୍ଯ୍ୟକାରୀ କରିବା ପାଇଁ କେରଳର ବାମପନ୍ଥୀ ସରକାର ଯେତେ ଯାହା
ଉଦ୍ୟମ କଲେ ମଧ୍ୟ ତାହା ସଫଳ ହେଉନାହିଁ।
ବିଗତ ଦୁଇମାସ ମଧ୍ୟରେ ପୁଲିସ ସହାୟତାରେ ମହିଳାଙ୍କ ମନ୍ଦିର ପ୍ରବେଶ ଉଦ୍ୟମବେଳେ ଏକାଧିକବାର ରକ୍ତାକ୍ତ ସଂଘର୍ଷ ଘଟିସାରିଛି ଏବଂ କେତେକ ଗଣମାଧ୍ୟମ ପ୍ରତିନିଧି ଓ କ୍ୟାମେରାମ୍ୟାନ ଆହତ ହୋଇଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ସବୁଠାରୁ ଅଡ଼ୁଆରେ ପଡ଼ିଛନ୍ତି ରାଜ୍ୟର ବାମପନ୍ଥୀ ସରକାର। ‘ଏଣୁ ମାଇଲେ ଗୋ-ହତ୍ୟା, ସେଣୁ ମାଇଲେ ବ୍ରହ୍ମହତ୍ୟା’ ରୀତିରେ- ରାୟକୁ କାର୍ଯ୍ୟକାରୀ କଲେ ଏକ ବିଶାଳ ହିନ୍ଦୁୁ ବର୍ଗର ସମର୍ଥନ ହରାଇବାର ଆଶଙ୍କା ସୃଷ୍ଟି ହୋଇଥିବାବେଳେ ତାହା କାର୍ଯ୍ୟକାରୀ ନକଲେ ସୁପ୍ରିମ୍‌କୋର୍ଟ ଦ୍ବାରା ଭର୍ତ୍ସିତ ହେବାର ସମ୍ଭାବନା ରହିଛି। ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ରାଜ୍ୟରେ କ୍ରମଶଃ ଉତ୍ତେଜନା ବଢ଼ିଚାଲିଥିବାବେଳେ ମହିଳାମାନେ ଆଉ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ନିଜ ଆଡୁ ମନ ବଳାଉ ନାହାନ୍ତି। ଯେତେଦୂର ମନେ ହେଉଛି ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ଶବରୀମାଳା କ୍ଷେତ୍ରରେ କାର୍ଯ୍ୟକାରୀ ହେବା ଏକ ଦୁରୂହ ବ୍ୟାପାର ହୋଇପଡ଼ିଛି ଏବଂ ଏଥିପାଇଁ ଆଇନ୍‌ଗତ ଲଢ଼େଇ ଦୀର୍ଘ ଦିନ ଧରି ଲାଗି ରହିବ।
ହିନ୍ଦୁୁ ଧର୍ମାବଲମ୍ବୀଙ୍କ ଶ୍ରେଷ୍ଠ ଆରାଧ୍ୟ ଦେବତା ତଥା ଜଗତର ନାଥ ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ଶ୍ରୀମନ୍ଦିରର ଦୈନନ୍ଦିନ ରୀତିନୀତି ଓ ଯୁଗଯୁଗ ଧରି ଚଳି ଆସିଥିବା ପରମ୍ପରାରେ ମଧ୍ୟ କେତେକ ପରିବର୍ତ୍ତନ ଆଣିବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିକଟରେ ପରାମର୍ଶ ଦେଇଛନ୍ତି। ଶ୍ରୀମନ୍ଦିରରେ ଆଜି ପର୍ଯ୍ୟନ୍ତ ଚଳିଆସୁଥିବା ବଂଶାନୁକ୍ରମିକ ସେବାପୂଜା ବ୍ୟବସ୍ଥାକୁ ବଦଳାଇବା, ସେବାୟତଙ୍କୁ ଦାନଦକ୍ଷିଣା ଉପରେ କଟକଣା ଲାଗୁ କରିବା, ସର୍ବୋପରି ମନ୍ଦିର ଭିତରକୁ ଅନ୍ୟ ଧର୍ମାବଲମ୍ବୀ ଲୋକଙ୍କ ପ୍ରବେଶକୁ ଅନୁମତି ଦେବାଲାଗି କୋର୍ଟ ଯେଉଁ ପରାମର୍ଶ ବା ନିର୍ଦେଶ ଦେଇଛନ୍ତି, ତାହା ଏଭଳି ବିବାଦୀୟ ଓ ସ୍ପର୍ଶକାତର ପ୍ରସଙ୍ଗ ଯେ ତାକୁ କାର୍ଯ୍ୟକାରୀ କରିବା ଯେକୌଣସି ସରକାର ପକ୍ଷରେ ଏକ ଦୁଃସାଧ୍ୟ ବ୍ୟାପାର ହୋଇପଡ଼ିବ। ବିଶେଷ କରି ଅନ୍ୟ ଧର୍ମାବଲମ୍ବୀଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ କରିବାକୁ ଅନୁମତି ପ୍ରଦାନ ନେଇ ନ୍ୟାୟାଳୟଙ୍କ ପରାମର୍ଶ ଗ୍ରହଣ କଲାବେଳେ ବହୁ ଜଟିଳତା ଦେଖାଦେବା ସୁନିଶ୍ଚିତ। ତେବେ ଦେଶର ନ୍ୟାୟିକ ବ୍ୟବସ୍ଥାର ମର୍ଯ୍ୟାଦା ବଜାୟ ରଖିବା ପ୍ରତ୍ୟେକ ନାଗରିକର କର୍ତ୍ତବ୍ୟ ଏବଂ ସେଥିପ୍ରତି ସମସ୍ତେ ସଜାଗ ରହିବା ଆବଶ୍ୟକ। ଦୀପାବଳିର ବାଣଫୁଟା ହେଉ କିମ୍ବା ଶବରୀମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ନେଇ ହେଉ, ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟକୁ ଅମାନ୍ୟ କରାଯିବା ଗଣତନ୍ତ୍ରର ଅନ୍ୟତମ ମୁଖ୍ୟ ସ୍ତମ୍ଭ ବିଚାର ବ୍ୟବସ୍ଥା ଓ ଶହଶହ ବର୍ଷର ପରମ୍ପରା ମଧ୍ୟରେ ବୃଦ୍ଧିପାଉଥିବା ପାର୍ଥକ୍ୟକୁୁ ଅଧିକ ସ୍ପଷ୍ଟ କରୁଛି।

Leave A Reply