ବିଜେପି ପାଇଁ ସତର୍କ ଘଣ୍ଟି

0

କର୍ଣ୍ଣାଟକରେ କଂଗ୍ରେସ ଓ ଜେଡି(ଏସ୍‌) ମେଣ୍ଟ କରିବା ପଛରେ ଯେଉଁ ଉଦ୍ଦେଶ୍ୟ ରହିଥିଲା, ତାହା ସଫଳ ହେବାପରି ମନେହେଉଛି। ସେଠାରେ ଅନୁଷ୍ଠିତ ଉପନିର୍ବାଚନରେ ଏହି ମେଣ୍ଟ ବିଜେପିକୁ ଜୋର୍‌ଦାର ଝଟ୍‌କା ଦେଇ ପାଞ୍ଚଟି ଲୋକସଭା ଓ ବିଧାନସଭା ଆସନ ମଧ୍ୟରୁ ଚାରିଟିରେ ବିଜୟ ଲାଭ କରିଛି। ଏହି ଉପନିର୍ବାଚନର ବିଜୟ ଶାସନ ଦୃଷ୍ଟିରୁ ନୁହେଁ, ବରଂ ନିଜର ଇଜ୍ଜତ ବଞ୍ଚାଇବା ଦୃଷ୍ଟିରୁ ବେଶ୍ ଗୁରୁତ୍ବପୂର୍ଣ୍ଣ ଥିଲା; କାରଣ ତିନିଟି ଯାକ ଲୋକସଭା ଆସନର କାର୍ଯ୍ୟକାଳ ମାତ୍ର ଛଅମାସ ପରେ ହିଁ ସମାପ୍ତ ହେବ। ତେବେ ୨୦୧୯ ସାଧାରଣ ନିର୍ବାଚନ ପାଇଁ ଏହି ଉପନିର୍ବାଚନ ବିଜେପି ପାଇଁ ସତର୍କଘଣ୍ଟି ବଜାଇଛି କହିଲେ ଅତ୍ୟୁକ୍ତି ହେବନାହିଁ; କାରଣ ବିଜେପିର ଦୁର୍ଗ ବୋଲି ଧରାଯାଉଥିବା ବେଲ୍ଲାରି ଆସନରେ କଂଗ୍ରେସର ଜଣେ ନବୀନ ନେତା ଭି.ଏସ୍. ଉଗ୍ରପ୍ପା ବିଜେପିର ଜେ. ଶାନ୍ତା (ପୂର୍ବତନ ସାଂସଦ ଏବଂ ଶ୍ରୀରାମୁଲୁଙ୍କ ଭଉଣୀ)ଙ୍କୁ ୨ ଲକ୍ଷରୁ ଅଧିକ ଭୋଟରେ ପରାଜିତ କରିଛନ୍ତି। କଂଗ୍ରେସ ଓ ଜେଡି(ଏସ)ର ପ୍ରାର୍ଥୀମାନେ ଅନ୍ୟ ଆସନଗୁଡ଼ିକରେ ମଧ୍ୟ ଉଲ୍ଲେଖନୀୟ ବ୍ୟବଧାନରେ ଜିଣିଛନ୍ତି। କେବଳ ସେତିକି ନୁହେଁ, ବିଜେପି ଯେଉଁ ଗୋଟିଏ ଶିମୋଗା ଲୋକସଭା ଆସନରେ ବିଜୟୀ ହୋଇଛି, ସେଠାରେ ମଧ୍ୟ ବିଜୟ ବ୍ୟବଧାନ ପୂର୍ବ ନିର୍ବାଚନଠାରୁ ବହୁତ କମ୍। ଏହାର ଅର୍ଥ ବୁଝିବା ଆଦୌ କଷ୍ଟକର ନୁହେଁ।
ଜେଡି(ଏସ୍‌) ଓ କଂଗ୍ରେସ ଏହି ବିଜୟରେ ଉତ୍ସାହିତ ହେବା ସ୍ବାଭାବିକ। ସେମାନେ ଘୋଷଣା କରିଛନ୍ତି ଯେ ଆଗାମୀ ସାଧାରଣ ନିର୍ବାଚନରେ ମଧ୍ୟ ଏକାଠି ବିଜେପି ବିରୋଧରେ ଲଢ଼ିବେ। ବିଜେପିର କଂଗ୍ରେସମୁକ୍ତ ଭାରତ ସ୍ଲୋଗାନ ଧୀରେଧୀରେ ଫିକା ପଡ଼ିଆସୁଥିବାରୁ କଂଗ୍ରେସ ବେଶ୍ ଉଲ୍ଲସିତ। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥାଟି ହେଲା ମେଣ୍ଟକୁ ଭୋଟରଙ୍କ ସମର୍ଥନ। ସାଧାରଣ ନିର୍ବାଚନ କମ୍ ଦିନ ଥିବାବେ​‌େ​‌ଳ ବିଜେପି ପାଇଁ ମେଣ୍ଟର ସମ୍ମୁଖୀନ ହେବା ସହଜ ହେବନାହିଁ ନିଶ୍ଚୟ।

Leave A Reply