କାରଣ ଦର୍ଶାଅ

0

ଆମ ଦେଶରେ ଶାସନ-ପ୍ରଶାସନର ଉଚ୍ଚ ପଦାଧିକାରୀମାନେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶକୁ ମଧ୍ୟ ଯେମିତି ବେଖାତିର କରିଚାଲିଛନ୍ତି, ତାହା କେବଳ ସାମ୍ବିଧାନିକ ସଙ୍କଟର କାରଣ ହେଉନାହିଁ, ଦେଶର ମଧ୍ୟ ଅଶେଷ କ୍ଷତି କରୁଛି। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ଠାରୁ ଆରମ୍ଭ କରି କେନ୍ଦ୍ର ସରକାର ପର୍ଯ୍ୟନ୍ତ ଏହି ଦୋଷରେ ଦୋଷୀ, ତାହା ଜାଣିଲେ ମନରେ କ୍ଷୋଭ ଆସୁଛି। କେନ୍ଦ୍ରୀୟ ସୂଚନା ଆୟୁକ୍ତ (ସିଆଇସି) ଏମ୍‌ ଶ୍ରୀଧର ଆଚାର୍ଯ୍ୟୁଲୁ ନଭେମ୍ବର ୨ ତାରିଖରେ ଯେଉଁ ନିର୍ଦେଶ ଦେଇଛନ୍ତି, ତାହା ଏହାର ଏକ ବଡ଼ ପ୍ରମାଣ। ସିଆଇସି କେବଳ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣରଙ୍କୁ କଡ଼ା ଶବ୍ଦରେ ନୋଟିସ୍ ଜାରି କରିନାହାନ୍ତି, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମ୍‌ଓ) ଓ ଅର୍ଥ ମନ୍ତ୍ରଣାଳୟକୁ ମଧ୍ୟ ନିଶାଣ କରିଛନ୍ତି। ଏହାର କାରଣ ମଧ୍ୟ ଆଦୌ ଅଯଥାର୍ଥ ନୁହେଁ। ସୁପ୍ରିମକୋର୍ଟଙ୍କ ଆଦେଶ ସତ୍ତ୍ବେ ଜାଣିଶୁଣି ଋଣ ପରିଶୋଧ କରୁନଥିବା ଲୋକ (ୱିଲ୍‌ଫୁଲ୍ ଡିଫଲ୍ଟର୍ସ)ଙ୍କ ତାଲିକା ଜାରି କରିନଥିବାରୁ ଆର୍‌ବିଆଇ ଗଭର୍ଣ୍ଣରଙ୍କୁ ସିଆଇସି ପଚାରିଛନ୍ତି ଯେ ତାଙ୍କ ଉପରେ କାହିଁକି ସର୍ବାଧିକ ଜୋରିମାନା କରାଯିବ ନାହିଁ। ତେବେ ଏହି ମାମଲାରେ କେବଳ ଗଭର୍ଣ୍ଣର୍ ଦୋଷୀ ନୁହନ୍ତି, ଶାସକବୃନ୍ଦ ମଧ୍ୟ ଦାୟୀ ବୋଲି ସେ ଚେତାଇ ଦେଇଛନ୍ତି।
ପ୍ରକୃତ କଥା ହେଲା ଗତ କେଇ ବର୍ଷ ଭିତରେ ବ୍ୟାଙ୍କଗୁଡ଼ିକର ଅନାଦାୟ ଋଣ ବା ଖରାପ ଋଣ ବୃଦ୍ଧି ଭୟଙ୍କର ରୂପ ଧାରଣ କରିଆସିଛି। ଏହା ସତ୍ତ୍ବେ ଆମ ବ୍ୟାଙ୍କିଙ୍ଗ୍ ସଂସ୍ଥା ଏ ନେଇ ସତର୍କତା ଅବଲମ୍ବନ କରିଛି ନା ଆମ ସରକାର ଏହାରି ଉପରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଖୋଦ୍ ଆର୍‌ବିଆଇ ସ୍ବୀକାର କରିଛି ଯେ ୨୦୧୭ ସେପ୍ଟେମ୍ବରରେ ଏହା ୧୦.୨ ଶତାଂଶ ଥିବାବେଳେ ୩୧ ମାର୍ଚ ୨୦୧୮ ବେଳକୁ ଏହା ବଢ଼ି ୧୧.୬ ଶତାଂଶରେ ପହଞ୍ଚିଯାଇଛି। ସଂସଦୀୟ କମିଟି ଯେତେବେଳେ ପୂର୍ବରୁ ଏହି ବୁଡ଼ିଯାଉଥିବା ଋଣ ସମସ୍ୟା ନେଇ ଆର୍‌ବିଆଇର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନଙ୍କୁ ପଚାରିଥିଲା, ସେତେବେଳେ ତାଙ୍କ ଉତ୍ତରରୁ ଜଣାପଡ଼ିଥିଲା ଯେ ସେ ଦେଶର ବଡ଼ବଡ଼ ଋଣ ଖିଲାପୀଙ୍କ ଏକ ତାଲିକା ପୂର୍ବରୁ ହିଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଦେଇସାରିଛନ୍ତି, ଯାହାର ତଦନ୍ତ ନିହାତି ଆବଶ୍ୟକ। ପରିତାପର ବିଷୟ ଯେ ଏହି ସୂଚନା ସାର୍ବଜନୀନ ହେବାପରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବା ଅର୍ଥ ମନ୍ତ୍ରଣାଳୟ ଉକ୍ତ ଋଣଖିଲାପୀଙ୍କ ବିରୋଧରେ କୌଣସି ପଦକ୍ଷେପ ଗ୍ରହଣ କରିନଥିଲେ। ଏପରିକି ସୂଚନା ଅଧିକାର ଆଇନ ବଳରେ ସୂଚନା ମଗାଯାଇଥିଲେ ହେଁ ସେତେବେଳେ ପିଏମ୍‌ଓ ସମେତ ଅନ୍ୟ ସମସ୍ତ ବିଭାଗ ଏହି ସୂଚନା ଜରୁରୀ ନୁହେଁ ବୋଲି ସୂଚନା ଲୁଚାଇବାକୁ ଉଚିତ ମଣିଥିଲେ।
ଏଥିରୁ ଜନସାଧାରଣଙ୍କ ମନରେ ଆଶଙ୍କା ଉପୁଜିବା ସ୍ବାଭାବିକ ଯେ ସରକାରଙ୍କ ବିଭିନ୍ନ ବିଭାଗ ଓ କେନ୍ଦ୍ରୀୟ ବ୍ୟାଙ୍କ କେବଳ ଏହି ବଡ଼ ଋଣଖିଲାପୀଙ୍କ ନାମ ଗୋପନ ରଖିନାହାନ୍ତି, ବରଂ ସେମାନଙ୍କୁ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନରୁ ମଧ୍ୟ ରକ୍ଷା କରିବାକୁ ସବୁମନ୍ତେ ଚେଷ୍ଟା କରିଆସିଛନ୍ତି। ଶ୍ରୀ ଆଚାର୍ଯ୍ୟୁଲୁ ଯଥାର୍ଥତଃ ଅର୍ଥ ମନ୍ତ୍ରଣାଳୟକୁ ପଚାରିଛନ୍ତି ଯେ ଯେଉଁ ଋଣଖିଲାପୀମାନେ ୫୦ କୋଟିରୁ ଅଧିକ ଟଙ୍କାର ଋଣ ନେଇ ପରିଶୋଧ କରିନାହାନ୍ତି, ସେମାନଙ୍କ ବିରୋଧରେ କ’ଣ ପଦକ୍ଷେପ ନିଆଯାଇଛି ବା ସେମାନେ କେତେ ଅର୍ଥ ପରିଶୋଧ କରିଛନ୍ତି ଅଥବା ସେମାନଙ୍କ ବିରୋଧରେ କ’ଣ ଆପରାଧିକ କାର୍ଯ୍ୟାନୁଷ୍ଠାନ କରାଯାଇଛି, ସେ ସମ୍ବନ୍ଧରେ ସର୍ବସାଧାରଣଙ୍କୁ କାହିଁକି ଅବଗତ କରାଇବା ଉଚିତ ନୁହେଁ। କହିବା ବାହୁଲ୍ୟ ଯେ ଏ ପ୍ରସଙ୍ଗରେ କେନ୍ଦ୍ରୀୟ ବ୍ୟାଙ୍କ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଅର୍ଥ ମନ୍ତ୍ରଣାଳୟ ପାଖରେ ଯଥାର୍ଥ ଉତ୍ତର ନଥିବ, କାରଣ ଏଥିରୁ ସେମାନଙ୍କର ଦୁର୍ବଳତା ଜଳଜଳ ହେଇ ଦିଶୁଛି। ଯଦି ଜନତାଙ୍କ ବିଶ୍ବାସ ଜିତିବାର ଅଛି, ତେବେ ଆଇନତଃ ନିଜକୁ ନିର୍ମଳ କରି ସାମ୍ନାକୁ ଆସିବା ଆବଶ୍ୟକ। ସିଆଇସି ନଭେମ୍ବର ୧୬ ସୁଦ୍ଧା ୧୦୦୦ କୋଟିରୁ ଅଧିକ ଋଣଖିଲାପୀଙ୍କ ତାଲିକା ପ୍ରଦାନ କରିବାକୁ ରିଜର୍ଭ ବ୍ୟାଙ୍କକୁ ନିର୍ଦେଶ ଦେଇଛନ୍ତି। ଅବିଳମ୍ବେ ଏହି ତାଲିକା ଆର୍‌ବିଆଇ ପ୍ରଦାନ କରୁ। କେବଳ ଋଣଖିଲାପୀଙ୍କ ନାମ ସାର୍ବଜନୀନ କଲେ ହେବନାହିଁ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ।

Leave A Reply