ବରିଷ୍ଠ ନାଗରିକଙ୍କ ସମସ୍ୟା ଓ ଆଇନଗତ ବ୍ୟବସ୍ଥା

0

ଚିତ୍ତରଞ୍ଜନ କାନୁନ୍‌ଗୋ

ଅାଇନଗତ ଦିଗକୁ ତର୍ଜମା କଲେ ଦେଖାଯାଏ ଯେ ପୂର୍ବରୁ ଫୌଜଦାରୀ କାର୍ଯ୍ୟବିଧି ଆଇନର ଧାରା ୧୨୫ ମୁତାବକ ଯେକୌଣସି ବୃଦ୍ଧ ପିତାମାତା ନିଜର ସନ୍ତାନସନ୍ତତିଙ୍କଠାରୁ ଭରଣପୋଷଣ ଦାବି କରିବାର ଅଧିକାର ଅଛି। ଏତଦ୍‌ ବ୍ୟତୀତ ହିନ୍ଦୁ ପୋଷ୍ୟ ଓ ଭରଣପୋଷଣ ଆଇନର ଧାରା- ୨୦ ଅନୁଯାୟୀ ବୃଦ୍ଧ ଓ ଅସହାୟ ପିତାମାତାମାନେ ନିଜର ସନ୍ତାନସନ୍ତତିଙ୍କଠାରୁ ଭରଣପୋଷଣ ଦାବି କରିପାରିବେ। କେତେକ ମୋକଦ୍ଦମା ବିଚାର ସମୟରେ ଉଚ୍ଚତମ ନ୍ୟାୟାଳୟ ଓ ଉଚ୍ଚନ୍ୟାୟାଳୟ ରୋଜଗାରକ୍ଷମ ବିଧବା ବୋହୂକୁ ସନ୍ତାନ ପର୍ଯ୍ୟାୟଭୁକ୍ତ କରିଛନ୍ତି। ୨୦୦୭ ମସିହାରେ ‘ମେଣ୍ଟେନାନ୍‌ସ ଆଣ୍ଡ୍‌ ​‌େ​‌ୱଲଫେୟାର ଅଫ ପ୍ୟାରେଣ୍ଟସ୍‌ ଅାଣ୍ଡ ସିନିଅର ସିଟିଜେନ୍‌ ଆକ୍ଟ’ ସାରା ଦେଶରେ ପ୍ରବର୍ତ୍ତନ କରାଯାଇଅଛି। ପୂର୍ବରୁ ଥିବା ଭରଣପୋଷଣ ଆଇନର କିଛି ତ୍ରୁଟିକୁ ନୂଆ ଆଇନରେ ସୁଧାରିବା ନିମନ୍ତେ ଯଥାସାଧ୍ୟ ପ୍ରଯତ୍ନ କରାଯାଇଅଛି। ଏଥିରେ କେବଳ ପିତାମାତା ନୁହନ୍ତି, ବରଂ ଜେଜେବାପା, ଜେଜେମାଆ ଓ ଅଜାଆଈ, ସ୍ଥଳ ବିଶେଷରେ ନିଜର ନାତିନାତୁଣୀମାନଙ୍କଠାରୁ ଭରଣପୋଷଣ ଦାବି କରିପାରିବେ। ଯେଉଁଠି ଜଣେ ବରିଷ୍ଠ ନାଗରିକଙ୍କର ପୁତ୍ରକନ୍ୟା କିମ୍ବା ନାତିନାତୁଣୀ ନଥିବେ, ସେ ନିଜର ସମ୍ପର୍କୀୟମାନଙ୍କଠାରୁ ମଧ୍ୟ ଭରଣପୋଷଣ ଦାବି କରିପାରିବେ। ‘ସମ୍ପର୍କୀୟ’ ଶବ୍ଦର ପରିଭାଷା ମଧ୍ୟରେ ସେହିମାନଙ୍କୁ ଅନ୍ତର୍ଭୁକ୍ତ କରାଯିବ ଯେଉଁମାନେ ବରିଷ୍ଠ ନାଗରିକଙ୍କ ମୃତ୍ୟୁ ପରେ ତାଙ୍କର ସମ୍ପତ୍ତିକୁ ଉତ୍ତରାଧିକାରୀ ସୂତ୍ରରେ ପାଇବାକୁ ହକଦାର ହେଉଥିବେ। ଜଣେ ବରିଷ୍ଠ ନାଗରିକଙ୍କର ବାର୍ଦ୍ଧକ୍ୟଜନିତ ସ୍ବାସ୍ଥ୍ୟାବସ୍ଥାକୁ ବିଚାରକୁ ନେଇ ଭରଣପୋଷଣ ଦରଖାସ୍ତ ତାଙ୍କ ତରଫରୁ ଯେକୌଣସି ବ୍ୟକ୍ତି କିମ୍ବା କୌଣସି ସଂସ୍ଥା ଦ୍ବାରା ଆଗତ କରିବା ନିମନ୍ତେ ନିୟମ ରହିଅଛି। ଦରଖାସ୍ତ ଗ୍ରହଣ କରିବା ମାତ୍ରକେ ବିଚାରାଳୟ ତତ୍କାଳ ମଧ୍ୟବର୍ତ୍ତୀକାଳୀନ ଭରଣପୋଷଣ ଆଦେଶ ଦେବାର ବ୍ୟବସ୍ଥା ଅଛି। ଏପରି ମଧ୍ୟବର୍ତ୍ତୀକାଳୀନ ଭରଣପୋଷଣ ସର୍ବାଧିକ ୯୦ଦିନ ମଧ୍ୟରେ ପ୍ରଦାନ କରିବା ନିମନ୍ତେ ଆଇନଗତ ବ୍ୟବସ୍ଥା ଅଛି। ଦରଖାସ୍ତ ବିଚାର ସମୟରେ ବିଚାରାଳୟ ମୁଖ୍ୟତଃ ତିନିଟି ବିଷୟକୁ ବିଚାରକୁ ନେବେ ସେଗୁଡ଼ିକ ହେଲା:-
୧- ବରିଷ୍ଠ ନାଗରିକଙ୍କର ସନ୍ତାନସନ୍ତତି କିମ୍ବା ସମ୍ପର୍କୀୟ ତାଙ୍କୁ ଉପଯୁକ୍ତ ଭରଣପୋଷଣ ଦେବାରେ ହେୟଜ୍ଞାନ କରିଅଛନ୍ତି କିମ୍ବା ଅସମ୍ମତି ପ୍ରକାଶ କରିଅଛନ୍ତି।
୨- ସଂପୃକ୍ତ ବରିଷ୍ଠ ନାଗରିକ ନିଜର ଭରଣପୋଷଣ କରିବାରେ ଅସମର୍ଥ ଅଟନ୍ତି।
୩- ବିଚାରାଳୟର ହୃଦ୍‌ବୋଧ ହୋଇଅଛି ଯେ ବରିଷ୍ଠ ନାଗରିକଙ୍କର ସନ୍ତାନସନ୍ତତି କିମ୍ବା ସମ୍ପର୍କୀୟ ତାଙ୍କୁ ଭରଣପୋଷଣ ପ୍ରଦାନ କରିବାରେ ଅବହେଳା କରିଛନ୍ତି କିମ୍ବା ମନା କରିଛନ୍ତି।
ବରିଷ୍ଠ ନାଗରିକଙ୍କର ଭରଣପୋଷଣ ମୋକଦ୍ଦମା ବିଚାର କରି ବିଚାରାଳୟ ସର୍ବାଧିକ ମାସିକ ୧୨,୦୦୦ଟଙ୍କା ପ୍ରଦାନ କରିବା ନିମନ୍ତେ ତାଙ୍କର ସନ୍ତାନସନ୍ତତି କିମ୍ବା ସମ୍ପର୍କୀୟମାନଙ୍କୁ ଆଦେଶ ଦେଇପାରିବେ। ଅବଶ୍ୟ ଏପରି ଆଦେଶକୁ ସବିଶେଷ ପ୍ରମାଣ ଆଧାରରେ ପୁନର୍ବିଚାର କରିବାର ଅଧିକାର ନ୍ୟାୟାଳୟର ରହିଅଛି।
ଯଦି ଜଣେ ବରିଷ୍ଠ ନାଗରିକ ନିଜର ସ୍ଥାବର କିମ୍ବା ଅସ୍ଥାବର ସମ୍ପତ୍ତି ଦତ୍ତପତ୍ର କିମ୍ବା ଅନ୍ୟ କୌଣସି ପ୍ରକାରେ କୌଣସି ବ୍ୟକ୍ତିଙ୍କୁ ହସ୍ତାନ୍ତର କରନ୍ତି ତେବେ ସମ୍ପତ୍ତି ପାଇଥିବା ଲୋକର କେତେକ ସର୍ତ୍ତ ମାନିବାର ଉତ୍ତରଦାୟିତ୍ବ ଆଇନ ଅନୁସାରେ ରହିଅଛି। ସେଗୁଡ଼ିକ ହେଲା- ସମ୍ପତ୍ତି ପାଇଥିବା ବ୍ୟକ୍ତି ଉକ୍ତ ବରିଷ୍ଠ ନାଗରିକଙ୍କୁ ସମସ୍ତ ପ୍ରକାର ମୌଳିକ ସୁବିଧା ଉପଲବ୍ଧ କରାଇବେ। ଯଦି ସେ ତାହା କରିବାରେ ଅସମର୍ଥ ହୁଅନ୍ତି ତେବେ ଉକ୍ତ ସମ୍ପତ୍ତି ହସ୍ତାନ୍ତରକୁ ଜବରଦସ୍ତ, ବେଆଇନ, ତଞ୍ଚକତାପୂର୍ଣ୍ଣ ଓ ଅସିଦ୍ଧ ବୋଲି ଗଣ୍ୟ କରାଯିବ। ନୂତନ ଆଇନର ବ୍ୟବସ୍ଥା ଅନୁସାରେ ବରିଷ୍ଠ ନାଗରିକ ନିଜର ସମ୍ପତ୍ତିକୁ ଗ୍ରହୀତାଙ୍କଠାରୁ ଫେରାଇ ଆଣିପାରିବେ।
ଉକ୍ତ ଆଇନ ଅନୁସାରେ ରାଜ୍ୟ ସରକାରଙ୍କର ଅନେକ ଗୁରୁଦାୟିତ୍ବ ରହିଅଛି। ଆଇନର ଉଚିତ କାର୍ଯ୍ୟକାରିତା ନିମନ୍ତେ ରାଜ୍ୟ ସରକାର ଅଧିନିୟମ ଆଣିବାର ବ୍ୟବସ୍ଥା ରହିଅଛି। ଏହାଛଡ଼ା ରାଜ୍ୟରେ ସର୍ବନିମ୍ନ ଗୋଟିଏ ବୃଦ୍ଧାଶ୍ରମ ସ୍ଥାପନ କରି ସେଥିରେ ଅତିକମ୍‌ରେ ୧୫୦ଜଣ ବରିଷ୍ଠ ନାଗରିକଙ୍କୁ ରଖି ସେମାନଙ୍କର ଖାଇବା ଓ ରହିବାର ସୁବନ୍ଦୋବସ୍ତ କରିବା ନିମନ୍ତେ ରାଜ୍ୟ ସରକାରଙ୍କୁ ବାଧ୍ୟତାମୂଳକ ଦାୟିତ୍ବ ଦିଆଯାଇଅଛି। ସେହିପରି ସମସ୍ତ ସରକାରୀ ଡାକ୍ତରଖାନାରେ ବରିଷ୍ଠ ନାଗରିକମାନଙ୍କୁ ଚିକିତ୍ସା ଓ ଠିକ୍‌ ସମୟରେ ଖଟିଆ (ବେଡ଼) ଯୋଗାଇଦେବା ନିମନ୍ତେ ନିର୍ଦେଶ ଦିଆଯାଇଛି।
ଡାକ୍ତରଖାନାରେ ବରିଷ୍ଠ ନାଗରିକଙ୍କ ପାଇଁ ଅଲଗା ଧାଡ଼ି ବ୍ୟବସ୍ଥା କରି ସେମାନଙ୍କୁ ଅଯଥା ଅଧିକ ସମୟ ଅପେକ୍ଷା କରାଇବାକୁ ନିବୃତ୍ତ କରାଯାଇଅଛି। ବରିଷ୍ଠ ନାଗରିକମାନଙ୍କର ସ୍ବାସ୍ଥ୍ୟ ସମସ୍ୟା ଓ ସେଗୁଡ଼ିକର ନିଦାନ ଓ ନିରାକରଣ ନିମ​‌େ​‌ନ୍ତ ଯଥୋଚିତ ଗବେଷଣା କରାଯିବା ପାଇଁ ଗୁରୁତ୍ବ ଦିଆଯାଇଛି। ଏହି ଆଇନକୁ ସୁଦୂର-ପ୍ରସାରୀ କରିବା ନିମନ୍ତେ ଟିଭି, ରେଡ଼ିଓ ଏବଂ ଖବରକାଗଜରେ ନିୟମିତ ବ୍ୟବଧାନରେ ସଚେତନତା ବାର୍ତ୍ତା ପ୍ରଚାର କରିବା ନିମନ୍ତେ ବ୍ୟବସ୍ଥା ଅଛି। ପୁଲିସ ଅଧିକାରୀ, ବିଚାର ବିଭାଗୀୟ ଅଧିକାରୀ ଏବଂ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଅଧିକାରୀଙ୍କୁ ଏ ବିଷୟରେ ସଚେତନ କରିବା ନିମନ୍ତେ ତାଲିମ ଦିଆଯିବା ପ୍ରତି ଗୁରୁତ୍ବ ଦିଆଯାଇଅଛି। ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ, ଯଥା ଆଇନ ବିଭାଗ, ଗୃହ ବିଭାଗ ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିଜନିଜ ମଧ୍ୟରେ ଉଚିତ ସମନ୍ବୟ ରକ୍ଷାକରି, ଯଥା ସମୟରେ ଏହାର ସମୀକ୍ଷା କରି ଉପଯୁକ୍ତ ପଦକ୍ଷେପ ନେବା ନିମନ୍ତେ ଏହି ଆଇନରେ ସୂଚାଇ ଦିଆଯାଇଅଛି। ଆଇନର ବ୍ୟବସ୍ଥା କେବଳ ବରିଷ୍ଠ ନାଗରିକମାନଙ୍କର ଦୁରବସ୍ଥାକୁ ସୁଧାରିବା ନିମନ୍ତେ ଯଥେଷ୍ଟ ନୁହେଁ। ଏ ଦିଗରେ ପ୍ରତ୍ୟେକ ସଚେତନ ନାଗରିକ ବିଶେଷ ଭାବରେ ସରକାରୀ କର୍ମଚାରୀ, ବିଚାର ବିଭାଗୀୟ ଅଧିକାରୀ ଏବଂ ପୁଲିସ ଅଧିକାରୀମାନେ ଆଗଭର ହୋଇ କାର୍ଯ୍ୟ ନକଲେ ଏହା କାର୍ଯ୍ୟକାରୀ ନହୋଇ କେବଳ କାଗଜରେ ରହିଯିବ।
ତେଣୁ ଏହି ଅବସରରେ ଆମେ ସମସ୍ତେ ଶପଥ ନେବା ଯେ ଆମ ଦେଶ ଓ ରାଜ୍ୟରେ ବରିଷ୍ଠ ନାଗରିକମାନଙ୍କର ସମସ୍ୟାଗୁଡ଼ିକୁ ସହୃଦୟତାର ସହିତ ଗ୍ରହଣ କରି ସାମାଜିକ ସ୍ତରରେ ଏବଂ ଆଇନ ଅନୁସାରେ ସେମାନଙ୍କ ପାଇଁ କିଛି କରିବା। ସେମାନଙ୍କ ମୁହଁରେ ଚେନାଏ ହସ ଆମ ସମସ୍ତଙ୍କୁ ନିଶ୍ଚୟ ଆତ୍ମତୃପ୍ତି ଦେବ।
ପବ୍ଲିକ ପ୍ରସିକ୍ୟୁଟର, ଓଡ଼ିଶା କ୍ରାଇମ୍‌ବ୍ରାଞ୍ଚ, କଟକ

Leave A Reply