ସଂଶୋଧିତ ମୃତ୍ୟୁଦଣ୍ଡ ଆଇନର ତ୍ରୁଟିବିଚ୍ୟୁତି

0
30

କସ୍ତୁରୀ ମହାପାତ୍ର

୨୦୧୮ ଏପ୍ରିଲରେ କେନ୍ଦ୍ରସରକାର ଆଣିଥିବା ନାବାଳିକା ବଳାତ୍କାରୀଙ୍କୁ ମୃତ୍ୟୁଦଣ୍ଡ ଦେବା ସମ୍ପର୍କିତ ଅାପରାଧିକ ଆଇନ ସଂଶୋଧନ ଅଧ୍ୟାଦେଶକୁ ସର୍ବସମ୍ମତି କ୍ରମେ ବାଚନିକ ଭୋଟରେ ସଂସଦରେ ଗୃହୀତ କରେଇ ନେଇ ଆଇନ ବଦଳାଇ ଦେଲେ। ଏହି ବିଧେୟକରେ ଭାରତୀୟ ଦଣ୍ଡ ସଂହିତା (ଆଇପିସି) ଆଇନ, ଭାରତୀୟ ସାକ୍ଷ୍ୟ ଅଧିନିୟମ ଆଇନ ୧୮୭୨, ଅପରାଧ ପ୍ରକ୍ରିୟା ସଂହିତା ଆଇନ ୧୯୭୩ ଏବଂ ଯୌନ ଅପରାଧରୁ ଶିଶୁଙ୍କୁ ସୁରକ୍ଷାଆଇନ ୨୦୧୨ରେ କେତୋଟି ନିୟମର ସଂଶୋଧନ କରାଗଲା।
ଆଇନର ପ୍ରମୁଖ ଦିଗଗୁଡିକ ହେଲା:
୧୨ ବର୍ଷରୁ କମ ବୟସ୍କ ମହିଳାଙ୍କ (ଆଇନରେ ଉଲ୍ଲେଖିତ ଶବ୍ଦ)ବଳାତ୍କାରୀକୁ ସର୍ବନିମ୍ନ ୨୦ ବର୍ଷ କାରାଦଣ୍ଡ ଅଥବା ଆଜୀବନ କାରାଦଣ୍ଡ ଓ ମୃତ୍ୟୁ ଦଣ୍ଡର ବ୍ୟବସ୍ଥା ଅଛି। ୧୨ ବର୍ଷରୁ କମ ବୟସର ମହିଳାଙ୍କ ଗଣବଳତ୍କାର ଘଟଣାରେ ସାବ୍ୟସ୍ତ ଦୋଷୀମାନଙ୍କୁ ମୃତ୍ୟୁପର୍ଯ୍ୟନ୍ତ କାରାଦଣ୍ଡ ବା ମୃତ୍ୟୁଦଣ୍ଡ ଦିଆଯାଇପାରିବ। ୧୬ ବର୍ଷରୁ କମ ବୟସର ମହିଳା ବଳାତ୍କାର ଘଟଣାରେ ଅପରାଧୀକୁ ୨୦ ବର୍ଷ କାରାଦଣ୍ଡର ବ୍ୟବସ୍ଥା ଅଛି।
ସଂଶୋଧିତ ଆଇନର ଆଉ ସବୁ ନୂଆ ନିୟମଗୁଡିକ ହେଲା:
ମାମଲାର ତଦନ୍ତ ୨ ମାସ ମଧ୍ୟରେ ଶେଷ ​‌େ​‌ହବ। ଶୁଣାଣି ମଧ୍ୟ ୨ ମାସରେ ଶେଷ ହେବ, ୬ ମାସ ମଧ୍ୟରେ ମାମଲାର ବିଚାର ଶେଷ ହେବ। ଏହାର ଅର୍ଥ ୬ ମାସ ମଧ୍ୟରେ ଦଣ୍ଡବିଧାନ କରାଯାଇ ପାରିବ। ୧୬ ବର୍ଷ ବୟସରୁ କମ ବୟସ୍କ ଝିଅ ସହିତ ବଳାତ୍କାର ବା ଗଣବଳାତ୍କାର କରିଥିବା ବ୍ୟକ୍ତିକୁ ବା ବ୍ୟକ୍ତିମାନଙ୍କୁ ଆଗୁଆ ଜାମିନ୍ ମିଳିବାର ବ୍ୟବସ୍ଥା ନାହିଁ। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କ ସାଙ୍ଗରେ ଆଲୋଚନା କରି ନୂଆ ଫାଷ୍ଟଟ୍ରାକ କୋର୍ଟ ସ୍ଥାପନ କରିବା ଏବଂ ସମସ୍ତ ପୁଲିସ ଥାନା ଓ ଡାକ୍ତରଖାନାକୁ ସ୍ବତନ୍ତ୍ର ଫୋରେନସିକ୍ କିଟ୍ସ ପ୍ରଦାନ କରିବାର ବ୍ୟବସ୍ଥା ଅଛି।
ତରବରିଆ ଭାବରେ ଯେପରି ଅଧ୍ୟାଦେଶ ଏବଂ ପରେ ଆଇନରେ ପରିବର୍ତ୍ତନ କରାଗଲା ସେଥିରେ ବହୁତଗୁଡିଏ ତ୍ରୁଟି ପରିଲିକ୍ଷିତ ହୁଏ ଯାହାକି ଶିଶୁ ଅଧିକାରର ଖୋଲାଖୋଲି ଭାବରେ ଉଲ୍ଲଙ୍ଘନ କରୁଛି।
ସଂଶୋଧିତ ଆଇନ ସବୁ ସମୟରେ ପ୍ରଗତିଶୀଳ ହବା କଥା ଏବଂ ଏଥିରେ ବ୍ୟବହୃତ ପରିଭାଷା, ଶବ୍ଦବିନ୍ୟାସ, ବାକ୍ୟବିନ୍ୟାସ ପ୍ରତି ସରକାର ନିହାତି ଯତ୍ନବାନ ​‌େ​‌ହବା ଆବଶ୍ୟକ।
୧) ସଂଶୋଧିତ ଆଇନରେ ଭୁଲ ଭାବରେ ବାକ୍ୟବିନ୍ୟାସ ବ୍ୟବହାର କରି ବିଭ୍ରାନ୍ତି ସୃଷ୍ଟି କରିଛନ୍ତି- “ଯେତେବେଳେ ଏକ ବା ଅଧିକ ଲୋକଙ୍କ ଦ୍ବାରା ୧୨ ବର୍ଷରୁ କମ ବୟସର ମହିଳା ବଳାତ୍କାରର ଶିକାର ହୁଅନ୍ତି”। ଗଣଧର୍ଷଣ କହିଲେ ଦୁଇ ବା ଅଧିକକୁ ବୁଝାଏ। ଏକ ବା ଅଧିକ ପରିବ​‌େ​‌ର୍ତ୍ତ ଦୁଇ ବା ଅଧିକ ହବା ଉଚିତ ।
୨)ସଂଶୋଧିତ ଆଇନରେ ୧୬ ବର୍ଷରୁ ଏବଂ ୧୨ ବର୍ଷରୁ କମ ଝିଅମାନଙ୍କୁ ମହିଳା ବୋଲି ବର୍ଣ୍ଣନା କରିବା ଦୁର୍ଭାଗ୍ୟଜନକ ଏବଂ ହାସ୍ୟାସ୍ପଦ ମଧ୍ୟ। ମନ୍ତ୍ରୀ ମହୋଦୟ ତାଙ୍କ ସରକାର ଯାହା ଲେଖିଛନ୍ତି ତାହା ଠିକ ବୋଲି ସାବ୍ୟସ୍ତ କରିବାକୁ ଯାଇ ସଂସଦରେ ଯୁକ୍ତି ବାଢିଲେ ଯେ ଭାରତୀୟ ଦଣ୍ଡ ସଂହିତାରେ ଉଲ୍ଲେଖ କରାଯାଇଛି “କୌଣସି ବୟସର ମହିଳା”, ତେଣୁ ୧୬ ବର୍ଷରୁ କମ ବା ୧୨ ବର୍ଷରୁ କମ ଝିଅ ନକହି ମହିଳା କହିଲେ କିଛି ଅସୁବିଧା ନାହିଁ। ତାଙ୍କ ଯୁକ୍ତି ଅନୁସାରେ ଯେହେତୁ ପ୍ରଧାନମନ୍ତ୍ରୀଙ୍କର ଏବଂ ତାଙ୍କ ସରକାରଙ୍କର ଅଭିପ୍ରାୟ ସ୍ବଚ୍ଛ, ତେଣୁ ଏ ଛୋଟଛୋଟ କଥାର ଆଲୋଚନା କରିବାର ଯଥାର୍ଥତା ନାହିଁ।
ଏ କି ପ୍ରକାର ଅବାସ୍ତବ ଏବଂ ବିତଣ୍ଡା ଯୁକ୍ତି। ଭୁଲକୁ ସୁଧାରିବେ କ’ଣ ଭୁଲ ବୋଲି ମାନିବାକୁ ତ ପ୍ରସ୍ତୁତ ନୁହନ୍ତି। ଯଦି ସବୁକିଛି ତାଙ୍କୁ ସୁହାଇଲା ଭଳି ବଦଳେଇ ପାରୁଛନ୍ତି ତା’ହେଲେ ଏ ପରିଭାଷାର ପରିବର୍ତ୍ତନ କାହିଁକି କରାଗଲାନି? ସରକାରଙ୍କର ପିଲାଙ୍କ ପ୍ରତି ଏ ପ୍ରକାର ଅପମାନଜନକ କଥା, ବେପରୁଆ ମନୋଭାବ କେବେ ବି ଗ୍ରହଣୀୟ ନୁହେଁ। ପିଲାମାନଙ୍କୁ, ସେ ପୁଅ ହୁଅନ୍ତୁ ବା ଝିଅ ହୁଅନ୍ତୁ ବା ତୃତୀୟଲିଙ୍ଗୀ ହୁଅନ୍ତୁ, ସେମାନଙ୍କୁ ସାମୂହିକ ଭାବରେ ଆଇନଗତ ସୁରକ୍ଷା ଦେବା ସରକାରଙ୍କର ଦାୟିତ୍ବ ଏବଂ କର୍ତ୍ତବ୍ୟ ।
୩) ଅର୍ଥଦଣ୍ଡର ପରିମାଣ ବିଷୟରେ ଆଇନ ଅସ୍ପଷ୍ଟ: ପୀଡିତାର ଚିକିତ୍ସା, ପୁନର୍ବାସ ବା ଥଇଥାନ ନିମନ୍ତେ ଯେତିକି ଅର୍ଥ ଆବଶ୍ୟକ, ତାହା ଜୋରିମାନା ଆକାରରେ ଆଦାୟ ହବ ଏବଂ ବିଚାରପତି ଜୋରିମାନା ପରିମାଣ ନିର୍ଣ୍ଣୟ କରିବେ।
୪) ଏ ଆଇନ ଲିଙ୍ଗ ନିରପେକ୍ଷ ନୁହେଁ: ସଂଶୋଧିତ ଆଇନର ବ୍ୟବସ୍ଥାରେ ଲିଙ୍ଗଭିତ୍ତିକ ସମାନତା ପରିଲକ୍ଷିତ ହୁଏ ନାହିଁ, ଯଦିଓ ସମ୍ବିଧାନର ୧୪ ଏବଂ ୧୬ ବ୍ୟବସ୍ଥା ଅନୁସାରେ ଆଇନ ସମ୍ମୁଖରେ ସମସ୍ତେ ସମାନ। ଏ ଆଇନ ୨୦୧୨ ମସିହାରେ ପ୍ରଣୀତ ଲିଙ୍ଗ ନିରପେକ୍ଷ ପୋକସୋ ଆଇନର ମୂଳ ଅର୍ଥ ଏବଂ ଭାବନାକୁ ଖଣ୍ଡନ କରୁଛି। ପୋକସୋ ଆଇନ ଏକ ଆଇନ ଯାହାର ମୁଖ୍ୟ ବୈଶିଷ୍ଟ୍ୟ ହେଲା ଶିଶୁ (ପୁଅ ଏବଂ ଝିଅ ଉଭୟେ) ଙ୍କ ଉପରେ ଘଟୁଥିବା ଯୌନବଳାତ୍କାର, ଯୌନଉତ୍ପୀଡ଼ନ, ଏବଂ ଅଶ୍ଳୀଳତାରୁ ସେମାନଙ୍କୁ ଆଇନଗତ ସୁରକ୍ଷା ଦେବା ।
ଏ ପ୍ରକାର ନିଷ୍ପତ୍ତି ପୁଅମାନଙ୍କ ସର୍ବୋତ୍ତମ ହିତର ପରିପନ୍ଥୀ ଏବଂ ଶିଶୁ ଅଧିକାରକୁ ସମ୍ପୂର୍ଣ୍ଣ ଭାବରେ ଉଲ୍ଲଙ୍ଘନ କରୁଛି। କି ପ୍ରକାର ରାଜନୈତିକ ବାଧ୍ୟବାଧକତାର ବଶବର୍ତ୍ତୀ ହୋଇ ସରକାର ପୁଅପିଲା ଏବଂ ଝିଅପିଲାମାନଙ୍କ ବଳାତ୍କାରୀଙ୍କ ଏକା ପ୍ରକାର ଦୋଷ ପାଇଁ ଦୁଇଟି ଆଇନରେ ଅଲଗାଅଲଗା ଦଣ୍ଡର ବ୍ୟବସ୍ଥା କଲେ ବୁଝି ହଉନି।
୫)ନାବାଳିକାଙ୍କ ବୟସ ଅନୁସାରେ ବର୍ଗୀକରଣ: ୧୨ ବର୍ଷରୁ କମ ଏବଂ ୧୨ ବର୍ଷରୁ ଅଧିକ ଝିଅପିଲାଙ୍କ ନିମନ୍ତେ ଅଲଗାଅଲଗା ବିଧି। ଏଇଠି ପ୍ରଶ୍ନ ଉଠେ ଯେ ୧୨ ବର୍ଷରୁ ଅଧିକ ବର୍ଷର ଝିଅ ପିଲା ମିଥ୍ୟା ମାମଲା ଦାୟର କରୁଛନ୍ତି କି? ୧୨ ବର୍ଷରୁ ଅଧିକ ବର୍ଷର ବଳାତ୍କାରର ଶିକାର ହେଉଥିବା ଝିଅମାନଙ୍କର ଶାରୀରିକ, ମାନସିକ ଯନ୍ତ୍ରଣା ଏବଂ ସମାଜ ବୋଳି ଦେଇଥିବା କାଳିମା ତଥା ଅନ୍ୟାନ୍ୟ ଉପୁଜୁଥିବା ଅଭାବନୀୟ ପରିସ୍ଥିତି କୌଣସି ଗୁଣରେ କିଛି କମ ହେଇଯାଏ କି? ୧୨ ବର୍ଷରୁ କମ ଝିଅ ଏବଂ ୧୨ ବର୍ଷରୁ ଅଧିକ ଝିଅମାନଙ୍କ ଭିତରେ ଏତେ ବିଭେଦ କେଉଁ ଶାସ୍ତ୍ର ଅନୁସାରେ କରିଛନ୍ତି?
୬)ମୃତ୍ୟୁ ଦଣ୍ଡାଦେଶ ଅପରାଧ ନିବାରକ ନୁହେଁ:ଭାରତବର୍ଷ ମୃତ୍ୟୁ ଦଣ୍ଡାଦେଶକୁ ଦେଶର ସର୍ବୋଚ୍ଚ ଦଣ୍ଡ ବିଧାନ ଭାବରେ ସ୍ବୀକୃତି ଦେଇଛି, କିନ୍ତୁ ଏହି ମୃତ୍ୟୁଦଣ୍ଡ ବ୍ୟବସ୍ଥା ସମ୍ବିଧାନର ୨୧(କ) ଧାରାରେ ଥିବା ମଣିଷଜୀବନର ମୌଳିକ ଅଧିକାରକୁ ସମ୍ପୂର୍ଣ୍ଣ ଉଲ୍ଲଙ୍ଘନ କରୁଛି। ନ୍ୟାୟାଳୟ ଯେଉଁ ଅପରାଧକୁ ବିରଳରୁ ବିରଳତମ ମାମଲା ଭାବରେ ବିବେଚନା କରିବେ, ସେ କ୍ଷେତ୍ରରେ ହିଁ ମୃତ୍ୟୁଦଣ୍ଡାଦେଶ ଦେବାର ବ୍ୟବସ୍ଥା ନ୍ୟାୟାଳୟମାନଙ୍କର ଅଛି । ମୃତ୍ୟୁଦଣ୍ଡ, ବଳାତ୍କାରଜନିତ ସାମାଜିକ ବ୍ୟାଧିର ଔଷଧ ନୁହେଁ। ମୃତ୍ୟୁଦଣ୍ଡ ଯୌନ ଅତ୍ୟାଚାର ବା ଅନ୍ୟ କୌଣସି ଅପରାଧରେ ଲିପ୍ତଥିବା ଅପରାଧୀକୁ ଅପରାଧରୁ କ୍ଷାନ୍ତ କରିନାହିଁ ବା କେବେ କେଉଁଠି ଏହା ଏକ ନିବାରକ କାମ କରିଛି ବୋଲି ସେମିତି କିଛି ପ୍ରମାଣ ନାହିଁ।
ନିମ୍ନ ଅଦାଲତରେ ମୃତ୍ୟୁଦଣ୍ଡାଦେଶ ପାଇ ସର୍ବୋଚ୍ଚ ନ୍ୟାୟାଳୟକୁ କେବଳ ୭ପ୍ରତିଶତ ଆସିଥାନ୍ତି। ଦିଲ୍ଲୀର ଲୋମହର୍ଷଣକାରୀ ଗଣବଳାତ୍କାର ଏବଂ ହତ୍ୟା ମାମଲାରେ ଅଭିଯୁକ୍ତମାନଙ୍କୁ ଭାରତୀୟ ଦଣ୍ଡ ସଂହିତାର ନିୟମ ଅନୁସାରେ ନ୍ୟାୟାଳୟ ମୃତ୍ୟୁଦଣ୍ଡର ଆଦେଶ ଦେଇଥିଲେ, ଆଇନର ସଂଶୋଧନ ସେ ସମୟରେ ହୋଇନଥିଲା। ୨୦୧୩ ମସିହାରେ ଗଠିତ ବର୍ମା କମିସନ ମୃତ୍ୟୁଦଣ୍ଡ ସପକ୍ଷରେ ସୁପାରିସ କରିନଥିଲେ,ଆଜୀବନ କାରାଦଣ୍ଡ ପାଇଁ ପ୍ରସ୍ତାବ ରଖିଥିଲେ। ୨୦୧୩ ମସିହାରେ ଅାପରାଧିକ ଆଇନକୁ ସଂଶୋଧନ କରି ଆହୁରି କଠୋର କରାଗଲା। ବଳାତ୍କାର ପରେ ପୀଡ଼ିତାର ଯଦି ମୃତ୍ୟୁ ହୁଏ ବା ସେ ଦୀର୍ଘଦିନ ଧରି ଅଚେତ ଅବସ୍ଥାରେ ରହେ ତା’ହେଲେ ବଳାତ୍କାରୀକୁ ମୃତ୍ୟୁଦଣ୍ଡ ଦିଆଯାଇପାରିବ। ୨୦୧୫ ମସିହାରେ ଲ’ କମିସନର ୨୬୨ତମ ରିପୋର୍ଟରେ ମୃତ୍ୟୁଦଣ୍ଡ ଉଚ୍ଛେଦ କରିବାକୁ ସରକାରଙ୍କୁ ମଧ୍ୟ ସୁପାରିସ କରିଥିଲେ।
ଭାରତବର୍ଷରେ ଅଭିଯୁକ୍ତକୁ ମୃତ୍ୟୁ ଦଣ୍ଡାଦେଶ ଦେଇ ତାକୁ କାର୍ଯ୍ୟକାରୀ କରିବା ବେଶ ସମୟସାପେକ୍ଷ ଏବଂ ଏତେ ସହଜ ନୁହେଁ। ଅଭିଯୁକ୍ତ ମୃତ୍ୟୁଦଣ୍ଡରୁ ରକ୍ଷା ପାଇବା ପାଇଁ ଶେଷ ଉଦ୍ୟମ ଜାରି ରଖିବ ଯାହାକି ଅପରିହାର୍ଯ୍ୟ। ଏହାର ଜ୍ବଳନ୍ତ ଉଦାହରଣ ନିର୍ଭୟା ଭଳି ଅତି ଜଘନ୍ୟ ଏବଂ ବହୁଚର୍ଚ୍ଚିତ ଘଟଣା, ଯେଉଁଥିରେ ଅଭିଯୁକ୍ତଙ୍କୁ ନ୍ୟାୟ ମିଳିବା ପାଇଁ ଦୀର୍ଘ ୬ ବର୍ଷ ଲାଗିଗଲା। ଅପରାଧୀଙ୍କୁ ମୃତ୍ୟୁଦଣ୍ଡର ଘୋଷଣା ପରେ ବି ଏହାର ସମାପ୍ତି ହେଇନି। ଗିରଫ ହୋଇଥିବା ୬ ଜଣଙ୍କ ମଧ୍ୟରୁ ଜଣେ ଜେଲରେ ୨୦୧୩ ମସିହାରେ ଆତ୍ମହତ୍ୟା କରିଥିଲା, ଜଣେ ନାବାଳକ ସୁଧାର ଗୃହରେ ୩ ବର୍ଷ ରହିବା ପରେ ୨୦୧୫ ମସିହାରେ ମୁକ୍ତ ହୋଇଥିଲା ଏବଂ ବାକି ୪ ଜଣ ଅଭିଯୁକ୍ତ ନିମ୍ନ ଅଦାଲତ ଏବଂ ଦିଲ୍ଲୀ ହାଇକୋର୍ଟ ଦ୍ବାରା ଦୋଷୀ ସାବ୍ୟସ୍ତ ହୋଇ ମୃତ୍ୟୁଦଣ୍ଡାଦେଶ ପାଇଥିଲେ। ଏବେ ଆଉ ଗୋଟିଏ ପାହାଚ ଅଭିଯୁକ୍ତମାନଙ୍କ ସମ୍ମୁଖରେ ଅଛି ଯେଉଁଥିରେ ସେମାନେ ରାଷ୍ଟ୍ରପତିଙ୍କୁ ରାଜକ୍ଷମା ପାଇଁ ଆବେଦନ କରି ପୁଣି କିଛିସମୟ ଗଡାଇ ଦେଇପାରିବେ।
ଖାଲି ନୂଆ ଆଇନ ଆଣି ବା ଆଇନରେ ସଂଶୋଧନ କରି ମୃତ୍ୟୁଦଣ୍ଡକୁ ଯୋଡିଦେଲେ ହବନି, ଏ ଭୟାନକ ସାମାଜିକ ବ୍ୟାଧିକୁ ରୋକିବାକୁ ହେଲେ ଊଦ୍ଦିଷ୍ଟ ଆଇନର ସଫଳ ରୂପାୟନ ହବା ଆବଶ୍ୟକ ଏବଂ ସେଥିପାଇଁ ଆଇନର କାର୍ଯ୍ୟକାରିତା ଉପରେ ବିଶେଷ ଧ୍ୟାନ ଦେବା ବିଧେୟ।

LEAVE A REPLY

Please enter your comment!
Please enter your name here