ନକ୍ସଲଙ୍କ ନୂଆ ବାଟ

0

ସାତକଡ଼ି ହୋତା

ନକ୍ସଲବାଦୀ ଆନ୍ଦୋଳନର ପଚାଶବର୍ଷ ଅତୀତ ହେଲାଣି। ନକ୍ସଲବାଦୀ ଆନ୍ଦୋଳନ ପଶ୍ଚିମବଙ୍ଗର ସିଲିଗୁଡ଼ି ଅଞ୍ଚଳରୁ ପ୍ରଥମେ ଆରମ୍ଭ ହୋଇଥିଲା ଚାରୁ ମଜୁମ୍‌ଦାର ଓ ଜଙ୍ଗଲ ସାନ୍ତାଳ ପ୍ରମୁଖଙ୍କ ଉଦ୍ୟମରୁ। ଦୀର୍ଘ ସମୟ ଧରି ନକ୍ସଲବାଦୀ ଆନ୍ଦୋଳନ ଚାଲିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ମାର୍କ୍ସବାଦର ସାମ୍ୟବାଦୀ ସମାଜ ପ୍ରତିଷ୍ଠା କରିବା ସମ୍ଭବ ହୋଇନାହିଁ। ୧୯୭୦ ପୂର୍ବରୁ ଚାରୁ ମଜୁମ୍‌ଦାରଙ୍କ ପ୍ରରୋଚନାରେ ସିଲିଗୁଡ଼ିର ଗ୍ରାମାଞ୍ଚଳରେ ସାମ୍ୟବାଦୀ ଆଦର୍ଶକୁ ଆଧାରକରି ଏଇ ଆନ୍ଦୋଳନ ଆରମ୍ଭ ହୋଇଥିଲା ଗ୍ରାମାଞ୍ଚଳରୁ ଚାଷୀ ମୂଲିଆ ଓ ଗରିବମାନଙ୍କୁ ଧନିକ ଶ୍ରେଣୀ ଲୋକମାନଙ୍କର ଶୋଷଣ ଓ କଷଣରୁ ଉଦ୍ଧାର କରିବା ପାଇଁ। ଷାଠିଏ ଓ ସତୁରି ଦଶକର ପ୍ରଥମାବସ୍ଥାରେ କଲିକତା ସହର ଓ ସହରତଳି ଅଞ୍ଚଳକୁ ନକ୍ସଲବାଦୀ- ସାମ୍ୟବାଦୀ ଆଦର୍ଶ ପ୍ରସାରିତ ହୋଇଥାଏ। ଏହା ପୂର୍ବରୁ ଆନ୍ଧ୍ରପ୍ରଦେଶର ଗ୍ରାମାଞ୍ଚଳରେ କୃଷକମାନେ ସ୍ବଚ୍ଛଳବର୍ଗଙ୍କ କଷଣ ଓ ଶୋଷଣ ସହ୍ୟ କରିନପାରି ସାମ୍ୟବାଦୀ ଆନ୍ଦୋଳନ କରୁଥାନ୍ତି, କିନ୍ତୁ ପଶ୍ଚିମବଙ୍ଗର କଲିକତା ଓ ଆଖପାଖର ଶିଳ୍ପାଞ୍ଚଳରେ ଚାରୁ ମଜୁମ୍‌ଦାରଙ୍କ ନେତୃତ୍ବରେ ସଂଗଠିତ ହୋଇଥିବା ସାମ୍ୟବାଦୀ ଆଦର୍ଶରେ ଅନୁପ୍ରାଣିତ ଚାଷୀମୂଲିଆ ଓ ସହରାଞ୍ଚଳର ଖଟିଖିଆ ଶ୍ରମିକମାନେ ଧନୀ ଓ ଶିଳ୍ପପତିମାନଙ୍କ କଷଣ ତଥା ଦାରିଦ୍ର୍ୟ ଓ ଉତ୍ପୀଡନରୁ ମୁକୁଳିବା ପାଇଁ ଆନ୍ଦୋଳନ କରୁଥାନ୍ତି।
ପ୍ରଥମରୁ ଗ୍ରାମାଞ୍ଚଳରୁ ମାର୍କ୍ସବାଦୀ ଆଦର୍ଶ ଦ୍ବାରା ଅନୁପ୍ରେରିତ ହୋଇ ଗ୍ରାମାଞ୍ଚଳ ଓ ଧୀରେଧୀରେ ସହରାଞ୍ଚଳରେ ଏଇ ଆନ୍ଦୋଳନ ଧନିକ ଓ ଶୋଷକ ଶ୍ରେଣୀ ବିରୋଧରେ ଆରମ୍ଭ ହୋଇଥିଲା, କିନ୍ତୁ ନକ୍ସଲବାଦୀ ଆନ୍ଦୋଳନ ଖୁବ୍‌ଶୀଘ୍ର ଗରିବ, ଖଟିଖିଆ ଚାଷୀମୂଲିଆଙ୍କୁ ନେଇ ମାର୍କ୍ସବାଦୀଙ୍କ ଦାରା ପ୍ରଭାବିତ ହୁଏ। ଗଙ୍ଗାନଦୀ କୂଳରେ ଶିବପୁର, ସାଲିମାର ଶିଳ୍ପାଞ୍ଚଳରେ ଗୋଟିଏ ଲାଲ ଦୋମହଲା ବଙ୍ଗଳାରେ ଆମେ ତିନିଜଣ ଅଫିସର ରହିଥାଉ। ମୋ ସ୍ତ୍ରୀ ଗୀତା ବଙ୍ଗଳାଭାଷା ଜାଣିଥିବାରୁ ତରୁଣ ନକ୍ସଲବାଦୀମାନେ ଗୀତାଙ୍କ ସହିତ ପ୍ରଥ​‌େ​‌ମ ସମ୍ପର୍କ ସ୍ଥାପନ କଲେ। ସେମାନେ ସାଧାରଣ ଲୋକଙ୍କୁ ଅନୁପ୍ରାଣିତ କରିବାପାଇଁ ପାଚେରି କାନ୍ଥରେ ଶୋଷକମାନଙ୍କୁ କିପରି ହତ୍ୟା କରିବାକୁ ହେବ ସେପରି ଚିତ୍ର ଓ ସ୍ଲୋଗାନ ଲେଖି ଜନସାଧାରଣଙ୍କ ଦୃଷ୍ଟିଆକର୍ଷଣ କରୁଥିଲେ। କାନ୍ଥରେ ଏସବୁ ଚିତ୍ର ଓ ଓ ସ୍ଲୋଗାନ ପଢ଼ି ମୋ ମନରେ ଉଦ୍‌ବେଗ ସୃଷ୍ଟି ହେଲା। ଦିନେ ଦୁଇଜଣ କୋଡ଼ିଏ ଏକୋଇଶି ବର୍ଷର ଯୁବକ ଆମ ବଙ୍ଗଳାକୁ ଆସି ଗୀତାଙ୍କ ମନରୁ ସଂଶୟ ଦୂର କରିବା ପାଇଁ ତାଙ୍କୁ ଆଶ୍ବାସନା ଦେଇ କହିଗଲେ- ‘ମାଉସୀ! ଆମେ ଆପଣଙ୍କୁ ଅଜଣା ଦୁଷ୍ଟ ଲୋକଙ୍କ ହାତରୁ ରକ୍ଷା କରିବୁ। କାନ୍ଥର ଚିତ୍ର ଦେଖି ଭୟ କରିବେ ନାହିଁ। ମଉସା ଭଲ ଲୋକ, କର୍ମଚାରୀମାନଙ୍କ ପ୍ରିୟ- ତେଣୁ ଆପଣମାନଙ୍କ ସହିତ ଆମର ଶତ୍ରୁତା ନାହିଁ, ବରଂ ଗରିବମାନଙ୍କୁ ଆପଣମାନେ ଆଶ୍ରୟ ଦିଅନ୍ତି ବୋଲି ଆପଣମାନେ ଆମର ନମସ୍ୟ।’ ଆମ ବଙ୍ଗଳାର ଅଳ୍ପ ଦୂରରେ ମାଲ୍‌ ଖଲାସ କରିବା ଜାଗା। ରାତିରେ କେବେ କେମିତି ତାଲା ଭାଙ୍ଗି ରେଲ ଡବାରୁ ସାମଗ୍ରୀ ଚୋରି କରନ୍ତି ଚୋରମାନେ। ଦିନେ ନକ୍ସଲବାଦୀ ଚାରିଜଣ ପିଲା ଆସି ଡବା ଭାଙ୍ଗୁଥିବା ଚୋରମାନଙ୍କୁ ଧରି ପୁଲିସ ହାତରେ ଦେଲେ ଏବଂ ତା’ପରେ ଆସି ଗୀତାଙ୍କୁ ସେକଥା କହିଲେ । ମୁଁ ସେ ଖବର ପାଇ ପିଲାମାନଙ୍କୁ ସାବାସି ଦେଲି । ସେମାନେ ଯେ ଦେଶଦ୍ରୋହୀ, ଏ ବିଷୟ ସେତେବେଳେ କହିବା ସମ୍ଭବ ନଥିଲା।
ଯୁବକମାନଙ୍କର ଭାବପ୍ରବଣତାକୁ ମନ୍ଥିବାକୁ କବିମାନେ ସେତେବେଳେ କବିତା ଲେଖୁଥିଲେ ସେମାନଙ୍କ ଅନ୍ତରରେ ଉଷ୍ମତା ସୃଷ୍ଟି କରିବା ପାଇଁ। ସେତେବେଳେ ଯେ ହିଂସା ନଥିଲା ତାହା ନୁହେଁ, କିନ୍ତୁ ନିରପରାଧ ସାଧାରଣଙ୍କୁ ସେମାନେ ନିଶାଣ କରୁନଥିଲେ। ସରକାରୀ ସଂପଦ ଲୁଟ କରୁଥିବା ବ୍ୟକ୍ତି ଏବଂ ସାମାଜିକ ସ୍ତରରେ ଅପରାଧ କରୁଥିବା ଲୋକଙ୍କୁ ସେମାନେ ଶାସ୍ତି ଦେଉଥିଲେ। ଆବଶ୍ୟକ ହେଲେ ହତ୍ୟା ମଧ୍ୟ କରୁଥିଲେ। ବର୍ତ୍ତମାନ ପରିସ୍ଥିତି ଅନେକ ବଦଳିଯାଇଛି। ରାଜନୀତି କରୁଥିବା ନେତାମାନେ ଯଦି ଜନସ୍ବାର୍ଥ ନଷ୍ଟ କରୁଥିଲେ ବା ନିରାପରାଧକୁ ଦଣ୍ଡ ଦେଉଥିଲେ ତେବେ ସେମାନଙ୍କୁ ନକ୍ସଲମାନେ ଶାସ୍ତି ଦେଉଥିଲେ। ସେମାନଙ୍କ ଦୃଷ୍ଟିରେ ଯେଉଁମାନେ ସମାଜର ଶତ୍ରୁ ସେମାନେ ନିରପରାଧ ଓ ଲାଞ୍ଛିତମାନଙ୍କର ମଧ୍ୟ ଶତ୍ରୁ। ସେମାନେ ଗ୍ରାମାଞ୍ଚଳରୁ ଆସି ସହରାଞ୍ଚଳରେ ଉତ୍ପୀଡ଼ିତ ଓ ନିଷ୍ପେଷିତମାନଙ୍କୁ ସ୍ବାର୍ଥପରମାନଙ୍କ ଯାତନାରୁ ରକ୍ଷା କରିବା ପାଇଁ ଆବଶ୍ୟକ ହେଲେ ହିଂସାର ଆଶ୍ରୟ ନେଉଥିଲେ, କିନ୍ତୁ ପଚାଶବର୍ଷ ମଧ୍ୟରେ ନକ୍ସଲମାନଙ୍କ ଚେହେରା ଯେପରି ବଦଳି ଯାଇଛି ସେମାନଙ୍କ ଉଦ୍ଦେଶ୍ୟ ଓ କାର୍ଯ୍ୟଶୈଳୀ ମଧ୍ୟ ସେହିପରି ବଦଳିଛି। ସାମାଜିକ ଜୀବନରେ ସରଳ ଓ ନିରପରାଧମାନଙ୍କୁ ନକ୍ସଲମାନେ ରକ୍ଷା କରିବାର ଦୃଷ୍ଟାନ୍ତ ମଧ୍ୟ ରହିଛି। ବେଳେବେଳେ ଯେ ଭୁଲ କରୁନଥିଲେ ଏହା ନୁହଁ। ଗ୍ରାମାଞ୍ଚଳରୁ ନକ୍ସଲବାଦର ଜନ୍ମ, କିନ୍ତୁ ସାଧାରଣ ଲୋକଙ୍କ ସ୍ବାର୍ଥ ରକ୍ଷା ନକରି ଯଦି ପଦପଦବୀରେ ଥାଇ ମଧ୍ୟ କର୍ତ୍ତବ୍ୟ ନକରି କର୍ମଚାରୀମାନେ ଲୋକଙ୍କୁ ପୀଡ଼ା ଦେଉଥିଲେ, ଲାଞ୍ଚ ନେଉଥିଲେ, ତେବେ ସେମାନଙ୍କୁ ଦଣ୍ଡ ଦେବା ଥିଲା ସେମାନଙ୍କର କର୍ତ୍ତବ୍ୟ। ଗଣତନ୍ତ୍ରରେ ଆଇନର ଶାସନ ଓ ସାମ୍ବିଧାନିକ ବ୍ୟବସ୍ଥା ପରିପକ୍ବ ନହେବା ପର୍ଯ୍ୟନ୍ତ ଶାନ୍ତି ମାର୍ଗରେ ସାଲିସ୍‌ <>” କାମ କରିବା ଦ୍ବାରା ଧନୀ ଓ ଅତ୍ୟାଚାରୀମାନଙ୍କୁ ସାବାଡ଼ କରି ହେବନାହିଁ ବୋଲି ସେମାନଙ୍କର ବିଶ୍ବାସ।
କଲିକତାରେ ଥିଲାବେଳେ ଦିନେ ଜଣେ ପଦସ୍ଥ ବନ୍ଧୁ ସୁ​‌େ​‌ରନ୍ଦ୍ର ନାଥ କର ଓ ଆଉ କେତେଜଣ ସହକର୍ମୀଙ୍କୁ ତାଙ୍କ ବାସଗୃହରେ ମଧ୍ୟାହ୍ନ ଭୋଜନ ପାଇଁ ଆମନ୍ତ୍ରଣ କରିଥିଲେ। ତାଙ୍କ ସ୍ତ୍ରୀ ପୂର୍ବରୁ ଚାଲିଯାଇଥିଲେ ମଧ୍ୟ ଆମକୁ ସେ କିପରି ଚର୍ଚ୍ଚା କରିବେ ଏଇ ଥିଲା ତାଙ୍କର ଚିନ୍ତା। କିନ୍ତୁ ତାଙ୍କ ଘରେ ଜଣେ ଓଡ଼ିଆ ଲୋକ ଏବଂ ତାଙ୍କ ସ୍ତ୍ରୀ ଘରକାମ, ରୋଷେଇ ଇତ୍ୟାଦି କରୁଥିଲେ ମଧ୍ୟ ସେମାନଙ୍କ ନମ୍ରତା ଓ ଭଦ୍ରତାର ପ୍ରଶଂସା କରୁଥିଲେ। ପ୍ରଥମେ ତାଙ୍କ ବଡ଼ପୁଅର କୋଠରି ପାଖକୁ ନେଇ କହିଲେ- ସେ ଜଣେ ମେଧାବୀ ଛାତ୍ର ଥିଲେ, କିନ୍ତୁ ମସ୍ତିଷ୍କ ବିକୃତି ଯୋଗୁଁ ତା ଜୀବନ ନିରର୍ଥକ ହୋଇଗଲା। ଏଇ ତାଲା ପଡ଼ିଥିବା କୋଠରି ଭିତରେ ସେ ସମୟ କଟାଏ। ତା’ର ସାନଭାଇ ଯାଦବପୁର ଇଞ୍ଜିନିୟରିଂ ବିଶ୍ବବିଦ୍ୟାଳୟର ଛାତ୍ର। ସେ ମଧ୍ୟ ମେଧାବୀ। ସେ ନକ୍ସଲବାଦୀଙ୍କ ଅାନ୍ଦୋଳନରେ ଯୋଗଦେବା ପରେ ତା’ର ଲକ୍ଷ୍ୟ ଓ ଆଦର୍ଶ ବଦଳି ଯାଇଛି। ତାକୁ ଜାତୀୟ ନିରାପତ୍ତା ଆଇନ ବଳରେ ଗିରଫ କରିଛନ୍ତି ସରକାର। ସେ ଜେଲଖାନାରେ ଅଛି। ଉଜ୍ବଳ ଭବିଷ୍ୟତ ବିସର୍ଜନ କରି ସେ ସମାଜରୁ ଅନ୍ୟାୟ, ଅତ୍ୟାଚାର, ଉତ୍ପୀଡ଼ନ, ଅସମାନତା ବିରୋଧରେ ଲଢ଼ିବା ପାଇଁ ନକ୍ସଲ ଆନ୍ଦୋଳନରେ ଯୋଗ ଦେଇଛି। ତା’ ମତରେ ଶାନ୍ତିପୂର୍ଣ୍ଣ ମାର୍ଗରେ ଯଦି ସାମ୍ୟବାଦୀ ସମାଜ ବ୍ୟବସ୍ଥା ଆସିବ ନାହିଁ, ସେଥିପାଇଁ ହିଂସା ମାର୍ଗ ଧରିବାକୁ ହେବ। ଆମ ସହିତ ଆଲୋଚନାବେଳେ ସୁରେନ୍ଦ୍ର ବାବୁ ମୋ​‌େ​‌ତ କହିଲେ ତାକୁ ଜେଲରୁ ମୁକୁଳାଇବା ପାଇଁ ଅନେକ ଚେଷ୍ଟା କରିଛି, କିନ୍ତୁ ପୁଅ ସହଯୋଗ କଲାନାହିଁ। ସେ ଯଦି ନକ୍ସଲ ଆନ୍ଦୋଳନରୁ ବାହାରି ଯିବ ବୋଲି ଲେଖିଦିଏ ତେବେ ସରକାର ଉପଯୁକ୍ତ ବ୍ୟବସ୍ଥା କରିବେ ବୋଲି ମୁଖ୍ୟମନ୍ତ୍ରୀ କହିବାପରେ ମୁଁ ତାକୁ ଏକଥା ଜଣାଇଥିଲି। ସେ ମୋ ପାଖକୁ ଲେଖିଥିବା ଚିଠିରେ କ’ଣ ଉତ୍ତର ଦେଇଛି ପଢ଼। ଏହା ପରେ ବଙ୍ଗଳା ଭାଷାରେ ଇନ୍‌ଲାଣ୍ଡ ଲେଟରରେ ପୁଅ ଲେଖିଥିବା ଚିଠିଟି ମୋ ହାତକୁ ବଢ଼ାଇ ଦେଲେ। ମୁଁ ଚିଠିଟି ଆମୂଳଚୂଳ ପଢ଼ିଗଲି ଏବଂ ସେଇ ଚିଠିରେ ପ୍ରକାଶିତ ପୁତ୍ରର ଦେଶପ୍ରୀତି, ସାମାଜିକ ଆଦର୍ଶ ଓ ମାନବିକତା ଇତ୍ୟାଦି ସମ୍ପର୍କରେ ସେ ଯାହା ଲେଖିଥିଲେ ତାହା ପଢ଼ିଲି। ସେ ଲେଖିଥିଲେ- ‘ବାପା, ଆପଣଙ୍କ ଚିଠି ପାଇଛି। କିନ୍ତୁ ମୁଚାଲିକା ଲେଖିଦେଲେ ସରକାର ଜେଲରୁ ଛାଡ଼ିଦେବେ, ଏଇ ପ୍ରତିଶ୍ରୁତି ଲେଖି ଦେଇପାରିବି ନାହିଁ। ମୋର ଦୁଃଖ ଯେ ମା’ ନଥିବାବେଳେ ପାଗଳ ଭାଇର ସବୁ ତତ୍ତ୍ବ ବୁଝିବା ପାଇଁ ମୁଁ ଆପଣଙ୍କୁ ସାହାଯ୍ୟ କରି ପାରିଲି ନାହିଁ। ବେଳେବେଳେ ଦେଶପ୍ରୀତି ଦାବିକରେ ସଂକଳ୍ପ ଓ ତ୍ୟାଗ। ପରିବାରର ସବୁ ଦୁଃଖରୁ ମୁଁ କିଛି ସାଉଁଟି ନନେଇ ଏତିକି କହୁଛି ଯେ ହଜାରହଜାର ଗରିବ, ନିଷ୍ପେଷିତ, ନିର୍ଯାତିତ ସାଧାରଣ ଲୋକଙ୍କ ସ୍ବାର୍ଥରକ୍ଷା ନକରି ମୁଁ ଜେଲରୁ ମୁକୁଳିବା ପାଇଁ ମୁଚାଲିକା ଲେଖିଦେବି, ଏହା ଅସମ୍ଭବ। ସାରା ଜୀବନ ମୁଁ ଜେଲରେ କଟାଇ ଦେବି, କିନ୍ତୁ ମୋର ସାମ୍ୟବାଦୀ ଆଦର୍ଶ ଓ ମାନବିକତା ତ୍ୟାଗ କରି ପାରିବି ନାହିଁ। ସାରା ଜୀବନ ଯଦି ଜେଲରେ କଟିଯାଏ ସେଥିପାଇଁ ମୁଁ ସବୁ ଦୁଃଖ ସହିନେବା ପାଇଁ ପ୍ରସ୍ତୁତ, କିନ୍ତୁ ଦେଶ ପ୍ରେମ ଜଳାଞ୍ଜଳି ଦେଇ ଜେଲ ବାହାରେ ସ୍ବାଧୀନ ଜୀବନଯାପନ କରିବି କେଉଁ ସ୍ବାର୍ଥରେ?’ ଚିଠି ପଢ଼ା ଶେଷ ହେଲା ବେଳକୁ ମୋ ଆଖି ଓଦା ହୋଇ ଆସୁଥିଲା।
ଷାଠିଏ ଓ ସତୁରି ଦଶକର ନକ୍ସଲ ଆନ୍ଦୋଳନର ସଂକଳ୍ପ ଓ ଲକ୍ଷ୍ୟରେ ଥିଲା ସାମ୍ୟବାଦୀ ଚେତନାର ଫଲ୍‌ଗୁଧାରା। ସାମ୍ବିଧାନିକ ଶାସନ ବ୍ୟବସ୍ଥାକୁ ହିଂସା ବଳରେ ଭାଙ୍ଗିବା ପାଇଁ ବିପ୍ଳବ କରିବା ଯେ ଦଣ୍ଡନୀୟ, ଏହା ଜାଣି ମଧ୍ୟ ସେତେବେଳେ ହଜାରହଜାର ଯୁବକ ଯୋଗ ଦେଇଥିଲେ, ନକ୍ସଲ ଆନ୍ଦୋଳନରେ, କିନ୍ତୁ ଏଇ ସଂକଳ୍ପ ଓ ଆଦର୍ଶର ମୌଳିକତା ପରବର୍ତ୍ତୀ ଅଧ୍ୟାୟରେ ବଦଳି ଯାଇଥିଲା। ଏଇ ସମୟରେ ପୂର୍ବ ଇଉରୋପ ଓ ରୁଷିଆର ମାର୍କ୍ସବାଦୀ ଶାସନର ପତନ ହେବା ସୁନିଶ୍ଚିତ ଜଣା ପଡ଼ୁଥିଲା। ରୁଷିଆର ରାଷ୍ଟ୍ରପତି ଗୋର୍ବାଚଭ ଗ୍ଲାସନସ୍ତ ଓ ପେରିସ୍ତୋଇକା ନୂଆମାର୍ଗ ବାହାର କରିଛି। ସାମ୍ୟବାଦୀ ଦେଶମାନେ ବଦଳି ଯାଉଛନ୍ତି। ନକ୍ସଲମାନଙ୍କ ହାବୁଡ଼ରେ ନ୍ୟସ୍ତସ୍ବାର୍ଥୀମାନେ ପଡ଼ିଲେ ସେମାନେ ହିଂସାର ଆଶ୍ରା ନେବା ସହିତ ପୁଲିସ ଓ ଶତ୍ରୁମାନଙ୍କୁ ଶାସ୍ତି ଦେବାପାଇଁ ସଂକଳ୍ପ କରନ୍ତି। ଘଞ୍ଚ ଅରଣ୍ୟରେ ସାଥିମାନଙ୍କୁ ଲଢ଼ିବାପାଇଁ ଶିକ୍ଷା ଦେବା ଓ ଶତ୍ରୁକୁ କାବୁ କରିବା ଦ୍ବାରା ସେମାନଙ୍କର ଜୀବନ ଶୈଳୀ ମଧ୍ୟ ବଦଳି ଯାଇଛି। ରଣକୌଶଳ ପରିବର୍ତ୍ତନ କରିବାପାଇଁ ଜଙ୍ଗଲ ଛାଡ଼ି ଜନବସତି ଓ ସହରାଞ୍ଚଳସହିତ ସେମାନଙ୍କ ସମ୍ପର୍କ ବୃଦ୍ଧି ପାଇଛି। ସେମାନଙ୍କ ସାମ୍ୟବାଦୀ ଜୀବନଦର୍ଶନ ଦ୍ବାରା ଯେଉଁ କବି, ଡାକ୍ତର, କଳାକାର, ଲେଖକ, ଉଚ୍ଚଶିକ୍ଷିତଙ୍କ ସମ୍ପର୍କରେ ଆସିବାପରେ ସେମାନଙ୍କ ମନରେ ଦେଶପ୍ରୀତିର ଉଲ୍ଲାସ ଉଠିଲା ତା ସହିତ ଏଥିପାଇଁ ଯନ୍ତ୍ରଣା ସହ୍ୟ କରିବାର ଶପଥ ଓ ନିଃସ୍ବାର୍ଥପରତା ଜଡ଼ିତ ଥିଲା। ନକ୍ସଲମାନଙ୍କ ସାମାଜିକ ଜୀବନକୁ ସାମାନ୍ୟ ସରସତା ଦବାପାଇଁ ବୁଦ୍ଧିଜୀବୀମାନଙ୍କ ଅବଦାନ କିଛି ଉଣାନୁହେଁ।
ସହରାଞ୍ଚଳରେ ବାସ କରୁଥିବା ନକ୍ସଲମାନେ ଧୀରେଧୀରେ ସହରୀ ଜୀବନର ସ୍ବାଦ ଅନୁଭବ କରୁଥିବାରୁ ସେମାନଙ୍କର ଲଢ଼ୁଆ ଶକ୍ତି ଓ ଶୈଳୀରେ ପରିବର୍ତ୍ତନ ହେଉଛି, କିନ୍ତୁ ଦେଶପ୍ରେମ ଯେ ଶିଥିଳ ହୋଇନାହିଁ, ଏହା ଓଡ଼ିଶାର ନକ୍ସଲ ପ୍ରପୀଡ଼ିତ ଅଞ୍ଚଳରୁ ଧରାପଡ଼ିଥିବା କମ୍ରେଡମାନଙ୍କ ଜୀବନଚର୍ଯ୍ୟାରୁ ଜଣାପଡ଼ୁଛି। ସେଥିପାଇଁ ବେଳେବେଳେ ସେମାନଙ୍କ ମନରେ ପ୍ରଶ୍ନ ଉଠୁଛି ସତରେ କ’ଣ ସେମାନଙ୍କ ମାର୍ଗ ଠିକ୍‌ ଏବଂ ଗଣତାନ୍ତ୍ରିକ ସାମ୍ୟବାଦୀ ମାର୍ଗ ଭୁଲ୍? ସାମ୍ୟବାଦ ସହିତ ଗଣତନ୍ତ୍ର ଶାସନକୁ ଗ୍ରହଣ କରି ମୁଖ୍ୟ ପ୍ରବାହରେ ରହି ଦାବି ହାସଲ କରିବା ପାଇଁ ବାଟ ପ୍ରସ୍ତୁତ କଲେ କ୍ଷତି କ’ଣ? ନକ୍ସଲମାନଙ୍କ ପାଇଁ ବୁଦ୍ଧିଜୀବୀ ସମର୍ଥକମାନେ ବୋଧହୁଏ ଏଇ ବାଟରେ ଅଗ୍ରଗତି କରିବାପାଇଁ ମାନସିକ ପ୍ରସ୍ତୁତି କରି ସାରିଲେଣି।

Leave A Reply