ଏବେ ରିଲିଫ ଓ ଥଇଥାନ

0

ଶକ୍ତିଶାଳୀ ସାମୁଦ୍ରିକ ବାତ୍ୟା ସ୍ଥଳଭାଗରେ ପ୍ରବେଶ କରିବା ପରେ ଯେଉଁ ବିଭୀଷିକା ସୃଷ୍ଟିକରେ ତିତ୍‌ଲି ଏଥର ଠିକ୍‌ ସେୟା କରିଛି। ଆନ୍ଧ୍ରରେ ଦୁଇଟି ଜିଲା ସମେତ ଦକ୍ଷିଣ ଓଡ଼ିଶାରେ ଏହା ତାଣ୍ଡବ ସୃଷ୍ଟି କରିଛି। ପବନ ଓ ସାମୁଦ୍ରିକ ଜୁଆର ଦାଉରୁ ଲୋକଙ୍କୁ ରକ୍ଷା କରିବା ପାଇଁ ଓଡ଼ିଶା ସରକାର ତିନିଲକ୍ଷରୁ ଅଧିକ ଲୋକଙ୍କୁ ତଳିଆ ଅଞ୍ଚଳରୁ ଆଗୁଆ ସ୍ଥାନାନ୍ତରିତ କରି ନିରାପଦ ସ୍ଥାନରେ ରଖିଥିବାରୁ ଜୀବନହାନିକୁ ଏଡ଼ାଇବାରେ ସଫଳ ହୋଇଛନ୍ତି ସତ, ବାତ୍ୟା ପରବର୍ତ୍ତୀ ସମ୍ଭାବ୍ୟ ବନ୍ୟାର ମୁକାବିଲା କ୍ଷେତ୍ରରେ ପ୍ରାକ୍‌ ପ୍ରସ୍ତୁତି ଯେ ଯଥେଷ୍ଟ ନଥିଲା ତାହା ଏବେ ସ୍ପଷ୍ଟ ହୋଇଯାଇଛି। ମୁଖ୍ୟଶାସନ ସଚିବ ଗଣମାଧ୍ୟମକୁ କହିଛନ୍ତି ଯେ ତିତଲିର ଗତିପଥ ପରିବର୍ତ୍ତନ ଯୋଗୁଁ ପରିସ୍ଥିତିର ମୁକାବିଲା ଉଚିତ ଭାବେ କରାଯାଇ ପାରିଲା ନାହିଁ। ସାମୁଦ୍ରିକ ବାତ୍ୟା ଯୋଗୁଁ ପ୍ରବଳରୁ ଅତି ପ୍ରବଳ ବର୍ଷାସହ ବନ୍ୟା ଆସି ବ୍ୟାପକ ଅଞ୍ଚଳରେ ପ୍ଲାବନ ଘଟାଇଥାଏ। ଏକଥା ଯେ ସରକାର ଜାଣି ନଥିବେ ତାହା ନୁହେଁ। ବୋଧହୁଏ ସରକାରୀ ଅନୁମାନଠାରୁ ତିତଲିର ପ୍ରକୋପ ଅଧିକ ବଳଶାଳୀ ପ୍ରମାଣିତ ହୋଇଛି। ଏହା ଗତିପଥ ପରିବର୍ତ୍ତନ କରିବ ବୋଲି ମଧ୍ୟ ପାଣିପାଗ ବିଭାଗ ବାରମ୍ବାର ସୂଚନା ଦେଉଥିଲା।
ଏହି ବାତ୍ୟାଯୋଗୁଁ ଗଞ୍ଜାମ ଓ ଗଜପତି ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଏବଂ ରାଜ୍ୟର ଦକ୍ଷିଣ ଭାଗସହ ସମଗ୍ର ଉପକୂଳରେ ଜଳପ୍ଲାବନ ପରିସ୍ଥିତି ସୃଷ୍ଟି ହୋଇଛି। ପବନଠାରୁ ଲୋକେ ବନ୍ୟା ଓ ବର୍ଷାଯୋଗୁଁ ଅଧିକ କ୍ଷତିଗ୍ରସ୍ତ ​‌େ​ହ‌ାଇଛନ୍ତି। ତେଣୁ ବିଶେଷ କ୍ଷତିଗ୍ରସ୍ତଙ୍କୁ ଆବଶ୍ୟକ ରିଲିଫ ଯୋଗାଣ ଓ ଥଇଥାନ ବ୍ୟବସ୍ଥା କରିବା ସବୁଠୁ ବଡ଼ ଆହ୍ବାନ। ଅବଶ୍ୟ ରିଲିଫ ଶିବିରମାନଙ୍କରେ ରନ୍ଧାଖାଦ୍ୟ ଯୋଗାଣ ସହ ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଆରମ୍ଭ ହୋଇଛି। ଏହା ସତ୍ତ୍ବେ ଯୋଗାଯୋଗ ବିଚ୍ଛିନ୍ନ କାରଣରୁ ପ୍ରଶାସନ ଓ ସାହାଯ୍ୟକାରୀ ଦଳ ତୁରନ୍ତ ପହଞ୍ଚିବା ସମ୍ଭବ ନୁହେଁ। ବାତ୍ୟା, ବନ୍ୟାଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହା ଏକ ସାଧାରଣ କଥା। ତେଣୁ ଅପହଞ୍ଚ ଇଲାକାରେ ଥିବା ବହୁ ବିପନ୍ନ ଅସୁବିଧାରେ ରହିଥିବେ। ଆକାଶମାର୍ଗରୁ ଖାଦ୍ୟ ଯୋଗାଣ ଦ୍ବାରା ମଧ୍ୟ ସେମାନଙ୍କ ମଧ୍ୟରୁ ସମସ୍ତେ ଉପକୃତ ହେବା ସମ୍ଭାବନା କ୍ଷୀଣ। ତଥାପି ଏ କ୍ଷେତ୍ରରେ ଆବଶ୍ୟକ ପଡ଼ିଲେ ବାୟୁସେନାର ସହାୟତା ନିଆଯାଉ।
ରିଲିଫ ଓ ଥଇଥାନ କାର୍ଯ୍ୟରେ କେବଳ ସରକାରୀ ଅଧିକାରୀ ଓ କର୍ମଚାରୀ ସବୁ ଗାଁରେ ତୁରନ୍ତ ପହଞ୍ଚିବା ମଧ୍ୟ ସମ୍ଭବ ନୁହେଁ। ଗୋଟିଏ ବ୍ଲକର ୫୦ଟି ଗାଁ ଯଦି କ୍ଷତିଗ୍ରସ୍ତ ହୋଇଥାଏ ସେ ବ୍ଲକର ମୋଟ କର୍ମଚାରୀଙ୍କ ସଂଖ୍ୟା ତା’ଠାରୁ କମ୍‌। ତେଣୁ ଏଭଳି ପରିସ୍ଥିତିରେ ସ୍ଥାନୀୟ ଲୋକପ୍ରତିନିଧି, ୱାର୍ଡମେମ୍ବର, ସରପଞ୍ଚ, ରାଜନୈତିକ ନେତା ଓ ମୁଖିଆଙ୍କ ମାଧ୍ୟମରେ ପ୍ରାରମ୍ଭିକ ରିଲିଫ୍‌ ଯୋଗାଣ ସହଜ ହେବ। ଏଥିରେ ଗ୍ରାମର ଯୁବକ ଓ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାଙ୍କୁ ସାମିଲ କଲେ ପରିସ୍ଥିତି ନିୟନ୍ତ୍ରଣରେ ରହିବ। ପ୍ରାକୃତିକ ବିପତ୍ତି ସମୟରେ ପରସ୍ପରକୁ ସାହାଯ୍ୟ କରିବାର ମହାନ ପରମ୍ପରା ଏବେ ମଧ୍ୟ ରହିଛି। ଏହି ଦୁଃସମୟରେ ପାର୍ଟି ପଲିଟିକ୍ସ ଭୁଲି ସମସ୍ତେ ସହଯୋଗ କରିବାକୁ ଆଗେଇ ଆସିବା ଦରକାର।
ବାତ୍ୟାଯୋଗୁଁ ମୋବାଇଲ ଯୋଗାଯୋଗ ବିଶେଷ ବ୍ୟାହତ ହୋଇନାହିଁ, ଅନେକ କୋଠାଘର ଗାଁ ଗହଳିରେ ରହିଛି। ଯେଉଁ ସମ୍ବଳବାନ ଲୋକେ ବିଶେଷ କ୍ଷତିଗ୍ରସ୍ତ ହୋଇନାହାନ୍ତି ସେମାନେ ନିଜ ଗାଁରେ ବିପନ୍ନଙ୍କୁ ସହାୟତା କରିବାକୁ ଯେ ଇତି ମଧ୍ୟରେ ଆଗେଇ ଆସିଥିବେ ସେ ବିଶ୍ବାସ ଆମର ରହିଛି। ବଡ଼କଥା ହେଉଛି ସରକାର ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ରାଜନୀତିରୁ ଊର୍ଦ୍ଧ୍ବରେ ରହି ସମସ୍ତଙ୍କ ସହଯୋଗ ଲୋଡ଼ନ୍ତୁ। ସବୁ ରାଜନୈତିକ ଦଳର ମୁଖିଆମାନେ ନିଜନିଜ କର୍ମୀଙ୍କୁ କ୍ଷତିଗ୍ରସ୍ତ ଗ୍ରାମରେ ବ୍ୟକ୍ତିଗତ ଭାବେ ରିଲିଫ ଓ ସାହାଯ୍ୟ କାର୍ଯ୍ୟ ଆରମ୍ଭ କରିବାକୁ କହନ୍ତୁ। ଏବେ ଆକ୍ଷେପ, ପ୍ରତିଆକ୍ଷେପ, ଅହଂ ଦେଖାଇବାର ସମୟ ନୁହେଁ। ସତକଥା ହେଲା ପ୍ରଳୟଙ୍କରୀ ପ୍ରାକୃତିକ ବିପତ୍ତିର ଭୟାବହତା କେତେ ତାହା ଓଡ଼ିଶା ୧୯୯୯ରେ ଦେଖିଛି। ବିଫଳତା ପାଇଁ ଗୋଟିଏ ସରକାର ମଧ୍ୟ ପରବର୍ତ୍ତୀ ନିର୍ବାଚନରେ କ୍ଷମତାଚ୍ୟୁତ ହେଲା। ଏଭଳି ବିତ୍ପାତରେ କ୍ଷୟକ୍ଷତିର ଆକାର ଓ ପରିସର ଏତେ ଭୟଙ୍କର ତଥା ବ୍ୟାପକ ଯେ ସରକାରୀ କଳ ବଳ ତା’ପାଖରେ ତୁଚ୍ଛ ହୋଇପଡ଼େ। ଯଦି କେହି ଭାବୁଥାଏ ଫାଇଲିନ୍‌ ଓ ହୁଦ୍‌ହୁଦ୍‌ ଭଳି ସରକାର ତିତ୍‌ଲିର ମୁକାବିଲା ସହଜରେ କରିଦେବେ ତେବେ ତାହା ଆତ୍ମଘାତୀ ହେବ। ଏଥର ପ୍ରକୃତି ଆମ ପାଇଁ ଯେଉଁ ଆହ୍ବାନ ଆଣିିଛି ଆସନ୍ତୁ ମିଳିମିଶି ତାହାର ମୁକାବିଲା କରିବା। ଏବେ ରାଜନୀତି ନୁହେଁ, ବିପନ୍ନଙ୍କ ମୁହଁରେ ତୁରନ୍ତ ଦାନା ଦେଇ ସେମାନଙ୍କୁ ମୁଣ୍ଡ ଗୁଞ୍ଜିବାକୁ ଆଶ୍ରୟ ଦେବା ପ୍ରଥମ କାମ।
ଏକଥା ସତ ଯେ ସରକାରୀ ରିଲିଫ୍‌ ସହିତ ଦୁର୍ନୀତି, ବାଟମାରଣା, ପ୍ରିୟାପ୍ରୀତି ତୋଷଣ ଓ ହେର୍‌ଫେର୍‌ ଆଦି କଥା ଜଡ଼ିତ ଥାଏ। ଏଥିରୁ ଅନେକ ଚତୁର ଲୋକ ଫାଇଦା ଉଠାନ୍ତି। ଏହା ପଛରେ ରାଜନୀତି ରହେ। ତେଣୁ ରିଲିଫ ଓ ଥଇଥାନ କାର୍ଯ୍ୟ ଯେପରି ତ୍ରୁଟିଶୂନ୍ୟ ହୁଏ ସରକାର ତା’ ଉପରେ ସତର୍କ ଦୃଷ୍ଟି ରଖନ୍ତୁ।

Leave A Reply