ଧର୍ମ, ଆଧ୍ୟାତ୍ମିକତା ଏବଂ ସ୍ବଧର୍ମ: ସଂହତି ଓ ବୈଷମ୍ୟ

0

ପ୍ରଶ୍ନ : ଧର୍ମ ଏବଂ ଆଧ୍ୟାତ୍ମିକତା ଭିତରେ ସମ୍ପର୍କ କ’ଣ ?
– କିରଣ କୁମାର ପୃଷ୍ଟି, ନିମାପଡ଼ା, ପୁରୀ
ଉତ୍ତର: ପ୍ରଥମେ ଆଧ୍ୟାତ୍ମିକତା କଥା: ଆମ ମନ ଏବଂ ପ୍ରାଣ ତଥା ଏ ଦୁଇ ବିଭବର ନାନାଦି ଗୁଣ, ଯଥା ବୁଦ୍ଧି, ବିବେକ, ଧୀ, ବିଦ୍ୟା, ଜ୍ଞାନ, ଆବେଗ, ପ୍ରବେଗ, ଉଚ୍ଚାଭିଳାଷ, ଦୟା, କରୁଣା, ତ୍ୟାଗଶୀଳତା ଓ ଅନ୍ୟାନ୍ୟ ଆଦର୍ଶ ଅତିକ୍ରମ କରି ଆହୁରି ଗଭୀରରେ ବିଦ୍ୟମାନ ଆମର ଆତ୍ମା। ତାହା ଏକ ଅପରିସୀମ ବାସ୍ତବତା, ଉପରୋକ୍ତ ସମସ୍ତ ଗୁଣର ଆଧାର ହେବା ସତ୍ତ୍ୱେ ନିର୍ଗୁଣ; ପୁଣି ପ୍ରକୃତ ଆନନ୍ଦ, ପ୍ରଜ୍ଞା, ଅମରତ୍ବବୋଧର ଅଧିକାରୀ ଭାବରେ ସଗୁଣ ମଧ୍ୟ; ଅର୍ଥାତ୍ ସେ ମୁକ୍ତ। ଗୁଣ ବା ନିର୍ଗୁଣର ସଂଜ୍ଞାର ଊର୍ଦ୍ଧ୍ୱରେ। ତାହା ହିଁ ଆମର ଯଥାର୍ଥ ସତ୍ତା। ତାହା ହିଁ ହେବ ଆମ ପୁନର୍ଜନ୍ମର ଆଧାର।
ଏମନ୍ତ ଯେଉଁ ଆତ୍ମା, ତାହାର ସନ୍ଧାନରେ ବ୍ରତୀ, ଅଥବା ତାହାର ଇସାରାରେ ଅନ୍ତର୍ମୁଖୀ ଯେ କୌଣସି ବ୍ୟକ୍ତି ଆଧ୍ୟାତ୍ମିକ ପଥର ଯାତ୍ରୀ। ସେ ସାଧାରଣ ଅର୍ଥରେ ଧାର୍ମିକ ନ ହୋଇପାରେ। ଧର୍ମାନୁମୋଦିତ ନୀତିନିୟମ ଅନେକ ସମୟରେ ବନ୍ଧନ; ଆଧ୍ୟାତ୍ମିକ ପଥର ପଥିକ ସେ ବନ୍ଧନ ସ୍ୱୀକାର କରେନା, କିନ୍ତୁ ସେ ସତ୍ୟର ସନ୍ଧାନୀ; ଜୀବନର ତାତ୍ପର୍ଯ୍ୟ ଓ ଲକ୍ଷ୍ୟ ଜାଣିବା ଦିଗରେ ଅଦମିତ ତା’ର ଆଗ୍ରହ।
ଖ୍ରୀଷ୍ଟପୂର୍ବ ଯୁଗର ଅଧିକାଂଶ ସୁପ୍ରାଚୀନ ଧର୍ମର ଭିତ୍ତି ଆଧ୍ୟାତ୍ମିକତା। କେତେକ ଧର୍ମ ଜଣେଜଣେ ଅସାମାନ୍ୟ ବ୍ୟକ୍ତିଙ୍କର ଆଧ୍ୟାତ୍ମିକ ଅଭିଜ୍ଞତାରୁ ସମ୍ଭୂତ: ଯଥା ଗୌତମ ବୁଦ୍ଧ ପ୍ରବର୍ତ୍ତିତ ବୌଦ୍ଧଧର୍ମ, ଜୋରାଷ୍ଟାର୍ବା ଜାରାଥାଷ୍ଟ୍ରା ପ୍ରବର୍ତ୍ତିତ ପାର୍ସି ଧର୍ମ ଏବଂ ଯୀଶୁ ପ୍ରବର୍ତ୍ତିତ ଖ୍ରୀଷ୍ଟ ଧର୍ମ । ଜୈନ ଧର୍ମର ଇତିହାସ-ସ୍ୱୀକୃତ ପ୍ରବର୍ତ୍ତକ ମହାବୀର ହେଲେ ମଧ୍ୟ ସେ ତା’ଙ୍କ ପୂର୍ବବର୍ତ୍ତୀ ତେଇଶ ଜଣ ତୀର୍ଥଙ୍କରଙ୍କ ପ୍ରଜ୍ଞାର ହିଁ ପ୍ରବକ୍ତା। ସେହିପରି ଜୁଦାଇଜ୍‌ମ୍‌ (ଇହୁଦି ବା ହିବ୍ରୁ) ଧର୍ମର ପ୍ରଧାନ ପ୍ରବର୍ତ୍ତକ ମୋଜେସ୍ ହେଲେ ମଧ୍ୟ ପଟଭୂମିରେ ରହିଛନ୍ତି ଆବ୍ରାହାମ୍, ଆଇଜାକ୍ ଓ ଜାକୋବ୍‌ଙ୍କ ଭଳି ଏକାଧିକ ବ୍ୟକ୍ତିତ୍ବ। ଆଜି ଯାହା ହିନ୍ଦୁ ଧର୍ମ ଭାବରେ ବିଦିତ, ତାହାର ଉତ୍ସ ଭାବରେ କୌଣସି ଏକ ବା ଏକାଧିକ ବ୍ୟକ୍ତିଙ୍କୁ ଚିହ୍ନିତ କରାଯିବା ସମ୍ଭବପର ନୁହେଁ। ମହାକାଳର ଦିଗ୍‌ବଳୟ ବ୍ୟାପ୍ତ ଏକ ସନ୍ଧାନ-ସ୍ପୃହାରେ ପର୍ଯ୍ୟବସିତ ଏହାର ପ୍ରାରମ୍ଭ। ଯଦି ବେଦକୁ ହିଁ ଏ ଧର୍ମର ଉଷାଲୋକର ଦଲିଲ୍ ବୋଲି ଧରିନିଆଯାଏ, ତେବେ ଏହାର ଭିତ୍ତିସ୍ଥାପନ କରିଛନ୍ତି ଋଷି ଭାବରେ ବିଦିତ ଏକ ଆଧ୍ୟାତ୍ମିକ ଗୋଷ୍ଠୀ। ସେମାନଙ୍କ ସହ ତୁଳନୀୟ କୌଣସି ଗୋଷ୍ଠୀର ଦୃଷ୍ଟାନ୍ତ ବିଶ୍ୱ ସଭ୍ୟତାର ଇତିହାସରେ ଦେଖିବାକୁ ମିଳେନାହିଁ। ପ୍ରାଚୀନ ଭାରତର ରାଜନୀତି ଓ ସାମାଜିକ ବ୍ୟବସ୍ଥାଠୁଁ ଚିକିତ୍ସା ବିଜ୍ଞାନ ପର୍ଯ୍ୟନ୍ତ ସମସ୍ତ ଶୃଙ୍ଖଳା ଏହିମାନେ ପ୍ରବର୍ତ୍ତନ କରିଥିଲେ। ଭାରତୀୟ ସାହିତ୍ୟାଲୋକର ହିମାଳୟ ଯେଉଁ ଦୁଇ ମହାକାବ୍ୟ, ତାହା ଦୁଇ ଋଷିଙ୍କର ହିଁ ଅବଦାନ।
ଏହି ଅନନ୍ୟ ଗୋଷ୍ଠୀ ସୃଜିତ ପରମ୍ପରା ଅନୁସାରେ ବହୁ ଧାରାରେ ପ୍ରବାହିତ ହୋଇପାରେ ମଣିଷର ଅନ୍ୱେଷଣ – ଯେହେତୁ ବୈଚିତ୍ର୍ୟ ହିଁ ଏ ସୃଷ୍ଟିର ଚରିତ୍ର। ଏପରିକି କୌଣସି ଧାର୍ମିକ ଶୃଙ୍ଖଳା ନ ମାନି; ବରଂ ସବୁକୁ ହେୟଜ୍ଞାନ କରି ମଧ୍ୟ ସତ୍ୟର ଅନ୍ୱେଷଣରତ ‘ଅବଧୂତ’ ସମ୍ପ୍ରଦାୟ ପ୍ରାଚୀନ ଭାରତୀୟ ଧର୍ମ ସମାଜରେ ସସମ୍ମାନ ସ୍ଥାନ ଅଧିକାର କରୁଥିଲେ। ଏହି ଅନବଦ୍ୟ ପରମ୍ପରାକୁ ପ୍ରାଜ୍ଞମାନେ ସନାତନ ଧର୍ମ ଭାବରେ ନାମିତ କରନ୍ତି। (କହିବା ବାହୁଲ୍ୟ ‘ହିନ୍ଦୁ’ ଶବ୍ଦ ଚାଲୁ ହେଲା ବହୁ ପରେ, ଏ ଭୂଖଣ୍ଡକୁ ଗ୍ରୀକ୍ ଓ ଆରବମାନଙ୍କ ପ୍ରବେଶ ଅନ୍ତେ।) ସନାତନ ଧର୍ମର ତତ୍ତ୍ୱ ତଥା ପ୍ରୟୋଗବିଧି କ୍ରମାଗତ ଭାବେ ବିସ୍ତାରିତ ହୋଇଚାଲିଲା, ପ୍ରଥମତଃ ରାମ ଓ କୃଷ୍ଣଙ୍କ ଭଳି ଅବତାର ଆବିର୍ଭୂତ ହୋଇ(ଅର୍ଥାତ୍ ଅନନ୍ତ ମହାଚେତନା ଭିତରୁ ମାନବ ଚେତନା ଭିତରକୁ ଏକ ଏକ ନୂତନ ଐଶ୍ୱର୍ଯ୍ୟର ଅବତରଣ ଘଟି)ସେମାନଙ୍କ କୀର୍ତ୍ତିର ଦୃଷ୍ଟାନ୍ତ ରଖିବା ଯୋଗୁଁ ଏବଂ ଦ୍ୱିତୀୟରେ ମହାନ୍ ସନ୍ଥ, ଯୋଗୀ ଓ ଦାର୍ଶନିକବୃନ୍ଦ ସେମାନଙ୍କର ବିବିଧ ଆଧ୍ୟାତ୍ମିକ ଅଭିଜ୍ଞତା ପରିବେଷଣ କରିଚାଲିବା ଯୋଗୁଁ।
ସବୁ ଠିକ୍ ଚାଲିଥିଲା ବୋଲି ମନେହେବ; କିନ୍ତୁ ନୁହେଁ। ନିର୍ମମ ବାସ୍ତବତା ହେଲା, ବିବର୍ତ୍ତନରେ ସାମୂହିକ ମଣିଷର ଚେତନା ପ୍ରଗାଢ଼ ଅଜ୍ଞାନ ସ୍ତରରୁ ଅତୀବ ମନ୍ଥର ଗତିରେ ଅଗ୍ରସର ହେଉଛି। ଅଜ୍ଞାନର ଏକ ଦୁର୍ଦାନ୍ତ ସଖା ହେଲା ଅହଂ। ସାମୂହିକ ଚେତନାକୁ ତମସାରୁ ଜ୍ୟୋତିର୍ମୟତା ଦିଗରେ ଅଗ୍ରସର କରାଇ ନେବାକୁ ପ୍ରୟାସ କରୁଥିବା ଯେକୌଣସି ସତ୍ୟକୁ ସେ ଦୁଇ ଅପଶକ୍ତି ବିକଳ ଓ ବିକୃତ କରିଚାଲିଥାନ୍ତି। ସେମାନଙ୍କ ପ୍ରଭାବରେ ଧାର୍ମିକ ଶୃଙ୍ଖଳା ନାମରେ ନ୍ୟସ୍ତସ୍ୱାର୍ଥମାନେ ଅସଂଖ୍ୟ କୁସଂସ୍କାର ପ୍ରବର୍ତ୍ତନ କରିଆସିଛନ୍ତି। ଦୃଷ୍ଟାନ୍ତ: କାହିଁ ସ୍ୱଧର୍ମ ଅନୁସାରେ କର୍ମଧାରା ବାଛିନେବା ନିମନ୍ତେ ମନସ୍ତାତ୍ତ୍ୱିକ ଚାରି ବର୍ଣ୍ଣର ପ୍ରବର୍ତ୍ତନ ଏବଂ କାହିଁ ଜାତିପ୍ରଥା ପର୍ଯ୍ୟାୟକୁ ତା’ର ଅଧଃପତନ ! ଅହଂର କରାମତି ଆଗରେ ମଣିଷ କେଡ଼େ ହାସ୍ୟାସ୍ପଦ ଆଚରଣ କରିପାରେ, ତା’ର ଏକ ମାମୁଲି ବିବରଣୀ:ପୂର୍ବାହ୍ନରେ ଦଳେ ତଥାକଥିତ ‘ଉଚ୍ଚବର୍ଗ’ର ଏକତାବଦ୍ଧ ନରନାରୀଙ୍କ ସହ ଦଳେ ତଥାକଥିତ ‘ନିମ୍ନବର୍ଗ’ର ଏକତାବଦ୍ଧ ନରନାରୀଙ୍କ ସଙ୍ଘର୍ଷ ହେଲା। ଅପରାହ୍ଣରେ ଦେଖାଗଲା ଭିନ୍ନ ଦୁଇ ଦୃଶ୍ୟ: ଏକତାବଦ୍ଧ ଉଚ୍ଚବର୍ଗ ଭିତରେ ସଂଘର୍ଷ – ଯେହେତୁ ତା’ଙ୍କ ଭିତରେ ଥିବା ଉଚ୍ଚତର ଉପଗୋଷ୍ଠୀ ଅନୁଚ୍ଚ ଉପଗୋଷ୍ଠୀକୁ ଆକ୍ଷେପ କଲେ। ସମାନ୍ତରାଳ ଭାବରେ ନିମ୍ନବର୍ଗର ଅନ୍ତର୍ଗତ ଯତ୍‌କିଞ୍ଚିତ୍‌ ଉଚ୍ଚନୀଚ ପାର୍ଥକ୍ୟ ଥିବା ଦୁଇ ଗୋଷ୍ଠୀ ଭିତରେ ଏକ ହିଁ କାରଣରୁ ଦଙ୍ଗା। ସେମାନଙ୍କ ସେ ଆସ୍ଫାଳନ, ସେ ଚିତ୍କାର ଥିଲା ଅଜ୍ଞାନର ପୁରୋଧା ଯେଉଁ ଅଦୃଶ୍ୟ ଅପଦେବତା, ତାହାରି ଅନୁଚ୍ଚାରିତ ଅଟ୍ଟହାସ୍ୟର ଉଚ୍ଚାରିତ ସଂସ୍କରଣ !
ପୁଣି ସମସ୍ତ ଧର୍ମମତ ଏକ ହିଁ ମହତ୍ତମ ସତ୍ୟର ଭିନ୍ନଭିନ୍ନ ଦିଗ ଦର୍ଶାଉଥିବା ସ୍ଥଳେ ସାମୂହିକ ଅହଂ ସେମାନଙ୍କ ଭିତରେ ସୃଷ୍ଟି କରିଆସିଛି ଅସଂଖ୍ୟ ପ୍ରାହସନିକ ବାଦ ବିସମ୍ବାଦ।
ଧର୍ମର ଦ୍ୱାହିଦେଇ ଅଜ୍ଞାନ ଏବଂ ଅହଂ ଇତିହାସରେ ଯେତେ ହତ୍ୟାକାଣ୍ଡ ଓ ଦେଶବିଭାଜନ ଭଳି ବିଭୀଷିକା ଭିଆଇଛନ୍ତି, ରାଜନୈତିକ ବା ସାମ୍ରାଜ୍ୟବାଦୀ ଯୁଦ୍ଧଜନିତ ହତ୍ୟା ଓ ଅତ୍ୟାଚାରଠାରୁ ତାହା ବହୁ ଅଧିକ। ପୁଣି ଧର୍ମ ନାମରେ ସାଂସ୍କୃତିକ ଅନାଚାର କମ୍ ହୋଇନାହିଁ। ସହସ୍ର ଦୃଷ୍ଟାନ୍ତ ଭିତରୁ ମାତ୍ର ଗୋଟିଏ: ବାଲ୍ମିକିଙ୍କ ରାମାୟଣରେ କେହି ଜଣେ ପରବର୍ତ୍ତୀ କବି ଯୋଗ କଲେ ଉତ୍ତରାକାଣ୍ଡ। ଗୋଟାଏ ଅଜ୍ଞାନ ମଣିଷ ତା’ ବିବେକବୁଦ୍ଧି ବହିର୍ଭୂତ ମହତ୍ ଚରିତ୍ର ସୀତାଙ୍କ ଆକଳନ କରିବାକୁ ଯାଇ ଯେଉଁ ବିଭ୍ରାଟ ଉପୁଜାଇଲା, ତାହା ଫଳରେ ଦିବ୍ୟାତ୍ମା ସୀତା ଏକଦା ଯେଉଁ ଭୂଗର୍ଭରୁ ଆତ୍ମପ୍ରକାଶ କରିଥିଲେ ସମସ୍ତଙ୍କୁ ହତଚକିତ କରି ସେହିଠାକୁ ଫେରିଗଲେ। ସେ ଆରୋପିତ କାଣ୍ଡ ମାନୁଷୀ ମୂଢ଼ତାପ୍ରତି ଏକ ଚମତ୍କାର ବିଦ୍ରୂପ; କିନ୍ତୁ କେହି ଜଣେ ଉଦ୍ଦେଶ୍ୟ-ପ୍ରଣୋଦିତ କବି ଆହୁରି ପରେ ସେ କାଣ୍ଡରେ ପୂରାଇଦେଲେ ଏକ ଉଦ୍ଭଟ ଉପାଖ୍ୟାନ: ଜଣେ ଶୂଦ୍ର(ଶମ୍ଭୁକ)ବେଦାଧ୍ୟୟନ ଭଳି ଅନଧିକାର କର୍ମ କରିଥିବା ଯୋଗୁଁ ସ୍ୱୟଂ ରାମଙ୍କ ହାତରେ ନିହତ ହେଲା। ହାୟ୍ ବାଲ୍ମିକିଙ୍କ ରାମ ! ହାୟ ଋଷିବର ବାଲ୍ମିକି ! ଆମେ ଭୁଲିଯାଇଛୁଁ ଯେ ଖୋଦ୍ ଋଷିବର୍ଗ କୌଣସି ଜାତି ପ୍ରଜାତିର ଅନ୍ତର୍ଭୁକ୍ତ ନ ଥିଲେ; ମହାନ୍ ଋଷିମାନେ ଅନ୍ତତଃ ଅଧିକାଂଶ ବ୍ରାହ୍ମଣ ନ ଥିଲେ। ଏ ପ୍ରସଙ୍ଗରେ ମନେପଡୁଛି, ଅଳ୍ପ କିଛିବର୍ଷ ତଳେ ବାଲିଦ୍ୱୀପରୁ କେତେଜଣ ହିନ୍ଦୁ ବହୁ ଆଶା କରି ଶ୍ରୀଜଗନ୍ନାଥ ଦର୍ଶନ ନିମନ୍ତେ ପୁରୀ ଆସିଥିଲେ; କିନ୍ତୁ ନିଜନିଜ ଗୋତ୍ର ନ କହିପାରିବାରୁ ପ୍ରବେଶାଧିକାର ନ ପାଇ ମ୍ରିୟମାଣ ଭାବରେ ଫେରିଗଲେ। ଆଜି ଯଦି ବୈଦିକ ଯୁଗର ଦଳେ ଋଷି ଆସି ଶ୍ରୀମନ୍ଦିରରେ ପ୍ରବେଶ ନିମନ୍ତେ ପ୍ରାର୍ଥୀ ହୁଅନ୍ତେ, ସେମାନେ ଉପହସିତ ହୁଅନ୍ତେ; କାରଣ, ସେମାନେ ଗୋତ୍ରହୀନ ! ସେମାନଙ୍କ ଦିବ୍ୟସ୍ମୃତି ହିଁ ଗୋତ୍ର ମାଧ୍ୟମରେ ଧାରାବାହିକ ସଞ୍ଜୀବିତ ରହିଆସିଛି।
କୃତ୍ରିମ ନୀତିନିୟମର ସାମାଜିକ ଭାର ଯେତିକି ବଢିଲା, “ଧର୍ମକୁ ଆଖିଠାର” ଶୈଳୀର ମଧ୍ୟ ସେହି ମାତ୍ରାରେ ବିକାଶ ଘଟିଚାଲିଲା। ଜଣେ ନାମଜାଦା ଆଇସିଏସ୍ ଅଫିସର୍ ଅଶୋକ ମିତ୍ରଙ୍କ ଆତ୍ମଜୀବନୀରେ ପଢ଼ିଥିଲି, ତା’ଙ୍କ ପିତାମହଙ୍କ ସମୟରେ ଅଣ୍ଡା ଭକ୍ଷଣ ପ୍ରଥମଶ୍ରେଣୀର ନ ହେଲେ ବି ଦ୍ୱିତୀୟ ଶ୍ରେଣୀର ପାପ ଭାବରେ ଗଣ୍ୟ ହେଉଥିଲା ଏବଂ ଭକ୍ଷକ ଧର୍ମଚ୍ୟୁତ ବିବେଚିତ ହେଉଥିଲେ। ଅତଏବ ଏକାନ୍ତ ଅଣ୍ଡାପ୍ରିୟ ପିତାମହ ମଧ୍ୟେମଧ୍ୟେ ଆବକ୍ଷ ଗଙ୍ଗାସ୍ରୋତରେ ଦଣ୍ଡାୟମାନ ରହି ଗଣ୍ଡାଏ ସିଦ୍ଧ ଅଣ୍ଡା ଗଳାଧଃକରଣ କରୁଥିଲେ; ପାପ ତାଙ୍କୁ ଆଲିଙ୍ଗନ କରୁଥାଏ; କିନ୍ତୁ ତତ୍‌କ୍ଷଣାତ୍ ପବିତ୍ର ଗଙ୍ଗା ସ୍ରୋତରେ ଧୋଇହୋଇ ଯାଉଥାଏ !
ଆଧ୍ୟାତ୍ମିକତାରୁ ହିଁ ଯେଉଁ ଧର୍ମର ଉଦ୍ଭବ ଏବଂ ଅଜ୍ଞାନରୁ ମୁକ୍ତିର ମାର୍ଗ ସନ୍ଧାନ ଓ ପ୍ରଦର୍ଶନ ଥିଲା ଯେଉଁ ଧର୍ମର ଆଭିମୁଖ୍ୟ, ତାହା ନାମରେ କେତେ ପ୍ରହସନ ଚାଲିଆସୁଛି, ଏସବୁ ତା’ର କିଞ୍ଚିତ ଆଭାସ ମାତ୍ର; କିନ୍ତୁ ଆଧ୍ୟାତ୍ମିକତା ଯୁଗେଯୁଗେ ବ୍ୟକ୍ତିଗତ ବ୍ୟାପାର; ଆମେ ସାଧାରଣତଃ ଯେଉଁ ମନ-ପ୍ରାଣ ଅଧ୍ୟୁଷିତ ବହିର୍ଚେତନାରେ ଥାଉଁ, ତାହାଠାରୁ ନିରବରେ ଖସିଯାଇ, ଆପଣା ଚେତନାର ଗଭୀରରେ ଅନ୍ତର୍ନିହିତ ଦିବ୍ୟଶକ୍ତି କୁହନ୍ତୁ, ଆତ୍ମା କୁହନ୍ତୁ, ତାହା ସହିତ ସଂଯୋଗ ସ୍ଥାପନର ଅଭୀପ୍ସା; ଜଣେ ସମାଜରେ ରହି ଆଧ୍ୟାତ୍ମିକ ଜୀବନଯାପନ କରିପାରେ। ବାସ୍ତବରେ ତାହା ହିଁ ହୋଇପାରେ ତା’ର ସାଧନା। ଆପଣଙ୍କ ଆଧ୍ୟାତ୍ମିକ ପ୍ରୟାସ ବିଜ୍ଞପିତ ହେବାର କାରଣ ନାହିଁ; ତାହା ଏକାନ୍ତ ଅନୁଚିତ ମଧ୍ୟ।
ଆଧ୍ୟାତ୍ମିକ ବିକାଶ ଆମ ମୂଲ୍ୟବୋଧ ବଦଳାଇଦିଏ; ପ୍ରତିଦ୍ୱନ୍ଦ୍ବିତା, ସ୍ୱାର୍ଥସର୍ବସ୍ୱତା ଇତ୍ୟାଦିରୁ ସ୍ୱତଃସ୍ଫୂର୍ତ୍ତ ଭାବେ ଆମ ଆଗ୍ରହ ଓହରିଆସେ। ଅହଂର ପ୍ରାଦୁର୍ଭାବ ହ୍ରାସ ହେବା ସଙ୍ଗେସଙ୍ଗେ ବହୁ ଅଭିମାନ-ଜନିତ ଅଶାନ୍ତିରୁ ମୁକ୍ତି ମିଳେ। ପ୍ରକୃତ ଧର୍ମ ବା ଧର୍ମର ମର୍ମ ସହ ଆଧ୍ୟାତ୍ମିକତାର ସଂପର୍କ ନିବିଡ଼; କିନ୍ତୁ ଆନୁଷ୍ଠାନିକ ଧର୍ମାଚରଣ ସହ ତା’ର ସଂପର୍କ ଲୌକିକ ମାତ୍ର ହୋଇଥାଏ।
କଥାଟିଏ ପ୍ରାସଙ୍ଗିକ ହୋଇପାରେ: ସ୍ୱଧର୍ମ ସହ ଜନ୍ମଗତ ବା ଆନୁଷ୍ଠାନିକ ଧର୍ମର ସଂପର୍କ ନାହିଁ। ଧରନ୍ତୁ ଜନ୍ମଜନ୍ମ ଧରି ଚାଲିଥିବା ବ୍ୟକ୍ତିଗତ ବିକାଶରେ ଜଣେ ଏପରି ଏକ ଚେତନାସ୍ତରରେ ପହଞ୍ଚିଥିବ, ଯେତେବେଳେ ସେ ନିଜର ବିପୁଳ ସ୍ୱାର୍ଥସିଦ୍ଧି ପାଇଁ ମଧ୍ୟ କାହା ପ୍ରତି ବିଶ୍ୱାସଘାତକତା କରିପାରିବା ସ୍ୱାଭାବିକ ହେବନାହିଁ। କିନ୍ତୁ ଜଣକ ଭିତରେ ତା’ ଅଜ୍ଞାତରେ ମଧ୍ୟ ବହୁ ଦୁର୍ବଳତା ଲୁଚିରହିଥାଏ; ସଙ୍ଗ ପ୍ରଭାବରେ ଧରନ୍ତୁ ସେମିତି ଦୁର୍ବଳତା ସାମୟିକ ଭାବରେ ତା’ ମତିକୁ ଆଚ୍ଛନ୍ନ କଲା ଏବଂ ସେ ବିଶ୍ୱାସଘାତକତା କଲା। ସେଭଳି ବିଚ୍ୟୁତି ସକାଶେ ତା’କୁ କଠୋର ମୂଲ୍ୟ ଦେବାକୁ ପଡ଼ିପାରେ। ଅବଶ୍ୟ ଦିବ୍ୟକୃପା ଜଣକୁ ସେଭଳି ଆତ୍ମଘାତୀ ପଦକ୍ଷେପରୁ ଠିକ୍ ମୁହୂର୍ତ୍ତରେ ନିରସ୍ତ୍ର କରିପାରେ। ‘ସାରଳା ମହାଭାରତ’ରେ ଉଲ୍ଲିଖିତ ସୁପ୍ରାଚୀନ ଲୋକକଥାଟି ମନେପକାନ୍ତୁ। ଜାଳେଣି କାଠ ବିକି କୁଟୁମ୍ବ ପାଳୁଥିବା ଲୋକଟିଏ କ୍ରମାଗତ ବର୍ଷା ଯୋଗୁଁ ଶୁଖିଲା କାଠ ନ ପାଇ ମନ୍ଦିର ଭିତରେ ଥିବା ଦିଅଁଙ୍କ କାଠମୂର୍ତ୍ତି ଚିରିବାକୁ କୁଠାର ଉଦ୍ୟତ କରନ୍ତେ ଏକ ଅଶରୀରୀ ବାଣୀ ତା’କୁ କହିଦେଲା କି ତେଣିକି ସେ ପ୍ରତ୍ୟହ ନଈରେ ବୁଡ଼ପକାଇ ଉଠିବା ବେଳକୁ ତା’ ମୁଠାରେ ସୁନା ମୁଦ୍ରାଟାଏ ଥିବ। ଲୋକଟି ଦିଅଁଙ୍କୁ ଅବ୍ୟାହତି ଦେଲା ଏବଂ ଅଚିରେ ବନିଗଲା ବିରାଟ ଧନୀ। ତା’ର ଅତ୍ୟନ୍ତ ଗରିବ ପଡ଼ୋଶୀର ଧର୍ମପତ୍ନୀ ଧନିକର ସ୍ତ୍ରୀଠାରୁ ରହସ୍ୟଟି ଆଦାୟ କରିନେଇ ସ୍ୱାମୀଙ୍କୁ ଅନୁରୂପ ପଦକ୍ଷେପ ନେବାକୁ ପ୍ରବର୍ତ୍ତାଇଲେ। ନିଶାର୍ଦ୍ଧରେ ସ୍ୱାମୀ ଯାଇ ଥରଥର ହାତରେ କୁଠାର ଉଦ୍ୟତ କରିବା ବେଳକୁ ଚେତା ହରାଇଲେ ଓ ଶୁଣିଲେ ଦିଅଁଙ୍କଠାରୁ ଧମକ: “ମୂଢ଼, ତୋ ସ୍ୱଧର୍ମ ର୍କ’ଣ ତୋତେ ଏମିତି କାମ କରାଇଦିଅନ୍ତା ? ପଳା; ସ୍ୱାଭାବିକ ଜୀବନ ସଂଗ୍ରାମ ଭିତରେ ତିଷ୍ଠିରହ। ତାହାରି ଭିତରେ ତୋର ପ୍ରକୃତ ପ୍ରଗତି ହେଉଥିବ !”
ଅବିସ୍ମରଣୀୟ ଗୀତାର ଚେତାବନୀ: ସ୍ୱଧର୍ମରେ ଅଟଳ ରହି ବରଂ ମୃତ୍ୟୁ ହେଉ, ଅନ୍ୟର ଧର୍ମ ଅନୁସରଣ କରିବା ଏକ ଭୟାବହ ପଦକ୍ଷେପ !
ପ୍ରଶ୍ନ : “ଆମ ଭାଷା ସାହିତ୍ୟର ମୁଁ ନୁହେଁ ଶିକ୍ଷକ,/ଅର୍ଥନୀତିରେ ମୁଁ କେବଳ ଉତ୍ତର-ସ୍ନାତକ।/ ନାମ ତଳେ ବଡ ପଦର ଚିହ୍ନ ନାହିଁ/ ଛୋଟ ସରକାରୀ ପଦବୀରୁ ଅବସର ଯାଇଛି ପାଇ/ ପୁରୁଣା କୃତି ସବୁ ବାତ୍ୟା ଯାଇଛି ଖାଇ/ ଏବେ ଖାସ୍ କବିତା ଲେଖୁଛି କବିଟିଏ ହେବା ପାଇଁ।/ ପତ୍ରିକା ବା ସମ୍ବାଦପତ୍ରେ ବାହାରେନା ମୋ ଲେଖା ଜମା/ କେମିତି ଜାଣିବି ମୋ ଊଣାପଣ, କେମିତି ହେବି ମୁଁ ଚିହ୍ନା?”
-କୁଳମଣି ରାଉତ, କୁରୁଜଙ୍ଗା, କେନ୍ଦ୍ରାପଡ଼ା
ଉତ୍ତର: ‘ସମାଜ’ର ନିୟୁତ ପାଠକଙ୍କ ସହ ଆପଣଙ୍କୁ ଚିହ୍ନାକରାଇଦେବ ଆପଣଙ୍କର ଏ ପ୍ରଶ୍ନରୂପୀ ପଦ୍ୟ ବା ପଦ୍ୟରୂପୀ ପ୍ରଶ୍ନ।
email: queriesandresponses@gmail.com

Leave A Reply