ମୌସୁମୀ ଅଧିବେଶନରେ ଲଢ଼େଇ

0

ବିଭୂତି ପତି

ଜୁଲାଇ ୧୮(ଆଜି)ରୁ ଆରମ୍ଭ ହେବାକୁ ଯାଉଥିବା ସଂସଦର ମୌସୁମୀ ଅଧିବେଶନରେ ଶାସକ ଭାରତୀୟ ଜନତା ଦଳ ଏବଂ କଂଗ୍ରେସ୍ ନେତୃତ୍ୱ ନେଉଥିବା ବିରୋଧୀ ଦଳଗୁଡିକ ମଧ୍ୟରେ ଘମାଘୋଟ ଲଢେଇ ଫଳରେ ଉଭୟ ରାଜ୍ୟସଭା ଓ ଲୋକସଭାର କାର୍ଯ୍ୟଧାରା ସୁଚାରୁ ରୂପେ ପରିଚାଳିତ ହୋଇ ନ’ ପାରିବାର ଆଶଙ୍କା ସୃଷ୍ଟି ହୋଇଛି । ସଂପ୍ରତି, ରାଜନୈତିକ ଉତ୍ତାପ ଏତେ ବଢିଯାଇଛି ଯେ ଶାସକ ଦଳ ପକ୍ଷରୁ କୌଣସି ପ୍ରକାରର ସହଯୋଗର ପ୍ରସ୍ତାବ ଦିଆଗଲେ ବିରୋଧୀ ଦଳଗୁଡିକ ଏହାକୁ ତାଚ୍ଛଲ୍ୟ କରୁଛନ୍ତି । କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ଲକ୍ଷ୍ୟ ଏବେ ତିକ୍ତତମ ସ୍ଥିତିରେ ଏବଂ ସେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅନ୍ୟାନ୍ୟ ବରିଷ୍ଠ ବି.ଜେ.ପି ନେତାମାନଙ୍କ ଉପରେ ଆକ୍ରମଣ କରିବା ସକାଶେ ଯେ କୌଣସି ସୁଯୋଗର ଅପେକ୍ଷାରେ । ଏହି ବି.ଜେ.ପି ନେତାମାନେ ଗାନ୍ଧୀ ପରିବାର ବିରୁଦ୍ଧରେ ଜୋରଦାର କୁତ୍ସାରଟନା କରିବା ଫଳରେ ପ୍ରତିପକ୍ଷ ସହ ମୁହାଁମୁହିଁ ହେବାର କ୍ଷେତ୍ରକୁ ଆହୁରି ବ୍ୟାପକ କରିଦେଇଛନ୍ତି । ଅନ୍ୟପଟରେ ବିଜେପି ସଭାପତି ଓ ପ୍ରଧାନମନ୍ତ୍ରୀ ମଧ୍ୟ ସମାଲୋଚନାରେ ନୈତିକତାକୁ ଭୁଲିଯାଇ ବିରୋଧୀ ଦଳ ଉପରେ ନିନ୍ଦା ଅପବାଦର କୁତ୍ସାରଟନା କରିବାକୁ ପଛାଉ ନାହାନ୍ତି । ଖୁବ୍ ସମ୍ଭବତଃ ସଂସଦର ମୌସୁମୀ ଅଧିବେଶନ ଏହି ବିରୋଧର ବଳି ଚଢିଯିବ ।
ଆଗାମୀ ମୌସୁମୀ ଅଧିବେଶନରେ ବି.ଜେ.ପି ନେତୃତ୍ୱାଧୀନ ସରକାର କେତେକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ବିଲ୍ ପାସ କରାଇନେବାକୁ ନେଇ ଚିନ୍ତିତ । ଏହି ବିଲ୍‌ଗୁଡିକ ପୂର୍ବରୁ ଅଧ୍ୟାଦେଶ ଆକାରରେ ଜାରି କରାଯାଇଥିଲା । କାରଣ ଶାସକ ଦଳର ନେତୃମଣ୍ଡଳୀ ଏକଥା ବିଚାରି ଥିଲେ ଯେ ଏହି ବିଲ୍‌ଗୁଡିକ ଖୁବ୍ ଜରୁରୀ ଓ ଏ କ୍ଷେତ୍ରରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ । ତେଣୁ ମୌସୁମୀ ଅଧିବେଶନରେ ଏହି ଆଇନଗୁଡିକୁ ବିଧିବଦ୍ଧ ଭାବରେ ପ୍ରଣୟନ କରାଯିବା କଥା । ଏପରି ବିଲ୍‌ଗୁଡିକ ମଧ୍ୟରେ ଦେବାଳିଆପଣ ଏବଂ ବ୍ୟାଙ୍କଋଣ ପରିଶୋଧରେ ଅସାମର୍ଥ୍ୟ କୋଡ (ସଂଶୋଧନ) ବିଲ ଏବଂ ପଳାତକ ଅର୍ଥନୈତିକ ଅପରାଧୀମାନଙ୍କ ପାଇଁ ବିଲ୍ ଅନ୍ତର୍ଭୁକ୍ତ; ଯେଉଁଗୁଡିକ ସଂପୃକ୍ତ ଅଧ୍ୟାଦେଶଗୁଡିକର ପ୍ରତିବଦଳରେ ପ୍ରଣୟନ କରାଯିବ ।
ରାଜନୈତିକ ସମୀକ୍ଷା ସୂଚନାରୁ ଜଣାପଡୁଛି କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଗୁଡିକ ରାଜ୍ୟସଭାରେ ଏହି ବିଲ୍ ଦୁଇଟିକୁ ସହଜରେ ଗୃହୀତ ହେବାକୁ ଦେବେ ନାହିଁ । ରାଜ୍ୟସଭାରେ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଗୁଡିକ ସଂଖ୍ୟାଗରିଷ୍ଠ । ଏପରିକି ଏହି ବିଲ୍ ଦୁଇଟି ସଂପର୍କରେ ଆଲୋଚନା ହେବା ପୂର୍ବରୁ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀ ଗୋଷ୍ଠୀ ମୁହାଁମୁହିଁ ହେବେ । ବର୍ତ୍ତମାନ ଉପାଧ୍ୟକ୍ଷ ଥିବା ପି. ଜେ. କୁରିଏନଙ୍କ କାର୍ଯ୍ୟକାଳ ମୌସୁମୀ ଅଧିବେଶନ ପୂର୍ବରୁ ସରିଯାଇଛି ଏବଂ ରାଜ୍ୟସଭାରେ ଏନ୍.ଡି.ଏ. ର ସଂଖ୍ୟା ଗରିଷ୍ଠତା ନଥିଲେ ମଧ୍ୟ ବି.ଜେ.ପି. ଶାସକ ମେଣ୍ଟର ଜଣେ ପ୍ରାର୍ଥୀଙ୍କୁ ଉପାଧ୍ୟକ୍ଷ କରିବାକୁ ଯୋଜନା କରୁଛି । ଏବେ କଂଗ୍ରେସ ସମସ୍ତ ବିରୋଧୀ ଦଳଗୁଡିକୁ ଏକାଠି କରିବାକୁ ଚାହୁଁଛି ଏବଂ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଅନ୍ୟ ଯେ କୌଣସି ବିରୋଧୀ ଦଳ ସଦସ୍ୟଙ୍କୁ ବିରୋଧୀ ଦଳଗୁଡିକର ଏକକ ପ୍ରାର୍ଥୀରୂପେ ସମର୍ଥନ କରିବାକୁ ପ୍ରସ୍ତୁତ । ଖୁବ୍ ସମ୍ଭବତଃ ସମଗ୍ର ବିରୋଧୀ ଦଳଗୁଡିକ ତୃଣମୂଳ କଂଗ୍ରେସର ଜଣେ ବରିଷ୍ଠ ସଦସ୍ୟଙ୍କୁ ମିଳିତ ବିରୋଧୀ ଦଳ ପ୍ରାର୍ଥୀ କରିପାରନ୍ତି । ଯଦି ବିରୋଧୀ ଦଳଗୁଡିକ ମଧ୍ୟରେ ସଂପୂର୍ଣ୍ଣ ଏକତା ରହେ ତେବେ ପ୍ରତିଦ୍ୱନ୍ଦ୍ବିତା ହେଲେ ଶାସକ ବି.ଜେ.ପି ଏହାର ପ୍ରାର୍ଥୀଙ୍କୁ ନିର୍ବାଚିତ କରାଇବା କଷ୍ଟକର ହେବ । ବିରୋଧ ମନୋଭାବର ବାତାବରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଶାସକ ଦଳର ନେତାମାନଙ୍କର ଦୁଇଟି ବିଲ୍ ପାରିତ କରାଇବା ସକାଶେ କଂଗ୍ରେସ ଏବଂ ବିରୋଧୀ ଦଳଗୁଡିକସହ କଥାବାର୍ତ୍ତାରୁ କୌଣସି ସଫଳତା ମିଳିବ ନାହିଁ ।
ସଂସଦର ମୌସୁମୀ ଅଧିବେଶନ ୧୮ଦିନ ପାଇଁ ଚାଲିବ । ଏଥିରେ ତିନି ତଲାକ୍ ବିଲ୍ ଏବଂ ଓ.ବି.ସିଙ୍କ ପାଇଁ ଜାତୀୟ କମିସନକୁ ସାମ୍ବିଧାନିକ ମାନ୍ୟତା ଦିଆଯିବା ସମ୍ପର୍କରେ ଆଲୋଚନା ହେବ । ଲୋକସଭା ନିର୍ବାଚନ ପାଇଁ ଅଭିଯାନ ଆରମ୍ଭ ହୋଇଯାଇଥିବାରୁ ସମସ୍ତ ରାଜନୈତିକ ଦଳ ସେମାନଙ୍କର ରାଜନୈତିକ ଫାଇଦା ଆଧାରରେ ହିଁ ବିଭିନ୍ନ ପ୍ରସଙ୍ଗକୁ ଦେଖିବେ । ତିନି ତଲାକ୍ ବିଲ କ୍ଷେତ୍ରରେ ପରିସ୍ଥିତି ବେଶ ଜଟିଳ ଏବଂ ଏହି ପଦକ୍ଷେପ ଦ୍ୱାରା ବି.ଜେ.ପି ଶିକ୍ଷିତ ଓ ପ୍ରଗତିଶୀଳ ମୁସଲମାନ ମହିଳାମାନଙ୍କର ମନ ଜିଣିବାକୁ ଚାହୁଁଛି । କିନ୍ତୁ କଂଗ୍ରେସ ଦଳ ନିଜର ରଣକୌଶଳ ମୁତାବକ ଗୁରୁତ୍ୱପୂର୍ଣ୍ଣ ଲୋକସଭା ନିର୍ବାଚନର ମାତ୍ର କେଇମାସ ପୂର୍ବରୁ ଏପରି ପଦକ୍ଷେପ ଦ୍ୱାରା ବି.ଜେ.ପିକୁ ରାଜନୈତିକ ଫାଇଦା ହାସଲ କରିବାକୁ ଦେବନାହିଁ । ଶାସକ ଓ ବିରୋଧୀ ଦଳଗୁଡିକର ରାଜନୈତିକ ମତଭେଦ ଯୋଗୁଁ ଗତ ବଜେଟ ଅଧିବେଶନରେ ବିଗତ ୧୮ ବର୍ଷରେ ସଂସଦର ସବୁଠାରୁ କମ୍ କାର୍ଯ୍ୟ ହୋଇଥିଲା । ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ନ ଲଢି ବି.ଜେ.ପି ତା’ର ପ୍ରତିପକ୍ଷ ଦଳଗୁଡିକ ସହ ସଂପର୍କ ସୁଧାର ଆଣି ପାରିଥାଆନ୍ତା ।
ଗତ ବଜେଟ୍ ଅଧିବେଶନରେ ୪୦ଟି ପାଖାପାଖି ବିଲ୍ ଉପରେ ଆଲୋଚନା କରାଯାଇ ସେଗୁଡିକୁ ଗୃହୀତ କରାଯିବାର ଥିଲା; ମାତ୍ର ଲୋକସଭାରେ କେବଳ ଦୁଇଟି ବିଲ୍ ଗୃହୀତ ହେଲା, ତାହା ମଧ୍ୟ ବିନା ଆଲୋଚନାରେ । ଏହି ଅଧିବେଶନରେ ଆଲୋଚିତ ହେବାକୁ ଥିବା ଅନ୍ୟ କେତୋଟି ଗୁରୁତ୍ୱପୂର୍ଣ୍ଣ ବିଲ ହେଲା – ଦୁର୍ନୀତି ନିବାରଣ (ସଂଶୋଧନ) ବିଲ, ୨୦୧୩ । ଏହି ବିଲ୍ ଅନୁଯାୟୀ ଅବସରପ୍ରାପ୍ତ ଅଧିକାରୀମାନଙ୍କ ସମେତ ସରକାରୀ ଅଧିକାରୀମାନଙ୍କ ବିରୁଦ୍ଧରେ କୌଣସି ଅନୁସନ୍ଧାନ କରାଯିବା ସକାଶେ ଅଧିକ ସଂଖ୍ୟକ ସରକାରୀ ବିଭାଗ ତଥା ପ୍ରାଧିକରଣଠାରୁ ଅନୁମତି ଅଣାଯିବା ଆବଶ୍ୟକ । ଅଟକି ରହିଥିବା ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଲ୍ ହେଲା – ଆର୍ଥିକ ବିବାଦ ସମାଧାନ ଓ ଜମା ବୀମା ବିଲ୍‌, ୨୦୧୭। ଏହି ବିଲ୍ ଅନୁଯାୟୀ ବ୍ୟାଙ୍କ ଋଣ ପରିଶୋଧ କରିବାରେ ଅସମର୍ଥ ହେଲେ ବିବାଦ ସମାଧାନର ଏକ ସାଧନ ହିସାବରେ ଋଣ ଖିଲାପକାରୀଙ୍କୁ ଅନ୍ତର୍ଭୁକ୍ତ କରିବା ତଥା ଋଣ ଖିଲାପକାରମାନେ ବିବାଦ ସମାଧାନ ବାବଦକୁ ହେଉଥିବା ଖର୍ଚ୍ଚର ଗୋଟିଏ ଅଂଶ ବହନ କରିବେ ଏବଂ ଏ ବାବଦକୁ ସେମାନଙ୍କଠାରୁ ଆଦାୟ ହେବାକୁ ଥିବା ଅର୍ଥ ଆନୁପାତିକ ଭାବେ କମାଇ ଦିଆଯିବ ।
ଏହି ବିଲ୍‌କୁ ବିଶେଷଜ୍ଞ, ଅର୍ଥ ଜମାକାରୀମାନଙ୍କ ସଙ୍ଗଠନ ଓ ବ୍ୟାଙ୍କ ୟୁନିଅନମାନେ ସମାଲୋଚନା କରିଛନ୍ତି । ଏହି ବିଲ୍ ଯୋଗୁଁ ବ୍ୟାଙ୍କରେ ଜମାପ୍ରତି କୌଣସି ବିପଦ ନାହିଁ ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଦାବି କରାଯାଉଥିଲେ ମଧ୍ୟ, ବିଶେଷଜ୍ଞମାନଙ୍କର କହିବା କଥା ଯେ ଏହି ବିଲ୍‌ରେ ଥିବା ବ୍ୟବସ୍ଥାଗୁଡିକ ଯୋଗୁଁ ବ୍ୟାଙ୍କର ଜମାରାଶି ପ୍ରତି ବିପଦର ଆଶଙ୍କା ଦେଖାଦେଇଛି। ଏହି ବିଲ୍‌ରେ ଥିବା ବ୍ୟବସ୍ଥାଗୁଡିକ ସଂପର୍କରେ ବିରୋଧୀ ଦଳ ତୀବ୍ର ବିରୋଧ ପ୍ରକଟ କରିବ। କାମଚଳା ଅର୍ଥମନ୍ତ୍ରୀଙ୍କ ପାଇଁ ସଂସଦରେ ଏହି ବିଲ୍‌ଟିକୁ ଯଥାର୍ଥ ବୋଲି ପ୍ରତିପାଦିତ କରିବା କଷ୍ଟକର ବ୍ୟାପାର ହେବ ।
ସଫ୍‌ଦରଗଞ୍ଜ ଏନ୍‌କ୍ଲେଭ, ନୂଆଦିଲ୍ଲୀ
bibhujournalist@gmail.com

Leave A Reply