ନିର୍ବାଚନ ପାଣ୍ଠି:କେତେ, କିପରି ଓ କେମିତି?

0

ପ୍ରଫୁଲ୍ଲକୁମାର ଚାଉଳିଆ

ଭାରତକୁ ପୃଥିବୀର ସର୍ବବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ର ବୋଲି କୁହାଯାଉଛି, କିନ୍ତୁ ଭାରତୀୟ ନାଗରିକମାନେ ଜାଣନ୍ତି କି- ରାଜନୈତିକ ଦଳମାନେ ନିଜର ଖର୍ଚ୍ଚ ପାଇଁ ପଇସା କେଉଁଠୁ ଆଣନ୍ତି, କେତେ ଆଣନ୍ତି, କେଉଁଠି ରଖନ୍ତି, କିପରି ଖର୍ଚ୍ଚ କରନ୍ତି, କାହା ମାଧ୍ୟମରେ ଖର୍ଚ୍ଚ କରନ୍ତି, ନିର୍ବାଚନ ପରେ କେତେ ଟଙ୍କା ବଳେ, ତାହାର ହିସାବ ଇତ୍ୟାଦି। ନିର୍ବାଚନ କମିସନଙ୍କୁ ରାଜନୈତିକ ଦଳ ଓ ପ୍ରାର୍ଥୀମାନେ ଯେଉଁ ହିସାବ ଦିଅନ୍ତି, ତାହାକୁ ଆପଣମାନେ ବିଶ୍ବାସ କରନ୍ତି କି? ଟଙ୍କା ଓ ଖାଦ୍ୟପାନୀୟ, ଶାଢ଼ି, ଗାମୁଛା, ସାବୁନ ଓ ତେଲ ଦେଇ ଭୋଟରଙ୍କୁ ପ୍ରଭାବିତ କରିବା ଖର୍ଚ୍ଚ ହିସାବରେ ରହେକି? କୁଜିନେତା ଓ କର୍ମୀମାନଙ୍କୁ ଯେଉଁ ଟଙ୍କା ଦିଆଯାଏ ଏ ଖର୍ଚ୍ଚର ହିସାବ କେବେ ରହେ କି? ଯଦି ଏସବୁ ଟଙ୍କା ଓ ଏହାର ଖର୍ଚ୍ଚ ଗୁପ୍ତ ଏବଂ ଲୁକ୍କାୟିତ, ତେବେ ଭାରତର ଗଣତନ୍ତ୍ର ପ୍ରତିଦିନ ଧର୍ଷିତ, ଏହାର ମୂଳ ପ୍ରତିଦିନ ଉତ୍‌ପାଟିତ ଏବଂ ନିର୍ବାଚନ ସମୟକୁ ଗଣତନ୍ତ୍ରର ଗଣଧର୍ଷଣ ଭାବେ ବର୍ଣ୍ଣନା କରାଯାଇପାରେ। ବିଷୟଟି ଗଣତନ୍ତ୍ର ପାଇଁ କେତେ ସ୍ପର୍ଶକାତର, ଗଣତନ୍ତ୍ରର ଦିଗ୍‌ଦର୍ଶନ-ତାରା ସଦୃଶ ଉଦ୍‌ଭାସିତ ହେଉଥିବ। ତଳେ ଆଲୋଚିତ କେତୋଟି ଉଦାହରଣରୁ ଏହା ହୃଦ୍‌ବୋଧ ହେବ।
ଆମେରିକାରେ ୨୦୧୬ ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ଅଭିଯାନ ସମୟରେ ଦୁଇଜଣ ମହିଳା, ତତ୍କାଳୀନ ପ୍ରାର୍ଥୀ ଏବଂ ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ପୁରୁଣା ଯୌନସମ୍ପର୍କକୁ ଉନ୍‌ମୁକ୍ତ କରି ବ୍ଲାକ୍‌ମେଲ୍‌ କରିବାରୁ, ତାଙ୍କର ଓକିଲ ମାଇକେଲ କୋହେନ ରାଷ୍ଟ୍ରପତି ପ୍ରାର୍ଥୀ ହିସାବରେ ଟ୍ରମ୍ପ ବିଭିନ୍ନ ଶିଳ୍ପ ଓ ପୁଞ୍ଜିପତିଙ୍କଠାରୁ ପାଇଥିବା ନିର୍ବାଚନ ପାଣ୍ଠିରୁ, ଜଣେ ମହିଳାଙ୍କୁ (ଷ୍ଟିଫାନୀ କ୍ଲିଫୋର୍ଡ ଆଲିଆସ୍‌ ଷ୍ଟର୍ମି ଡାନିଏଲ୍‌ସ)୧,୩୦,୦୦୦ ଆମେରିକୀୟ ଡଲାର ଦେଇଥିଲେ। ଅନ୍ୟଜଣେ ମହିଳା (କାରେନ୍‌ ମାକ୍‌ଡୋଉଗାଲ) ଯିଏକି ତାଙ୍କର ଟ୍ରମ୍ପଙ୍କ ସହିତ ଯୌନ ସମ୍ପର୍କର କାହାଣୀକୁ ଗୋଟିଏ ପତ୍ରିକାକୁ ବିକ୍ରି କରିଦେଇଥିଲେ, ସେହି ପତ୍ରିକାରେ ସେହି କାହାଣୀ ଯେପରି ପ୍ରକାଶ ନପାଇବ, ସେଥିପାଇଁ ସେହି ପତ୍ରିକାକୁ ୧,୫୦,୦୦୦ ଡଲାର ଦେଇଥିଲେ। ବର୍ତ୍ତମାନ ରବର୍ଟ ମୁଲର, ଫେଡେରାଲ ଇନ୍‌ଭେଷ୍ଟିଗେଟର (ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତିଙ୍କ ଦ୍ବାରା ନିଯୁକ୍ତ) ମେ ୨୦୧୭ରୁ ଟ୍ରମ୍ପଙ୍କ ନିର୍ବାଚନ ଅଭିଯାନ ସମୟରେ ଯେଉଁ ଅଭିଯୋଗଗୁଡ଼ିକ ଉଠୁଛି, ବି​‌େ​‌ଶଷତଃ ଟ୍ରମ୍ପଙ୍କ ନିର୍ବାଚନୀ-ଅଭିଯାନ ରୁଷ ଭଳି ଏକ ବିଦେଶୀ ରାଷ୍ଟ୍ର ସହିତ ମିଶି ଗୁପ୍ତରେ ଚକ୍ରାନ୍ତ କରି ଭୋଟ ଜିଣିବା ମସୁଧା କରିବା ଇତ୍ୟାଦି ଉପରେ ତଦନ୍ତ କରିବା ବାଟରେ ଟ୍ରମ୍ପଙ୍କ ପୂର୍ବତନ ବ୍ୟକ୍ତିଗତ ଓକିଲ ମାଇକେଲ କୋହେନଙ୍କ କାର୍ଯ୍ୟକଳାପ ଉପରେ ନଜର ପକାଇଲେ। ତଦନ୍ତରୁ ଉପରେ ଆଲୋଚିତ ନିର୍ବାଚନ ପାଣ୍ଠିର ବେଆଇନ ଖର୍ଚ୍ଚ ଦୃଷ୍ଟିକୁ ଆସିଲା। ଆଶ୍ଚର୍ଯ୍ୟର ବିଷୟ ମାଇକେଲ କୋହେନ ଏଭଳି ବେଆଇନ ପାଣ୍ଠି ଖର୍ଚ୍ଚକୁ କେବଳ ମାନିଲେ ନାହିଁ, ବରଂ ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦେଶରେ ଏହା କରିଛନ୍ତି ବୋଲି ଶପଥ କରିଥିବା ତଦନ୍ତକାରୀଙ୍କ କୋର୍ଟରେ ଦୋଷ ସ୍ବୀକାର କଲେ। ଏହା ଆମେରିକୀୟ ଗଣତନ୍ତ୍ରରେ ରାଷ୍ଟ୍ରପତିଙ୍କର ଏକ ଗୁରୁତର ଅପରାଧ। ଗୁରୁତର ଏହି ଦୃଷ୍ଟିରୁ ଯେ ଯଦି ସେହି ଦୁଇ ମହିଳା ନିର୍ବାଚନ ସମୟରେ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ଅନୈତିକ ଯୌନ କାରବାରକୁ ପ୍ରଘଟ କରିଥାନ୍ତେ, ତେବେ କେତେ ଭୋଟର ତାଙ୍କଠାରୁ ବିମୁଖ ହୋଇ ତାଙ୍କ ବିରୋଧରେ ଯଦି ଭୋଟ ଦେଇଥାନ୍ତେ, ତେବେ ରାଷ୍ଟ୍ରପତି ଟ୍ରମ୍ପ ନିର୍ବାଚନରେ ହାରିଯାଇଥାନ୍ତେ କି? ଏଭଳି ଟଙ୍କା ଦେଇ ସେ ଭୋଟରମାନଙ୍କୁ ପରୋକ୍ଷରେ ପ୍ରଭାବିତ (ମିଥ୍ୟା ଭାବମୂର୍ତ୍ତିକୁ ସକାରାତ୍ମକ କରି ରଖିବା) କଲେ ନାହିଁକି? ଏଭଳି କାର୍ଯ୍ୟ ପାଇଁ ଆମେରିକାରେ ବହୁ ରାଜନେତା ଦଣ୍ଡିତ ହୋଇଛନ୍ତି। ବର୍ତ୍ତମାନର ଆମେରିକା ରାଷ୍ଟ୍ରପତି ମଧ୍ୟ ଏଥିପାଇଁ ଦଣ୍ଡିତ ହୋଇପାରନ୍ତି।
ଅଗଷ୍ଟ ୨୧, ୨୦୧୮ ତାରିଖରେ କାଲିଫର୍ଣ୍ଣିଆ ରାଜ୍ୟର ରିପବ୍ଲିକାନ୍‌ କଂଗ୍ରେସ ସଦସ୍ୟ (ଆମେରିକାନ ପାର୍ଲାମେଣ୍ଟର ସଦସ୍ୟ) ଡନକାନ୍‌ ହଣ୍ଟରଙ୍କୁ ଦୋଷାରୋପ କରାଯାଇଛି ଯେ ସେ ନିର୍ବାଚନ ଅଭିଯାନ ପାଣ୍ଠିରୁ ୨,୫୦,୦୦୦ ଆମେରିକୀୟ ଡଲାର ନିଜ ପାଇଁ, ଯଥା- ତାଙ୍କ ପରିବାରଙ୍କର ଇଟାଲି ଓ ହାୱାଇ ଭ୍ରମଣ ଖର୍ଚ୍ଚ, ଖାଇବା ଓ ପିଇବା (ମେକ୍ସିକାନ ମହର୍ଗ ସୋମରସ ପାନୀୟ) ଇତ୍ୟାଦିରେ ଖର୍ଚ୍ଚ କରି ମିଥ୍ୟା ନିର୍ବାଚନ ଖର୍ଚ୍ଚ ଭାଉଚର ଦାଖଲ କରିଥିଲେ। ସେହିଭଳି ପୂର୍ବତନ ସିନେଟର, ଉପରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ମନୋନୀତ, ତଥା ରାଷ୍ଟ୍ରପତି ପଦପାଇଁ ପୂର୍ବତନ ପ୍ରାର୍ଥୀ ଜନ୍‌ ଏଡ଼ୱାର୍ଡସ ୨୦୧୧ ମସିହାରେ ତାଙ୍କର ଉପ-ପତ୍ନୀ ଓ ସନ୍ତାନ ବିଷୟଟିକୁ ଲୋକଲୋଚନରେ ଲୁଚାଇବା ପାଇଁ ଦୁଇଜଣ ଧନୀ ଦାତାଙ୍କଠାରୁ ୯,୨୫,୦୦୦ ଡଲାର ଚାନ୍ଦା ଆଣି ସେ ଦିଗରେ ଖର୍ଚ୍ଚ କରିଥିବାରୁ, ଯେହେତୁ ଏଠାରେ ନିର୍ବାଚନ ପାଣ୍ଠି ଭୋଟରଙ୍କୁ ପ୍ରଭାବିତ (ନିଜର ଅସଲ ଭାବମୂର୍ତ୍ତିକୁ ଲୁଚାଇବା ଦ୍ବାରା) କରିବାରେ ଖର୍ଚ୍ଚ ହେଲା, ତେଣୁ ସେ ଦୋଷୀସାବ୍ୟସ୍ତ ହେଲେ। ଏଥିପାଇଁ ଜନ ଏଡ଼ୱାର୍ଡସଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିଲା। ଏହାଦ୍ବାରା ତାଙ୍କର ଉଜ୍ବଳ ଭବିଷ୍ୟତ ସମ୍ପନ୍ନ ରାଜନୈତିକ ଜୀବନର ଅବସାନ ଘଟିଲା।
ଆମେରିକାର ଫେଡେରାଲ ଇଲେକସନ୍‌ କମିସନରଙ୍କର ମୁଖ୍ୟ କାର୍ଯ୍ୟ ହେଉଛି କ୍ୟାମ୍ପେନ ଫାଇନାନ୍‌ସ ପରିଚାଳନା କରିବା। ଅର୍ଥାତ ନିର୍ବାଚନ ସମୟରେ ପ୍ରାର୍ଥୀମାନଙ୍କ ଚାନ୍ଦା ଆଦାୟ, ତଥା ନିର୍ବାଚନ ପାଇଁ ସରକାରୀ ଗ୍ରାଣ୍ଟ, ବିଶେଷତଃ ପଦପାଇଁ ପ୍ରାର୍ଥୀମାନେ କିପରି ଓ କେମିତି ଖର୍ଚ୍ଚ କରନ୍ତି, ତାହା ଫେଡେରାଲ ଇଲେକ୍‌ସନ କମିସନ ତଦାରଖ କରନ୍ତି। କମିସନ ପ୍ରାର୍ଥୀମାନେ ଦେଇଥିବା ଖର୍ଚ୍ଚର ବିବରଣୀ ମଧ୍ୟ ତଦନ୍ତ କରିପାରିବେ ଏବଂ ଆଇନ ଭଙ୍ଗକାରୀଙ୍କ ବିରୋଧରେ ମୋକଦ୍ଦମା କରିପାରିବେ। ୨୦୦ ଡଲାରରୁ ଅଧିକ ଚାନ୍ଦାଦେଇଥିବା ଦାତାମାନଙ୍କର ନାମ, ଠିକଣା ଓ ସେମାନଙ୍କର ଆୟର ପନ୍ଥା ଇତ୍ୟାଦି ରିପୋର୍ଟର ଆକାରରେ ସର୍ବସାଧାରଣଙ୍କ ଜ୍ଞାନ ପାଇଁ ପ୍ରକାଶ କରନ୍ତି। ନିର୍ବାଚନ ପାଣ୍ଠିର ବେଆଇନ କାର୍ଯ୍ୟଗୁଡ଼ିକୁ ବିପକ୍ଷ ପ୍ରାର୍ଥୀମାନେ, ନିର୍ବାଚନରେ ସତର୍କ ଦୃଷ୍ଟି ରଖୁଥିବା ସଂସ୍ଥାମାନେ ଏବଂ ସାଧାରଣ ନାଗରିକମାନେ ଫେଡେରାଲ ଇଲେକ୍‌ସନ୍‌ କମିସନ ପାଖରେ ଅଭିଯୋଗ କରିପାରିବେ।
ଦେଖନ୍ତୁ ଉପରେ ଅନ୍ୟଦେଶର ‘ଡାଟା’ ବା ହିସାବର ଉଦାହରଣ ଦିଆଯାଇ ପାରୁଛି, କିନ୍ତୁ ଆମ ଦେଶରେ ବା ରାଜ୍ୟରେ ଏପରି ଟିକିନିକି ଖବର, ନିର୍ବାଚନ ପାଣ୍ଠିର ଆଦାୟ ଓ ଖର୍ଚ୍ଚ ସମ୍ବ​‌େ​‌ନ୍ଧ କିଛି ପାଇବେ ନାହିଁ। କେବଳ ମିଥ୍ୟା ଓ କଳ୍ପିତ ହିସାବ ଦଳ ଓ ପ୍ରାର୍ଥୀମାନେ ନିର୍ବାଚନ କମିସନଙ୍କୁ ଦେଇଥିବା ରିପୋର୍ଟ ଦେଖିପାରିବେ। ଭୋଟରମାନେ ଜାଣନ୍ତି ତାଙ୍କର ପ୍ରାର୍ଥୀ ନିର୍ବାଚନରେ କିପରି ଟଙ୍କା ଖର୍ଚ୍ଚ କରନ୍ତି। ଦଳୀୟ କର୍ମୀ ଓ କାର୍ଯ୍ୟକର୍ତ୍ତା ଏ ସମସ୍ତେ ଅଧିକ ଜାଣନ୍ତି। ଆମ ଦେଶର ଆଇନ ନିର୍ବାଚନ ଖର୍ଚ୍ଚ ଉପରେ କଡ଼ାକଡ଼ି ନାହିଁ ଏବଂ ଆମେରିକା ଭଳି ଏସବୁ ଯାଞ୍ଚ କରିବାକୁ ସ୍ବତନ୍ତ୍ର ସଂସ୍ଥା ନାହିଁ। ଭାରତର ନିର୍ବାଚନ କମିସନ ସମସ୍ତ ନିର୍ବାଚନୀ ଦାୟିତ୍ବ ତୁଲାନ୍ତି ଆୟୋଗ। ଭୋଟରଙ୍କୁ ପଇସାଦେଇ ଭୋଟ କିଣିଥିବା କୌଣସି ପ୍ରାର୍ଥୀଙ୍କୁ ଆୟୋଗ ଏ ପର୍ଯ୍ୟନ୍ତ ଦଣ୍ଡିତ କରିପାରି ନାହାନ୍ତି। ଯଦିଓ ନିର୍ବାଚନରେ ପଇସା କାରବାର ଭାରତବର୍ଷର ସର୍ବତ୍ର ବିଦିତ, ଯେମିତିକି ଆମ ଗଣତନ୍ତ୍ରର ଇଏ ଏକ ମୂଳମନ୍ତ୍ର! କିନ୍ତୁ ରାଜନୀତିରେ ​ଭୋଟ କିଣିବା, ପଇସାଦେଇ ସମର୍ଥନ ଯୋଗାଡ଼ କରିବା, ସର୍ବୋପରି ଚାନ୍ଦା ଆଦାୟ କରିବା, ଆଦିର ଅନେକ ଦୃଷ୍ଟାନ୍ତ ଦେଖିବାକୁ ମିଳେ। ଯେହେତୁ ବର୍ତ୍ତମାନ ‘ପବ୍ଲିକ ଡୋମେନ୍‌’ରେ (ଟିଭି, ସମ୍ବାଦପତ୍ର, ଇଣ୍ଟରନେଟ ଇତ୍ୟାଦି) ଟଙ୍କାନେଇ ଭୋଟ କିଣିବା ଓ ରାଜନୀତି ପାଇଁ ପଇସା ଯୋଗାଡ଼ ବିଷୟ ସ୍ଥାନ ପାଉନାହିଁ, ତଥାପି ନିଃସନ୍ଦେହ ଓ ଏହା ଭାରତସାରା ବନ୍ୟାପରି ପ୍ଲାବିତ ହୋଇସାରିଛି।
ଗଣତନ୍ତ୍ରରେ ରାଜନୈତିକ ଦଳ, ତାଙ୍କର ସର୍ବୋଚ୍ଚ ନେତା ଯେତେବଡ଼ ପଦରେ ଥିଲେ ମଧ୍ୟ ଏବଂ ପ୍ରାର୍ଥୀମାନେ ନିର୍ବାଚନରେ କଳାଟଙ୍କାର କାରବାର, ଟଙ୍କାଦେଇ ଭୋଟ କିଣିବା କେତେ ସାଙ୍ଘାତିକ ହୋଇପାରେ, ତାହା ଅତୀତର ନଗରୱାଲ ମାମଲା (୧୯୭୧) ଓ ଜେଏମଏମ ବ୍ରାଇବ୍ରେରୀ ମାମଲା (୧୯୯୩)ଆଦିରୁ ଜଣାପଡ଼େ। ତେବେ ରାଜନୈତିକ ଦଳମାନେ କେମିତି ଚାନ୍ଦାନେବେ ବା ଦାତାମାନେ କିପରି ଚାନ୍ଦା ଦେବେ ସେ ସମ୍ବନ୍ଧେ ଭାରତ ସରକାର ଜାନୁଆରୀ ୨ ୨୦୧୮ରୁ ଏକ ନୂତନ ଆଇନ ଲାଗୁ କରିଛନ୍ତି, ଯେଉଁଥିରୁ ପ୍ରତୀୟମାନ ହେବଯେ ଗଣତନ୍ତ୍ରକୁ ଦୁର୍ବଳ କରୁଥିବା ଏଭଳି ଏକ କର୍କଟାକାର ବ୍ୟାଧିର ମୂଳୋତ୍ପାଟନ ପାଇଁ ଭାରତ ଆଦୌ ଆଗ୍ରହୀ ନୁ​‌େ​‌ହଁ। ଏହି ନୂତନ ନିୟମରେ ଅଛି ଯେ ଦାତାମାନେ ଇଲେକଟୋରାଲ ବଣ୍ଡ୍‌ ମାଧ୍ୟମରେ ରାଜନୈତିକ ଦଳମାନଙ୍କୁ ଚାନ୍ଦା ଦେଇପାରିବେ। ଯେଉଁ ଦଳମାନେ ପଞ୍ଜୀକୃତ ହୋଇଥିବେ, ଗତ ନିର୍ବାଚନରେ ଅତି କମ୍‌ରେ ଶତକଡ଼ା ୧ ଭାଗ ଭୋଟପାଇଥିବେ, ସେହିମାନେ ହିଁ ଚାନ୍ଦା ପାଇପାରିବେ। ଏ ବଣ୍ଡ୍‌ରେ ଦାତାର ନାମ ରହିବ ନାହିଁ, ଯଦିଓ ବ୍ୟାଙ୍କରୁ ‘ବଣ୍ଡ୍‌’ କିଣିଲାବେଳେ କେୱାଇସି ଫର୍ମରେ ଦାତା ତାଙ୍କର ସମସ୍ତ ବିବରଣୀ ଦେବେ। ରାଜନୈତିକ ଦଳମାନେ ଏହି ଚାନ୍ଦା ତାଙ୍କର ଏକ ନିର୍ଦିଷ୍ଟ ବ୍ୟାଙ୍କ ଆକାଉଣ୍ଟକୁ ଦେବାର ବ୍ୟବସ୍ଥା କରି ନିର୍ବାଚନ କମିସନଙ୍କୁ ଜଣାଇବେ। ବଣ୍ଡ୍‌ ଗ୍ରହୀତା ରାଜନୈତିକ ଦଳ ୧୫ ଦିନ ମଧ୍ୟରେ ଏହି ବଣ୍ଡ୍‌କୁ ତାଙ୍କ ଦଳର ବ୍ୟାଙ୍କ ଆକାଉଣ୍ଟରେ ନଗଦ କରିପାରିବେ। ଦାତା କେଉଁ ଦଳକୁ ପାଣ୍ଠି ଦେଉଛନ୍ତି ଜାଣିବେ, କିନ୍ତୁ କେଉଁ ଦାତା, ବିଶେଷତଃ ପୁଞ୍ଜିପତି କର୍ପୋରେଟ ହାଉସମାନେ, କେଉଁ ଦଳକୁ କେତେଦେଲେ, ଜନସାଧାରଣ ଜାଣିପାରିବେ ନାହିଁ। ଏଥିରୁ ଜଣାପଡ଼େ ଗଣତନ୍ତ୍ର ମୂଳପିଣ୍ଡ, ନିର୍ବାଚନରେ ରାଜନୈତିକ ଦଳମାନଙ୍କର ବହୁଳ ଭାବରେ ଟଙ୍କା କାରବାରକୁ ଆମେ ଅାଦୌ ଗୁରୁତ୍ବ ଦେଉନାହଁୁ। ଏଥିରେ ନିଜକୁ ଏକ ବୃହତ ଗଣତାନ୍ତ୍ରିକ ଦେଶବୋଲି କହିବାରେ କୌଣସି ଗୌରବ, ଖ୍ୟାତି, ଯଶ ରହୁନାହିଁ। କଳାଧନ ପାଣ୍ଠିରୁ ଭୋଟରଙ୍କୁ ଟଙ୍କା ଦେଇ ଭୋଟ କିଣିବା ବା ଭୋଟରଙ୍କୁ ପ୍ରଭାବିତ କରିବା ଗଣତନ୍ତ୍ରକୁ ହତ୍ୟା କରିବା ସଦୃଶ। ଏହା ଅବୈଧ, ବେଆଇନ। ତେଣୁ ପୃଥିବୀର ଗଣତାନ୍ତ୍ରିକ ମୂଲ୍ୟବୋଧ ଆଦର୍ଶ ରଖୁଥିବା ଦେଶଗୁଡ଼ିକରେ ନିର୍ବାଚନ ପାଇଁ ବେଆଇନ ଚାନ୍ଦା ଆଦାୟ ଓ ଏଭଳି ଟଙ୍କାଦେଇ ଭୋଟ କିଣିବାକୁ ଜଘନ୍ୟ ଅପରାଧ ରୂପେ ଆଇନରେ ରଖି, କଠୋର ଦଣ୍ଡ ବିଧାନ କରାଯାଇଛି।

Leave A Reply