ନିର୍ବାଚନ ଓ ଅର୍ଥବଳ

0

ଭାରତୀୟ ନିର୍ବାଚନରେ ଅର୍ଥବଳର ଦୁରୁପଯୋଗ ଓ କଳାଟଙ୍କାର ବହୁଳ ବ୍ୟବହାର ଏକ ଚିନ୍ତାଜନକ ବିଷୟ, ଏହା ଗଣତନ୍ତ୍ର ପ୍ରତି ମଧ୍ୟ ଏକ ବିପଦ। ନିର୍ବାଚନରେ ସ୍ବଚ୍ଛତା ରକ୍ଷା ଏବଂ କଳାଟଙ୍କାର ପ୍ରଭାବକୁ ନିୟନ୍ତ୍ରିତ କରିବାପାଇଁ ବହୁ ଦିନରୁ ଦେଶରେ ବିତର୍କ ଚାଲିଛି। ନିର୍ବାଚନ ପାଇଁ ପ୍ରାର୍ଥୀଙ୍କୁ ରାଷ୍ଟ୍ର ପାଣ୍ଠି ଯୋଗାଣ ବିଷୟରେ ମଧ୍ୟ ଚିନ୍ତା କରାଯାଇଛି। ସରକାର ବିଭିନ୍ନ ସମୟରେ ନିର୍ବାଚନରେ ଅର୍ଥବଳର ପ୍ରଭାବକୁ ହ୍ରାସ କରିବାକୁ କିଛି ଆଇନ ପ୍ରଣୟନ କରି ତାହାକୁ ମଧ୍ୟ କାର୍ଯ୍ୟକାରୀ କରିଛନ୍ତି। ଏସବୁ ସତ୍ତ୍ବେ ପରିଣାମ ଆଦୌ ଉତ୍ସାହଜନକ ହୋଇନି; ବରଂ ଦିନକୁ ଦିନ କଳାଟଙ୍କାର ପ୍ରାବଲ୍ୟ ଦେଖିବାକୁ ମିଳୁଛି। ଫଳରେ ଭାରତୀୟ ନିର୍ବାଚନ ଧନାଢ଼୍ୟ ଓ ପ୍ରଭାବଶାଳୀଙ୍କ କ୍ରୀଡ଼ାଭୂମି ପାଲିଟିଥିବାବେଳେ କଳାଟଙ୍କା ଖଟାଇ ଲୋକେ ନିଜସ୍ବ ପ୍ରଭାବ ଓ ପ୍ରତିଷ୍ଠାକୁ ଜାହିର କରିବାସହ ସମୁଦାୟ ବ୍ୟବସ୍ଥାକୁ ନିଜ ନିୟନ୍ତ୍ରଣରେ ରଖି ଏକ ଦୁର୍ନୀତିର ବିଷଚକ୍ର ସୃ​‌ଷ୍ଟି କରୁଛନ୍ତି। ରାଜନୈତିକ ଦଳମାନେ ମଧ୍ୟ କଳାଟଙ୍କା ଉପରେ ବହୁଳଭାବେ ନିର୍ଭର କରୁଥିବାରୁ ଶାସନ ସ୍ବଚ୍ଛ ଓ ଉତ୍ତରଦାୟୀ ହୋଇପାରୁନାହିଁ। ଏହା ଅର୍ଥ ଆଦାୟର ଏକ ବ୍ୟବସାୟ ପାଲଟିଛି।
ମୁଖ୍ୟ ନିର୍ବାଚନ ଆୟୁକ୍ତ ଓ. ପି. ରାୱତ ଏବେ ଏ ନେଇ ଯାହା କହିଛନ୍ତି ତାହା ପ୍ରଣିଧାନଯୋଗ୍ୟ। ଦେଶର ପ୍ରଚଳିତ ଆଇନ ନିର୍ବାଚନରେ କଳାଟଙ୍କା ବ୍ୟବହାରକୁ ରୋକିବାକୁ ସମର୍ଥ ନୁହେଁ ବୋଲି ସେ ଯାହା କହିଛନ୍ତି ସେଥିରେ ଦ୍ବିମତ ହେବାର କିଛି ନାହିଁ। କଳାଟଙ୍କା ସହିତ ଡାଟା ଚୋରି, ଡାଟା ହାରଭେଷ୍ଟିଂ ଓ ଫେକ୍‌ ନ୍ୟୁଜ୍‌ ଆଦି ଘଟଣା ଯାହା ନୂଆ ଟେକ୍‌ନୋଲୋଜି ଓ ବୁଦ୍ଧି ଦ୍ବାରା ପରିଚାଳିତ, ତାହା ମଧ୍ୟ ଭାରତୀୟ ଗଣତନ୍ତ୍ର ପାଇଁ ବିପଦ ଆଣିଛି। ଏଭଳି ଅବସ୍ଥାରେ ବିଶ୍ବର ସର୍ବବୃହତ୍‌ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସ୍ବଚ୍ଛ ଓ ଅବାଧ ନିର୍ବାଚନ ପାଇଁ କଠୋର, ଯୁଗୋପଯୋଗୀ ଆଇନର ଆବଶ୍ୟକତା ରହିଛି। ଏ ସମ୍ପର୍କରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ତାଙ୍କ ଅନୁଭୂତି ସମ୍ପନ୍ନ କଥା ଦେଶବାସୀଙ୍କୁ ଜଣାଇଦେଇ ପରୋକ୍ଷରେ ସୂଚାଇଦେବାକୁ ଚାହୁଁଛନ୍ତି ଯେ ସେ ଓ ତାଙ୍କ ଟିମ୍‌ ଏ କ୍ଷେତ୍ରରେ ମଧ୍ୟ ଏକପ୍ରକାର ଅସହାୟ। ଅତଏବ ଏବେ ଦାୟିତ୍ବ ସରକାରଙ୍କ ଉପରେ।
ନିର୍ବାଚନ ସଂସ୍କାର ଏବଂ କଳାଧନର ଦୁରୁପଯୋଗ ରୋକିବା ପାଇଁ ଦୃଢ଼ ରାଜନୈତିକ ଆଗ୍ରହ ଏବେ ପ୍ରଥମ ଆବଶ୍ୟକତା। ସେଥିପାଇଁ ସାହସ, ଇଚ୍ଛାଶକ୍ତି ଓ ପ୍ରତିବଦ୍ଧତା ଦରକାର। ସରକାର ବିଶେଷ ତତ୍ପର ନ’ହେଲେ ଏ କ୍ଷେତ୍ରରେ ବିଶେଷ କିିଛି ହୋଇପାରିବ ନାହିଁ। ଏଥିରେ ମଧ୍ୟ ସବୁ ରାଜନୈତିକ ଦଳଙ୍କର ସହଯୋଗ ଲୋଡ଼ା। ତା’ ନ’ହେଲେ ଚଟୁ ଆଇଁଷ ବେଣ୍ଟ ନିରେଇଁଷ ନ୍ୟାୟରେ କାମ ଚାଲିବ ଏବଂ ଦୁର୍ବଳ ଆଇନର ସୁଯୋଗ ନେଇ ନ୍ୟସ୍ତସ୍ବାର୍ଥ ସମଗ୍ର ନିର୍ବାଚନ ପ୍ରକ୍ରିୟା ଓ ଶାସନକୁ ନିଜ ନିୟନ୍ତ୍ରଣରେ ରଖିବେ। ଏ ଦିଗରେ ଯେତେଶୀଘ୍ର ସରକାର କାର୍ଯ୍ୟ ଆରମ୍ଭ କରିବେ ସେତେ ଭଲ।

Leave A Reply