ଖଣିଜ ଶିଳ୍ପର ସୁପରିଚାଳନା ଆବଶ୍ୟକ

0

ପ୍ରଫୁଲ୍ଲ କୁମାର ଜେନା

ଦେଶ ଆମର ବିଭିନ୍ନ ଖଣିଜ ସମ୍ପଦ, ଜଙ୍ଗଲ, ଜଳ, ଉର୍ବର ମୃତ୍ତିକା, ସମୁଦ୍ର ଇତ୍ୟାଦି ପ୍ରାକୃତିକ ସମ୍ପଦରେ ଭରା। ଏହିସବୁ ପ୍ରାକୃତିକ ସମ୍ପଦକୁ ଉପଯୁକ୍ତ ଭାବେ ବ୍ୟବହାର କରି ଦେଶର ସାମାଜିକ ଓ ଆର୍ଥିକ ଉନ୍ନତି ଆଣିବା ଆମର ପ୍ରଧାନ କର୍ତ୍ତବ୍ୟ। ଏଗୁଡ଼ିକ ଭିତରେ ଖଣିଜ ସମ୍ପଦ ଅତି ମୂଲ୍ୟବାନ। ଦେଶରେ ବଡ଼ବଡ଼ ଶିଳ୍ପକାରଖାନା, ଯଥା:- ତାପଜ ବିଦ୍ୟୁତ, ଲୁହା ଓ ଇସ୍ପାତ, ଆଲୁମିନିୟମ୍‌, ତମ୍ବା, ନିକେଲ, ଜିଙ୍କ୍‌, ୟୁରାନିୟମ, ଜିର୍‌କୋନିୟମ୍‌, ଟାଇଟାନିୟମ, ସିମେଣ୍ଟ, ରିଫ୍ରାକ୍ଟୋରିଜ୍‌ ଇତ୍ୟାଦି ଖଣିଜ ସମ୍ପଦଭିତ୍ତିକ ଅଟନ୍ତି। ଦେଶର ଆର୍ଥିକ ଓ ସାମାଜିକ ପ୍ରଗତି ଏହି ସବୁ ଶିଳ୍ପ କାରଖାନା ଉପରେ ବହୁ ପରିମାଣରେ ନିର୍ଭରକରେ। ତେଣୁ, ଦେଶର ପ୍ରଗତିକୁ ବଜାୟ ରଖିବା ପାଇଁ ଗଚ୍ଛିତ ଥିବା ବିଭିନ୍ନ ଖଣିଜ ପଦାର୍ଥର ଉପଯୁକ୍ତ ବିନିଯୋଗ ଅତ୍ୟନ୍ତ ଜରୁରୀ। ଏହି ମୂଲ୍ୟବାନ ସମ୍ପଦଗୁଡ଼ିକର ସୁପରିଚାଳନାରେ ଦେଶ ବହୁଦିନ ଧରି ପ୍ରଗତି ପଥେ ଆଗେଇ ଚାଲିବ।
ଯଦିଓ ଭାରତରେ ବହୁ ପରିମାଣର ବିଭିନ୍ନ ପ୍ରକାରର ଖଣିଜ ସମ୍ପଦ ଗଚ୍ଛିତ ଅଛି, ଏଗୁଡ଼ିକର ଉତ୍ତୋଳନ ପ୍ରଣାଳୀ ଓ ଉପଯୁକ୍ତ ବ୍ୟବହାର ଅନ୍ୟ ଉନ୍ନତ ଦେଶ ତୁଳନାରେ ବହୁତ ପଛେଇ ରହିଛି। ଆମ ଦେଶର ଅଧିକାଂଶ ଖଣି, ବିଶେଷତଃ ଯେଉଁଗୁଡ଼ିକ ଘରୋଇ ସଂସ୍ଥା ଅଧୀନରେ, ତାହା ପୁରୁଣା ପଦ୍ଧତି ଅନୁସାରେ କାର୍ଯ୍ୟକାରୀ ହେଉଥିବାରୁ ବହୁ ପରିମାଣର ନିମ୍ନମାନର ଖଣିଜ ସମ୍ପଦ ନ​‌ଷ୍ଟ ହେବାର ଲାଗିଛି। ଏହା ସହିତ ଦେଶରେ ଯେପରି ବେଆଇନ୍‌ ଭାବରେ ଅଧାପନ୍ତରିଆ ଖଣିଜ ସମ୍ପଦର ଖନନ ଚାଲିଛି, ତାହା ଫଳରେ ଅନେକ ଖଣିଜ ପଦାର୍ଥ ନଷ୍ଟ ହେବା ସହିତ ବହୁ ରାଜସ୍ବ କ୍ଷତି ଘଟୁଛି। ଏତଦ୍‌ ବ୍ୟତୀତ, ନିମ୍ନମାନ ଖଣିଜ ସମ୍ପଦ ଯାହାକି ଉଚ୍ଚମାନ ଖଣିଜ ସମ୍ପଦର ବହୁଗୁଣରେ ଗଚ୍ଛିତ ଅଛି, ସେଗୁଡ଼ିକର ଉପଯୁକ୍ତ ମାନବୃଦ୍ଧି ନହେବାରୁ ଧାତୁ ପଦାର୍ଥର ବହୁ ଅଂଶ ନଷ୍ଟ ହେଉଛି। ପୁଣି, ଖଣିଜ ସମ୍ପଦ ଉତ୍ତୋଳନବେ​‌େ​‌ଳ ଖଣି ଅଞ୍ଚଳର ଅନ୍ୟାନ୍ୟ ପ୍ରାକୃତିକ ସମ୍ପଦ ଯଥା- ଜଳ, ଜଙ୍ଗଲ, ଉର୍ବର ମୃତ୍ତିକା ଇତ୍ୟାଦିର ବହୁ କ୍ଷୟକ୍ଷତି ଘଟୁଛି। ଖଣି ଖନନପରେ ସେହି ସ୍ଥାନଗୁଡ଼ିକୁ ଧ୍ବସ୍ତବିଧ୍ବସ୍ତ ଭାବେ ପଡ଼ିରହୁଛି, ଫଳରେ ସେହି ଅଞ୍ଚଳର ପ୍ରାକୃତିକ ସମ୍ପଦର ଉପଯୁକ୍ତ ବିନିଯୋଗ ହୋଇପାରୁନାହିଁ।
ଦେଶରେ ଖଣିଜସମ୍ପଦଭିତ୍ତିକ ବହୁ ଶିଳ୍ପ କାରଖାନାଗୁଡ଼ିକରେ ମଧ୍ୟ ପୁରୁଣା ପଦ୍ଧତିରେ ଧାତୁ ନିଷ୍କାସନ ହେଉଥିବାରୁ ବହୁ ପରିମାଣର ସ୍ଲାଗ୍‌ ଓ ଅନ୍ୟାନ୍ୟ ତେଜ୍ୟ ପଦାର୍ଥ ନିର୍ଗତ ହେଉଛି ଏବଂ ସେ ସବୁଗୁଡ଼ିକରେ ବହୁ ଅଂଶରେ ଧାତୁ ସମ୍ପଦ ରହିଯାଉଛି। ଏସବୁ ଖଣିଜସମ୍ପଦଭିତ୍ତିକ ଶିଳ୍ପ କାରଖାନାଗୁଡ଼ିକ ମଧ୍ୟ ଖଣି ଅଞ୍ଚଳଭଳି ସେମାନଙ୍କର ପରିବେଶକୁ ନଷ୍ଟ କରିବାରେ ଲାଗିଛନ୍ତି। ଫଳରେ, ସେଗୁଡ଼ିକର ତେଜ୍ୟ ପଦାର୍ଥ ଓ ଅଶୁଦ୍ଧ ଜଳଯୋଗୁଁ ସେହି ଅଞ୍ଚଳର ଜଳ, ସ୍ଥଳ ଓ ବାୟୁ ମଣ୍ଡଳ ଦୂଷିତ ହେଉଛି ଏବଂ ସ୍ଥାନୀୟ ଲୋକମାନେ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛନ୍ତି।
ଦେଶର ଆର୍ଥିକ ଓ ସାମାଜିକ ପ୍ରଗତିକୁ ଆଗେଇ ନେବାପାଇଁ ଓ ତାକୁ ବହୁଦିନ ଧରି ସ୍ଥାୟୀ କରିବା ପାଇଁ ଆମକୁ ସବୁ ପ୍ରକାରର ଖଣିଜ ସମ୍ପଦର ଉପଯୁକ୍ତ ଉତ୍ତୋଳନ ସଙ୍ଗେସଙ୍ଗେ ନିମ୍ନମାନର ଖଣିଜ ସମ୍ପଦର ମାନବୃଦ୍ଧି କରିବା, ବିଭିନ୍ନ ପ୍ରକାର ଧାତୁଶିଳ୍ପ କାରଖାନାରେ ଆଧୁନିକ ପ୍ରଣାଳୀରେ ଧାତୁ ଓ ମିଶ୍ରଧାତୁ ଇତ୍ୟାଦି ପ୍ରସ୍ତୁତ କରିବା ଏବଂ ସମସ୍ତ ପ୍ରକାର ତେଜ୍ୟ ପଦାର୍ଥରୁ ଅବଶିଷ୍ଟ ଧାତୁଗୁଡ଼ିକୁ ନିଷ୍କାସନ କରାଇବା ସହିତ ସେଗୁଡ଼ିକର ଉପଯୁକ୍ତ ବିନିଯୋଗ କରାଇବା ଅତ୍ୟାବଶ୍ୟକ। ଏଥିସହିତ ଜଳ, ଜଙ୍ଗଲ ଓ ସ୍ଥଳଭାଗକୁ ବିଭିନ୍ନ ପ୍ରକାରର ତେଜ୍ୟ ପଦାର୍ଥର କୁପ୍ରଭାବରୁ ରକ୍ଷା କରିବା ଅତ୍ୟନ୍ତ ଜରୁରୀ।
ଖଣି ଓ ଖଣିଜ ସମ୍ପଦ ମାନବୃଦ୍ଧିକରଣ ଶିଳ୍ପକାରଖାନାମାନଙ୍କର ବିଭିନ୍ନ ଅଂଶରେ ଜଙ୍ଗଲ ସୃଷ୍ଟି କରାଇବା, ପ୍ରାକୃତିକ ଜଳସମ୍ପଦର ସୁରକ୍ଷା କରିବା, ବର୍ଷାଜଳ ଖଣିଗହ୍ବର ଓ ଅନ୍ୟାନ୍ୟ ନିମ୍ନ ସ୍ଥାନମାନଙ୍କରେ ସଂଗ୍ରହ କରାଇବା ଓ ରାସ୍ତାଘାଟ ତିଆରି କରିବା ଉଚିତ୍‌। ଏହାଫଳରେ, ଖଣି ଖନନ ପରେ ସେହି ଅଞ୍ଚଳ ଉତ୍ପାଦନକ୍ଷମ ଓ ବସବାସ ଯୋଗ୍ୟ ହୋଇପାରିବ। ସେହିପରି ଭାବରେ ଖଣିଜ ସମ୍ପଦଭିତ୍ତିକ ଶିଳ୍ପକାରଖାନାମାନଙ୍କରେ ମଧ୍ୟ ବର୍ଜ୍ୟ ପଦାର୍ଥଗୁଡ଼ିକର ସୁପରିଚାଳନା, ସେସବୁ ଅଞ୍ଚଳରେ ସାମାଜିକ ବନୀକରଣ ଏବଂ ବିଭିନ୍ନ ଖାଲୁଆ ଅଞ୍ଚଳମାନଙ୍କରେ ବୃଷ୍ଟିଜଳ ସଂଗ୍ରହ କରି ସେସବୁ ଅଞ୍ଚଳକୁ ଅଧିକ ଉତ୍ପାଦନକ୍ଷମ କରିବା ସହିତ ପରିବେଶକୁ ନିର୍ମଳ ରଖିବା ଅତ୍ୟନ୍ତ ଜରୁରୀ।
ଆମ ଦେଶରେ ନାଓବିୟମ୍‌, ଟାଇଟାନିୟମ୍‌, ଟଙ୍ଗ୍‌ଷ୍ଟେନ୍‌, ମଲିବଡେନମ୍‌, ନିକେଲ୍‌ ଇତ୍ୟାଦି କେତେକ ମୂଲ୍ୟବାନ୍‌ ଧାତୁର ଖଣିଜ ପଦାର୍ଥ ବହୁ କମ୍‌ ପରିମାଣରେ ଗଚ୍ଛିତ ଅଛି। ଏହି ସବୁ ମୂଲ୍ୟବାନ୍‌ ଧାତୁ ଓ ମିଶ୍ରଧାତୁର ବ୍ୟବହାର ଇଲେକ୍‌ଟ୍ରିକ୍‌, ଇଲେକ୍‌ଟ୍ରୋନିକ୍‌ସ, ସ୍ପେସ୍‌, ଅଟୋମିକ୍‌ ଏନର୍ଜି ଇତ୍ୟାଦି କ୍ଷେତ୍ରରେ ଦିନକୁଦିନ ବଢ଼ୁଥିବାରୁ ସେଗୁଡ଼ିକୁ ଦେଶରେ ମିଳୁଥିବା ସ୍କ୍ରାଫ୍‌, ସ୍ଲାଗ୍‌ ଇତ୍ୟାଦି ତେଜ୍ୟ ପଦାର୍ଥମାନଙ୍କୁ ନିଷ୍କାସନ କରିବା ଅତ୍ୟନ୍ତ ଜରୁରୀ। ଯଦି ଦରକାର ପଡ଼େ ତେବେ, ଏହି ସବୁ ମୂଲ୍ୟବାନ୍‌ ଧାତୁଗୁଡ଼ିକର ସ୍କ୍ରାଫ ଓ ଅନ୍ୟାନ୍ୟ ତେଜ୍ୟ ପଦାର୍ଥମାନ ବାହାର ଦେଶରୁ ଅଳ୍ପ ମୂଲ୍ୟରେ ଆମଦାନୀ କରି ସେଗୁଡ଼ିକରୁ ସେସବୁ ଧାତୁମାନ ନିଷ୍କାସନ କରି ବ୍ୟବହାର କରିବା ଉଚିତ୍‌। ଏସବୁ ପାଇଁ ଆମ ଦେଶରେ ଉନ୍ନତମାନର ଟେକ୍ନୋଲଜିର ଅଭାବ ନାହିଁ। ଏହା ଫଳରେ, ଦେଶର ଏସବୁ ମୂଲ୍ୟବାନ୍‌ ଧାତୁଗୁଡ଼ିକର ଚାହିଦା ମେଣ୍ଟାଇବା ସହିତ ବହୁ ପରିମାଣର ବୈଦେଶିକ ମୁଦ୍ରାର ଖର୍ଚ୍ଚ ବନ୍ଦ କରାଯାଇପାରିବ।
ଆମ ଦେଶର ଆର୍ଥିକ ଓ ସାମାଜିକ ଉନ୍ନତି ପାଇଁ ଖଣିଜ ସମ୍ପଦ ଏବଂ ଏସବୁ ଭିତ୍ତିକ ଶିଳ୍ପକାରଖାନାଗୁଡ଼ିକ ଅତି ଜରୁରୀ ହୋଇଥିବାରୁ ରାଜ୍ୟ ଓ କେନ୍ଦ୍ର ସରକାର ଖଣିଜ ସମ୍ପଦ ଉପଯୁକ୍ତ ଉତ୍ତୋଳନ ଏବଂ ବିନିଯୋଗ ପାଇଁ ଅଧିକ ସଜାଗ ରହିବା ଦରକାର। ଖଣିଜସମ୍ପଦ ଖନନଠାରୁ ଆରମ୍ଭକରି ନିମ୍ନମାନର ଖଣିଜ ସମ୍ପଦର ମାନବୃଦ୍ଧିକରଣ, ସେସବୁଭିତ୍ତିକ କଳକାରଖାନାଗୁଡ଼ିକୁ ଅଧିକ ଉତ୍ପାଦନ କ୍ଷମ କରାଇବା ଏବଂ କେତେକ ତେଜ୍ୟ ପଦାର୍ଥରୁ ଧାତୁ ନିଷ୍କାସନ ଅତ୍ୟନ୍ତ ଜରୁରୀ। ଆଧୁନିକ ବିଜ୍ଞାନ ଓ କାରିଗରୀ କୌଶଳ ଇତ୍ୟାଦି ପ୍ରୟୋଗକରି ଖଣି ଓ ଅନ୍ୟାନ୍ୟ ପ୍ରାକୃତିକ ସମ୍ପଦର ଉପଯୁକ୍ତ ବିନିଯୋଗ ହେଲେ ଆମ ଦେଶ ଆର୍ଥିକ ଓ ସାମାଜିକ ଉନ୍ନତି ପଥରେ ଅଧିକ ଆଗେଇ ପାରିବ ଏବଂ ବହୁଦିନ ଧରି ସ୍ଥାୟୀ ହୋଇପାରିବ।
୮୦-ଏ, ୮୧-ଏ, ଲୁଇସରୋଡ଼, ଭୁବନେଶ୍ବର

Leave A Reply