ଭାରତୀୟତାର ଏ କି ପ୍ରକାର ସଂଜ୍ଞା?

0

ସଂଜୀବ ଚନ୍ଦ୍ର ହୋତା

କିଛିଦିନ ତଳେ ଏଇ ସ୍ତମ୍ଭରେ ଏକ ଦୀର୍ଘ ପ୍ରବନ୍ଧ ପ୍ରକାଶ ପାଇଥିଲା, ଯାହାର ଶୀର୍ଷକ ଥିଲା ‘ଭାରତୀୟତାର ରାଜନୀତି’। ଭାରତର ସ୍ବାଧୀନତା ପ୍ରାପ୍ତିଠାରୁ ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ରାଜନୀତି ଓ ଅର୍ଥନୈତିକ ବିଶ୍ଳେଷଣ କରାଯାଇ ଉପସଂହାରରେ ଉଲ୍ଲେଖ ହେଲା ଯେ ‘ଭାରତ ଫେରିଛି, ଏ କିଛି କମ୍‌ କଥା ନୁହେଁ।’ ବର୍ତ୍ତମାନର ଏକ ବ୍ୟକ୍ତିକୈନ୍ଦ୍ରିକ ନେତୃତ୍ବକୁ ଉଚ୍ଚ ପ୍ରଶଂସା କରାଯାଇ ସେ ଏ ଦେଶର ଦିଗ ନିର୍ଦେଶକ ବୋଲି ଲେଖାଯାଇଛି। ପୂର୍ବର ବିକାଶର ଧାରା ଦିଗହରା ଥିଲା, ବର୍ତ୍ତମାନ ଠିକ୍‌ ବାଟକୁ ଆସିଛି ଓ ଆଗେଇବ ବୋଲି ମତ ପ୍ରକାଶ କରିଛନ୍ତି ଲେଖକ, କାରଣ ଜଣେ ସାଧାରଣ ମଣିଷ ନିଜର ପରାକାଷ୍ଠା ବଳରେ ରାଷ୍ଟ୍ରନାୟକର ସ୍ଥାନ ନେଇଛନ୍ତି।
ଏଠା​‌େ​‌ର ପାଠକମାନଙ୍କୁ ସ୍ବାଧୀନତା ପ୍ରାରମ୍ଭିକ ଅବସ୍ଥାକୁ ସ୍ମରଣ କରାଇବାକୁ ହେବ। ସ୍ବାଧୀନତାର ପୂର୍ବରୁ ଭାରତୀୟ ସମ୍ବିଧାନ ସଭା ବା ଭାରତୀୟ ‘କନ୍‌ଷ୍ଟିଚୁଏଣ୍ଟ୍‌ ଆସେମ୍ବ୍ଳି’ ସାରା ଭାରତର ନିର୍ବାଚିତ ସଭ୍ୟମାନଙ୍କୁ ନେଇ ଗଠିତ ହେଲା ୧୯୪୬ ଡିସେମ୍ବର ୬ରେ ସ୍ବାଧୀନ ଭାରତର ସମ୍ବିଧାନ ପ୍ରଣୟନ ପାଇଁ। ବହୁତ ବିଦ୍ବାନ ବାଗ୍ମୀମାନଙ୍କ ଦ୍ବାରା ପୃଥିବୀର ବିଭିନ୍ନ ଗଣତାନ୍ତ୍ରିକ ଦେଶର ସମ୍ବିଧାନଗୁଡ଼ିକୁ ଅଧ୍ୟୟନ, ଅନୁଶୀଳନ କରି ଭାରତୀୟ ସମ୍ବିଧାନ ପ୍ରଣୟନ ହେଲା। ଏହି ସାମ୍ବିଧାନିକ ସଭା ଭାରତର ଅସ୍ଥାୟୀ ସଂସଦ ଭାବରେ କାର୍ଯ୍ୟକଲା ୧୯୫୨ ମସିହା ପର୍ଯ୍ୟନ୍ତ; ଯେଉଁ ବର୍ଷ ପ୍ରଥମ ସାଧାରଣ ନିର୍ବାଚନ ପରେ ନିର୍ବାଚିତ ପ୍ରତିନିଧିଙ୍କୁ ନେଇ ସଂସଦର ଉଭୟ ସଦନ ଗଠିତ ହୋଇ କାର୍ଯ୍ୟକଲା। ପଣ୍ଡିତ ନେହେରୁ ଭାରତକୁ ଏକ ଅର୍ଥନୈତିକ ଦିଶା ଦେବା ନିମନ୍ତେ ପଞ୍ଚବାର୍ଷିକ ଯୋଜନାର ପରିକଳ୍ପନା କରି ଯୋଜନା କମିସନ ଗଠନ କଲେ। ଏଠାରେ ଉଲ୍ଲେଖ କରିବାକୁ ହେବ, ଭାରତୀୟ ସମ୍ବିଧାନର ପ୍ରଣେତାମାନେ ସଦା ସଚେତନ ଥିଲେ ଯେ ଭାରତର ଭୌଗୋଳିକ ବିବିଧତା ଓ ଅନେକ ଭାଷା ଗୋଷ୍ଠୀର ଲୋକଙ୍କ ଦ୍ବାରା ଅଧ୍ୟୁଷିତ ବିଭିନ୍ନ ଅଞ୍ଚଳକୁ ନେଇ ରାଷ୍ଟ୍ର ଗଠନ କଲାବେଳେ ଏକ ସଂଘୀୟ ବ୍ୟବସ୍ଥା ଅପରିହାର୍ଯ୍ୟ; ସ୍ବାଧୀନତା ପୂର୍ବରୁ ବି ପ୍ରଚଳିତ ଥିବା ଗଭର୍ଣ୍ଣମେଣ୍ଟ ଅଫ୍‌ ଇଣ୍ଡିଆ ଆକ୍ଟ ୧୯୩୫ରେ ସଂଘୀୟ ବ୍ୟବସ୍ଥା ଥିଲା। ଭାରତକୁ ଏକ ସାଧାରଣତନ୍ତ୍ର ରାଷ୍ଟ୍ରରେ ଗଠନର ବ୍ୟବସ୍ଥାରେ ପରୋକ୍ଷରେ ନିର୍ବାଚିତ ରାଷ୍ଟ୍ରମୁଖ୍ୟ ଥିଲାବେଳେ ନିର୍ବାଚିତ ସଂସଦର ପ୍ରାଧାନ୍ୟ ଓ ଭୂମିକାକୁ ଗୁରୁତ୍ବ ଦିଆଯାଇଛି। ଭାରତୀୟ ସମ୍ବିଧାନ‌େ‌ର ପ୍ରତ୍ୟେକ ରାଜ୍ୟର ନିର୍ବାଚିତ ବିଧାନସଭାକୁ ପ୍ରାଧାନ୍ୟ ଦିଆଯାଇଛି। ଏ ପ୍ରକାର ସମ୍ବିଧାନର ବ୍ୟବସ୍ଥା ସବୁଠାରୁ ଉପଯୁକ୍ତ ବିବେଚନା କରି ସମ୍ବିଧାନବିତ୍‌ମାନେ ଆମର ସମ୍ବିଧାନକୁ ରୂପ ଦେଲେ।
ତା’ପରେ ବିଚାର କରାଯାଉ ସ୍ବାଧୀନ ଭାରତର ଅର୍ଥନୈତିକ ଓ ପ୍ରଗତିର ଧାରାକୁ। କଥିତ ନିବନ୍ଧରେ ଉଲ୍ଲେଖ ଅଛି ଯେ, କେଉଁ ମଡ଼େଲକୁ ଆଦରି ଆମର ଅର୍ଥନୈତିକ ନୀତି ପ୍ରଣୟନ କରିବାକୁ ହେବ, ସେତେବେଳର ରାଷ୍ଟ୍ରନାୟକମାନେ ସେ ବିଷୟରେ ଦିଗହରା ଥିଲେ। କାରଣ ଆମେରିକାର ପୁଞ୍ଜିବାଦର ଅନୁକରଣ ବା ସୋଭିଏତ୍‌ ରୁଷିଆର ରାଷ୍ଟ୍ର ନିୟନ୍ତ୍ରିତ ସମାଜବାଦର ବ୍ୟବସ୍ଥା କେଉଁଟିକୁ ଆଦରିବେ, ସେଥିରେ ସନ୍ଦିହାନ ହୋଇ ଶେଷକୁ ଯେଉଁ ମଡ଼େଲ ଆପଣେଇଲେ, ତାହା ଉପରେ ମନ୍ତବ୍ୟ ଦେଇ ଉକ୍ତ ନିବନ୍ଧର ଲେଖକ ଲେଖିଛନ୍ତି, ‘ଭାରତୀୟ ସମ୍ବିଧାନ ଓ ପ୍ଲାନିଂ ମଡ଼େଲ ଗୋଟେ ସ୍ବପ୍ନକୁ ଜନ୍ମଦେଲେ ଯାହାକୁ ‘ରୋମାନ୍ସ ଅଫ୍‌ ସୋସିଆଲିଜମ୍‌’ କୁହାଯାଇପାରେ। ଭାରତୀୟ ବାମପନ୍ଥୀ ମୋଡ଼ ଏଇଠାରୁ ଆରମ୍ଭ ହେଲା।’ ଉପରୋକ୍ତ କଥନ ଯେ କେବଳ ସତ୍ୟର ଅପଳାପ ନୁହେଁ, ବରଂ ଭାରତୀୟ ଅର୍ଥନୈତିକ ବିକାଶ ଧାରାର ଉପଯୁକ୍ତ ଅନୁଶୀଳନ ଓ ମୂଲ୍ୟାୟନ ନ କରି ମନ୍ତବ୍ୟ ଦେବାର ପ୍ରୟାସ କୁହାଯାଇପାରେ।
ଏକ ଭିତ୍ତିଭୂମିହୀନ ଅର୍ଥନୀତିରେ ବିକାଶର କଥା ଚିନ୍ତା କରାଯାଇ ନପାରେ। ବିକାଶର ଚିନ୍ତା ଗୋଟିଏ ବା ଦୁଇଟି ବର୍ଷ ପାଇଁ ଚିନ୍ତା କରି କୌଣସି ବିକାଶର ପଟ୍ଟଭୂମିର ଚିତ୍ର ପ୍ରସ୍ତୁତ କୌଣସି ନବ ସ୍ବାଧୀନ ରାଷ୍ଟ୍ର ପକ୍ଷରେ ଅପରିଣାମଦର୍ଶିତା ଛଡ଼ା ଆଉ କିଛି ନହୋଇପାରେ। ତେଣୁ ଏକ ସୁଦୃଢ଼ ଭିତ୍ତିଭୂମି, ଯଥା ରେଳପଥ, ବିଦ୍ୟୁତ, ଜଳ, ପ୍ରକଳ୍ପ, ଲୌହ ଓ ଇସ୍ପାତ, ସିମେଣ୍ଟ ଆଦି ଶିଳ୍ପ, ବୈଜ୍ଞାନିକ ଗବେଷଣା ପ୍ରତିଷ୍ଠାନ, ସାମୁଦ୍ରିକ ଓ ନଦୀ ବନ୍ଦରମାନଙ୍କର ନିର୍ମାଣ ଓ ଉନ୍ନତିକରଣ ପଟ୍ଟଭୂମି ପାଇଁ ଯୋଜନାର ପ୍ରାରମ୍ଭରୁ ଏକ ସୁଚିନ୍ତିତ ପରିକଳ୍ପନା କରାଗଲା। ଏଠାରେ ମନେରଖିବାକୁ ହେବ ଯେ, ଅର୍ଥନୀତି ଓ ଗାଣିତିକ ପରିସଂଖ୍ୟାନ ପରସ୍ପର ପରିପୂରକ। ପରିସଂଖ୍ୟାନ ଛାଡ଼ି କୌଣସି ଅର୍ଥନୈତିକ ପରିକଳ୍ପନା ସମ୍ଭବ ନୁହେଁ। ତେଣୁ ପଣ୍ଡିତ ନେହେରୁ ସେତେବେଳେ ପରିସଂଖ୍ୟାନବିତ୍‌ ପ୍ରଶାନ୍ତ ଚନ୍ଦ୍ର ମହଲାନବିସଙ୍କୁ ଦାୟିତ୍ବ ଦେଇଥିଲେ ଭାରତର ବିବିଧ ବର୍ଗର ଅର୍ଥନୈତିକ ବୈଷମ୍ୟର ପରିସଂଖ୍ୟାନ ଚିତ୍ର ଦେବାପାଇଁ। ଉଦ୍ଦେଶ୍ୟ ଥିଲା ଯେ ସାମାଜିକ ବ୍ୟବଧାନ ଗାଣିତିକ ଚିତ୍ରକୁ ହୃଦୟଙ୍ଗମ କଲେ ଯାଇ ଯୋଜନାର ନୀତି ସେଇ ବୈଷମ୍ୟକୁ ଦୂର କରିବା ଉଦ୍ଦେଶ୍ୟରେ ପ୍ରଣୋଦିତ କରିବାକୁ ହେବ। ଏଥିରେ ଭୁଲ୍‌ ରହିଲା କେଉଁଠି? ବିଶ୍ବର ପ୍ରତ୍ୟେକ ଗଣତନ୍ତ୍ର ରାଷ୍ଟ୍ରରେ ଗୁରୁତ୍ବ ଦିଆଯାଇଥାଏ। ଏହାର ଆନ୍ତର୍ଜାତିକ ମାପକ ହେଲା ଗିନି କୋଏଫିସିଏଣ୍ଟ। ଏହି ମାପକର ମୂଲ୍ୟ ଯଦି ଏକ ହେଲା ତାହା ହେଲେ ବୁଝିବାକୁ ହେବ ଯେ ଦେଶର ସମସ୍ତ ଆୟ ଜଣେ ବ୍ୟକ୍ତି ପାଖରେ ଠୁଳ ହୋଇଅଛି, ଯଦି ଏହା ମୂଲ୍ୟ ଶୂନ୍ୟ ହେଲା, ତାହାହେଲେ ବୁଝାଯିବ ଯେ ପ୍ରତ୍ୟେକ ପରିବାର ଆୟ ସମାନ। ତେଣୁ ଏହି ଦୁଇଟି ଅଙ୍କ ଭିତରେ ମୂଲ୍ୟଟି ରହିବ। ନେସ୍‌ନାଲ ଆପଲାଏଡ୍‌ ଇକୋନୋମିକ୍‌ ରିସର୍ଚ୍ଚର ଅନୁସନ୍ଧାନ ଓ ଆକଳନ ଅନୁଯାୟୀ ୨୦୦୪-୨୦୦୫ରେ ଏହି ମାପକ ୦.୪୬୬ ମାତ୍ର ହୋଇଛି। ଏହା କ୍ରମହ୍ରାସ ପାଇ ବର୍ତ୍ତମାନ ୦.୩୬୬ ହୋଇଛି। ଅର୍ଥାତ୍‌ ବିଗତ ଦଶବର୍ଷଧରି ଏହି ଅସମତା ହ୍ରାସ ପାଉଛି।
ଯୋଜନାର ପ୍ରାରମ୍ଭରେ ଦେଶରେ ଆୟର ଅସମତାକୁ ଦୂର କରିବା ଲକ୍ଷ୍ୟ ରଖି ପ୍ରଣୋଦିତ ମିଶ୍ରିତ ଅର୍ଥନୀତିର ପରିକଳ୍ପନାକୁ ‘ରୋମାନ୍ସ ଅଫ୍‌ ସୋସିଆଲଜିମ୍‌’ ଆଖ୍ୟା ଦେବା କେବଳ ଦୁର୍ଭାଗ୍ୟଜନକ ନୁହେଁ, ଏକ ଅପରିପକ୍ବ ମନ୍ତବ୍ୟ କୁହାଯାଇପାରେ। ପଣ୍ଡିତ ନେହେରୁ କୌଣସି ପୁଞ୍ଜିବାଦୀ ବା ରାଷ୍ଟ୍ର ସାମ୍ୟବାଦୀର ଢାଞ୍ଚାକୁ ଗ୍ରହଣ ନକରି ଏକ ମିଶ୍ରିତ ଅର୍ଥନୀତିର ମଡ଼େଲକୁ ଗ୍ରହଣ କରି ଦେଶର ଦୁର୍ବଳ ଭିତ୍ତିଭୂମିକୁ ମଜଭୁତ କରିବା ପାଇଁ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଓ ପ୍ରକଳ୍ପ ଉପରେ ଗୁରୁତ୍ବାରୋପ କରିଥିଲେ ଯୋଜନାର ପ୍ରାରମ୍ଭରୁ। ଘରୋଇ ଉଦ୍ୟୋଗଗୁଡ଼ିକୁ ଏହି ମଡ଼େଲରେ କେବେହେଲେ ଉପେକ୍ଷା କରାଯାଇନଥିଲା: ସେମାନେ ବି ରାଷ୍ଟ୍ର ନିର୍ମାଣରେ ଭାଗୀଦାର ଥିଲେ। ଗୋଟିଏ ଉଦାହରଣ ଦେଲେ ଯଥେଷ୍ଟ ହେବ ଯେ ଟାଟା ଦ୍ବାରା ପ୍ରତିଷ୍ଠିତ ଘରୋଇ ଏୟାରଲାଇନ୍ସକୁ ୧୯୫୪ରେ ଇଣ୍ଡିଆନ ଏୟାର ଲାଇନସ ପ୍ରତିଷ୍ଠା ହେଲେ ବି ତାହାର ପ୍ରଥମ ଚେୟାରମ୍ୟାନ ଭାବରେ ନେହେରୁ ଜେଆରଡି ଟାଟାଙ୍କୁ ନିଯୁକ୍ତି ଦେଇଥିଲେ। ଟାଟା ଏହି ଆମନ୍ତ୍ରଣକୁ ଖୁସିରେ ଗ୍ରହଣ ବି କରିଥିଲେ।
ବିଶ୍ବରେ ପ୍ରତ୍ୟେକ ରାଷ୍ଟ୍ରରେ ଅର୍ଥନୈତିକ ବିକାଶର ଆରମ୍ଭରେ କୃଷି ବିପ୍ଳବର ସୂତ୍ରପାତ ହୋଇଛି ଓ ତା’ପରେ ଶିଳ୍ପ ବିପ୍ଳବ ଦେଖାଦେଇଛି। ତେଣୁ ପ୍ରଥମ ପଞ୍ଚବାର୍ଷିକ ଯୋଜନାରେ କୃଷିକୁ ଗୁୁରୁତ୍ବ ଦିଆଯାଇଥିଲା, ଦ୍ବିତୀୟ ଯୋଜନାରେ ଶିଳ୍ପାୟନକୁ ଗୁରୁତ୍ବ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ‘ଗଣତନ୍ତ୍ରର ପରିସୀମା ଭିତରେ ରାଷ୍ଟ୍ରର ଭୂମିକା ଓ ରାଷ୍ଟ୍ରାୟତ୍ତ ପ୍ରକଳ୍ପ, ଗୁରୁତ୍ବକୁ ଏକ ନୂଆ ସଂଜ୍ଞା ଦେଇ ଅଶୋକ ମେହେଟ୍ଟା ‘ଡେମୋକ୍ରାଟିକ୍‌ ସୋସିଆଲିଜିମ୍‌’ ବୋଲି ଏକ ପୁସ୍ତକ ଲେଖିଥିଲେ।
ଏ ତ ଗଲା ଅର୍ଥନୀତିର କଥା। ଏବେ ଭାରତୀୟ ସମାଜ ଓ ରାଜନୀତି ଉପରେ ଯେଉଁ କଥା ସେଇ ନିବନ୍ଧରେ ଉଲ୍ଲେଖ ଅଛି, ସେ ବିଷୟରେ ଏତିକି କୁହାଯାଇପାରେ ଯେ ବିଭିନ୍ନ ଧର୍ମ, ସଂପ୍ରଦାୟ, ଭାଷା ଓ ମାନବ ଗୋଷ୍ଠୀର ସମୂହର ଆମର ଏଇ ଦେଶ। ଏଇ ଦେଶରେ ମଙ୍ଗୋଲଏଡ଼, ଅଷ୍ଟ୍ରୋଏଡ଼, ଇଣ୍ଡୋଆର୍ୟାନ୍‌, ଦ୍ରାବିଡ଼ ଆଦି ଭିନ୍ନ ମାନବ ଗୋଷ୍ଠୀର ଲୋକେ ବହୁଦିନରୁ ବାସକରୁଛନ୍ତି। ଦ୍ବିତୀୟ ବୃହତ ଗୋଷ୍ଠୀଭାବରେ ଜନସଂଖ୍ୟାର ୧୪ଶତାଂଶ ମୁସଲମାନ ଦଶମ ଶତାବ୍ଦୀରୁ ଆସି ଏଇ ଦେଶକୁ ଆପଣା ଦେଶ ଭାବରେ ଗ୍ରହଣ କରିଛନ୍ତି, ଆଗରୁ ଯେପରି ବିଦେଶାଗତ ଶକ, ହୁଣ୍‌ ଓ କୁଶାଣମାନେ ଆସିଥିଲେ। ଗୋମାଂସ ଭକ୍ଷଣ ବା ଗୋ ବଧ ନାମରେ ଏକ ନିର୍ଦିଷ୍ଟ ଗୋଷ୍ଠୀ (ସବୁହିନ୍ଦୁ ନୁହନ୍ତି) ରାଜନୈତିକ ପୃଷ୍ଠପୋଷକତାରେ ଦଳଦଳ ହୋଇ ନିର୍ମମ ଭାବରେ ବିଭିନ୍ନ ସ୍ଥାନରେ ହତ୍ୟା କରୁଛନ୍ତି ଓ ସେଇ ଘଟଣା ଉପରେ ରାଷ୍ଟ୍ରନାୟକ ଦୀର୍ଘଦିନର ନିରବତା ପରେ ମୁହଁ ଖୋଲି, ପୁଣି ନିରବ ରହି ଯାଉଛନ୍ତି, ତାହା ବାସ୍ତବିକ ଦୁଃଖଦାୟକ। ତଥାପି ଗୋବଧ ଓ ଗୋମାଂସ ନାମରେ ନିର୍ମମ ହତ୍ୟା (ସାଧାରଣ ହତ୍ୟା ନୁହେଁ) ଘଟୁଛି, ଏହାକ’ଣ ଭାରତୀୟତା? ପୁଲିସ କେସ୍‌ ହୋଇ କେତେଜଣ ଅଭିଯୁକ୍ତଙ୍କ ବିରୋଧରେ ଅଦାଲତରେ ଅଭିଯୋଗପତ୍ର ଦାଖଲ ହେଲାଣି ଓ କେତେ ଅଭିଯୁକ୍ତ ଦଣ୍ଡ ପାଇବେ ସେହି ହିସାବ ସାଧାରଣ ଲୋକଙ୍କ ପାଖରେ ନାହିଁ। କେନ୍ଦ୍ର ସରକାରରେ ଥିବା ଜଣେ ମନ୍ତ୍ରୀ ଯଦି କହନ୍ତି ଯେ ରାଷ୍ଟ୍ରର ଜନନାୟକଙ୍କୁ ବିରୋଧ କରୁଥିବା ସଂଖ୍ୟାଲଘୁ ଗୋଷ୍ଠୀର ଲୋକଙ୍କର ସ୍ଥାନ ଭାରତରେ ନାହିଁ, ସେମାନେ ପାକିସ୍ତାନ ଚାଲିଯାଆନ୍ତୁ ତାହା କ’ଣ ଭାରତୀୟତାର ରାଜନୀତି? ତଥାପି ସେ ବ୍ୟକ୍ତି ମନ୍ତ୍ରୀ ପଦରେ ରହିଛନ୍ତି।
ଆଉ ଯେଉଁ କଥା କୁହାହୋଇଛି ଯେ ସାଧାରଣ ମଣିଷରୁ ଦେଶର ଜନନାୟକ ହେବାକଥା ତାହା ଏ ଦେଶର ଜନଗଣ ଦେଖିଛନ୍ତି ମହାତ୍ମା ଗାନ୍ଧି, ସର୍ଦାର ପଟେଲ ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ପରି ବ୍ୟକ୍ତିତ୍ବରେ। ଆମେ ଦେଖିଛୁ ଯେ ଦେଶର ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଯେଉଁ ସାଧାରଣ ସରଳ ପରିଧାନ ଶାସ୍ତ୍ରୀଜୀ ପିନ୍ଧୁଥିଲେ ପ୍ରଧାନମନ୍ତ୍ରୀ ହେବା ପରେ ବି ତାଙ୍କର ସେହି ସାଧାରଣ ବେଶଭୂଷା ଥିଲା। ଆମେ ଆହୁରି ଦେଖିଛୁ ଯେ ଆଉ ଜଣେ ରାଷ୍ଟ୍ରନାୟକ ହେବା ପରେ ମହାର୍ଘ ବସନ ପରିଧାନ (ଲକ୍ଷାଧିକ ମୁଦ୍ରାର) କରି କରି ଆଉ ଜଣେ ଧନୀ ଦେଶର ରାଷ୍ଟ୍ରନାୟକଙ୍କ ସହ କୋଳାକୋଳି ହେବାବେଳେ ।
ଦାରିଦ୍ର୍ୟର ତାଡ଼ନାରେ କେହି ଅନୁସୂଚିତ ଓ ଅବହେଳିତ ଜାତିର କର୍ମଜୀବୀ ମଲାଗୋରୁର ଚମଡ଼ା ଛେଲିଲେ ତାକୁ ହତ୍ୟା କରାଯିବା ଯଦି ଆମ ଭାରତୀୟତାରେ ସାଧାରଣ କଥା ବୋଲି କୁହାଯାଏ, ସେପରି ଭାରତୀୟତା ଆମର ଲୋଡ଼ାନାହିଁ। ସେଇ ଲୋକମାନେ ଭାରତର ଉଚ୍ଚ ବର୍ଗର ଲୋକମାନଙ୍କର ପୂଜାଅର୍ଚ୍ଚନାରେ ଆବଶ୍ୟକ ପଡ଼ୁଥିବା ଗୋରଚନା (କେତେଜଣ ଏଇ ସଭ୍ୟଟିକୁ ବୁଝିବେ ମୋତେ ଜଣାନାହିଁ)କୁ ମୃତ ଗାଈର ମସ୍ତକରୁ ଅତି ସାବଧାନତାର ସହିତ ଆହରଣ କରନ୍ତି, ସେଇ ପଦାର୍ଥଟି ହୁଏ ଅତି ପବିତ୍ର, ମାତ୍ର ତାକୁ ସଂଗ୍ରହ; କରିଥିବା ବ୍ୟକ୍ତିମାନେ ହେଲେ ବଞ୍ଚିତ ଓ ଦଳିତ। ସେହି ଭାରତୀୟତା ଅନ୍ୟମାନଙ୍କଠାରୁ କେଉଁ ଗୁଣରେ କମ୍‌ କି?

Leave A Reply