ମୁଦ୍ରାଘାତର ମହାଆତଙ୍କ

0

ମାୟାଧର ନାୟକ

ସରକାରଙ୍କ ଅପରିଣାମଦର୍ଶୀ ଆଭିମୁଖ୍ୟ ଦ୍ୱାରା ଭାରତୀୟ ମୁଦ୍ରା ଆଜି ବିଶ୍ୱ ବଜାରରେ ବେଇଜ୍ଜତ। ଏବେ ଆମେରିକା ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ଦିନକୁ ଦିନ ଦ୍ରୁତଗତିରେ କମି କମି ଯାଉଛି। ଏବେ ଡଲାର ପିଛା ୭୨ ଟଙ୍କାରୁ ଊର୍ଦ୍ଧ୍ବ ହେଲାଣି। ଟଙ୍କାର ନିମ୍ନସ୍ତର ଆହୁରି ଯେ ନ ବଢିବ ବର୍ତ୍ତମାନଠୁ ତାହା କହିହେବ ନାହିଁ।
ଭାରତୀୟ ଟଙ୍କାର ଭୟଙ୍କର ପ୍ରଭାବ ତୈଳ ଦର ଉପରେ ପଡ଼ିଛି। ଡିଜେଲ, ପେଟ୍ରୋଲ, ରନ୍ଧନ ଗ୍ୟାସ ହୁହୁ ହୋଇ ବଢିବାରେ ଲାଗିିଛି। କେତେବେଳେ ତୈଳ ଲିଟର ପିଛା ୧୦୦ଟଙ୍କା ହୋଇଯିବ କହିହେବନି। ଆମେ ପ୍ରାୟ ୮୦ଭାଗ ଡିଜେଲ ପେଟ୍ରୋଲ ଆମଦାନୀ କରିଥାଉ। ଆମଦାନୀ କରୁଥିବା ତୈଳଦର ଡଲାରରେ ପଠାଇବାକୁ ହୁଏ। ଆମ କଷ୍ଟୋପାର୍ଜିତ ଟଙ୍କା ସବୁ ତେଲପୋଡ଼ାରେ ବିଦେଶକୁ ପଳାଇଯାଉଛି।
ସମ୍ପ୍ରତି ବିଶ୍ୱ ଅର୍ଥନୀତିକୁ ବେଖାତିର କରି ଚାଲୁଥିବା ମାର୍କିନ ମୁଦ୍ରା ‘ଡଲାର’ ଯେପରି ଅନ୍ୟ ରାଷ୍ଟ୍ରର ମୁଦ୍ରାମାନଙ୍କୁ ଡରାଇଥରାଇ ନିଜର ଆସନ ଜମାଇ ବସିଛି, ସେହି ପରିସ୍ଥିତିରେ ‘ମାର୍ ମାର୍ ଭଣ୍ଡାରିଆକୁ ମାର୍’ ନୀତିରେ ବିଚରା ଭାରତୀୟ ମୁଦ୍ରାକୁ ଅଚଳାବସ୍ଥାକୁ ପକାଇ ଦେଇଛି। ୧୯୯୦ ମସିହାରେ ଡଲାର ମୂଲ୍ୟ ୧୮ ଟଙ୍କା ୧୧ ପଇସା ଥିଲା ଏବେ ୨୦୧୮ ସେପ୍ଟେମ୍ବର ପ୍ରଥମାର୍ଦ୍ଧରେ ୭୨ ଟଙ୍କା ୧୧ ପଇସାକୁ ଛୁଇଁଲାଣି।
ସରକାର ଯେତେ ‘ଅଚ୍ଛେଦିନ’ ଆୱାଜ, ‘ମେକ୍ ଇନ୍ ଇଣ୍ଡିଆ’ ମ୍ୟୁଜିକ୍ ଶୁଣାନ୍ତୁ ପଛେ ଦେଶର ଅର୍ଥ ବ୍ୟବସ୍ଥା ଏକ ବ୍ୟର୍ଥ ବ୍ୟବସ୍ଥା ପାଲଟି ଯାଇଛି। ରାଜନୀତିରେ ଅର୍ଥନୀତି ଚଳିବ, ହେଲେ ଅର୍ଥନୀତିରେ ରାଜନୀତି ଚଳିବ ନାହିଁ। ଯଦି ଚଳିବ, ତେବେ ଦେଶବାସୀଙ୍କ ନିମନ୍ତେ ତାହା ହେବ ଏକ ଅନ୍ଧାରୀ ଅନ୍ଧଦେଶର ଦର୍ପଣ ଆମଦାନୀ କାରବାର। ଭାରତବର୍ଷ ଭଳି ଏକ ବହୁଦଳୀୟ ଗଣତନ୍ତ୍ରର ଦେଶ ଓ ବହୁଭାଷାଭାଷୀ ଜନପୁଞ୍ଜିର ଭୂଖଣ୍ଡ ଦେଶୀବିଦେଶୀ କମ୍ପାନୀ କୁବେରମାନଙ୍କ ପାଇଁ ଅତୁଳନୀୟ ଭୂସ୍ୱର୍ଗଟିଏ। ଏଠି ପୁଞ୍ଜିର ମଞ୍ଜି ପୁଣି ମାତ୍ର ଥରଟିଏ ପାଣି ଛାଟିଦେଲେ ମୁନାଫାର ମହାଦ୍ରୁମ ମହାକାଶ ଛୁଇଁପାରେ। ଏଠି କେତେ ରଙ୍ଗର ବଜାର ଖୋଲିଦେଇ ସରଳ ନିରୀହ ଭାରତୀୟ ଭୋଟରମାନଙ୍କୁ ଭଣ୍ଡି ଦେଇହୁଏ। ଶାନ୍ତ ସନ୍ତପ୍ତ ନାଗରିକମାନଙ୍କୁ ବିଦେଶୀ ବିକ୍ରେତା ବାହିନୀର ମାଲ୍‌ପତ୍ର ବୁହା କ୍ରୀତଦାସ କରିଦିଆଯାଏ।
ଆମର ଯେଉଁ ନେତାମାନେ ଠିକ୍ ନିର୍ବାଚନ ପୂର୍ବରୁ ଭୋଟ ପାଇଁ ଦେଶର ଅନ୍ଦିକନ୍ଦି ବୁଲିପାରନ୍ତି, ଗରିବ ଦେଶବାସୀଙ୍କୁ ସବୁ ବଦଳାଇ ଦେବାର ବାଇସ୍କୋପ ଦେଖାଇ ପାରନ୍ତି, ଶାସନକ୍ଷେତ୍ରକୁ ଆସିଗଲା ପରେ ସେମାନେ ବ୍ୟସ୍ତ ରହିଯାନ୍ତି ବ୍ୟକ୍ତିଗତ ସ୍ୱାର୍ଥରେ ଘନଘନ ବିଦେଶଗସ୍ତରେ। ରାଜକୋଷରୁ ଅମାପ ଅର୍ଥ ଅପଚୟ ଓ ଅପବ୍ୟୟରେ ଉଭାନ ହୋଇଯାଉଥାଏ ଆଖି ପିଛୁଳାକେ। ହିସାବ ମଗାହୁଏନା, ଜନସାଧାରଣଙ୍କୁ କୈଫିୟତ ତଲବ କରିବାର ଅବକାଶ ଦିଆଯାଏନା। ସବୁ ଚାଲେ ବିଦେଶ ସହିତ ଦେଶୀ ସୁସମ୍ପର୍କ ରକ୍ଷା ଦ୍ୱାହି ଦେଇ ଜନଜୀବନକୁ ଧନସମ୍ପଦରେ ଭରିଦେବାର ସ୍ବପ୍ନ ଦେଖାଇ।
କଳାଟଙ୍କା, ଦୁର୍ନୀତି, ଅନ୍ୟାୟ ଅତ୍ୟାଚାର, ଶୋଷଣକଷଣର ଚେର ଏତେ ଗଭୀରତାକୁ ଯାଇଛି ଯେ ତାକୁ ନିର୍ମୂଳ କରିବା ପାଇଁ ସାମ୍ପ୍ରତିକ ବ୍ୟବସ୍ଥାରେ ପରିବର୍ତ୍ତନ ଆବଶ୍ୟକ। ଏ ଅସଲ କାମଟିକୁ କେହି କରିବାକୁ ଚାହୁଁନାହାନ୍ତି। ମୂଳ ସମସ୍ୟାଠୁ ସମସ୍ତେ ଦୂରେଇ ଯାଉଛନ୍ତି। କେତେକ ରାଜନୈତିକ ଲୋକ ନାଟକ କରୁଛନ୍ତି। ଅଧିକାଂଶ ନେତାଙ୍କର ଅନୁଶୀଳନ ନାହିଁ। ସବୁ ଉପର ଠାଉରିଆ ବିବୃତି ଦେବାରେ ବ୍ୟସ୍ତ। ଅର୍ଥନୈତିକ ଅପରାଧ କିଛି କମ୍ ବଡ଼ ଅପରାଧ ନୁହେଁ। ଏଣେ ଆମେ ସବୁ ରାତି ଅନିଦ୍ରା, ତେଣେ ମୁଗୁରା ମେଲା।
ସମ୍ପ୍ରତି ମୁଦ୍ରାଘାତର ମହାଆତଙ୍କରୁ ଦେଶବାସୀ ରକ୍ଷା ପାଇବେ କେମିତି? ଆମେ ସବୁ ସରକାର ଆ‌େ‌ଡ଼ ଅନାଇଛେ। ସରକାର ମୁଦ୍ରା ସଙ୍କଟରୁ ରକ୍ଷା କରିବେ। ସରକାର ଯଦି କହନ୍ତି, ସମସ୍ତେ ୫୦ଭାଗ ଖର୍ଚ୍ଚକାଟ କର। ଡ଼ିଜେଲ୍, ପେଟ୍ରୋଲ ଖର୍ଚ୍ଚ ୫୦ଭାଗ କମାଅ। ଆମେସବୁ ମାନିବା କି?
ଡଲାର ବର୍ତ୍ତମାନ ବିଶ୍ୱବଜାରରେ ରିଜର୍ଭ କରେନ୍ସିର ମର୍ଯ୍ୟାଦା ପାଇଛି। ପୃଥିବୀର ବେଶିଭାଗ ଦେଶ ବୈଦେଶିକ ମୁଦ୍ରାସଞ୍ଚୟ ମଧ୍ୟରେ ଡଲାରକୁ ପ୍ରଧାନ ମୁଦ୍ରା ହିସାବରେ ବ୍ୟବହାର କରୁଛନ୍ତି। ମାର୍କିନମୁଦ୍ରା ଡଲାର ପୂର୍ବରୁ ଇଂଲଣ୍ଡ ମୁଦ୍ରା ପାଉଣ୍ଡ ଗୋଟିଏ ସମୟରେ ରିଜର୍ଭ କରେନ୍ସି ଥିଲା। ଏଠାରେ ସ୍ମରଣଯୋଗ୍ୟ ଯେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପରେ ମୁଦ୍ରାସଙ୍କଟ ଦେଖାଦେଇଛି। ସତୁରି ଦଶକରେ ଡଲାରର ଅବମୂଲ୍ୟାୟନ ଘଟିଥିଲା। ମାର୍କିନ ଶାସକ ଶ୍ରେଣୀର ଭିଏତନାମ ଯୁଦ୍ଧ ଅନ୍ୟ ଦିଗରେ ଆରବ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ତୈଳ ଅର୍ଥନୀତିର ଆମୂଳ ପରିବର୍ତ୍ତନ ଶିଳ୍ପ ଅର୍ଥନୀତିକୁ ପ୍ରଚଣ୍ଡ ଧକ୍କା ଦେଇଥିଲା। ସେହି ସମୟରୁ ଆନ୍ତର୍ଜାତିକ ମୁଦ୍ରା ବ୍ୟବସ୍ଥାର ପରିବର୍ତ୍ତନ ହେବାକୁ ଲାଗିଲା।
ଭାରତୀୟ ମୁଦ୍ରା ନିମ୍ନଗାମୀ ଓ ଡଲାର ଊର୍ଦ୍ଧ୍ବଗାମୀ କାହିଁକି ହେଉଛି, ଏହାର ସମାଧାନ ସୂତ୍ର କ’ଣ- ଏ ସମ୍ପର୍କରେ ଆମ ଅର୍ଥନୀତିବିତ୍ ବିଶେଷଜ୍ଞ ପଣ୍ଡିତମାନେ କିଛି କହିବାକୁ ନାରାଜ। କେବଳ ସରକାରଙ୍କ ସ୍ୱରରେ ସ୍ୱର ମିଳାଇ କହୁଛନ୍ତି, ପରିସ୍ଥିତି ଉପରେ ନଜର ରଖିଛୁ।
ଟଙ୍କା ସଙ୍ଗେ ଡଲାର ବିନିମୟର ବଡ଼ ସୂତ୍ର ହେଲା-ଆମଦାନୀ ଓ ରପ୍ତାନୀ। ଆମଦାନୀ ତୁଳନାରେ ରପ୍ତାନୀ କମ୍ ହେଲେ ଡଲାରର ଚାହିଦା ବଢିଯିବ। ବଜାର ନିୟମାନୁଯାୟୀ ଟଙ୍କାର ମୂଲ୍ୟ କମିଯାଇ ଡଲାର ମୂଲ୍ୟ ବଢିଯିବ। କିଛିକିଛି ଅଦରକାରୀ ଆମଦାନୀ ଉପରେ ନିଷେଧାଜ୍ଞା ଜାରି କଲେ ଡଲାରର ଊର୍ଦ୍ଧ୍ବ ଗତିକୁ କିଛିଟା କମେଇ ହେବ। ଏ ଦିଗରେ କେବଳ ସରକାର କି ବିଶେଷଜ୍ଞ ପଣ୍ଡିତମାନେ ନୁହନ୍ତି, ଆମେ ସମଗ୍ର ଭାରତବର୍ଷର ବିବେକୀମାନେ କିଛି ଚିନ୍ତାକରି କାର୍ଯ୍ୟକାରୀ କଲେ ହୁଏତ ମୁଦ୍ରାସଙ୍କଟର ବୋଝ କମିଯିବ। ଦେଶ ଆମର-ଆସନ୍ତୁ ସଭିଏଁ ଏକ ହେବା-ଆମ ସମସ୍ୟା ଆମେ ସମାଧାନ କରିବା।
ଯାଜପୁର

Leave A Reply