କେସିଆର୍‌ଙ୍କ ଚାଲ୍‌

0

ତେଲଙ୍ଗାନାର ପ୍ରଥମ ମୁଖ୍ୟମନ୍ତ୍ରୀ ​‌େ​‌କ.ଚନ୍ଦ୍ରଶେଖର ରାଓ (କେସିଆର) ତାଙ୍କ କାର୍ଯ୍ୟକାଳ ସରିବାର ପ୍ରାୟ ୧୦ମାସ ପୂର୍ବରୁ ବିଧାନସଭା ଭାଙ୍ଗିଦେବାକୁ ରାଜ୍ୟପାଳଙ୍କୁ ସୁପାରିସ କରି ସାନି ନିର୍ବାଚନର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ହୋଇଛନ୍ତି। ତାଙ୍କର ଏହି ନିଷ୍ପତ୍ତିଟି ଦେଶର ଗଣତାନ୍ତ୍ରିକ ଇତିହାସରେ ନୂଆ କଥା କିମ୍ବା ଏକ ବଡ଼ କଥା ନୁହେଁ। ବଡ଼କଥା ହେଲା ସେ ନିଜର ସାହସ ପ୍ରଦର୍ଶନ କରି ଆଗୁଆ ନିର୍ବାଚନର ସମ୍ମୁଖୀନ ହେବାକୁ ବେଳ ଉଣ୍ଡି ଆଗେଇ ଆସିଛନ୍ତି। ଏବେ ବିଧାନସଭା ଭଙ୍ଗ ହୋଇଥିବାରୁ ଆସନ୍ତା ଡିସେମ୍ବର ମାସରେ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନ ଭଳି ଯେଉଁ ଚାରିଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ ତାହା ସହିତ ତେଲଙ୍ଗାନାରେ ନିର୍ବାଚନ ହୋଇପାରେ। ବିଧାନସଭା ଭାଙ୍ଗିଲେ ନିର୍ବାଚନ ପାଇଁ ଯେଉଁ ସମୟ ବ୍ୟବଧାନର ଆବଶ୍ୟକତା ରହିଛି ତାହାକୁ ହିସାବପତ୍ର କରି ଶ୍ରୀ ରାଓ ଏହି ନିଷ୍ପତ୍ତି ​‌େ​‌ନଇଥିବାରୁ ଅନ୍ୟ ରାଜ୍ୟଗୁଡ଼ିକସହ ଏକ ସଙ୍ଗରେ ନିର୍ବାଚନ ହେବା ପ୍ରାୟ ନିଶ୍ଚିତ। ଚନ୍ଦ୍ରଶେଖରଙ୍କ ଏହି ନିଷ୍ପତ୍ତି ପଛରେ ରାଜନୈତିକ ଦୂରଦୃଷ୍ଟି ଓ ସୁଯୋଗର ସଦ୍‌ବ୍ୟବହାର ଚିନ୍ତା ନିହିତ ଥିବା ସ୍ପଷ୍ଟ। ଏବେ ତେଲଙ୍ଗାନାରେ ପ୍ରମୁଖ ବିରୋଧୀ କଂଗ୍ରେସ ଓ ବିଜେପିର ସ୍ଥିତି ଅତି ଦୁର୍ବଳ। ବିଶେଷକରି କଂଗ୍ରେସଦଳ, ଯିଏକି ଆନ୍ଧ୍ରର ବିଭାଜନ କରି ତେଲଙ୍ଗାନାକୁ ସ୍ବତନ୍ତ୍ର ରାଜ୍ୟର ମର୍ଯ୍ୟାଦା ଦେଇଥିଲା ସେ ଦଳ ସାଙ୍ଗଠନିକ ଓ ନେତୃତ୍ବ ଦୃଷ୍ଟିରୁ ଅତି ଖରାପ ସ୍ଥିତିରେ। ଅତଏବ ଏଭଳି ଅବସ୍ଥାରେ ଦୁର୍ବଳ ବିରୋଧୀଙ୍କ ସହ ଲଢ଼ି ରାଜନୈତିକ ଫାଇଦା ଗୋଟାଇବାର ଏ ସୁଯୋଗ ଆଉ ଶାସକ ଟିଆରଏସକୁ ମିଳିବ ନାହିଁ। ଲୋକଙ୍କ ପାଇଁ କାମ କରି ଭୋଟ୍‌ରେ ଜିତିବା ଅପେକ୍ଷା ସୁଯୋଗର ସଦ୍‌ବ୍ୟବହାର କରିବା ଉପରେ ଚତୁରନେତା ଗୁରୁତ୍ବ ଦିଅନ୍ତି। କୁହାଯାଏ ଲୋକସଭା ସହିତ ବିଧାନସଭାପାଇଁ ଏକସଙ୍ଗେ ନିର୍ବାଚନ ହେଲେ ଭୋଟହାର ଓ ଭୋଟରଙ୍କ ବ୍ୟବହାରରେ ଉଲ୍ଲେଖନୀୟ ବ୍ୟତିକ୍ରମ ଘଟିନଥାଏ। ତେଣୁ ରାଜ୍ୟର ଶାସକ ଦଳକୁ ଫାଇଦା ମିଳେ। ଲୋକସଭା ପାଇଁ ଆଗୁଆ ନିର୍ବାଚନ କରିବାକୁ ମୋଦୀ ସରକାର ଚିନ୍ତା କରୁଥିବା କୁହାଯାଉଛି। ଏହା ଯଦି ହୁଏ ତେବେ ରାଓ ଓ ତାଙ୍କଦଳ ସୁବିଧାରେ ରହିବେ। ଏବେ କଳ୍ପନାଜଳ୍ପନା ପ୍ରକାଶ ପାଇବା ସ୍ବାଭାବିକ ଯେ ଅନ୍ୟ କେଉଁ ରାଜ୍ୟ ମୁଖ୍ୟମନ୍ତ୍ରୀ ଏଭଳି ପଦକ୍ଷେପ ନେବେ।
ଓଡ଼ିଶା ବିଧାନସଭାର କାର୍ଯ୍ୟକାଳ ଆସନ୍ତାବର୍ଷ ମେ’ରେ ପୂରଣ ହେଉଛି। ତେଣୁ ସ୍ବାଭାବିକ ଭାବେ ପ୍ରଶ୍ନ ଉଠୁଛି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗୁଆ ବିଧାନସଭା ଭାଙ୍ଗି ଡିସେମ୍ବରରେ ଅନ୍ୟ ରାଜ୍ୟଙ୍କ ସହ ନିର୍ବାଚନର ସମ୍ମୁଖୀନ ହେବେ କି? ଓଡ଼ିଶାରେ ଶାସକ ବିଜେଡି ସାଙ୍ଗଠନିକ ଓ ନେତୃତ୍ବ ଦୃଷ୍ଟିରୁ ବିରୋଧୀ କଂଗ୍ରେସ ଓ ବିଜେପିଠାରୁ ବହୁ ଆଗରେ ରହିଛି। ତେଣୁ ବିରୋଧୀଦଳଙ୍କ ଦୁର୍ବଳ ସ୍ଥିତିରୁ ଫାଇଦା ଉଠାଇବାକୁ ବିଜେଡିକୁ କଷ୍ଟହେବ ନାହିଁ। ଆଗରୁ ଥରେ ନବୀନବାବୁ ଆଗୁଆ ବିଧାନସଭା ନିର୍ବାଚନ ଲୋକସଭା ସହିତ କରି ତା’ର ଫାଇଦା ଉଠାଇଥିବାରୁ ଏନେଇ ସେ ଆଗ୍ରହୀ ରହିବା ସ୍ବାଭାବିକ। ବିଶେଷତଃ କ୍ରମାଗତ ୧୯ବର୍ଷ କ୍ଷମତାରେ ରହିବା ପରେ ଯେଉଁ କିଛି ସରକାରୀ ବିରୋଧୀ ଅସନ୍ତୋଷ ରହିଛି ତାହାକୁ ବିଫଳ କରିବାପାଇଁ ଆଗୁଆ ନିର୍ବାଚନକୁ ଯାଇପାରନ୍ତି। ବିଜେଡି ସରକାରଙ୍କ ସାଂପ୍ରତିକ କାର୍ଯ୍ୟକଳାପ ଓ ନେତାଙ୍କ ଶାରୀରିକ ଇଙ୍ଗିତ କହୁଛି ଯେ ଡିସେମ୍ବରରେ ରାଜ୍ୟରେ ବିଧାନସଭା ନିର୍ବାଚନ ହୋଇପାରେ। ନିର୍ବାଚନ ଜିଣିବା କେବଳ ଏକ କଳା ନୁହେଁ; ବିଜୟ ପାଇଁ ସମୟ ଓ କୌଶଳର ବଡ଼ ଆବଶ୍ୟକତା ରହିଛି। ଯିଏ ଜିତେ ସେ କେବଳ ଭାଗ୍ୟବାନ ନୁହେଁ, ଯୋଗ୍ୟ ମଧ୍ୟ ସାବ୍ୟସ୍ତ ହୁଏ। ଖେଳ ଜିତିବାକୁ ଭଲ ପାଉଥିବା ନବୀନବାବୁ ଏ ସୁଯୋଗ ହାତଛଡ଼ା କରି ନ’ ପାରନ୍ତି।

Leave A Reply