ଗୋଲାପୀ ରଙ୍ଗରେ ରଙ୍ଗୀନ୍ ଖୁସିର ସହର

କଲକାତା : ଏବେ ଖୁସିର ସହର କଲକାତା ପୂରା ଗୋଲାପୀ ଗୋଲାପୀ ଲାଗୁଛି। ଶୁକ୍ରବାର ସ୍ଥାନୀୟ ଇଡେନ୍ ଗାର୍ଡେନ୍‌ସ ଷ୍ଟାଡିୟମ୍‌ରେ ଘରୋଇ ଭାରତ ଓ ବାଂଲାଦେଶ ମଧ୍ୟରେ ସିରିଜ୍‌ର ୨ୟ ଟେଷ୍ଟମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ଭାରତୀୟ କ୍ରିକେଟ ଇତିହାସରେ ସର୍ବପ୍ରଥମ ଦିବାରାତ୍ର ଟେଷ୍ଟମ୍ୟାଚ୍ ହେବ ଏବଂ ଏହା ଗୋଲାପୀ ବଲ୍‌​‌େ​‌ର ଖେଳାଯିବ। ଏହା କଲକାତା ସହର ପାଇଁ ଏକ ମହୋତ୍ସବ ପରି। ଏହି ଟେଷ୍ଟମ୍ୟାଚ୍‌କୁ ଆହୁରି ମନୋଜ୍ଞ କରିବା ଲାଗି ଆୟୋଜକ କ୍ରିକେଟ ଆସୋସିଏସନ୍ ଅଫ୍ ବେଙ୍ଗଲ୍‌ (ସିଏବି) ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ପ୍ରଥମ ପଦକ୍ଷେପ ସ୍ବରୂପ ସାରା ସହରକୁ ଗୋଲାପୀ ରଙ୍ଗରେ ରଙ୍ଗୀନ୍ କରିବାର ପ୍ରୟାସ କରାଯାଇଛି।
ସୂଚନାଯୋଗ୍ୟ; ସିଏବିର ସଭାପତି ଥିବା ସୌରଭ ଗାଙ୍ଗୁଲି ଏବେ ବିସିସିଆଇର ସଭାପତି ଅଛନ୍ତି। ସୌରଭଙ୍କ ଉଦ୍ୟମରେ ହିଁ ଭାରତରେ ପ୍ରଥମ ଦିବାରାତ୍ର ଗୋଲାପୀ ବଲ୍‌ ଟେଷ୍ଟମ୍ୟାଚ୍ ଖେଳାଯାଉଛି। ଏଥିପାଇଁ ବ୍ୟାପକ କାର୍ଯ୍ୟକ୍ରମ ଗାଙ୍ଗୁଲି ରବିବାର ସନ୍ଧ୍ୟାରୁ ଆରମ୍ଭ କରିଛନ୍ତି। ରବିବାର ଗାଙ୍ଗୁଲି ଏହି ଟେଷ୍ଟମ୍ୟାଚ୍‌ର ମାସ୍କଟ୍‌ ‘ପିଙ୍କୁ-ଟିଙ୍କୁ’କୁ ଉନ୍ମୋଚନ ମଧ୍ୟ କରିଛନ୍ତି। ଏହି ମାସ୍କଟ୍‌ ପିଲାମାନଙ୍କୁ ଆକୃଷ୍ଟ କରିବ ବୋଲି ସିଏବି ଆଶାରଖିଛି। ଇଡେନ୍ ଗାର୍ଡେନ୍‌ସ ଉପରେ ଏକ ବିରାଟ ଗୋଲାପୀ ରଙ୍ଗର ବେଲୁନ୍ ରବିବାର ଛଡ଼ାଯାଇଛି। ଏହି ବେଲୁନ୍‌ରେ ଗୋଲାପୀ ରଙ୍ଗର ଆଲୋକ ରହିଛି ଏବଂ ବହୁତ ଦୂର ପର୍ଯ୍ୟନ୍ତ ବେଲୁନ୍ ଦୃଶ୍ୟମାନ ହେଉଛି। ପୁଣି ସହରର ନାମୀ ସ୍ଥାନ- ଯେପରି ସହିଦ୍ ମିନାର, ଉଚ୍ଚତମ ଅଟ୍ଟାଳିକା ‘୪୨’ ଏବଂ କଲକାତା ପୌର ନିଗମ ଅଧୀନରେ ଥିବା ବିଭିନ୍ନ ପାର୍କରେ ଉଜ୍ଜଳ ଗୋଲାପୀ ଆଲୋକ ଲଗାଯାଇଛି। ଇଡେନ୍ ଗାର୍ଡେନ୍‌ସ ନିକଟରେ ଥିବା ବାବୁଘାଟରେ ହୁଗ୍‌ଲି ନଦୀରେ ଏକ ଡଙ୍ଗାରେ ଉଜ୍ଜଳ ଗୋଲାପୀ ଆଲୋକ ଲଗାଯାଇଛି। ଏହି ଡଙ୍ଗା ପ୍ରସିଦ୍ଧ ହାୱଡ଼ା ପୋଲ ଓ ବିଦ୍ୟାସାଗର ସେତୁ ମଧ୍ୟରେ ଯିବାଆସିବା କରିବ। ଟାଟା ଷ୍ଟିଲ୍‌ର କାର୍ଯ୍ୟାଳୟ ଓ ମେସ୍ୟୁର୍ସ କ୍ଲବ୍‌ରେ ମଧ୍ୟ ଗୋଲାପୀ ଆଲୋକର ବ୍ୟବସ୍ଥା କରାଯାଇଛି।
ପୁଣି ପୂରା ସହରରେ ୧୨ଟି ବିଲ୍‌ ବୋର୍ଡ ଓ ୬ଟି ଏଲ୍‌ଇଡି ବୋର୍ଡ ଲଗାଯିବା ସହ କିଛି ବସ୍‌ରେ ଉକ୍ତ ଟେଷ୍ଟମ୍ୟାଚ୍‌ର ବ୍ରାଣ୍ଡିଂ କରାଯାଇଛି। ଇଡେନ୍ ଗାର୍ଡେନ୍‌ସର ଭିତର ପଟ କାନ୍ଥରେ ବିଭିନ୍ନ କ୍ରିକେଟରଙ୍କ ଫଟୋ ଅଙ୍କାଯାଇଛି। ଇଣ୍ଡିଆନ୍ ଆର୍ଟ କଲେଜ୍‌ର ୨୦ ଛାତ୍ରଛାତ୍ରୀ ଏହି କାମରେ ଲାଗିଛନ୍ତି। ବୁଧବାର ଉଭୟ ଭାରତ ଓ ବାଂଲାଦେଶ ଦଳ କଲକାତାରେ ପହଞ୍ଚିବାକୁ ଥିବା ବେଳେ ସହରର ସମସ୍ତ ରାସ୍ତା ଇଡେନ୍ ଗାର୍ଡେନ୍‌ସ ଅଭିମୁଖେ ମୁହାଁଇବ। ଟସ୍‌ର କିଛି ସମୟ ପୂର୍ବରୁ ଭାରତୀୟ ସେନାର ପାରାଟ୍ରୁପର୍‌ମାନେ ଇଡେନ ଗାର୍ଡେନ୍‌ସରେ ଓହ୍ଲାଇବେ ଏବଂ ଉଭୟ ଅଧିନାୟକଙ୍କୁ ଗୋଲାପୀ ବଲ୍ ପ୍ରଦାନ କରିବେ। ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଓ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପାରମ୍ପରିକ ଭାବେ ଇଡେନ୍ ଗାର୍ଡେନ୍‌ସର ଘଣ୍ଟି ବଜାଇ ମ୍ୟାଚ୍‌ର ଶୁଭାରମ୍ଭ କରିବେ। ୨୦ ମିନିଟର ଚା’ପାନ ବିରତିରେ ଭାରତୀୟ କ୍ରୀଡ଼ାର କିଛି ମହାନ୍ ବ୍ୟକ୍ତିତ୍ବଙ୍କୁ ସ୍ବତନ୍ତ୍ର ଗାଡ଼ିରେ ଇଡେନ୍ ଗାର୍ଡେନ୍‌ସ ଗ୍ରାଉଣ୍ଡର ଚାରିପଟେ ବୁଲାଯିବ। ଏହି କ୍ରୀଡ଼ା ବ୍ୟକ୍ତିତ୍ବଙ୍କ ମଧ୍ୟରେ ପ୍ରମୁଖ ହେଲେ ଅଭିନବ ବିନ୍ଦ୍ରା, ଟେନିସ୍ ତାରକା ସାନିଆ ମିର୍ଜା, ବିଶ୍ବ ବ୍ୟାଡ୍‌ମିଣ୍ଟନ ଚମ୍ପିଆନ୍ ପି.ଭି. ସିନ୍ଧୁ, ୬ ଥର ବିଶ୍ବ ଚମ୍ପିଆନ୍ ବକ୍ସର ଏମ୍‌.ସି. ମ୍ୟାରି କମ୍ ଏବଂ ଅନ୍ୟମାନେ। ୪୦ ମିନିଟର ରାତ୍ରିଭୋଜନ ସମୟରେ ଏକ ଟକ୍ ସୋ’ ହେବ। ଏଥିରେ ସୌରଭ ଗାଙ୍ଗୁଲିଙ୍କ ସହ ସଚିନ୍ ତେନ୍ଦୁଲକର, ଅନୀଲ କୁମ୍ବଲେ, ରାହୁଲ ଦ୍ରାବିଡ଼ ଓ ଭିଭିଏସ୍ ଲକ୍ଷ୍ମଣ ଭାଗନେବେ। ପୁଣି କିଛି ନାମୀଦାମୀ ବ୍ୟକ୍ତିତ୍ବଙ୍କୁ ସ୍ବତନ୍ତ୍ର ଭାବେ ଡିଜାଇନ୍ କରା ଯାଇଥିବା ଗାଡ଼ିରେ ଷ୍ଟାଡିୟମ୍ ଚାରିପଟେ ବୁଲାଯିବ ଏବଂ ସେମାନଙ୍କୁ ସ୍ବତନ୍ତ୍ର ଭାବେ ଡିଜାଇନ୍ କରା ଯାଇଥିବା ଉପଢୌକନ ପ୍ରଦାନ କରାଯିବ। ପୁଣି ୨୦୦୦ରେ ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳା ଯାଇଥିବା ସର୍ବପ୍ରଥମ ଟେଷ୍ଟମ୍ୟାଚ୍‌ରେ ଖେଳିଥିବା ଉଭୟ ଦଳର ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରାଯିବ।

Comments are closed.