ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ ଅଭିଯୋଗ; କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଆଜି ନିଷ୍ପତ୍ତି ନେବେ ଇସି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ଅଧ୍ୟକ୍ଷ ଅମିତ ଶାହା ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିରୋଧରେ ଆସିଥିବା ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ ସମ୍ପର୍କିତ ଅଭିଯୋଗଗୁଡିକ ଉପରେ ମଙ୍ଗଳବାର ନିର୍ବାଚନ ଆୟୋଗ (ଇସି) ନିଷ୍ପତ୍ତି ନେବେ। ଇସିଙ୍କ ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ସୋମବାର ସନ୍ଧ୍ୟାରେ ଏହି ସମୟ ସୀମା ସମ୍ପର୍କରେ ଘୋଷଣା କରାଯାଇଛି। ଏହାର କିଛି ଘଣ୍ଟା ପୂର୍ବରୁ କଂଗ୍ରେସ ମୋଦୀ ଓ ଶାହାଙ୍କ ବିରୋଧରେ ଆସିଥିବା ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। କଂଗ୍ରେସ ସାଂସଦ ତଥା ମହିଳା କଂଗ୍ରେସ ଅଧ୍ୟକ୍ଷା ସୁସ୍ମିତା ଦେବ ଦାୟର କରିଥିବା ଏ ସମ୍ପର୍କିତ ପିଟିସନ ଉପରେ ମଙ୍ଗଳବାର ସୁପ୍ରିମକୋର୍ଟ ଶୁଣାଣି କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି। ଆଚରଣବିଧି ଉଲ୍ଳଙ୍ଘନ ନେଇ କଂଗ୍ରେସ ମୋଦୀଙ୍କ ବିରୋଧରେ ୬ଟି ଅଭିଯୋଗ ଆଣିଥିବାବେଳେ ଶାହାଙ୍କ ବିରୋଧରେ ୨ଟି ଅଭିଯୋଗ ଆଣିଛି।

Comments are closed.