ଇୟର ଫୋନ ବ୍ୟବହାର କରୁଛନ୍ତି କି, ଏବେଠୁଁ ହୋଇ ଯାଆନ୍ତୁ ସତର୍କ

ଯଦି ଆପଣ ସମୟ କାଟିବା ପାଇଁ କାନରେ ଇୟର ଫୋନ ଦେଇ ଘଣ୍ଟା ଘଣ୍ଟା ଗୀତ ଶୁଣୁଛନ୍ତି, ତେବେ ଆପଣ ଏବେଠାରୁ ସତର୍କ ହୋଇଯାଆନ୍ତୁ । ଆପଣଙ୍କ ଏହି ଅଭ୍ୟାସ ଆପଣଙ୍କୁ ରୋଗାଗ୍ରସ୍ତ କରିପାରେ । ସର୍ବଦା ସାଙ୍ଗରେ ଧରି ବୁଲୁଥିବା ଇୟର ଫୋନ୍ ଆପଣଙ୍କ ଶତ୍ରୁ ହୋଇପାରେ । ଇୟର ଫୋନ୍ ଦ୍ବାରା କେବଳ ଯେ ଆପଣଙ୍କ କାନ ଉପ​‌​‌ରେ କୁପ୍ରଭାବ ପଡେ ତାହା ନୁହେଁ, ଏହା ଦ୍ବାରା ଆପଣଙ୍କ ଶରୀରକୁ ମଧ୍ୟ କ୍ଷତି ପହଞ୍ଚିଥାଏ ।

ବଧିରତା: ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଯଦି କୌଣସି ବ୍ୟକ୍ତି ଦୁଇ ଘଣ୍ଟାରୁ ଅଧିକ ସମୟ ୯୦ ଡେସିବଲରୁ ଅଧିକ ଶବ୍ଦରେ ଗୀତ ଶୁଣନ୍ତି, ତେବେ ସେହି ବ୍ୟକ୍ତି ବଧିର ହେବା ସଙ୍ଗେ ସଙ୍ଗେ ଅନ୍ୟ ରୋଗର ଶିକାର ହେବାର ଆଶଙ୍କା ଅଧିକ ରହିଥାଏ । ସାଧାରଣତଃ କାନର ଶୁଣିବା କ୍ଷମତା ମାତ୍ର ୯୦ ଡେସିବଲ ରହିଥାଏ । ବାରମ୍ବାର ଇୟର ଫୋନ ଦେଇ ଗୀତ ଶୁଣିବା ଦ୍ବାରା କାନର ଶୁଣିବା କ୍ଷମତା ୪୦ରୁ ୫୦ ଡେସିବଲ ପର୍ଯ୍ୟନ୍ତ କମ୍ ହୋଇଯାଇଥାଏ । ଯାହା ଦ୍ବାରା ବ୍ୟକ୍ତିକୁ ସଠିକ ଭାବେ ଦୂର ଶବ୍ଦ ଶୁଣିବାରେ ସମସ୍ୟା ସୃଷ୍ଟି ହୋଇଥାଏ।

ହୃଦୟଜନିତ ରୋଗ: ଇୟର ଫୋନରେ ଜୋରରେ ଗୀତ ଶୁଣିବା ଦ୍ବାରା କେବଳ କାନ ଖରାପ ହୁଏ ତାହା ନୁହେଁ, ହୃଦୟକୁ ମଧ୍ୟ କ୍ଷତି ପହଞ୍ଚିଥାଏ । ଜୋରରେ ଗୀତ ଶୁଣିବା ଦ୍ବାରା ହୃଦୟ ସ୍ପନ୍ଦନ (ହାର୍ଟ ବିଟ୍) ଅଧିକରୁ ଅଧିକ ହୋଇଯାଏ । ଯାହା ଦ୍ବାରା ହୃଦଘାତ ହେବାର ସମ୍ଭାବନା ଥାଏ ।

ମୁଣ୍ଡ ବିନ୍ଧା: ଇୟର ଫୋନରୁ ଆସୁଥିବା ବିଦ୍ୟୁତ୍ ଚମ୍ବକୀୟ ତରଙ୍ଗ ଯୋଗୁଁ ବ୍ୟକ୍ତିର ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପଡିଥାଏ । ଯାହା ଦ୍ବାରା ମୁଣ୍ଡ ବିନ୍ଧା ଏବଂ ନିଦ ନହେବା ଭଳି ସମସ୍ୟା ଦେଖିବାକୁ ମିଳେ ।

କାନ ସଂକ୍ରମଣ: ଯଦି ଆପଣ ଘରେ ବା ଅଫିସରେ ଗୀତ ଶୁଣିବା ପାଇଁ ପରସ୍ପରର ଇୟର ଫୋନ ବ୍ୟବହାର କରୁଥାଆନ୍ତି ତେବେ ଏବେଠୁ ସାବଧାନ ହୋଇ ଯାଆନ୍ତୁ । କାରଣ ଏହା ଦ୍ବାରା କାନ ସଂକ୍ରମଣ ହେବାର ଆଶଙ୍କା ବହୁତ ଅଧିକ ଥାଏ ।

ଜଡ ବା କାଲ: ଦୀର୍ଘ ସମୟ ଧରି ଇୟର ଫୋନରେ ଗୀତ ଶୁଣିବା ଦ୍ବାରା ବ୍ୟକ୍ତି ଜଡ ବା କାଲ ହେବାର ସମ୍ଭାବନା ଅଧିକ ଥାଏ । ସମୟ ଅନୁଯାୟୀ କାନର ଶୁଣିବା କ୍ଷମତା ମଧ୍ୟ କମ୍ ହୋଇଯାଏ । କେବଳ ସେତିକି ନୁହେଁ ଏହା ଦ୍ବାରା ମଧ୍ୟ ମାନସିକ ସମସ୍ୟା ସୃଷ୍ଟି ହୋଇଥାଏ । ଡାକ୍ତରଙ୍କ କହିବା ଅନୁଯାୟୀ, ଇୟର ଫୋନର ଅଧିକ ବ୍ୟବହାର ଦ୍ବାରା କାନରେ ଭିନ୍ନ ପ୍ରକାରର ଶବ୍ଦ, ମୁଣ୍ଡ ବୁଲାଇବା, ନିଦ ନହେବା, ମୁଣ୍ଡ ଓ କାନରେ ଯନ୍ତ୍ରଣା ଅନୁଭବ ହେଲା ଭଳି ଲକ୍ଷଣ ଦେଖିବାକୁ ମିଳେ ।

ସତର୍କ: ଯଦି ଆପଣ କାନ ଜନିତ କୌଣସି ସମସ୍ୟାରୁ ମୁକ୍ତିବାକୁ ଚାହୁଁଛନ୍ତି, ତେବେ ଆବଶ୍ୟକ ପଡିଲେ ବ୍ୟବହାର କରନ୍ତୁ । ଶସ୍ତା ଇୟର ଫୋନ ବ୍ୟବହାର ନକରି ଉତ୍ତମ ଗୁଣମାନର ଇୟର ଫୋନ ବ୍ୟବହାର କରନ୍ତୁ ।

Comments are closed.