ଦର୍ଶନୀୟ ଦଶହରା

0

ଦଶହରା ଉତ୍ସବ ନବରାତ୍ରିଠାରୁ ଆରମ୍ଭ ହୋଇଥାଏ। କଟକର ଦଶହରା ପ୍ରସିଦ୍ଧି ଲାଭ କରିଥିବା ବେଳେ ଦେଶର ଅନ୍ୟାନ୍ୟ ସ୍ଥାନରେ ପାଳିତ ହେଉଥିବା ଦଶହରା ମଧ୍ୟ ଭିନ୍ନ ସ୍ବାତନ୍ତ୍ର୍ୟ ବହନ କରିଛି। ଏଥର ଦଶହରାରେ ଲମ୍ବା ସପ୍ତାହାନ୍ତ ଛୁଟି ମିଳୁଥିବା ବେଳେ ବାହାରକୁ ବୁଲିଯିବାର ଯୋଜନା କରନ୍ତୁ। ତେବେ ଆସନ୍ତୁ ଜାଣିବା ଶହରାରେ ବୁଲିଯିବାପାଇଁ ପ୍ରମୁଖ ୫ଟି ସ୍ଥାନ ସମ୍ପର୍କରେ –

କଲକାତା
ଦୁର୍ଗାପୂଜାରେ ବାହାରକୁ ଯିବା ପ୍ରସଙ୍ଗ ଆସିବା ମାତ୍ରେ ପ୍ରଥମେ କଲକାତା ମନକୁ ଆସିଥାଏ। ସିଟି ଅଫ୍‌ ଜୟ ବା ଅାନନ୍ଦର ସହର ଭାବେ ପରିଚିତ କଲକାତାରେ ଚାରିଦିନ ଧରି ପାଳିତ ହେଉଥିବା ଦଶହରା ଖୁବ୍‌ ପ୍ରସିଦ୍ଧ। ପ୍ରତିବର୍ଷ ଲକ୍ଷାଧିକ ପର୍ଯ୍ୟଟକ ଦଶହରା ଦେଖିବା ଲାଗି ସେଠାରେ ପହଞ୍ଚନ୍ତି। ନବରାତ୍ରିର ୯ଦିନ ବଙ୍ଗୀୟମାନଙ୍କ ପାଇଁ ଖୁବ୍‌ ଖାସ୍‌। କଲକାତାର ଅସଲି ସୌନ୍ଦର୍ଯ୍ୟ ଦୁର୍ଗାପୂଜା ସମୟରେ ପ୍ରକାଶ ପାଏ। ଏଠାକାର ସିନ୍ଦୂର ଖେଳ ବେଶ୍‌ ଚମତ୍କାର।

ମହୀଶୂର
ଏଠାରେ ଦଶହରା ନଦହବା ନାମରେ ପରିଚିତ। କର୍ଣ୍ଣାଟକର ଏହି ପ୍ରସିଦ୍ଧ ଦଶହରା ପର୍ବ ୬୦୦ବର୍ଷରୁ ଅଧିକ ହେବ ପାଳିତ ହୋଇଆସୁଛି। ନବରାତ୍ରିର ପୂର୍ବ ଦିନରୁ ଏଠାରେ ଉତ୍ସବ ପାଳନ ଆରମ୍ଭ ହୋଇଯାଏ, ଯାହା ଦଶମୀ ପର୍ଯ୍ୟନ୍ତ ଚାଲେ। ଏଠାକାର ମୁଖ୍ୟ ଆକର୍ଷଣ ହେଲେ ସୁସଜ୍ଜିତ ହାତୀ। ଚାମୁଣ୍ଡି ପାହାଡରେ ବିରାଜିତ ଚାମୁଣ୍ଡେଶ୍ବରୀଙ୍କ ମନ୍ଦିରରେ ବି​‌େ​‌ଶଷ ପୂଜାର୍ଚ୍ଚନା ଏବଂ ଦୀପ ପ୍ରଜ୍ବଳନ ସହିତ ଦଶହରା ଉତ୍ସବ ଆରମ୍ଭ ହୋଇଥାଏ। ଚାମୁଣ୍ଡି ପାହାଡରେ ପ୍ରାୟ ୨ଲକ୍ଷ ଏବଂ ମହୀଶୂର ପ୍ରାସାଦରେ ପ୍ରାୟ ୧ଲକ୍ଷ ବଲ୍‌ବରେ ସାଜସଜ୍ଜା ସହିତ ସହରସାରା ଦୀପ, ଫୁଲ ଓ ଆଲୋକମାଳାର ସାଜସଜ୍ଜା ଖୁବ୍‌ ଆକର୍ଷଣୀୟ। ବିଶେଷକରି ପ୍ରାସାଦର ସୌନ୍ଦର୍ଯ୍ୟ ଏବଂ ହାତୀଙ୍କର ପଟୁଆର ଦେଖିବା ଲାଗି ଦର୍ଶକଙ୍କ ଭିଡ ଜମେ।

ଦିଲ୍ଲୀ
ରାଜଧାନୀ ଦିଲ୍ଲୀର ଦଶହରା ପାଳନ ନିଶ୍ଚିତ ଭାବେ ସ୍ବତନ୍ତ୍ର। ଏଠାକାର ପ୍ରସିଦ୍ଧ ରାମଲୀଳା ମୈଦାନରେ ଦଶହରା ଆୟୋଜନ ହୁଏ। କିଛିଦିନ ପୂର୍ବରୁ ରାମଲୀଳା ମୈଦାନରେ ରାମଲୀଳା ମଞ୍ଚସ୍ଥ କରାଯାଏ ଯାହାର ଶେଷ ଅଧ୍ୟାୟ ଦଶହରା ଦିନ କରାଯାଏ। ରାମ ରାବଣକୁ ବଧ କରି ବିଜୟୀ ହୋଇଥିବା ବେଳେ ଏଠାରେ ମଧ୍ୟ ରାମଲୀଳା ଶେଷରେ ରାବଣ ପୋଡି କରି ଲୋକେ ଦଶହରା ପାଳନ କରନ୍ତି।

କୁଲୁ
ସାରା ଦେଶରେ ଦଶହରା ପର୍ବ ଶେଷ ହେବାବେଳକୁ ଆରମ୍ଭ ହୁଏ କୁଲୁ ଦଶହରା। ଏଠାରେ ଏହା ଦଶମୀ ନାମରେ ପରିଚିତ। ସପ୍ତାହେ କାଳ ଏହି ପର୍ବ ବେଶ୍‌ ଧୁମ୍‌ଧାମରେ ପାଳିତ ହୋଇଥାଏ। ଏଠାକାର ବାସିନ୍ଦା ଭଗବାନ ରଘୁନାଥଙ୍କୁ ଆରାଧ୍ୟ ଭାବେ ଗ୍ରହଣ କରିଥାନ୍ତି। ତାଙ୍କୁ ପଟୁଆରରେ ରଥରେ ବସାଇ ଢାଲପୁର ମେଳଣ ପଡିଆକୁ ଅଣାଯାଏ। ତାଙ୍କ ସହିତ ମା’ ସୀତା ଏବଂ ହିଡିମ୍ବା ମଧ୍ୟ ରହିଥାନ୍ତି। ସେଠାକୁ ସ୍ଥାନୀୟ ଅନ୍ୟ ସମସ୍ତ ଦେବଦେବୀଙ୍କୁ ମଧ୍ୟ ଆମନ୍ତ୍ରଣ କରି ଅଣାଯାଏ। ହିମାଚଳ ରାଜ୍ୟର କୁଲୁ ଦଶହରା ଅନ୍ତର୍ଜାତୀୟ ପର୍ବର ମାନ୍ୟତା ପାଇଛି।

କୋଟା
ରାଜସ୍ଥାନର ରଙ୍ଗମୟ ସଂସ୍କୃତିରେ ଦଶହରାର ସ୍ଥାନ ସ୍ବତନ୍ତ୍ର। କୋଟା ଦଶହରା ଭାରତ ପ୍ରସିଦ୍ଧ। ଏଠାରେ ଏକ ବଡ ମେଳା ଅନୁଷ୍ଠିତ ହୁଏ। ନବରାତ୍ରିର ପ୍ରଥମ ଦିନରୁ ଆରମ୍ଭ କରି ପୂରା ମାସେକାଳ ଏହି ମେଳା ଚାଲିଥାଏ। ବିଜୟାଦଶମୀ ଦିନ ପ୍ରାୟ ୭୫ଫୁଟ ଉଚ୍ଚ ରାବଣ ଓ ମେଘନାଦର ପିତୁଳା ଜଳାଯାଏ। ଏଥର ୧୨୫ତମ ଦଶହରା ମେଳା ଅବସରରେ ରାବଣର ୧୦୦ଫୁଟ ପିତୁଳା ପ୍ରସ୍ତୁତ କରାଯାଉଛି। ରାଜସ୍ଥାନର ପ୍ରସିଦ୍ଧ ହସ୍ତଶିଳ୍ପ ସାମଗ୍ରୀ ଏହି ମେଳାର ପ୍ରମୁଖ ଆକର୍ଷଣ। ରାମଲୀଳାରେ ପିତା-ପୁତ୍ରଙ୍କୁ ରାବଣ ଓ ରାମ ଭୂମିକାରେ ଅଭିନୟ କରୁଥିବାର ଦେଖିବା ମଧ୍ୟ ଅନ୍ୟତମ ଆକର୍ଷଣ ବୋଲି କୁହାଯାଇପାରେ। ପିତା ବ୍ରଜରାଜ ଗୌତମ ଏବଂ ପୁତ୍ର ବୈଭବ ଗୌତମ ଏଠାରେ ରାବଣ ଓ ରାମ ଭୂମିକାରେ ଅଭିନୟ କରୁଛନ୍ତି।

 

Leave A Reply