ପୂଜା ପୂର୍ବରୁ ପୁଲିସର ଅପରାଧ ଦମନ

0

କଟକ : ପୂଜା ପୂର୍ବରୁ କମିସନରେଟ ପୁଲିସ ଅପରାଧ ଦମନ ପ୍ରକ୍ରିୟା ଜାରି ରଖିଛି। ସହରାଞ୍ଚଳ ଓ ଜିଆରପିକୁ ମିଶାଇ ୩୬ଟି ପୁଲିସ ଜିଲାର ବିଭିନ୍ନ ସ୍ଥାନରେ ଚଢଉ କରି ଅପରାଧ ଘଟାଇବା ପାଇଁ ଯୋଜନା କରୁଥିବା କେତେକ ଗ୍ୟାଙ୍ଗକୁ ଧରିବା ସହ ୩ଟି ବନ୍ଧୁକ, ୧୭ ବୋମା, ଖଣ୍ଡା ଓ ଭୁଜାଲି ଜବତ କରିଛି ପୁଲିସ। ଏଥିସହ ଜୋର ଜବରଦସ୍ତ ଚାନ୍ଦା ମାଗିବା ଅଭିଯୋଗରେ ପୁଲିସ ୪ଜଣଙ୍କୁ ଗିରଫ କରିଥିବା ଜଣାପଡିଛି।
ଦଶହରା ପୂର୍ବରୁ ଅପରାଧ ଦମନ ପ୍ରକ୍ରିୟା ଓ ବେଆଇନ ଚାନ୍ଦା ଆଦାୟକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଡିଜିପି ଡ. ଆର.ପି ଶର୍ମା ନିର୍ଦେଶ ଦେଇଥିଲେ। ଏହାକୁ ଆଧାରକରି ବିଭିନ୍ନ ପୁଲିସ ଜିଲାରେ ଅପରାଧୀ ଦମନ ପ୍ରକ୍ରିୟା ଜାରି ରହିଛି। ବୁଧବାର ସିଆରପିସି ଧାରା ୧୧୦ରେ ୨୧ଜଣଙ୍କୁ ଅଟକ ରଖାଯାଇଥିବା ବେଳେ ୭୭ଜଣଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଛଡାଯାଇଛି। ୯୨ ଜଣଙ୍କୁ ଜାମିନ୍‍ ବିହୀନ ଗିରଫ ପରୱାନା ବଳରେ ଗିରଫ କରାଯାଇଛି। ସେହିପରି ୧୩୩ଟି ଅବକାରୀ ମାମଲାରେ ୭୬ ଜଣଙ୍କୁ ଗିରଫ କରାଯାଇ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ କରାଯାଇଛି। ଜୁଆଡିଙ୍କ ବିରୋଧରେ ୧୧ଟି ମାମଲାରେ ୨୮ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୩୮ହଜାର ଟଙ୍କା, ତାସ ଓ ଖେଳରେ ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ପୁଲିସ। ଟ୍ରାଫିକ ନିୟମ ନମାନି ଗାଡି ଚାଳନା କରୁଥିବା ଚାଳକଙ୍କଠାରୁ ୬ଲକ୍ଷ ୧୯ହଜାର ୪୦୦ ଟଙ୍କା ଜୋରିମାନା ଆଦାୟ କରିଥିବା ବେଳେ ୩୬ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରିବା ପାଇଁ ଆରଟିଓଙ୍କୁ ନିବେଦନ କରିଛି ପୁଲିସ। ପୂଜା ପାଇଁ ଜବରଦସ୍ତ ଚାନ୍ଦା ମାଗୁଥିବା ୨ଟି ମାମଲାରେ ପୁଲିସ ୪ଜଣଙ୍କୁ ଗିରଫ କରିଛି। ପୂଜା ସମୟରେ ଅପରାଧ ପାଇଁ ଯୋଜନା ପ୍ରସ୍ତୁତ କରୁଥିବା କେତେକ ଗ୍ୟାଙ୍ଗର ସଦସ୍ୟଙ୍କୁ ପୁଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ୨ଟି ପିସ୍ତଲ, ଗୋଟିଏ ରିଭଲଭର, ୮ଟି ଗୁଳି, ୧୭ଟି ବୋମା, ଗୋଟିଏ ଖଣ୍ଡା, ୩ଟି ଭୁଜାଲି, ଗୋଟିଏ ଲୁହା ରଡ୍‍ ଜବତ କରାଯାଇଛି। ବୁଧବାର ୬୨ଟି ସ୍ଥାନରେ ରୋଡ ବ୍ଲକିଂ କରାଯାଇ ଯାଞ୍ଚ କରାଯାଇଥିଲା। ତେବେ ପୁଜାକୁ ଦୃଷ୍ଟିରେ ରଖି ଅପରାଧୀ ଧରପଗଡ କାର୍ଯ୍ୟ ଜାରି ରହିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply