ଜାଲ ଚାଲାଣ ରାକେଟର ପର୍ଦ୍ଦାଫାଶ କଲା ଟାଉନ ପୁଲିସ

ସୁନ୍ଦରଗଡ଼: ଟାଉନ ପୁଲିସ ୨୦୧୭ ନଭେମ୍ବର ମାସରେ ଜାଲ ଚାଲାଣ ଦେଇ ଲକ୍ଷାଧିକ ଟଙ୍କା ଠକି ନେଇଥିବା ରାକେଟର ପର୍ଦ୍ଦାଫାଶ କରିବାରେ ସକ୍ଷମ ହୋଇଛି। ଏହି କାରବାରର ମାଷ୍ଟରମାଇଣ୍ଡ କୁହାଯାଉଥିବା ଚିଙ୍କୁ ଓରଫ ଚିକୁ ଓରଫ ରାଜେଶ ପ୍ରସାଦ ସିଂଙ୍କୁ ତନାଘନା ଜେରା କରିବାରୁ ସେ ସମସ୍ତ ଘଟଣା ପୁଲିସ ନିକଟରେ ସ୍ୱୀକାର କରିବା ପରେ ପୁଲିସ ମହେଶଡ଼ିହିର ସୁବ୍ରତ ଜେନା, ଝାଡ଼ଖଣ୍ଡ ସିଂଭୂମର ଭବେଶ କୁମାର ଦାସ ଓ ସ୍ଥାନୀୟ ମହିଳା କଲେଜ ସମ୍ମୁଖରେ ଥିବା ମମତା କମ୍ପ୍ୟୁଟର ମାଲିକ ଅକ୍ଷୟ ପୁରୋହିତଙ୍କ କମ୍ପ୍ୟୁଟର ସେଣ୍ଟର ଉପରେ ଚଢ଼ଉ କରି ଜାଲ ଚାଲାଣ ପ୍ରସ୍ତୁତ କରିବାରେ ବ୍ୟବହୃତ କମ୍ପ୍ୟୁଟର ଓ ଅନ୍ୟାନ୍ୟ ଯନ୍ତ୍ରାଂଶକୁ ଜବତ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ପୁଲିସ ସୂତ୍ରରୁ ପ୍ରକାଶ, ସୁନ୍ଦରଗଡ଼ ମେନ ରୋଡ଼ରେ ଚାଲାଣ ବ୍ୟବସାୟ କରୁଥିବା ମହମ୍ମଦ ସାହିଦଙ୍କୁ ଗତ ୨୭.୧୧.୨୦୧୭ ଦିନ ନିଜକୁ ଅଶୋକ ସାହୁ ବୋଲି ପରିଚୟ ଦେଇ ଜୈନିକ ଯୁବକ ୧୮ଟି ଜାଲ ଚାଲାଣ ଦେଇ ପ୍ରାୟ ୩ଲକ୍ଷ ୪୦ହଜାର ଟଙ୍କା ନେଇଥିଲେ। ପରବର୍ତ୍ତି ସମୟରେ ସାହିଦ ଉକ୍ତ ଚାଲାଣକୁ ନେଇ ଭେଷଜ ଇଞ୍ଜିନିୟରିଂ କନଷ୍ଟ୍ରକସନ କମ୍ପାନୀରେ ଜମା ଦେବାରୁ କମ୍ପାନୀ ଏହା ଜାଲ ଚାଲାଣ ବୋଲି ଜାଣିବାକୁ ପାଇଥିଲେ । ପରେ ସାହିଦ ଟାଉନ ଥାନାରେ ଏତଲା ଦେବାରୁ ଟାଉନ ଥାନା ପୁଲିସ ଠକେଇ ସମେତ ଅନ୍ୟାନ୍ୟ ଧାରାରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲେ । ଥାନା ଅଧିକାରୀ ବିଭତ୍ସ ପ୍ରଧାନ ସାହିଦଙ୍କ ପାଖକୁ ଜାଲ ଚାଲାନ ନେଇ ଯାଇଥିବା ଯୁବକ ଅଶୋକ ସାହୁ ପ୍ରକୃତରେ ଅଶୋକ ସାହୁ ନୁହନ୍ତି ସେ ଅଜ୍ୟ ଜଣେ ଯୁବକ ବୋଲି ଜାଣିବାକୁ ପାଇଥିଲେ। ମାଷ୍ଟରମାଇଣ୍ଡ କୁହାଯାଉଥିବା ଚିଙ୍କୁ ଓରଫ ଚିକୁ ଓରଫ ରାଜେଶ ପ୍ରସାଦ ସିଂ ଏହି ଠକେଇର ମାଷ୍ଟରମାଇଣ୍ଡ ସାଜି କମ୍ପ୍ୟୁଟର ସେଣ୍ଟରରୁ ଜାଲ ଚାଲାନ ପ୍ରସ୍ତୁତ କରିବା ସହ କୁଆଡ଼େ ଅକ୍ଷୟ ପୁରୋହିତଙ୍କୁ ମଧ୍ୟ ଏ ବାବଦରେ କିଛି ଟଙ୍କା ପ୍ରଦାନ କରି ଜାଲା ଚାଲାନ ପ୍ରସ୍ତୁତ କରିବାରେ ସକ୍ଷମ ହୋଇଥିଲେ । ବିଳମ୍ବରେ ହେଲେ ମଧ୍ୟ ପୁଲିସ ଏଭଳି ଏକ ଠକେଇ ଘଟଣାର ପର୍ଦ୍ଦାଫାଶ କରିଥିବାରୁ ଚାଲାନ ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷ ଓ ଟ୍ରକ ମାଲିକମାନେ ଆଶ୍ବସ୍ତ ହୋଇଥିବା ଜଣାପଡ଼ିଛି ।

Comments are closed.