ରେଳ ଧାରଣା ଉପରେ ଖସିଲା ପଥର : ୩ ଘଣ୍ଟା ରେଳ ଚଳାଚଳ ବନ୍ଦ

ପ୍ରବଳ ବର୍ଷା ଯୋଗୁ  : ହଟିଆ-ରାଉରକେଲା ରେଳପଥରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ

ଝାରସୁଗୁଡା : ପ୍ରବଳ ବର୍ଷା ଯୋଗୁ ରେଳ ଧାରଣା ଉପରେ ଖସିଲା ପଥର। ସନ୍ଧ୍ୟା ପ୍ରାୟ ୫ଟା ପାଖା ପାଖି ଓଡିଶା ସୀମାବର୍ତ୍ତୀ  ନୂଆଗାଁ-ବାନୋ ରେଳ ଧାରଣାର ଦୁଇଟି ସ୍ଥାନରେ ମାଟି ଅତଡା ସାଙ୍ଗକୁ ପଥର ପଡ଼ିଯିବାରୁ ହଟିଆ-ରାଉରକେଲା ରେଳପଥରେ ଟ୍ରେନ୍‌ ଚଳାଚଳ  ୩ ଘଣ୍ଟା କାଳ ବନ୍ଦ ରହିଥିଲା। ଫଳରେ ବିଭିନ୍ନ ଷ୍ଟେସନରେ ଅନେକ ଟ୍ରେନ୍‌ ଅଟକି ରହିଥିଲା । ଝାଡ଼ଖଣ୍ଡର ଟାଟି ଷ୍ଟେସନରେ ଧନବାଦ ଆଲେପି ଏକ୍‌ସପ୍ରେସ୍‌ ଅଟକି ରହିଥିଲା। ସେହିପରି ବାନୋରେ ତପସ୍ୱିନୀ ଏକ୍‌ସପ୍ରେସ୍‌ ଓ ରାଉରକେଲା ପଟରୁ ଆସୁଥିବା ସମ୍ବଲପୁର-ବନାରସ ମାଣ୍ଡୁଆଡିହି ଏକ୍ସପ୍ରେସ୍‌ ନୂଆଗାଁ ନିକଟରେ ଅଟକି ରହିଥିଲା । ରେଳ ଚଳାଚଳ ସମ୍ପୂର୍ଣ ଭାବେ ବାଧାପ୍ରାପ୍ତ ହେବା ଯୋଗୁ ଯାତ୍ରୀମାନେ ହନ୍ତସନ୍ତ ହୋଇଛନ୍ତି । ହେଲେ ପରେ ରେଳ କର୍ମଚାରୀ ମାନେ ଏକ ସ୍ୱତନ୍ତ୍ର ଟ୍ରଲି ଇଂଜିନରେ ଘଟଣାସ୍ଥଳକୁ ଯାଇ ରେଳ ଲାଇନରୁ ମାଟି ଅତଡା ଓ ପଥର ହଟାଇବା ପରେ ସନ୍ଧ୍ୟା ୮ଟାରେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଥିଲା। ୩ ଘଣ୍ଟା ବିଳମ୍ବରେ ଟ୍ରେନ ଚାଲୁଥିବାରୁ ରାଉରକେଲାରେ ଧନବାଦ ଆଲେପି ଏକ୍‌ସପ୍ରେସ୍‌ ରାତି ୯.୪୫, ତପସ୍ୱିନୀ ଏକ୍ସପ୍ରେସ୍‌ ରାତି ୧୦ଟା ଓ ହାତିଆ-ଯଶବନ୍ତପୁର ଏକ୍ସପ୍ରେସ୍‌ ରାତି ୧୦.୧୫ରେ ପହଞ୍ଚି ଥିଲା।

Comments are closed.