ଡ୍ରୋନ୍‌ ସିଞ୍ଚିବ କୀଟନାଶକ

0

ରାୟଗଡ଼ା : ରୋଗପୋକ ଦାଉରୁ ଫସଲକୁ ସୁରକ୍ଷା ଦେବା ନେଇ କୀଟନାଶକ ସିଞ୍ଚନ ପାଇଁ ଏଣିକି ଚାଷୀଙ୍କୁ ବେଶୀ କଷ୍ଟ କରିବାକୁ ପଡ଼ିବନି। ଜମି ହିଡ଼ରେ ଠିଆ ହୋଇ କେବଳ ରିମୋର୍ଟ ଜରିଆରେ ଏହି କାର୍ଯ୍ୟକୁ ସମ୍ଭବ କରିଛନ୍ତି ଟି ବାବୁରାଓ। ସେ କୀଟନାଶକ ସିଞ୍ଚନ ଡ୍ରୋନ୍‌ ପ୍ରସ୍ତୁତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଭିନବ କୃଷି ଯନ୍ତ୍ରପାତି ସମ୍ମାନ ପାଇଁ ନିଜସ୍ୱ ଜ୍ଞାନ କୌଶଳରେ ପ୍ରସ୍ତୁତ ଏହି ଡ୍ରୋନ୍‌ ମନୋନୀତ ହୋଇଛି। ଜମି ହିଡ଼ରେ ରହି ଏହାର ପରିଚାଳନା କରି ଏହି ଅତ୍ୟାଧୁନିକ ଡ୍ରୋନ୍‌କୁ କ୍ଷେତରୁ କିଛି ମିଟର ଉପରେ ଉଡ଼ାଯାଇ ଫସଲ ଉପରେ କୀଟନାଶକ ସିଞ୍ଚନ କରାଯାଇ ପାରିବ ବୋଲି ଟି. ବାବୁରାଓ କହିଛନ୍ତି। ଧାନ କ୍ଷେତ ଏବଂ କପା କ୍ଷେତରେ ଗଛ ବଡ଼ ହେବା ପରେ ସିଞ୍ଚନ
କଷ୍ଟକର ଏବଂ ବ୍ୟୟ ସାପେକ୍ଷ ହୋଇଥିବାବେଳେ ଏହି ଡ୍ରୋନ୍‌ ଚାଷୀଙ୍କ ପାଇଁ ବେଶ୍‌ ସହାୟକ ହେବ ବୋଲି ବାବୁରାଓ କହିଛନ୍ତି। ଅତି ସହଜରେ ଫସଲଠାରୁ ମାତ୍ର ୨ରୁ ୩ଫୁଟ ଉପରେ ଏହା ଉଡ଼ି ଔଷଧ, କୀଟନାଶକ ସିଞ୍ଚନ କରିପାରିବ। ନୂତନ ଜ୍ଞାନକୌଶଳରେ ଏହି ଡ୍ରୋନ୍‌ ପ୍ରସ୍ତୁତ କରି ବାବୁରାଓ ବେଶ୍‌ ପ୍ରଶଂସିତ ହୋଇଛନ୍ତି।
ରାଗୟଡ଼ା ଜିଲା ଗୁଡ଼ାରୀ ବ୍ଲକ ସନ୍ୟାସୀଗୁଡ଼ାରେ ବାବୁରାଓଙ୍କ ଘର। ଶିକ୍ଷାଗତ ଯୋଗ୍ୟତା ସ୍ନାତକ। ବାବୁରାଓ ଚାଷ ଏବଂ ଚାଷୀଙ୍କ ସହ ସିଧାସଳଖ ସମ୍ପୃକ୍ତ। କ୍ଷେତରେ ଗଛ ବଡ଼ ହୋଇଗଲେ କୀଟନାଶକ ସିଞ୍ଚନ କଷ୍ଟକର ହୋଇଥାଏ। ଗଛର ଧାରୁଆ ପତ୍ରରେ ଦେହରେ କ୍ଷତ ହୋଇଥାଏ। ଏଥିସହ କୀଟନାଶକ ସିଞ୍ଚନ ବେଳେ ଅନେକ ସାବଧାନତା ଅବଲମ୍ବନ କରିବାକୁ ପଡିଥାଏ। ଏପରିସ୍ଥଳେ, ଡ୍ରୋନ ସିଞ୍ଚନ ଏ ଦିଗରେ ବେଶ୍‌ ଲାଭଦାୟକ ହୋଇପାରିବ ବୋଲି ବାବୁରାଓ କହିଛନ୍ତି। କପା କ୍ଷେତ୍ରରେ କୀଟନାଶକ ସିଞ୍ଚନ କଷ୍ଟକର ହୋଇଥିବା ବେଳେ ଏହା କଷ୍ଟକୁ ଲାଘବ କରିବ ବୋଲି ସେ କହିଛନ୍ତି। ଫଟୋ ଓ ଭିଡିଓ ଉତ୍ତୋଳନ କ୍ଷେତ୍ରରେ ଡ୍ରୋନ୍‌ କ୍ୟାମେରାର ଚାହିଦା ବଢ଼ିଥିବା ବେଳେ କୃଷିକ୍ଷେତ୍ରରେ ଏହାର ବ୍ୟବହାର ଖୁବ ଲାଭଦାୟକ ବୋଲି ସେ କହିଛନ୍ତି। ଏହାକୁ ସାକାର ରୂପ ଦେବା ପାଇଁ ସେ ହାଇହ୍ରାବାଦର ଜଣେ ଆଇଆଇଟି ଛାତ୍ରଙ୍କ ସହାୟତା ନେଇ ଆଲୋଚନା କରିଥିଲେ। ଏହାର ପ୍ରସ୍ତୁତି ସମ୍ଭବ ଜାଣି ଏକ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରି ପୁନେର ଜଣେ ଅବସରପ୍ରାପ୍ତ ଏରୋନାଟିକାଲ(ବୈମାନିକ ବିଷୟକ) ପ୍ରଫେସରଙ୍କ ସାହାଯ୍ୟ ଲୋଡ଼ିଥିଲେ। ଏ ସମ୍ପର୍କର ଆଲୋଚନା ଜରିଆରେ ଶିକ୍ଷା ଲାଭ କରିବା ପରେ ସେ ଏ ଦିଗରେ ମନ ବଳାଇଲେ। ଏହାର ପ୍ରସ୍ତୁତି, ସାଟେଲାଇଟ୍‌ ସହ ସଂଯୋଗ, ଜମି ହିଡ଼ରେ ରହି ତଥ୍ୟ ପାଇବା ପାଇଁ ଫ୍ଲାଇଟ କଣ୍ଟ୍ରୋଲର ବ୍ୟବହାର ସମ୍ପର୍କିତ ଯନ୍ତ୍ରାଶଂ ଏବଂ ଆବଶ୍ୟକ ସମସ୍ତ ସାମଗ୍ରୀ କ୍ରୟ କରି ଗୁଡ଼ାରୀକୁ ଫେରିଥିଲେ।
ବାବୁରାଓ ଏହି ଡ୍ରୋନ୍‌କୁ ଉଡ଼ାଇବା ପାଇଁ ୪ କୋଣରେ ୪ଟି ମୋଟର ଖଞ୍ଜିବା ସହ ସେଥିରେ ସ୍ପ୍ରିଙ୍କଲର ଲଗାଇଥିଲେ। ସାଟେଲାଇଟ ସହ ସଂଯୋଗ କରୁଥିବା ୨ଟି ଜିପିଏସ ରେଡାର୍‌ରୁ ଫ୍ଲାଇଟ କଣ୍ଟ୍ରୋଲରକୁ ନିଜ ଲ୍ୟାପ୍‌ଟପ୍‌ ସହ ଯୋଡ଼ି ଡ୍ରୋନ୍‌ର ଉଡ଼ାଣକୁ ନିୟନ୍ତ୍ରଣ କରିଥିଲେ। ହାତରେ ଧରିଥିବା ବେଗ ନିୟନ୍ତ୍ରକ ଯନ୍ତ୍ର ସହ ସେନ୍‌ସର୍‌ ଜରିଆରେ ଏହାକୁ କ୍ଷେତ ଉପରେ ଉଡ଼ାଇବାକୁ ସେ ସକ୍ଷମ ହୋଇ ପାରିଥିଲେ। ଦଶ ଲିଟର ପାଣି ଧାରଣା କ୍ଷମତା ଥିବା ଗୋଟିଏ ଟ୍ୟାଙ୍କ ଡ୍ରୋନ୍‌ ତଳେ ଖଞ୍ଜି ସେଥିରେ କୀଟନାଶକ ରଖିବା ବ୍ୟବସ୍ଥା କରିଥିଲେ। ଏହାର ପ୍ରସ୍ତୁତି କରିବା ପାଇଁ ପ୍ରଥମେ ତାଙ୍କୁ ୩ ମାସ ସମୟ ଲାଗିଥିଲା। ଏବେ ୧ ମାସ ମଧ୍ୟରେ ହୋଇପାରିବ ବୋଲି ସେ କହିଛନ୍ତି। ପୂର୍ବରୁ ଲ୍ୟାପ୍‌ଟପ୍‌ ଏବଂ ସମସ୍ତ ବ୍ୟବସ୍ଥା ହାତରେ ପରିଚାଳନା କରିବାକୁ ପଡୁଥିଲା। ବର୍ତ୍ତମାନ ଏହାକୁ ପରିବର୍ତ୍ତିତ କରି ମୋବାଇଲ ଫୋନ୍‌ ଦ୍ୱାରା ପରିଚାଳନା ପାଇଁ ପ୍ରସ୍ତୁତ କରିବାକୁ ସମସ୍ତ ବ୍ୟବସ୍ଥା ସରିଛି ବୋଲି କହିଛନ୍ତି। ଯେକୌଣସି ଚାଷୀ ଏହାର ବ୍ୟବହାର କରିପାରିବେ ବୋଲି ବାବୁରାଓ କହିଛନ୍ତି। ଏଥିରେ ଲିଥିୟମ ପଲିମର୍‌ ବ୍ୟାଟେରି ଆବଶ୍ୟକ ଥିବା ବେଳେ ଲ୍ୟାପ୍‌ଟପ୍‌ରେ ବ୍ୟବହାର କରାଯାଉଥିବା ଲିଥିୟମ ଆୟନ ବ୍ୟାଟେରିକୁ ପଂକ୍ତି ସଂଯୋଗ କରି ବ୍ୟବହାର କରାଯାଇ ପାରୁଛି ବୋଲି ସେ କହିଛନ୍ତି। କ୍ଷେତର ଲମ୍ବ ଓ ପ୍ରସ୍ଥକୁ ନଜରରେ ରଖି ଏହାର ନିୟନ୍ତ୍ରଣ ଜରୁରୀ ବୋଲି ସେ କହିଛନ୍ତି।

Leave A Reply