୨୦୨୫ ସୁଦ୍ଧା ସବୁ ଗାଁକୁ ବିଶୁଦ୍ଧ ପାନୀୟ ଜଳ – ମନ୍ତ୍ରୀ ପ୍ରତାପ ଜେନା 

ଭୁବନେଶ୍ୱର: ୨୦୨୦ ମସିହା ସୁଦ୍ଧା ରାଜ୍ୟର ସମସ୍ତ ସହର ଏବଂ ୨୦୨୪-୨୫ ସୁଦ୍ଧା ସବୁ ଗାଁରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାପାଇଁ ସରକାର ତ୍ୱରିତ ପଦକ୍ଷେପ ନେଉଥିବା ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଜେନା ବିଧାନ ସଭାରେ ସୂଚନା ଦେଇଛନ୍ତି। ରାଜ୍ୟ ଜନ ସଂଖ୍ୟାର ୪୪% ପ୍ରତିଶତ ଲୋକଙ୍କୁ ପିଇବା ପାଣି ଯୋଗାଇ ଦିଆଯାଇଥିବା ବେଳେ ୨୦୨୪ ସୁଦ୍ଧା ସମସ୍ତଙ୍କୁ ଏହାର ସୁବିଧା ଉପଲବ୍ଧ କରାଯିବ ବୋଲି ସେ କହିଛନ୍ତି। ମଙ୍ଗଳବାର ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି, ବିଧାୟକ ନରସିଂହ ମିଶ୍ର, କୁଷୁମ ଟେଟେ, ସନ୍ତୋଷ ସିଂ ସାଲୁଜା, ପ୍ରଦୀପ ମହାରଥି ପ୍ରମୁଖ ଏକାଧିକ ପ୍ରଶ୍ନ ରଖି ସରକାରଙ୍କଠାରୁ ଏ ନେଇ ନିର୍ଦ୍ଧିଷ୍ଟ ଉତ୍ତର ଦାବି କରିଥିଲେ। ଉତ୍ତର ରଖି ମନ୍ତ୍ରୀ କହିଥିଲେ, ରାଜ୍ୟରେ ମୋଟ ୪୭ ହଜାର ୩୬୬ଟି ଗ୍ରାମ ମଧ୍ୟରୁ ୧୯ ହଜାର ୫୦୪ ଟି ଗ୍ରାମକୁ ପାଇପ ଯୋଗେ ପିଇବା ପାଣି ଦିଆଯାଉଛି। କୋରାପୁଟ ଜିଲ୍ଲାର ୧୯୩୨ ଗ୍ରାମ ମଧ୍ୟରୁ ୫୪୮ ଗ୍ରାମକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଉଛି। ଏହି ଜିଲ୍ଲାର ଆଉ  ୯୧ଗୋଟି ଗ୍ରାମକୁ ଏକକ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ମଧ୍ୟମରେ ଓ ୨୫୭ ଟି ଗ୍ରାମକୁ ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ମଧ୍ୟମରେ ପାଇପ ଯୋଗେ ଜଳଯୋଗାଣ ବ୍ୟବସ୍ଥା ହେଉଛି। ଜିଲ୍ଲାରେ ହୋଇଥିବା ମୋଟ ୪୯୧ ଟି ପାଇପ ଜଳ ଯୋଗାଣ ପ୍ରକଳ୍ପ ମଧ୍ୟରୁ ୭ଟି ପ୍ରକଳ୍ପ ସାମୟିକ ଭାବେ ଅଚଳ ଅବସ୍ଥାରେ ଅଛି ଏବଂ ସେ ଗୁଡ଼ିକ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ବିହୀତ ପଦକ୍ଷେପ ଗ୍ରହଣ କରାଯାଉଅଛି।

ତେବେ ମନ୍ତ୍ରୀଙ୍କ ଉତ୍ତରକୁ ନେଇ ବିରୋଧୀ ବିଧାୟକଙ୍କ ସହ ବିଜେଡ଼ି ବିଧାୟକ ପ୍ରଦୀପ ମହାରଥି ଅସନ୍ତୋଷ ପ୍ରକାଶ କରିଥିଲେ। ଏ ସମ୍ପର୍କରେ ୨୪ଘଣ୍ଟା ଭିତରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଭାଗୀୟ ମନ୍ତ୍ରୀ ଗୃହକୁ ପ୍ରତିଶୃତି ଦେଇଥିଲେ।

Comments are closed.