ମଦ ପିଇଲେ ଚାଲିବନି ଗାଡ଼ି

0

ଡେରାଡୁନ: କେନ୍ଦ୍ର ସଡ଼କ ମନ୍ତ୍ରାଳୟର ସୂଚନା ଅନୁଯାୟୀ ଦେଶରେ ପ୍ରତି ଘଣ୍ଟାରେ ୧୬ ଜଣଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟୁଛି। ସେଥିମଧ୍ୟରୁ ଅଧିକାଂଶ ନିଶାସକ୍ତ ଭାବରେ ଗାଡ଼ି ଚାଳନା ଯୋଗୁଁ ଘଟୁଛି। ଏବେ କିନ୍ତୁ ଏକ ସୁଖବର ମିଳିଛି। ମଦ ପିଇ ଗାଡ଼ି ଚଲାଇବା କିମ୍ବା ଗାଡ଼ି ଚଲାଇବା ବେଳେ ମୋବାଇଲ୍‍ ଫୋନ୍‍ରେ କଥା ହେବା ଆଉ ସମ୍ଭବ ହେବନି। ଲୋକଙ୍କୁ ଏହି ଅଭ୍ୟାସରୁ ନିବୃତ୍ତ କରିବା ପାଇଁ ଉତ୍ତରାଖଣ୍ଡ ରେସିଡେନ୍‍ସିଆଲ୍‍ ବିଶ୍ୱବିଦ୍ୟାଳୟ ଏବଂ ଆରଆଇ ଇନ୍‍ଷ୍ଟ୍ରୁମେଣ୍ଟ ଆଣ୍ଡ ଇନୋଭେସନ୍‍ ଇଣ୍ଡିଆର ଗବେଷକ ଆର ପି ଜୋଷୀ, ଆକାଶ ପାଣ୍ଡେ ଓ କୁଲ୍‍ଦୀପ ପଟେଲ୍‍ ମିଳିତ ଭାବେ ଏଭଳି ଏକ ଉପକରଣ ଉଦ୍‍ଭାବନ କରିଛନ୍ତି ଯାହା ଲୋକଙ୍କ ଉପରୋକ୍ତ ବଦଭ୍ୟାସ ବଦଳାଇ ପାରିବ। ଚାଳକ ନିଶାସକ୍ତ ଥିଲେ କିମ୍ବା ସ୍ୱାଭାବିକ ମାନସିକ ସ୍ଥିତିରେ ନ ଥିଲେ ଗାଡ଼ି ଷ୍ଟାର୍ଟ ହେବନି। ବର୍ଜ୍ୟବସ୍ତୁ ଓ ଘାସରୁ ଏଭଳି ଉପକରଣ ନିର୍ମିତ ହୋଇଛି। ଏହି ଉପକରଣ ଲାଗିଥିବା ଯାନରେ ଏକ ସେନ୍‍ସର ରହିବ। ଷ୍ଟାର୍ଟ କରିବା ପୂର୍ବରୁ ଚାଳକକୁ ଉକ୍ତ ସେନ୍‍ସର ସାମ୍‍ନାରେ ଫୁଙ୍କିବାକୁ ପଡ଼ିବ। ଯଦି ଚାଳକ ନିଶାସକ୍ତ ଥାଏ ତେବେ ଗାଡ଼ି ଷ୍ଟାର୍ଟ ହେବ ନାହିଁ। ନିଶାସକ୍ତ ନ ଥିବା ଅନ୍ୟ କୌଣସି ବ୍ୟକ୍ତି ଦ୍ୱାରା ମଧ୍ୟ ଗାଡ଼ି ଷ୍ଟାର୍ଟ ହେବ ନାହିଁ। କାରଣ ସିଟ୍‍ରେ ବସିଥିବା ଚାଳକର ମାନସିକ ଓ ଶାରୀରିକ ସ୍ଥିତି ମଧ୍ୟ ସେନ୍‍ସର ଠଉରାଇ ପାରିବ। ଯଦି ଗାଡ଼ି ଚଲାଉଥିବା ସମୟରେ ଚାଳକ ଶୋଇପଡ଼ନ୍ତି କିମ୍ବା ଢୁଳେଇ ପଡ଼ନ୍ତି ତେବେ ଚାଳକର ଆଖି ଓ ଶରୀରର ଅବସ୍ଥାକୁ ଠଉରାଇ ସେନ୍‍ସର ଗାଡ଼ିରେ ଥିବା ଅନ୍ୟ ଯାତ୍ରୀମାନଙ୍କୁ ଏ ସମ୍ପର୍କରେ ଜଣାଇଦେବ। ଗାଡ଼ି ଚାଲୁଥିବା ସମୟରେ ମୋବାଇଲ୍‍ରେ କଥାବାର୍ତ୍ତା ହେଲେ ମଧ୍ୟ ସେନସର ସମାନ ପ୍ରକାର ସତର୍କ ସୂଚନା ଦେବ। ଉକ୍ତ ଉପକରଣରେ ଜିପିଆରଏସ୍‍-ଜିଏସ୍‍ଏମ୍‍ ସିଷ୍ଟମ ରହିଛି ଯାହା ଗାଡ଼ିର ସ୍ଥିତି ସମ୍ପର୍କରେ ଜଣାପଡ଼ିବ। ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବାର ୫ ରୁ ୧୦ ମିନିଟ ମଧ୍ୟରେ ୧୦୦ ନମ୍ବରକୁ ଆପେ ଆପେ ଡାଏଲ କରିହେବ କିମ୍ବା ମେସେଜ୍‍ ପଠାଇପାରିବ। ଏହି ଉପକରଣ ବିଭିନ୍ନ ଆନ୍ତର୍ଜାତିକ ଅନୁଷ୍ଠାନ ଓ ସଂସ୍ଥାନରେ ପରୀକ୍ଷଣ କରାଯାଇ ଉଚ୍ଚ ପ୍ରଶଂସିତ ହୋଇଛି। ଉକ୍ତ ଉପକରଣର ସ୍ୱତ୍ତ୍ୱାଧିକାର ପାଇଁ ରାଜ୍ୟ ସରକାରଙ୍କୁ ଆବେଦନ କରିବାକୁ ଉତ୍ତରାଖଣ୍ଡ ରାଜ୍ୟପାଳ କେ କେ ପଲ୍‍ ଉଦ୍‍ଭାବକ ଟିମ୍‍କୁ ପରାମର୍ଶ ଦେଇଛନ୍ତି। ଏଥିସହିତ ସମସ୍ତ ବ୍ୟବସାୟିକ ଯାନରେ ଯେଭଳି ଏହି ଉପକରଣ ଲାଗି ପାରିବ ସେଥିପାଇଁ ଉଦ୍ୟମ ଜାରି ରଖିବାକୁ ରାଜ୍ୟପାଳ ଉକ୍ତ ଟିମ୍‍କୁ ଉପଦେଶ ଦେଇଛନ୍ତି।

Leave A Reply