ଆପଣ ବି ଅଧିକ ଖଟା ଖାଇବାକୁ ପସନ୍ଦ କରନ୍ତି କି? ହୋଇଯାଆନ୍ତୁ ସାବଧାନ

ପ୍ରାୟତଃ ଖଟା ଖାଇବାକୁ ବହୁତ ଲୋକ ଭଲ ପାଆନ୍ତି। ବିଶେଷ କରି ଝିଅମାନେ ଅଧିକ ଖଟା ପ୍ରିୟ ହୋଇଥାଆନ୍ତି। ଅଧିକ ଖଟା ଜାତୀୟ ଖାଦ୍ୟ ପଦାର୍ଥ ଯେପରିକି ଆଚାର, ଖଟା, ତେନ୍ତୁଳି, କମଳା, ଅଁଳା, ଦହି ଏବଂ ଲେମ୍ବୁ ପାଣି ଆଦିର ଅତ୍ୟଧିକ ସେବନ ଦ୍ୱାରା ଶରୀରରେ ଅନେକ ସମସ୍ୟା ଦେଖାଦିଏ। ପାଟିକୁ ସୁଆଦିଆ ଲାଗୁଥିଲେ ମଧ୍ୟ ଏହାର ଅତ୍ୟଧିକ ସେବନ ସ୍ବାସ୍ଥ୍ୟ ପାଇଁ ହାନିକାରକ ସାବ୍ୟସ୍ତ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଅତ୍ୟଧିକ ଖଟା ଖାଇବା ଦ୍ବାରା କେଉଁ ସମସ୍ୟା ଦେଖା ଦେଇଥାଏ –

ପେଟ ସମସ୍ୟା : କିଛି ଲୋକଙ୍କର ଲେମ୍ବୁ ପାଣି ପିଇବା ବହୁତ ପସନ୍ଦ ହୋଇଥାଏ। ଏଭଳି ଅଧିକ ଲେମ୍ବୁ ପାଣି ପିଉଥିବା ଲୋକଙ୍କ ଠାରେ ପେଟ କାଟିବା ଭଳି ସମସ୍ୟା ଦେଖାଦେଇଥାଏ। ଲେମ୍ବୁରେ ସାଇଟ୍ରିକ୍ ଏସିଡ୍ ରହିଥାଏ। ଶରୀର ଅଧିକମାତ୍ରାରେ ସାଇଟ୍ରିକ୍ ଏସିଡ୍ ଗ୍ରହଣ କରିପାରେ ନାହିଁ। ଫଳରେ ପେଟରେ ଯନ୍ତ୍ରଣା ଅନୁଭବ ହୁଏ। ଡାକ୍ତରଙ୍କ କହିବାନୁସାରେ, ଖଟା ଜାତୀୟ ପଦାର୍ଥ ଖାଲି ପେଟରେ ଖାଇବା ଅନୁଚିତ। କିଛି ଖାଦ୍ୟ ଗ୍ରହଣ କରିବା ପରେ ହିଁ ଖଟା ଖାଦ୍ୟ ଖାଇବା ଆବଶ୍ୟକ। ଏହାସହିତ କମ୍ ପରିମାଣରେ ମଧ୍ୟ ଖାଇବା ଉଚିତ।

କୋଷ୍ଠକାଠିନ୍ୟ : ଅତ୍ୟଧିକ ଖଟା ଖାଇବା ଦ୍ବାରା କୋଷ୍ଠକାଠିନ୍ୟ ଭଳି ରୋଗ ଦେଖା ଦେଇଥାଏ। ଶରୀରରୁ ବର୍ଜ୍ୟବସ୍ତୁ ଠିକ୍‌ ଭାବେ ନିଷ୍କାସିତ ହୋଇ ନ ପାରିଲେ ବିଭିନ୍ନ ଗମ୍ଭୀର ସମସ୍ୟା ଦେଖାଦିଏ। କୋଷ୍ଠକାଠିନ୍ୟ ଯୋଗୁଁ ପେଟଫୁଲିବା, ଓଜନିଆ ଲାଗିବା ଭଳି ସମସ୍ୟା ମଧ୍ୟ ଦେଖାଦିଏ। ଖଟାଜାତୀୟ ଖାଦ୍ୟ ଶରୀର ପାଇଁ ହିତକାର। ହେଲେ ମାତ୍ରାଧିକ ଖଟା ଖାଇବା ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ।

ମୂତ୍ର ପଥ ସଂକ୍ରମଣ : ଅଧିକ ଖଟା ସେବନ ଦ୍ବାରା ଖାସ୍ କରି ମହିଳାଙ୍କଠାରେ ମୂତ୍ର ପଥ ସଂକ୍ରମଣ ବା ୟୁରିନାରୀ ଟ୍ରାକ୍ଟ ଇନ୍‌ଫେକ୍ସନ୍‌ ସମସ୍ୟା ଦେଖା ଦେଇଥାଏ। ଅଧିକ ଖଟା ଖାଇବା ଦ୍ୱାରା ଶରୀରର ପିଏଚ୍ ସ୍ତର ବିଗିଡ଼ି ଯାଇଥାଏ। ଫଳରେ ମୂତ୍ର ସଂକ୍ରମଣ ଭଳି ସମସ୍ୟା ଦେଖାଦିଏ।

Comments are closed.