ବିଜେଡିରେ ବିଦ୍ରୋହ ଆରମ୍ଭ ! ଦଳ ଛାଡୁଛନ୍ତି ଅସନ୍ତୁଷ୍ଟ

0

ଭୁବନେଶ୍ଵର: ବହୁ କସରତ କରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୯ଟି ଲୋକସଭା ଏବଂ ୫୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲେ। କିନ୍ତୁ ଏହାକୁ ନେଇ କେତେକ ସ୍ଥାନରେ ଦଳୀୟ ନେତା, ଆଶାୟୀ ଏବଂ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଟିକେଟ ପାଇ ନ ଥିବା ଆଶାୟୀମାନେ ପ୍ରାର୍ଥୀ ଚୟନ ଠିକ ଭାବେ ହୋଇନାହିଁ ବୋଲି  ଅଭିଯୋଗ କରିବା ସହ ଦଳ ଛାଡ଼ିଛନ୍ତି। ନିର୍ବାଚନ ପୂର୍ବରୁ ବିଜେଡିରେ ଏକ ପ୍ରକାର ବିଦ୍ରୋହ ଆରମ୍ଭ ହୋଇଯାଇଛି ବୋଲି ଚର୍ଚ୍ଚା ହେଉଛି। ବିଶେଷ କରି ଯେଉଁ ବିଧାନସଭା ଏବଂ ଲୋକସଭା କ୍ଷେତ୍ରରେ ଦଳୀୟ ନେତାମାନେ ଦଳ ଛାଡ଼ୁଛନ୍ତି ସେସବୁ ନିର୍ବାଚନମଣ୍ଡଳୀରେ ବିଜେଡି ପାଇଁ ସମସ୍ୟା ସୃଷ୍ଟି ହୋଇପାରେ ବୋଲି ଆଲୋଚନା ହେଉଛି। ଚଳିତ ନିର୍ବାଚନରେ ଏହା ବିଜେଡି ପାଇଁ ମହଙ୍ଗା ପଡ଼ିପାରେ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି।

ମଙ୍ଗଳବାର ଦଳରୁ ୩ ବରିଷ୍ଠ ନେତା ଇସ୍ତଫା ଦେଇଛନ୍ତି। ସୁନ୍ଦରଗଡ଼ ଉନ୍ନୟନ ପରିଷଦର ଅଧ୍ୟକ୍ଷା ତଥା ବିଜେଡି ନେତ୍ରୀ କୁସୁମ ଟେଟେଙ୍କୁ ଟିକେଟ ନ ମିଳିବାରୁ ସେ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଦଳ ତାଙ୍କ ପ୍ରତି ଅବହେଳା କରିଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ଏହାବ୍ୟତୀତ କଳାହାଣ୍ଡି ଜିଲାର ବିଜେଡି ସାଧାରଣ ସମ୍ପାଦକ ପ୍ରମୋଦ ପଟ୍ଟନାୟକ ଏବଂ ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ. ନାରାୟଣ ରାଓ ମଧ୍ୟ ବିଜେଡି ହାତ ଛାଡ଼ିଛନ୍ତି।

ସେହିପରି ସୋମବାର ବିଜେଡି ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ କନ୍ଧମାଳ ଲୋକସଭା ଆସନରେ ପ୍ରାର୍ଥୀ ଚୟନକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। କନ୍ଧମାଳର ବିଜେଡି ଏମପି ପ୍ରତ୍ୟୁଷା ରାଜେଶ୍ଵରୀଙ୍କୁ ଏଥର ଟିକେଟ ଦିଆ ନ ଯାଇ ଅଚ୍ୟୁଚ ସାମନ୍ତଙ୍କୁ ପ୍ରାର୍ଥୀ କରାଯାଇଛି। ଏହାକୁ ନେଇ ପ୍ରତ୍ୟୁଷାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସେ ନୟାଗଡ଼ ବିଧାନସଭା ଆସନରୁ ବିଧାୟକ ଭାବେ ବିଜେଡି ଟିକେଟରେ ନିର୍ବାଚନ ଲଢ଼ିବାକୁ ଆଶା କରିଛନ୍ତି। ଯଦି ଟିକେଟ ନ ମିଳେ ତେବେ ସେ ସ୍ବାଧୀନ ଭାବେ ଲଢ଼ିବେ ବୋଲି କହିଛନ୍ତି।

ଗୁଣପୁର ବିଜେଡି ବିଧାୟକ ତ୍ରିନାଥ ଗମାଙ୍ଗ ମଧ୍ୟ ଇସ୍ତାଫା ଦେଇଛନ୍ତି। ଏଥର ନିର୍ବାଚନରେ ଗୁଣପୁର ବିଧାସନଭାରେ ତାଙ୍କୁ ଟିକେଟ ନ ମିଳିବା ନେଇ ଜାଣିପାରି ସେ ଦଳ ଛାଡ଼ିଥିଲେ। ରଘୁନାଥ ଗମାଙ୍ଗଙ୍କୁ ବିଜେଡି ଟିକେଟ ଦେବାକୁ ଯୋଜାନା କରୁଥିବାରୁ ସେ ଦଳ ଛାଡ଼ୁଥିବା କହିଥିଲେ।

ଆସିକା ବିଧାୟକ ଦେବରାଜ ମହାନ୍ତି ଏବଂ ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକଙ୍କୁ ମଧ୍ୟ ଏଥର ବିଜେଡି ସୁପ୍ରିମୋ ଟିକେଟ ଦେଇନାହାନ୍ତି, ଯାହାକୁ ନେଇ ଉଭୟେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନଙ୍କ ପ୍ରତି ଅନ୍ୟାୟ କରାଯାଇଥିବା ଉଭୟ ନେତା ଗଣମାଧ୍ୟମ ଆଗରେ କହିଛନ୍ତି।

ପୂର୍ବରୁ ବିଜେଡିର ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ାର ପୂର୍ବତନ ଏମପି ବୈଜୟନ୍ତ ପଣ୍ଡା ଏବଂ ବରିଷ୍ଠ ନେତା ଦାମୋଦର ରାଉତଙ୍କୁ ଦଳର ବାହାର କରାଯିବା ପରେ ସେମାନେ ବିଜେପିରେ ଯୋଗଦେଇଛନ୍ତି। ଫଳରେ ଉଭୟ ଜିଲାରେ ଦଳର ସ୍ଥିତି କିଛିଟା ଦୁର୍ବଳ ହୋଇଥିବା କୁହାଯାଉଛି। ସେହି ଜିଲାଗୁଡ଼ିକରେ ବିଜେଡିର ଅନେକ ଭୋଟ ହ୍ରାସ ପାଇବାର ସମ୍ଭାବନା ରହିଛି। ଏହାବ୍ୟତୀତ ଦାମୋଦର ରାଉତଙ୍କ ଝିଅ ପ୍ରୀତିନନ୍ଦା ରାଉତ ମଧ୍ୟ ବିଜେଡିରୁ ଇସ୍ତଫା ଦେଇଛନ୍ତି।

ନବରଙ୍ଗପୁରର ବିଜେଡି ଏମପି ବଳଭଦ୍ର ମାଝି ଦଳ ଛାଡ଼ି ବିଜେପିରେ ଯୋଗଦେଇଛନ୍ତି। ଦଳରେ ତାଙ୍କୁ ଅବହେଳା କରାଯିବାରୁ ସେ ଦଳ ଛାଡ଼ିଥିବା କହିଛନ୍ତି। ଅନ୍ୟପଟେ ଦଳର ଉଚ୍ଚପଦସ୍ଥ କର୍ମକର୍ତ୍ତାମାନେ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ଆଣି ନୀଳଗିରିର ବିଜେଡି ବିଧାୟକ ସୁକାନ୍ତ ନାୟକ ଦଳରୁ ଇସ୍ତଫା ଦେଇଥିଲେ।

ଯେଉଁ ସବୁ ସ୍ଥାନରେ ନେତାମାନେ ଦଳ ଛାଡୁଛନ୍ତି ସେହି ସ୍ଥାନରେ ବିଜେଡିର ଭୋଟ ବିଭାଜନ ହେବାର ଆଶଙ୍କା ମଧ୍ୟ ରହିଛି। ଏସବୁ ଘଟଣାକୁ ନଜର ଦେଲେ ଏଥର ରାଜନୈତିକ ଦୃଶ୍ୟପଟରେ କିଛିଟା ପରିବର୍ତ୍ତନ ହେବା ସମ୍ଭାବନା ରହିଥିବା ରାଜନୈତିକ ବିଶେଷଜ୍ଞ ମହଲରେ ଆଲୋଚନା ହେଉଛି।

ତେବେ ଏ ସମ୍ପର୍କରେ ବିଜେଡିର ମୁଖପାତ୍ର ତଥା ନିମାପଡ଼ା ବିଧାୟକ ସମୀର ଦାଶଙ୍କର ଭିନ୍ନ ମତ ରହିଛି। ସେ କହିଛନ୍ତି ଯେ, ଯେଉଁମାନଙ୍କୁ ଲୋକେ ଚାହୁଁନାହାନ୍ତି ସେମାନେ ଦଳ ଛାଡୁଛନ୍ତି। ୨୦୧୪ ନିର୍ବାଚନ ସମୟରେ ଅନେକ ନେତା ଦଳ ଛାଡ଼ିଥିଲେ। ତାହାର କୌଣସି ପ୍ରଭାବ ପଡ଼ିଲା ନାହିଁ। ସେତେବଳେ ବିଜେଡି ଅଧିକ ଆସନରେ ଜିତିଥିଲା। ଏଥର ମଧ୍ୟ ତାହା ହେବ। ଟିକେଟ ବଣ୍ଟନକୁ ନେଇ ଅସନ୍ତୋଷ ସମ୍ପର୍କରେ ପଚାରିବାରେ ସମୀର କହିଛନ୍ତି ଯେ, ଲୋକେ କାହାକୁ ଭୋଟ ଦେବେ, କାହାକୁ ପ୍ରାର୍ଥୀ କଲେ ଜିତିହେବ ତାହାକୁ ବିଚାର କରି ଦଳ ନିଷ୍ପତ୍ତି ନେଉଛି।

Leave A Reply