ଜିଲା ଖଣିଜ ପାଣ୍ଠି ସଂଗ୍ରହରେ ୮ ଜିଲା ଆଗରେ

0

ଭୁବନେଶ୍ବର  : ୨୦୧୮ ଡିସେମ୍ବର ସୁଦ୍ଧା ବିଭିନ୍ନ ଜିଲାରେ ଜିଲା ଖଣିଜ ପାଣ୍ଠି ଅଧୀନରେ ୬୪୩୮.୨୩କୋଟି ଟଙ୍କା ମୂଲ୍ୟର ମୋଟ ୧୧,୪୩୪ଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି। ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରୁ ଏହି ସୂଚନା ମିଳିଛି। ଜିଲା ଖଣିଜ ପାଣ୍ଠିର ସମୀକ୍ଷା ଅବସରରେ ବିଭିନ୍ନ ଜିଲାରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପର ଅଗ୍ରଗତି ନେଇ ତଦାରଖ କରିବା ସହିତ ଜନସାଧାରଣ ଯେପରି ଏହାଦ୍ବାରା ଉପକୃତ ହୋଇପାରିବେ ସେ ଦିଗ ପ୍ରତି ଧ୍ୟାନ ଦେବାକୁ ଶ୍ରୀ ପାଢ଼ୀ ସମ୍ପୃକ୍ତ ବିଭାଗକୁ ନିର୍ଦେଶ ଦେଇଛନ୍ତି। ତେବେ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ଅଧିକ ସଂଖ୍ୟକ ପ୍ରକଳ୍ପ କାର୍ଯ୍ୟକାରୀ କରିବା ସହିତ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବା ଦିଗରେ ଜିଲାଗୁଡ଼ିକୁ ଆବଶ୍ୟକ ବୈଷୟିକ ସହାୟତା ଯୋଗାଇଦେବାକୁ ଉନ୍ନୟନ କମିଶନର ଅସିତ କୁମାର ତ୍ରିପାଠୀ ବିଭିନ୍ନ ବିଭାଗକୁ ପରାମର୍ଶ ଦେଇଥିଲେ।
ବୈଠକରୁ ଜଣାପଡ଼ିଛି ଯେ ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବାକୁ ଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରୁ ୯୦୪୪ଟି ପ୍ରକଳ୍ପ ପାନୀୟ ଜଳ, ଶିକ୍ଷା, ପରିବେଶ ସଂରକ୍ଷଣ, ପ୍ରଦୂଷଣ ନିୟନ୍ତ୍ରଣ, ସ୍ବାସ୍ଥ୍ୟ ଓ ପରିମଳ, ଦକ୍ଷତା ବିକାଶ ଓ ଜୀବିକା ଭଳି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରଗୁଡ଼ିକରେ କାର୍ଯ୍ୟକାରୀ କରାଯାଉଛି। ଅବଶିଷ୍ଟ ୨୩୭୮ଟି ପ୍ରକଳ୍ପ ଭିତ୍ତିଭୂମି, ଜଳସେଚନ, ଜଳ ବିଭାଜିକା, ଶକ୍ତି ଓ ବନୀକରଣ କ୍ଷେତ୍ରରେ କାର୍ଯ୍ୟକାରୀ କରାଯାଉଛି।
ଜିଲାୱାରୀ ସମୀକ୍ଷାରୁ ଜଣାପଡ଼ିଛି ଯେ ଅନୁଗୋଳ, ଯାଜପୁର, ଝାରସୁଗୁଡ଼ା, କେନ୍ଦୁଝର, ସୁନ୍ଦରଗଡ଼, କୋରାପୁଟ, ମୟୂରଭଞ୍ଜ ଓ ରାୟଗଡ଼ା ଆଦି ୮ଟି ଜିଲା ଜିଲା ଖଣିଜ ପାଣ୍ଠି ସଂଗ୍ରହ ଓ ଆବଣ୍ଟନରେ ଆଗରେ ଅଛନ୍ତି। ମୋଟ ୧୧୪୩୪ ପ୍ରକଳ୍ପ ମଧ୍ୟରୁ ଏହି ୮ଟି ଜିଲାରେ ୧୧୨୫୪ଟି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଅନୁଗୋଳରେ ୨୨୧୪, ଯାଜପୁରରେ ୧୮୭୫, ଝାରସୁଗୁଡ଼ାରେ ୫୦୮, କେନ୍ଦୁଝରରେ ୭୭୧, ସୁନ୍ଦରଗଡ଼ରେ ୪୬୩୧, କୋରାପୁଟରେ ୮୦୧, ମୟୂରଭଞ୍ଜରେ ୭୭ ଏବଂ ରାୟଗଡ଼ାରେ ୩୭୭ଟି ପ୍ରକଳ୍ପ ରହିଛି।
ବୈଠକରେ ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜକୁମାର ଶର୍ମା, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର ଏବଂ ଅନ୍ୟାନ୍ୟ ବିଭାଗର ସଚିବ ଉପସ୍ଥିତ ଥିଲେ।

Leave A Reply