ଅନ୍ତର୍ଜାତୀୟ ମଞ୍ଚରେ ମନର କଥା କହିବେ ବସ୍ତିର ଝିଅ ଦୀପାଞ୍ଜଳି

ଭୁବନେଶ୍ୱର :  ବସ୍ତିରେ ରହୁଥିବା ଦୀପାଞ୍ଜଳି ସ୍ୱାଇଁ ନାମକ ଜଣେ ଝିଅ’ ୨୫ ତମ ଜନସଂଖ୍ୟା ଓ ବିକାଶ’ ଶୀର୍ଷକ ନାଇରୋବିରେ ଅନୁଷ୍ଠିତ ହେବାକୁ ଥିବା ଏକ ଅନ୍ତର୍ଜାତୀୟ ସମ୍ମିଳନୀରେ ଭାଗ ନେବେ। ବର୍ତ୍ତମାନ ଏହି ଖବର ସାରା ଓଡ଼ିଶା ବାସୀଙ୍କ ପାଇଁ ଏକ ଗର୍ବ ଆଣି ଦେଇଛି। ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ଼, ଭୁବନେଶ୍ୱର ମହାନଗର ନିଗମ ଏବଂ ୟୁନାଇଟେଡ଼ ନେସନସ୍‍ ପପୁଲେସନ୍‍ ଫଣ୍ଡ ମିଳିତ ଆନୁକୂଲ୍ୟରେ ସାମାଜିକ ସ୍ମାର୍ଟ ପ୍ରକଳ୍ପ ଜରିଆରେ ତାଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ଦୀପାଞ୍ଜଳି ନାଇରୋବି ସମ୍ମିଳନୀରେ ଅଂଶଗ୍ରହଣ କରି ‘ଜନସଂଖ୍ୟା ଓ ବିକାଶ’ ଉପରେ ଭୁବନେଶ୍ୱର ସ୍ମାର୍ଟ ସିଟି ପକ୍ଷରୁ ବିବୃତ୍ତି ରଖିବେ। ସେ ବର୍ତ୍ତମାନ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟରେ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ (ସିୟୁଟିଏମ) ବିଭାଗରେ ପଢୁଛନ୍ତି। ସମ୍ପ୍ରତ୍ତି ଭୁବନେଶ୍ୱର ସ୍ମାର୍ଟ ସିଟି ଅଧୀନରେ ଜଣେ ପ୍ରଗତୀ ସାଥି ସାମାଜିକ କର୍ମୀ ହିସାବରେ ସ୍ଥାନୀୟ ବାସିନ୍ଦା ଏବଂ ଝୁମ୍ପୁଡ଼ିରେ ରହୁଥିବା କୁନି କୁନି ପିଲାମାନଙ୍କୁ ଆତ୍ମନିର୍ଭରଶୀଳ ହେବାର ଶିକ୍ଷା ଦେଉଛନ୍ତି। ଦୀପାଞ୍ଜଳିଙ୍କ ବାପା ରାଜ୍ୟ ସରକାରଙ୍କ ଅଧୀନରେ ଚୁକ୍ତିଭିତ୍ତିକ କର୍ମଚାରୀ ଓ ତାଙ୍କ ମା’ ଜଣେ ଗୃହିଣୀ। ଏହି ଅନ୍ତର୍ଜାତୀୟ ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ମନୋନୀତ ହୋଇଥିବାରୁ ସେ ଖୁବ ଖୁସି ଓ ଏଥିରେ ଅଂଶୀଦାର ହୋଇ ଲକ୍ଷ୍ୟ ହାସଲ କରିବାକୁ ଆଶାବାଦୀ ବୋଲି କହିଛନ୍ତି। ଏଥିପାଇଁ ବିଏସସିଏଲ କର୍ତ୍ତୁପକ୍ଷଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି।

Comments are closed.