ଅଯୋଧ୍ୟାରେ ୫ ଏକର ଜାଗା ନେବା ପ୍ରସଙ୍ଗରେ ସୁନ୍ନି ୱାକଫ୍‌ ବୋର୍ଡରେ ମତଭେଦ, ଅଧ୍ୟକ୍ଷଙ୍କ ବିରୋଧରେ ୨ ସଦସ୍ୟଙ୍କ ବିଦ୍ରୋହ

ଲକ୍ଷ୍ନୌ: ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଅଯୋଧ୍ୟାରେ ମସଜିଦ ନିର୍ମାଣ ଲାଗି ୫ ଏକର ଜାଗା ନେବା ପ୍ରସଙ୍ଗକୁ ନେଇ ସୁନ୍ନି ୱାକଫ୍‌ ବୋର୍ଡରେ ମତଭେଦ ସୃଷ୍ଟି ହୋଇଛି। ବୋର୍ଡର ୨ ସଦସ୍ୟ ଇମରାନ ମାବୁଦ ଖାନ ଏବଂ ଅବଦୁଲ ରଜାକ ଖାନ୍‌ ଜାଗା ନେବା ସପକ୍ଷରେ ନାହାନ୍ତି। ଅନ୍ୟପଟେ ବୋର୍ଡର ଅନ୍ୟ ସଦସ୍ୟମାନଙ୍କ ଇଚ୍ଛା କ’ଣ ତାହା ଏଯାଏ ସାମ୍ନାକୁ ଆସିନାହିଁ।

ସୁପ୍ରିମକୋର୍ଟ ଅଯୋଧ୍ୟା ମାମଲାରେ ଦେଇଥିବା ରାୟରେ ବିବାଦୀୟ ସ୍ଥଳକୁ ହିନ୍ଦୁ ପକ୍ଷଙ୍କୁ ଦେବା ସହିତ ସୁନ୍ନି ୱାକଫ ବୋର୍ଡକୁ ଅଯୋଧ୍ୟାରେ ମସଜିଦ ନିର୍ମାଣ ଲାଗି ୫ ଏକର ସ୍ଥାନ ଯୋଗାଇ ଦେବା ଲାଗି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଥିଲେ। ସୁନ୍ନି ୱାକଫ ବୋର୍ଡର ଅଧ୍ୟକ୍ଷ ଜୁଫର ଫାରୁକୀ ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ରିଭ୍ୟୁ ପିଟିଶନ ଦାଖଲ କରିବାକୁ ମନା କରିସାରିଛନ୍ତି। ବୋର୍ଡ ୫ ଏକର ଜାଗା ଗ୍ରହଣ କରିବା ସକାଶେ ଇଚ୍ଛୁକ ଥିବା ଦର୍ଶାଇବା ସହିତ ଏହା ଉପରେ ମୋହର ମାରିବା ଲାଗି ଅଧ୍ୟକ୍ଷ ଜୁଫର ଫାରୁକୀ ଆସନ୍ତା ୨୬ ତାରିଖରେ ବୋର୍ଡ ବୈଠକ ଡକାଇଛନ୍ତି। କିନ୍ତୁ ବୈଠକ ପୂର୍ବରୁ ବୋର୍ଡର ଦୁଇ ସଦସ୍ୟ ଇମରାନ ବାବୁଦ ଏବଂ ଅବଦୁଲ ରଜ୍ଜାକ ଅଧ୍ୟକ୍ଷଙ୍କ ବିରୋଧରେ ବିଦ୍ରୋହ ଆରମ୍ଭ କରିଦେଇଛନ୍ତି। ଏହି ଦୁଇ ଜଣ ଉତ୍ତର ପ୍ରଦେଶ ବାର୍‌ କାଉନସିଲର ପୂର୍ବତନ ଅଧ୍ୟକ୍ଷ ରହିସାରିଥିବାବେଳେ ଏବେ ବାର୍‌ କାଉନସିଲର ସଦସ୍ୟ ଅଛନ୍ତି।

Comments are closed.