ଧୋନି ୱିକେଟ ପଛରେ ରହିବା ଦଳର ସୌଭାଗ୍ୟ : କୋହଲି

ନୂଆଦିଲ୍ଲୀ : ମହେନ୍ଦ୍ର ସିଂହ ଧୋନିଙ୍କ ପରି ଅଭିଜ୍ଞତା ଓ ଦକ୍ଷତା ଥିବା କ୍ରିକେଟର ଭାରତୀୟ ଦଳରେ ରହିବା ଏକ ସୌଭାଗ୍ୟର ବିଷୟ। ଏହି ୱିକେଟ ରକ୍ଷକ ବ୍ୟାଟ୍‌ସମ୍ୟାନ୍ ଆସନ୍ତା ବିଶ୍ବକପ୍‌ରେ ଭାରତୀୟ ଦଳ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ ବୋଲି କହିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। ଧୋନି ବର୍ତ୍ତମାନ ସୁଦ୍ଧା ୩୪୧ଟି ଦିନିକିଆ ମ୍ୟାଚ୍‌ ଖେଳି ୧୦ ହଜାରରୁ ଊର୍ଦ୍ଧ୍ବ ରନ୍‌ ସଂଗ୍ରହ କରିଛନ୍ତି। ବିଶ୍ବକପ୍ ସମୟ​‌େ​‌ର ଧୋନି ୩୮ତମ ଜନ୍ମଦିବସ ପାଳନ କରିବେ। ଏହି ବୟସରେ ମଧ୍ୟ ଧୋନି ଭାରତୀୟ ଦଳର ବିଶ୍ବକପ୍ ଅଭିଯାନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ ବୋଲି କୋହଲି କହିଛନ୍ତି।
ଏହି ବୟସରେ ମଧ୍ୟ ମହେନ୍ଦ୍ର ସିଂହ ଧୋନି ବର୍ତ୍ତମାନ ସୁଦ୍ଧା ଶାରୀରିକ ଭାବେ ଅନେକ ଯୁବ ଖେଳାଳିଙ୍କଠାରୁ ଅଧିକ ଫିଟ୍‌ ଅଛନ୍ତି ବୋଲି କୋହଲି କହିବା ସହ ବର୍ତ୍ତମାନ ସମୟରେ ଧୋନିଙ୍କ ବିକଳ୍ପ ନାହିଁ ବୋଲି ସ୍ପଷ୍ଟ କରି ଦେଇଛନ୍ତି। ସୂଚନାଯୋଗ୍ୟ; ୨୦୧୧ ବିଶ୍ବକପ୍‌ ବିଜୟୀ ଭାରତୀୟ ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଚଳିତବର୍ଷ ଦିନିକିଆରେ ବେଶ ଭଲ ପ୍ରଦର୍ଶନ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ସେ ୯ଟି ଦିନିକିଆ ମ୍ୟାଚ୍‌ ଖେଳି ୩୦୦ରୁ ଅଧିକ ରନ୍ କରିଛନ୍ତି। ସେଥିମଧ୍ୟରେ ୪ଟି ଅର୍ଦ୍ଧଶତକ ରହିଛି। କୋହଲି ଆହୁରି କହିଛନ୍ତି, ଧୋନିଙ୍କ ନିକଟରେ ଯେଉଁ ଅଭିଜ୍ଞତା ରହିଛି ତାହା ଦଳ ପାଇଁ ବେଶ୍‌ ଗୁରୁତ୍ବପୂର୍ଣ୍ଣ। ଧୋନି ଷ୍ଟମ୍ପ୍ ପଛରେ ଛିଡ଼ାହେବା ଦଳ ପାଇଁ ସୌଭାଗ୍ୟର ବିଷୟ। କଠିନ ସମୟରେ ଧୋନି ତାଙ୍କୁ ଯେଉଁ ଉପଦେଶ ଦେଇଥାନ୍ତି; ତାହା ଅନ୍ୟ କାହାଠାରୁ ପାଇବାର ପ୍ରଶ୍ନ ଉଠୁନାହିଁ। ମାହିଭାଇଙ୍କ ପଛରେ କିଛି ଲୋକ ପଡ଼ିଛନ୍ତି। ଏହା ବେଶ୍ ଦୁର୍ଭାଗ୍ୟଜନକ। ମୋ ଲାଗି ଦଳ ପ୍ରତି ନିଷ୍ଠା ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ମୁଁ ଯେତେବେଳେ ଭାରତୀୟ ଦଳରେ ପ୍ରଥମେ ପ୍ରବେଶକଲି; ଅଧିନାୟକ ଭାବେ ଧୋନି ଆଉ କାହାକୁ ମୋ ସ୍ଥାନରେ ଖେଳାଇ ପାରିଥାଆନ୍ତେ। ସୁଯୋଗକୁ ମୁଁ ହାତେଇଥିଲେ ହେଁ ଅଧିନାୟକ ଧୋନିଙ୍କ ସମର୍ଥନ ମୋ ପଛରେ ନିରନ୍ତର ଥିଲା। ଏହା ମୋ ପାଇଁ ସବୁଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ଥିଲା। ଅଧିକ ଯୁବ ଖେଳାଳିଙ୍କୁ ୩ ନମ୍ବର ସ୍ଥାନରେ ବ୍ୟାଟିଂ କରିବାର ମଉକା ମିଳିନଥାଏ। ହେଲେ ମାହିଭାଇ ଏହା ମୋତେ ଦେଇଥିଲେ। ମ୍ୟାଚ୍ ପରିସ୍ଥିତିକୁ ବୁଝିବାରେ ବିଶ୍ବରେ ଧୋନିଙ୍କଠାରୁ ଭଲ କ୍ରିକେଟର ନାହାନ୍ତି। ପ୍ରଥମ ବଲ୍‌ରୁ ୩୦୦ତମ ବଲ୍ ପର୍ଯ୍ୟନ୍ତ କେତେ​‌େ​‌ବଳେ କ’ଣ କରିବାକୁ ହେବ; ତାହା ସେ ଭଲଭାବେ ଜାଣିଥାଆନ୍ତି। ତାଙ୍କୁ ଦଳରେ ପାଇବା କେବଳ ଏକ ଆଶୀର୍ବାଦ ନୁହେଁ; ୱିକେଟ ପଛରେ ମାହିଭାଇଙ୍କ ପରି ଉନ୍ନତ କ୍ରିକେଟ ମସ୍ତିଷ୍କ ଥିବା କ୍ରିକେଟ ବ୍ୟକ୍ତିତ୍ବ ଛିଡ଼ାହେବା ଦଳ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ। ଶେଷରେ ଏତିକି କହିବି ଯେ ବିଶ୍ବକପ୍‌ରେ ଅଧିନାୟକ ଭାବେ ମୁଁ ସମସ୍ତ ନିଷ୍ପତ୍ତି ନେବିନାହିଁ। ମାହିଭାଇଙ୍କ ସହ ରୋହିତ (ଉପଅଧିନାୟକ ରୋହିତ ଶର୍ମା) ଓ ମୁଁ ମିଳିତ ଭାବେ ନିଷ୍ପତ୍ତି ନେବୁ।
ଏକଦା ଭାରତୀୟ ଦଳର ଶ୍ରେଷ୍ଠ ଫିନିସର୍‌ ଭାବେ ପରିଗଣିତ ହେଉଥିବା ଧୋନି ଗତ କିିଛିବର୍ଷ ହେବ ପୂର୍ବପରି ଫର୍ମରେ ନ ଥିବାରୁ ତାଙ୍କୁ ଭାରତୀୟ ଦଳରୁ ବାଦ୍‌ ଦେବାକୁ କେତେକ ମହଲରୁ ଦାବି ​ହୋଇ ଆସୁଥିଲା। ତେବେ ଧୋନିଙ୍କୁ ଭାରତୀୟ ଦଳରୁ ବାଦ୍ ଦିଆଯିବା କଥା ଚିନ୍ତା କରିବା ବର୍ତ୍ତମାନ ମୁର୍ଖାମୀ ହେବ ବୋଲି କୋହଲି କହିଛନ୍ତି। ଧୋନି ଜଣେ ମହାନ୍‌ କ୍ରିକେଟର୍‌। କେଉଁ ପରିସ୍ଥିତିରେ କିପରି ବ୍ୟାଟିଂ କରିବାକୁ ହୁଏ ତାହା ଧୋନିଙ୍କୁ ଭଲ ଭାବେ ଜଣା। ତେଣୁ ତାଙ୍କୁ ନିଜ ଶୈଳୀରେ ବ୍ୟାଟିଂ କରିବାର ସୁଯୋଗ ମିଳିବା ଆବଶ୍ୟକ ବୋଲି କୋହଲି କହିଛନ୍ତି। ସେହିପରି ଚଳିତବର୍ଷ ଧୋନି ବେଶ୍‌ ଭଲ ପ୍ରଦର୍ଶନ କରିଥିବାରୁ ତାଙ୍କ ବ୍ୟାଟିଂ ଦକ୍ଷତା ଉପରେ ପ୍ରଶ୍ନବାଚୀ ଉଠା ଯାଇପାରିବ ନାହିଁ ବୋଲି କୋହଲି କହିଛନ୍ତି।

Comments are closed.