ଧୋନି ହରାଇଛନ୍ତି ପୂର୍ବ ଦକ୍ଷତା!

0

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଦିନିକିଆ କ୍ରିକେଟ୍‍ରେ ଜଣେ ଶ୍ରେଷ୍ଠ ଫିନିସର୍‍ ଭାବେ ଜଣାଶୁଣା। ଶେଷ ମୁହୂର୍ତ୍ତରେ ନିଜ ବିସ୍ଫୋରକ ବ୍ୟାଟିଂ ଦ୍ୱାରା ଭାରତୀୟ ଦଳକୁ ଅନେକ ମ୍ୟାଚ୍‍ରେ ଧୋନି ବିଜୟୀ କରାଇଛନ୍ତି। ତେବେ ଗତ ଏକବର୍ଷ ମଧ୍ୟରେ ଧୋନି ନିଜର ଏହି ଦକ୍ଷତା ହରାଇ ବସିଥିବା ଆଲୋଚନା ହେଉଛି।
ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍‍ରେ ଧୋନି ଯେପରି ଭାବେ ପ୍ରଦର୍ଶନ କଲେ ତାହାକୁ ନେଇ ତାଙ୍କୁ ବିଭିନ୍ନ ମହଲରେ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଥିଲା। ଧୋନି ଖୁବ୍‍ଶୀଘ୍ର ଦିନିକିଆ କ୍ରିକେଟ୍‍ରୁ ଅବସର ଗ୍ରହଣ କରିବେ ବୋଲି ଆଲୋଚନା ଚାଲିଥିବା ବେଳେ ଏହାକୁ ଖଣ୍ଡନ କରିଥିଲେ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ। ଯଦି ପରିସଂଖ୍ୟାନକୁ ଦୃଷ୍ଟି ଦେବା ତେବେ ଧୋନି ଗତ ୧୨ ମାସରେ ଦିନିକିଆରେ ଆଶାନୁରୂପକ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ। ତାଙ୍କର କ୍ୟାରିୟର ଆଭରେଜ୍‍ ୮୮.୧୩ ରହିଥିବା ବେଳେ ଏକବର୍ଷ ମଧ୍ୟରେ ତାଙ୍କ ଆଭରେଜ୍‍ ୭୯.୩୬କୁ ଖସି ଆସିଛି। ଅନ୍ୟପକ୍ଷରେ ଟ୍ୱେଣ୍ଟି୨୦ରେ ଧୋନିଙ୍କ ଷ୍ଟ୍ରାଇକ ରେଟ୍‍ରେ ଉନ୍ନତି ଆସିଛି। ପୂର୍ବରୁ ତାଙ୍କର ଷ୍ଟ୍ରାଇକ ରେଟ୍‍ ୧୨୭.୦୯ ଥିବା ବେଳେ ବର୍ତ୍ତମାନ ତାହା ୧୪୬.୮୦କୁ ଛୁଇଁଛି।
ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଧୋନି ଯେପରି ଧିମା ବ୍ୟାଟିଂ ପ୍ରଦର୍ଶନ କଲେ ତାହାକୁ ନେଇ ଷ୍ଟାଡ଼ିୟମରେ ଉପସ୍ଥିତ ଭାରତୀୟ ପ୍ରଶଂସକ ତାଙ୍କୁ ତୀବ୍ର ସମାଲୋଚନା କରିଥିଲେ। ସେ ଏହି ମ୍ୟାଚ୍‍ରେ ୫୯ଟି ବଲ୍‍ରୁ ୩୭ ରନ୍‍ ସଂଗ୍ରହ କରିବା ଫଳରେ ଭାରତୀୟ ଦଳ ପରାଜିତ ହେଲା ବୋଲି ଅନେକ ମତ ଦେଇଛନ୍ତି। ଏହାବାଦ୍‍ କାନପୁରରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‍ ହେଉ କିମ୍ବା ୨୦୧୫ ବିଶ୍ୱକପ୍‍ ସେମିଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‍ ହେଉ, ଧୋନି ଯେପରି ଧିମା ବ୍ୟାଟିଂ ପ୍ରଦର୍ଶନ କରିଥିଲେ ତାହା ବେଶ୍‍ ଆଲୋଚନାର ବିଷୟ ପାଲଟିଥିଲା। ଏସବୁ କଥାକୁ ଦୃଷ୍ଟିରେ ରଖି ଧୋନି ଭାରତୀୟ ଦଳକୁ ବିଜୟୀ କରାଇବାରେ ନିଜ ପୂର୍ବ କ୍ଷମତା ହରାଇଥିବା ଆଲୋଚନା ହେଉଛି। ତେବେ ଜଣେ ଲଢ଼ୁଆ ଖେଳାଳି ଭାବେ ପରିଚିତ ଧୋନି ନିଜର ପୂର୍ବ ଦକ୍ଷତା ଫେରି ପାଇବା ସହ ଭାରତୀୟ ଦଳର ତାରକା ବ୍ୟାଟସମ୍ୟାନ୍‍ ଭାବେ ପୁନଃ ଉଭା ହେବାର ଦକ୍ଷତା ରଖିଥିବା ଅନ୍ୟ କେତେକ ପ୍ରଶଂସକ ଓ ପୂର୍ବତନ ଖେଳାଳି ମତ ଦେଇଛନ୍ତି।

Leave A Reply