ବ୍ୟବସାୟୀଙ୍କଠାରୁ ସାଢ଼େ ୬ ଲକ୍ଷ ଲୁଟ୍‍

0

ଢେଙ୍କାନାଳ ସଦର : ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଓସ୍ତପାଳ ଗ୍ରାମର ଜଣେ ବ୍ୟବସାୟୀଙ୍କଠାରୁ ପିସ୍ତଲ ଦେଖାଇ ସାଢେ ୬ ଲକ୍ଷ ଟଙ୍କା ଲୁଟ୍‍ ହୋଇଛି। ଓସ୍ତପାଳ ଗାଁର ପ୍ରଭାକର ପ୍ରଧାନ (୨୬) ସାଢେ ୬ ଲକ୍ଷ ଟଙ୍କା ଧରି ଏକ ବାଇକ୍‍ ଯୋଗେ ଢେଙ୍କାନାଳ ଆକ୍ସିସ୍‍ ବ୍ୟାଙ୍କକୁ ଜମା କରିବାକୁ ଆସୁଥିବାବେଳେ ଢେଙ୍କାନାଳ-ଭାପୁର ରାସ୍ତାର ବନମାଳିପ୍ରସାଦ ଗ୍ରାମ ନିକଟରେ ଲୁଟେରାମାନେ ଦୁଇଟି ବାଇକ୍‍ରେ ଆସି ବେକରେ ପିସ୍ତଲ ଲଗାଇ ଲୁଟ୍‍ କରିଥିବା ପୁଲିସ୍‍ ନିକଟରେ ଅଭିଯୋଗ ହୋଇଛି।
ପ୍ରକାଶ ଯେ ଓସ୍ତପାଳ ଗାଁର ପ୍ରଭାକର ପ୍ରଧାନ ଚାଉଳ ବ୍ୟବସାୟ କରନ୍ତି। ବ୍ୟବସାୟରୁ ଆଦାୟ ହୋଇଥିବା ଟଙ୍କାକୁ ସେ ଆକ୍ସିସ୍‍ ବ୍ୟାଙ୍କ ଢେଙ୍କାନାଳ ଶାଖାରେ ଜମା କରି କାରବାର କରୁଥିଲେ। ଶୁକ୍ରବାର ଅପରାହ୍ନ ୧ଟାରେ ନିଜ ଗାଁରୁ ବାଇକ୍‍ ଯୋଗେ ଢେଙ୍କାନାଳ ସହରକୁ ଆସୁଥିଲେ। ଢେଙ୍କାନାଳ ସହର ପ୍ରବେଶ ପୂର୍ବରୁ ବନମାଳିପ୍ରସାଦ କାଜୁ ବଗିଚା ନିକଟରେ ୪ ଜଣ ଯୁବକ ଦୁଇଟି ବାଇକ୍‌ରେ ଆସି ତାଙ୍କୁ କାଜୁ ବଗିଚା ଭିତରକୁ ଟାଣି ନେଇଥିଲେ। ସେଠାରେ ତାଙ୍କୁ ପିସ୍ତଲ ଦେଖାଇ ଭୟଭୀତ କରିବା ସହ ତାଙ୍କ ନିକଟରେ ଏକ ବ୍ୟାଗ୍‍ରେ ଥିବା ୬ ଲକ୍ଷ ୫୦ ହଜାର ଟଙ୍କା ନେଇ ପଳାଇଥିଲେ। ଏ ସଂପର୍କରେ ସେ ତାଙ୍କର ସାଙ୍ଗସାଥୀ ଓ ସଂପର୍କୀୟଙ୍କୁ କହିବା ପରେ ସନ୍ଧ୍ୟା ୬ଟାରେ ଢେଙ୍କାନାଳ ଟାଉନ୍‍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ପୁଲିସ୍‍ ତଦନ୍ତ ଆରମ୍ଭ କରିଛି। ଘଟଣା ଘଟିବାଠାରୁ ଏଫ୍‍ଆଇଆର୍‍ ଦେବା ପର୍ଯ୍ୟନ୍ତ ଅନେକ ବିଳମ୍ବ ହୋଇଥିବାରୁ ପୁଲିସ୍‍ ଅପରାଧୀଙ୍କୁ ଠାବ କରିବା ସକ୍ଷମ ହୋଇପାରିନାହିଁ। ଢେଙ୍କାନାଳ ଜିଲାରେ ଗତ କିଛିଦିନ ଧରି ଚୋରୀ, ରାହାଜାନୀ ବୃଦ୍ଧି ପାଇବାରେ ଲାଗିଛି। ଲୁଟିଆମାନେ ପଥଚାରୀମାନଙ୍କୁ ଟାର୍ଗେଟ୍‍ କରି ଟଙ୍କା ଏବଂ ଗାଡି ଲୁଟି ନେଉଥିଲେ ମଧ୍ୟ ପୁଲିସ୍‍ ଧରିବାକୁ ସକ୍ଷମ ହୋଇପାରୁନାହିଁ। ଗତ ୨ ତାରିଖ ସନ୍ଧ୍ୟାରେ ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଅନ୍ତର୍ଗତ ଓସ୍ତପାଳରୁ ଦୀନବନ୍ଧୁପୁର ରାସ୍ତାରେ ଯାଉଥିବା ଜଣେ ବ୍ୟାଙ୍କ ମିତ୍ର ବିଜୟ କୁମାର ନାୟକଙ୍କୁ ବନ୍ଧୁକ ଦେଖାଇ ଲୁଟ୍‍ ହୋଇଥିଲା। ୩ ତାରିଖରେ ସିମିଳିଆ-ନରଣପୁର ରାସ୍ତାରେ ସ୍ୱାସ୍ଥ୍ୟ ବିଭାଗର ଅବସରପ୍ରାପ୍ତ କିରାଣୀଙ୍କ ପେନ୍‍ସନ୍‍ ଟଙ୍କା ସହ ସ୍କୁଟି ଲୁଟ୍‍ ହୋଇଥିଲା। ଗୋଟିକ ପରେ ଗୋଟିଏ ଘଟଣା ଘଟିଚାଲିବା ଏବଂ ପୁଲିସ୍‍ ଧରିବାରେ ବିଫଳ ହେବା ଲୋକଙ୍କ ମଧ୍ୟରେ ଭୟ ସଞ୍ଚାର କରିଛି।

Leave A Reply