ଆର୍ଥିକ ମାନ୍ଦାବସ୍ଥା ଦୂରପାଇଁ କେନ୍ଦ୍ର ସରକାର ବଳିଷ୍ଠ ପଦକ୍ଷେପ ନେଉଛନ୍ତି: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପକ୍ଷରୁ କର୍ପୋରେଟ୍‍ ଟ୍ୟାକ୍ସକୁ ୩୦ ପ୍ରତିଶତରୁ ୨୨ ପ୍ରତିଶତକୁ ହ୍ରାସ କରାଯାଇଛି। ବାଣିଜ୍ୟିକ ପ୍ରତିଷ୍ଠାନଗୁଡିକ ପାଇଁ ୩୦ ପ୍ରତିଶତ ଟ୍ୟାକ୍ସ କମାଯାଇଛି। ଏଥିସହିତ ଅକ୍ଟୋବର ୧ରୁ ନୂଆ ବ୍ୟବସାୟୀଙ୍କୁ ୧୫% ଟ୍ୟାକ୍ସ ଦେବାକୁ ପଡିବ ଏବଂ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମାନଙ୍କୁ ୭୦ ହଜାର କୋଟି ଟଙ୍କାର ପୁଞ୍ଜି ପ୍ରଦାନ ନିଷ୍ପତ୍ତି ନିଆଯାଇଛି ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ରବିବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମୀଳନୀରେ ଦେଶର ଆର୍ଥିକ ମାନ୍ଦାବସ୍ଥା ଉପରେ ପ୍ରତିକ୍ରିୟାରଖି ଶ୍ରୀ ପ୍ରଧାନ କହିଛନ୍ତି ଆମେରିକା ଏବଂ ଚୀନ ମଧ୍ୟରେ ଲାଗିରହିଥିବା ତିକ୍ତତା ଏବଂ ସାଉଦି ଆରବର ତେଲ ଖଣି ଉପରେ ଆତଙ୍କବାଦୀ ଆକ୍ରମଣ ବିଶ୍ୱ ଆର୍ଥିକ ମାନ୍ଦାବସ୍ଥା ଉପରେ ପ୍ରଭାବ ପକାଇଛି। ଏଣୁ ବିଶ୍ୱ ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ ଆମ ଦେଶ ଉପରେ ମଧ୍ୟ ପଡିଛି। ଦେଶର ଆର୍ଥିକ ମାନ୍ଦାବସ୍ଥା ଦୂରପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି। ଏହାର ପ୍ରାରମ୍ଭିକ ପର୍ଯ୍ୟାୟରେ ଛୋଟ ଛୋଟ ବ୍ୟବସାୟୀ କମ୍‍ ସୁଧରେ ବ୍ୟାଙ୍କରୁ ଋଣ ପାଇପାରିବେ ଏହାଦ୍ୱାରା ବଜାରରେ ଆର୍ଥିକ ଗତିବିଧି ଦୃତ ବୃଦ୍ଧି ପାଇବ। ଏଥି ସହିତ ଦେଶର ହୋଟେଲ ଶିଳ୍ପ ଉପରେ ଜିଏସଟି କମାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ହୋଟେଲ ଶିଳ୍ପ ଉପରୁ ଜିଏସଟି କମିବା ଦ୍ୱାରା ଓଡିଶାର ପର୍ଯ୍ୟଟନ ଶିଳ୍ପର ବିକାଶ ହୋଇପାରିବ। ସେହିପରି ଦେଶର ଦେଢକୋଟି ଟଙ୍କାରୁ କମ୍‍ ଆୟ କରୁଥିବା ବ୍ୟବସାୟୀଙ୍କୁ ପେନସନ୍‍ ଯୋଜନାରେ ସାମିଲ କରାଯାଇଛି।

Comments are closed.