ସରକାରୀ ପ୍ରୋତ୍ସାହିତ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି:ଧର୍ମେନ୍ଦ୍ର

0

ଭୁବନେଶ୍ୱର :ବିଜେଡ଼ି ଶାସନରେ ସରକାରୀ ପ୍ରୋତ୍ସାହିତ ଦୁର୍ନୀତି ଚରମ ସୀମାରେ ପହଞ୍ଚିିଛି ବୋଲି ପୂର୍ବତନ ପ୍ରଶାସିକା ଅପରାଜିତା ଷଡଙ୍ଗୀଙ୍କୁ ଦଳ ପକ୍ଷରୁ ସ୍ୱାଗତ କରିବା ପାଇଁ ଆୟୋଜିତ ସମ୍ବର୍ଦ୍ଧନା ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ବିଜେପି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ସଭାରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ୨୦୧୫ରେ ରାଜ୍ୟ ସରକାର ପିଡବ୍ଲୁଡି କୋଡରେ ପରିବର୍ତ୍ତନ ଆଣିଲେ। ୫୦ହଜାର ଟଙ୍କା ବଦଳରେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୌଣସି ବି ସରକାରୀ କାର୍ଯ୍ୟ ପାଇଁ ଟେଣ୍ଡର ନ ଡାକି ଇଚ୍ଛାମୁତାବକ ଦେବା ପାଇଁ ସରକାର ବିଧିବଦ୍ଧ ନିୟମ ପ୍ରଣୟନ କଲେ। ମୁଖ୍ୟମନ୍ତ୍ରୀ ଦୀର୍ଘ ସମୟ ଧରି ଜଳ ସମ୍ପଦ ଓ ପୂର୍ତ୍ତ ବିଭାଗର ମନ୍ତ୍ରୀ ଭାବେ ରହି ତାଙ୍କ ପୌରୋହିତ୍ୟରେ ବିନା ଟେଣ୍ଡରରେ କାମ ବଣ୍ଟା ଯାଇଛି। ରାଜ୍ୟର ବିଭିନ୍ନ ବିଭାଗ ବିନା ଟେଣ୍ଡରରେ କୋଟି କୋଟି ଟଙ୍କା କେବଳ ବଚସ୍କରମାନଙ୍କୁ ପିସି ନେବାର ବାଟ ଖୋଲି ବାଣ୍ଟି ଦେଇଛନ୍ତି ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟର ଅଣ ଯୋଜନା ବଜେଟରେ ବାର୍ଷିକ ୧୦ହଜାର କୋଟି ଟଙ୍କାର କାମ ବିନା ଟେଣ୍ଡରରେ ଦଳୀୟ କର୍ମୀମାନଙ୍କୁ ବଣ୍ଟା ଯାଉଛି। ଏହା କ’ଣ ମୁଖ୍ୟମନ୍ତ୍ରୀଙ୍କ ଥ୍ରୀ-ଟି ମନ୍ତ୍ର କି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି। ସେହିପରି ଢେଙ୍କାନାଳ ଜିଲା ବଳରାମପୁରରେ ବିୟର ଫ୍ୟାକ୍ଟ୍ରିକୁ ଲାଇସେନ୍‍ସ ଦେବା ଏବଂ ପ୍ରଶାସନ ଲଗାଇ ରାତି ଅଧିଆ ଗଛ କାଟି ପରେ ଲାଇସେନ୍ସ ବାତିଲ କରିବା ହେଉଛି ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଶାସନର ନମୁନା କି ବୋଲି ସେ ପ୍ରଶ୍ନ କରିଛନ୍ତି। ସେହିପରି ଢେଙ୍କାନାଳର ବେଲଟିକିରିରେ ଏସ୍‍ପି, କଲେକ୍ଟରଙ୍କ ଅଫିସରୁ ଦଶ କିମି ଦୂରରେ ଅନାଥାଶ୍ରମରେ ଅନ୍ତେବାସୀଙ୍କୁ ନିର୍ଯାତନା ଚାଲିଥିବାବେଳେ ସରକାର କିଭଳି ଜାଣିପାରିଲା ନାହିଁ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି। ସରକାରଙ୍କ ନାକ ତଳେ ଏବେ ବି ୨୩ଟି ବେନାମୀ ଆଶ୍ରମ ଚାଲିଛି, ଯାହାକୁ ଧରିବାକୁ ସରକାରଙ୍କ ଥ୍ରୀ-ଟି ମନ୍ତ୍ର କାଟୁ କରୁନାହିଁ। ବହୁତ ହୋଇଗଲା, ଲୋକେ ଏବେ ପରିବର୍ତ୍ତନ ଆଡକୁ ଢ଼ଳିଲେଣି। ଆଉ ୫ମାସ ପରେ ରାଜ୍ୟରେ ନିଶ୍ଚିତ ପରିବର୍ତ୍ତନ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ସମ୍ବର୍ଦ୍ଧନା ସଭାରେ ନବାଗତ ରାଜନେତା ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଯେ ଓଡ଼ିଶାର ବୋହୂ ଏବେ ଘରକୁ ଫେରିଛି। ତେବେ ଓଡ଼ିଶା ମୁଣ୍ଡରେ ଲାଗିଥିବା ଗରିବ ଓ ପଛୁଆ ଭଳି ଦୁଇଟି କଳଙ୍କ କିଭଳି ଲିଭିବ ତାହା ହିଁ ମୋର ଲକ୍ଷ୍ୟ। ଆଜିର ଦିନରେ ଓଡ଼ିଶା ଦରିଦ୍ରତମ ରାଜ୍ୟ ଭାବେ ପରିଗଣିତ ହେଉଥିବାବେଳେ ବିକାଶରେ ପଛୁଆ ରହିଛି। ଏହି ଦୁଇଟି ଟ୍ୟାଗ୍‍କୁ ପରିବର୍ତ୍ତନ ପାଇଁ ସମସ୍ତଙ୍କ ସହଯୋଗ ଲୋଡା। ବିଜେପିର ଏବେ ଗୋଟିଏ ନାରା ‘ୱାନ୍‍ ଟିମ୍‍-ୱାନ୍‍ ଡ୍ରିମ୍‍’ ଗୋଟିଏ ସଙ୍ଗଠନ-ଗୋଟିଏ ସ୍ୱପ୍ନ, ତାହା ହେଲା ରାଜ୍ୟରେ ଶାସନର ପରିବର୍ତ୍ତନ ସମ୍ଭବ। ଦୀର୍ଘବର୍ଷ ଧରି ସରକାର ଶାସନରେ ରହିଲା ପରେ ମଧ୍ୟ ରାଜ୍ୟରେ ୬୬ପ୍ରତିଶତ ଦରିଦ୍ର ରହିଛନ୍ତି, ଯାହାକି ରାଜ୍ୟ ସରକାର ଦେଇଥିବା ତଥ୍ୟରୁ ଜଣାଯାଇଛି। ସେହିପରି ମହିଳାମାନଙ୍କ ପାଇଁ ଶୌଚାଳୟ ଯୋଜନା କାର୍ଯ୍ୟକାରୀ କରିବାରେ ଓଡ଼ିଶା ସବୁ ରାଜ୍ୟଠାରୁ ପଛରେ ରହିଛି। ରାଜ୍ୟରେ ପିସି କାରବାରର ଚେର ସବୁ ସରକାରୀ କାର୍ଯ୍ୟାଳୟରେ ମାଡି ସାରିଲାଣି। ବିନା ପିସିରେ କୌଣସି କାମ ହେଉନାହିଁ। ଏହା କ’ଣ ରାଜ୍ୟ ସରକାରଙ୍କ ସ୍ୱଚ୍ଛ ଓ ଦକ୍ଷ ଶାସନର ପ୍ରମାଣ ବୋଲି ଶ୍ରୀମତୀ ଷଡଙ୍ଗୀ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟରେ ଯେତିକି ସମୟ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରିଛି ତାହା ଗୋଷ୍ଠୀ ତଥା ଟିମ୍‍ ୱାର୍କ ଭାବେ ତାହା ସଫଳତା ହୋଇଛି। ପ୍ରଶାସନିକ ଅଧିକାରୀମାନେ ଉତ୍ତମ କାର୍ଯ୍ୟ କରୁଛନ୍ତି ହେଲେ ସରକାରଙ୍କ କାର୍ଯ୍ୟ ଅତ୍ୟନ୍ତ ନିନ୍ଦନୀୟ ବୋଲି ସେ କହିଛନ୍ତି।
ରାଜ୍ୟ ମହିଳା ସଭାନେତ୍ରୀ ପ୍ରଭାତୀ ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ରାଜ୍ୟରୁ ପିସି ହଟାଇବାପାଇଁ ଆହ୍ୱାନ ଦେବା ସହିତ ଏକ୍‍ ଭାରତ ଶ୍ରେଷ୍ଠ ଭାରତର ନାରା ଦେଇଥିଲେ। ରାଜ୍ୟ ସଭାପତି ବସନ୍ତ ପଣ୍ଡା ସବ୍‍କା ସାଥ୍‍ ସବ୍‍କା ବିକାଶର ମନ୍ତ୍ର ପଢ଼ି ସମସ୍ତଙ୍କୁ ସାଥୀରେ ନେଇ ଆଗକୁ ବଢ଼ିବାକୁ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ସଙ୍ଗୀତା ସିଂହଦେଓ, ଉପସଭାପତି ସମୀର ମହାନ୍ତି, ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର, ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply