୯୭ ବର୍ଷରେ ବଢି ନାହିଁ ଏହି ଗାଁର ଜନସଂଖ୍ୟା, ଜାଣନ୍ତୁ କାରଣ

ଯଦି କୁହାଯାଏ ଦେଶରେ ଏଭଳି ଏକ ଗାଁ ରହିଛି ଯେଉଁଠି ବିଗତ ୯୭ ବର୍ଷ ଧରି ଜନସଂଖ୍ୟା ସ୍ଥିର ରହିଛି, ତେବେ ହୁଏତ ଆପଣ ତାହାକୁ ବିଶ୍ବାସ କରି ନ ପାରନ୍ତି। କିନ୍ତୁ କଥାଟା ସତ। ମଧ୍ୟପ୍ରଦେଶ ବେତୁଲ ଜିଲାରେ ଏମିତି ଏକ ଗାଁ ରହିଛି। ଗାଁର ନାମ ହେଉଛି ଧାନୋରା। ଏହି ଗାଁରେ ୧୯୨୨ ମସିହାରେ ଜନସଂଖ୍ୟା ୧୭୦୦ ଥିଲା ଏବଂ ଆଜି ମଧ୍ୟ ସେତିକି ରହିଛି। ଏହି ଗାଁର କୌଣସି ପରିବାରରେ ଦୁଇରୁ ଅଧିକ ସନ୍ତାନ ନାହାନ୍ତି। ଏଠାରେ ପୁତ୍ର ଓ କନ୍ୟା ସନ୍ତାନ ମଧ୍ୟରେ କୌଣସି ଭେଦଭାବ ନଥିବା କାରଣରୁ ଜନସଂଖ୍ୟାରେ ବୃଦ୍ଧି ଘଟୁନାହିଁ ବୋଲି କୁହାଯାଉଛି।

ବିଶ୍ବରେ ଜନସଂଖ୍ୟା ବୃଦ୍ଧି ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଦେଶ-ରାଜ୍ୟ ଏବଂ ଗାଁରେ ହୁ ହୁ ହୋଇ ଜନସଂଖ୍ୟା ବୃଦ୍ଧି ଘଟୁଛି। ଅନ୍ୟ ପକ୍ଷରେ ପ୍ରାକୃତିକ ସମ୍ବଳ ମଧ୍ୟ ସୀମିତ ରହିଛି। ଏଭଳି ପରିସ୍ଥିତିରେ ମଧ୍ୟପ୍ରଦେଶ ବେତୁଲ ଜିଲାର ଧାନୋରା ଗାଁ ପରିବାର ନିୟୋଜନ କ୍ଷେତ୍ରରେ ବ୍ରାଣ୍ଡ ଆମ୍ବାସାଡର ପାଲଟିଛି।

ଗବେଷକ ଏସ୍‌.କେ. ମହୋବିଆଙ୍କ ମତ ଅନୁଯାୟୀ, ୧୯୨୨ ମସିହାରେ କଂଗ୍ରେସର ଏକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପତ୍ନୀ କସ୍ତୁରବା ଗାନ୍ଧୀ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ। ଉତ୍ତମ ଜୀବନ ପାଇଁ ‘ଛୋଟ ପରିବାର, ସୁଖୀ ପରିବାର’ ବୋଲି ସେ ସ୍ଲୋଗାନ ଦେଇଥିଲେ। କସ୍ତୁରବା ଗାନ୍ଧୀଙ୍କ ଏହି ସ୍ଲୋଗାନକୁ ଗ୍ରାମବାସୀ ବେଦର ଗାର ଭାବେ ମାନି ନେଇଥିଲେ। ପରେ ଗାଁରେ ପରିବାର ନିୟୋଜନ ପରମ୍ପରା ଆରମ୍ଭ ହୋଇ ଯାଇଥିଲା।

ସ୍ଥାନୀୟ ବୟସ୍କ ଲୋକଙ୍କ କହିବା ହେଲା କସ୍ତୁରବା ଗାନ୍ଧୀଙ୍କ ଏହି ସ୍ଲୋଗାନ୍‌ ଲୋକଙ୍କ ମନ ଓ ମୁଣ୍ଡରେ ଭେଦି ଯାଇଥିଲା। ୧୯୨୨ ମସିହା ପରେ ପରିବାର ନିୟୋଜନ ପାଇଁ ଗ୍ରାମବସୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହୋଇଥିଲା। ପ୍ରତିଟି ପରିବାର ଗୋଟିଏ ବା ଦୁଇଟି ସନ୍ତାନ ପରେ ପରିବାର ନିୟୋଜନ କରାଉଥିଲେ। ଯାହା ଦ୍ବାରା ଧୀରେ ଧୀରେ ଗାଁରେ ଜନସଂଖ୍ୟା ସ୍ଥିର ହେବାକୁ ଲାଗିଥିଲା। ପୁଅ ପାଇଁ ପରିବାର ବଢୁଥିବା ପ୍ରଥାକୁ ମଧ୍ୟ ଏଠାକାର ଲୋକ ବନ୍ଦ କରି ଦେଲେ। ଗୋଟିଏ କିମ୍ବା ଦୁଇଟି ପୁଅ ବା ଝିଅ ଜନ୍ମ ହେବା ପରେ ପରିବାର ନିୟୋଜନ ଯୋଜନାକୁ ଆପଣାଇ ନେଉଥିଲେ। ଏଥିପାଇଁ ଏହି ଗାଁର କୌଣସି ପରିବାରକୁ କେବେ ବାଧ୍ୟ କରାଯାଇନାହିଁ। ପ୍ରତିଟି ପରିବାର ନିଜ ସ୍ବଇଚ୍ଛାରେ ଏହାକୁ ଆପଣାଇ ନେଇଥିଲେ। ଧୀରେ ଧୀରେ ଏହା ଏକ ପରମ୍ପରାରେ ପରିଣତ ହେଲା ଏବଂ ଜନସଂଖ୍ୟା ସ୍ଥିର ରହିଲା।

ଏହି ଗାଁର ଅନ୍ୟ ଏକ ବିଶେଷତ୍ବ ହେଉଛି, ଏଠାରେ ପୁଅ ଓ ଝିଅ ମଧ୍ୟରେ କୌଣସି ଭେଦ ଭାବ ମାନସିକତା ଦେଖିବାକୁ ମିଳେ ନାହେଁ। ପୁଅକୁ ଯେତିକି ଗୁରୁତ୍ବ ଦିଆଯାଏ ଝିଅକୁ ମଧ୍ୟ ସେତିକି ଗୁରୁତ୍ବ ଦିଆଯାଏ। ପରିବାର ନିୟୋଜନ କ୍ଷେତ୍ରରେ ଏହି ଗାଁ ଏବେ ସମସ୍ତଙ୍କ ପାଇଁ ଆଦର୍ଶ ପାଲଟିଛି।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଏହି ଗାଁର ଆଖପାଖରେ ଏଭଳି କିଛି ଗାଁ ରହିଛି ଯାହାର ଜନସଂଖ୍ୟା ବିଗତ ୫୦ ବର୍ଷ ମଧ୍ୟରେ ୪ରୁ ୫ ଗୁଣା ବୃଦ୍ଧି ପାଇଛି। କିନ୍ତୁ ଧନୋରା ଗାଁର ଜନସଂଖ୍ୟା ଏବେ ବି ସ୍ଥିର ରହିଛି।

Comments are closed.